Unknown

 

 

 

 

 

 

 

 

ମହାନିଷ୍କ୍ରମଣ

ରଚନା

ଶିଶିର କୁମାର ବସୁ

 

ଭାଷାନ୍ତର

କିଶଳୟ ବ୍ୟାନାର୍ଜୀ

 

 

 

 

 

 

 

 

 

 

 

 

 

ଭାରତର ସ୍ଵାଧୀନତା ସଂଗ୍ରାମର ମହାନ୍ ବିପ୍ଳବୀ ନେତାଜୀ ସୁଭାଷଚନ୍ଦ୍ରଙ୍କ ରୋମାଞ୍ଚକର ଅନ୍ତର୍ଦ୍ଧାନ କାହାଣୀ ।

 

 

 

 

 

 

 

 

 

 

 

 

ସ୍ୱର୍ଗତ ଶର୍ମିଲା ସୁମନ୍ତଙ୍କ ହାତରେ ଓ ସେମାନଙ୍କ ହାତ ଦେଇ ଏ କାଳର ପୁଅ ଝିଅଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ସୁଭାଷଚନ୍ଦ୍ରଙ୍କ ସ୍ଵପ୍ନର ଭାରତ ଗଢ଼ି ତୋଳିବେ ।

 

ସୂଚନା

 

ଭାରତର ମୁକ୍ତି ସଂଗ୍ରାମରେ ଯେଉଁ କେତେଜଣ ଅସାମାନ୍ୟ ବ୍ୟକ୍ତି ତାଙ୍କର ଐତିହାସିକ ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜୀବିତ, ତାଙ୍କ ମଧ୍ୟରେ ନେତାଜୀ ସୁଭାଷଚନ୍ଦ୍ର ବୋଷ୍‍ ଅନ୍ୟତମ । ଭାରତର ଯୁବଶକ୍ତିର ନବଜାଗରଣ ପାଇଁ ତାଙ୍କର ପ୍ରାଣବନ୍ତ ବ୍ୟକ୍ତିତ୍ଵ ଓ ନିସ୍ୱାର୍ଥ ଦେଶ ସେବା ଏକ ମହାନ୍ ଆଦର୍ଶର ପ୍ରତୀକ । ଆଜନ୍ମ ବିପ୍ଳବୀ ନେତାଜୀ ସୁଭାଷ, ତାଙ୍କର ଅସୀମ ସାହସ, ଅଜେୟ ଶକ୍ତି ଓ ନିରଳସ ଜୀବନଚର୍ଯ୍ୟା ପାଇଁ ଆଜି ପ୍ରତ୍ୟେକ ମଣିଷର ହୃଦୟରେ ଏକ ମହାଶକ୍ତିର ଅତୁଳନୀୟ ମହାମାନବ ରୂପେ ପ୍ରତିଷ୍ଠିତ ।

 

ଯେଉଁ ବ୍ୟକ୍ତି ଦେଶୀୟ ରାଜନୀତିରେ ଗମ୍ଭୀର ଭାବେ ଜଡ଼ିତ ଥିଲେ ହେଁ ସମସ୍ତ ଦଳୀୟ ଦ୍ଵନ୍ଦ ଓ ପରସ୍ପର କଳହର ଊର୍ଦ୍ଧ୍ୱରେ ରହି ନିଜର ସବୁ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦେଶ ମାତୃକାର ସେବାରେ ନିଜକୁ ସମର୍ପଣ କରିଥିଲେ ଏବଂ ସମଗ୍ର ଜାତିକୁ ପରାଧୀନତାର ଲାଞ୍ଛନାରୁ ମୁକ୍ତ କରିବା ନିମନ୍ତେ ଜୀବନର ସମସ୍ତ ଅନିଶ୍ଚିତତାକୁ ସାଦରେ ଗ୍ରହଣ କରି ସେହି ଏକମାତ୍ର ପବିତ୍ର ଉଦ୍ଦେଶ୍ୟରେ ଆଗେଇ ଯାଇଥିଲେ, ସେ ହେଉଛନ୍ତି ଏହି ମହାନ ବିପ୍ଳବୀ ନେତାଜୀ ସୁଭାଷଚନ୍ଦ୍ର ବୋଷ୍‍ । ଜାତିକୁ ଔପନିବେଶିକ ଶାସନରୁ ମୁକ୍ତ କରିବା ନିମନ୍ତେ ନିଜକୁ ଦେଶ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ସେ ଯେଉଁ ଅସୀମ ଆତ୍ମତ୍ୟାଗର ପରିଚୟ ଦେଇଛନ୍ତି ତାହା ଅଦ୍ଭୂତପୂର୍ବ । ଭାରତର ମୁକ୍ତି ସଂଗ୍ରାମର ସ୍ୱଦେଶୀମାନଙ୍କ ପ୍ରତି ବିଶେଷ କରି ନେତାଜୀଙ୍କ ଉପରେ ବ୍ରିଟିଶମାନଙ୍କ ଅମାନୁଷିକ ଅତ୍ୟାଚାରର କାହାଣୀ ଆଜି ବି ମନରେ ଆତଙ୍କ ସୃଷ୍ଟି କରେ । ତଥାପି ନେତାଜୀ ଯେଉଁଭଳି ବ୍ରିଟିଶ–ଶାସନକର୍ତ୍ତାମାନଙ୍କ ଆଖିରେ ଧୂଳି ଦେଇ ବହୁ ନିଶ୍ଚିତ ବିପଦର ସମ୍ମୁଖୀନ ହୋଇଥିଲେ ସେ’ଭଳି ବୀରତ୍ୱର ଦୃଷ୍ଟାନ୍ତ ମାନବ ଇତିହାସରେ ବିରଳ । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଓ ପ୍ରଗତିଶୀଳ ଚିନ୍ତାଧାର ସାମ୍ରାଜ୍ୟବାଦୀ ମହାନ୍ ବ୍ରିଟିଶ ଶକ୍ତିକୁ ମଧ୍ୟ ଦୋହଲାଇ ଦେଇଥିଲା । ବିଶେଷତଃ ତାଙ୍କରି ଗଠିତ “ଆଜାଦ ହିନ୍ଦ ମୁକ୍ତି ଫୌଜ’’ ଓ “ଆଜାଦ୍ ହିନ୍ଦ ସରକାର” ବ୍ରିଟିଶ ସରକାରଙ୍କ ମନରେ ଯେଉଁ ଭୟ ଆତଙ୍କ ସୃଷ୍ଟି କରିଥିଲା ତାହା ଅବିସ୍ମରଣୀୟ । ନିଜ ସ୍ଵପ୍ନର ନୂତନ ସ୍ଵାଧୀନ ଭାରତ ଗଢ଼ିବାରେ ନେତାଜୀଙ୍କ ଅପୂର୍ବ ପରିକଳ୍ପନା ଓ ଉଦ୍ୟମ ଯେଉଁଭଳି ଆକର୍ଷଣୀୟ ସେହିଭଳି ରହସ୍ୟମୟ । ଆଜି ମନେ ହୁଏ, ନେତାଜୀ ଯଦି ସେତେବେଳେ ସବୁ ଦିଗରୁ ପୂର୍ଣ୍ଣ ସମର୍ଥନ ପାଇଥାନ୍ତେ ଏବଂ ଭାଗ୍ୟର ଏକ ବିଡ଼ମ୍ବିତ ପରିବେଶର ବଶବର୍ତ୍ତୀ ହୋଇ ନ ଥାନ୍ତେ, ତା ହେଲେ ହୁଏତ ଭାରତ ଇତିହାସର ଗତି ପ୍ରକୃତିରେ ବହୁ ରୂପଗତ ପରିବର୍ତ୍ତନ ଦେଖିବାକୁ ମିଳିଥାନ୍ତା ।

 

ନେତାଜୀଙ୍କ ସୁଭାଷଚନ୍ଦ୍ର ବୋଷ୍‍ଙ୍କ ଜନ୍ମ ଏଇ ଓଡ଼ିଶାରେ । ଓଡ଼ିଶାର ଧୂଳିମାଟି, ପାଣି ପବନ ତାଙ୍କ ମନରେ ବୈପ୍ଳବିକ ଚେତାନର ପ୍ରଥମ ଓଁକାର ସୃଷ୍ଟି କରିଥିଲା । ଉତ୍କଳର ପୂର୍ବ ଗୌରବମୟ ଇତିହାସ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ଓ ବୀରତ୍ଵର କାହାଣୀ ତାଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରିଥିଲା ଏବଂ ପରବର୍ତ୍ତୀ ଜୀବନରେ, କେବଳ ଭାରତ ନୁହେଁ, ସମଗ୍ର ଆନ୍ତର୍ଜାତିକ କ୍ଷେତ୍ରରେ ସେ ଯେଉଁ ବିପୁଳ ଗୌରବ ଓ ସମ୍ମାନର ଅଧିକାରୀ ହୋଇଥିଲେ ତା’ରି ପଛରେ ଥିଲା ଗୌରବମୟ ଓଡ଼ିଶାର କ୍ରମଶଃ ଅବଲୁପ୍ତ ମହାନ୍ ସଂସ୍କୃତିର ଏକ ପ୍ରାଣବନ୍ତ ଜ୍ଵଳନ୍ତ ସ୍ଫୁଲିଙ୍ଗ । ସେତେବେଳେ କଣ କିଏ ଜାଣିଥିଲା ସେଦିନର ଏଇ କିଶୋର ସୁଭାଷ ଦିନେ ପ୍ରଚଣ୍ଡ ଦେଶପ୍ରେମ ଓ ଉଗ୍ରଜାତୀୟତାଭାବ ଯୋଗୁଁ ଭାରତ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବେ ?

 

ନେତାଜୀଙ୍କ ଜୀବନ ବୃତ୍ତାନ୍ତ ବିଶେଷ କରି ତାଙ୍କର ଐତିହାସିକ ଅନ୍ତର୍ଦ୍ଧାନ ଓ ମୃତ୍ୟୁ ଏବେ ସୁଦ୍ଧା ରହସ୍ୟପୂର୍ଣ୍ଣ । ତାଙ୍କର ଭାରତରୁ ଅନ୍ତର୍ଦ୍ଧାନ ବିଷୟକ ଘଟଣା ପ୍ରତ୍ୟେକ ଭାରତବାସୀଙ୍କ ମନରେ ଏବେ ବି ରୋମାଞ୍ଚ ସୃଷ୍ଟି କରେ । ନେତାଜୀଙ୍କ ଏହି ରହସ୍ୟପୂର୍ଣ୍ଣ ଘଟଣାବଳୀ ଉପରେ ଏବେ ଏବେ ବିଭିନ୍ନ ଭାଷାରେ ଓ ବିଭିନ୍ନ ରଜ୍ୟରେ ଅନେକ ବହି ପ୍ରକାଶ ପାଇଛି । କିନ୍ତୁ ଏହିସବୁ ବହିର ତଥ୍ୟାବଳୀ ପ୍ରକୃତରେ କେତେଦୂର ଯୁକ୍ତିଯୁକ୍ତ ଓ ବିଜ୍ଞାନ ସମ୍ମତ ତାହା ଜାଣିବା କଷ୍ଟକର । ବିଶିଷ୍ଟ ବଙ୍ଗୀୟ ଲେଖକ ଶ୍ରୀଯୁକ୍ତ ଶିଶିର କୁମାର ବସୁଙ୍କ ରଚିତ ‘‘ମହାନିଷ୍କ୍ରମଣ’’ ଗ୍ରନ୍ଥ ନେତାଜୀଙ୍କ ରହସ୍ୟପୂର୍ଣ୍ଣ ଅନ୍ତର୍ଦ୍ଧାନର ଏକ ଚମକ୍‌ପ୍ରଦ ବିବରଣୀ ତଥା ପ୍ରାମାଣିକ ଓ ତଥ୍ୟମୂଳକ ଘଟଣା ବହୁଳ ଜୀବନୀ–ଚରିତ ରୂପେ ଗ୍ରହଣ କରାଯାଇପାରେ । ଶ୍ରୀଯୁକ୍ତ ବସୁ ନେତାଜୀଙ୍କ ଭାତୃଷ୍ପୁତ୍ର ହେତୁ ଏବଂ ସେ ନିଜେ ଅନ୍ତର୍ଦ୍ଧାନ ଘଟଣାରେ ଅଙ୍ଗାଙ୍ଗି ଭାବେ ଜଡ଼ିତ ଥିବା ଯୋଗୁଁ ହୁଏତ ଏହି “ମହାନିଷ୍କ୍ରମଣ’’ ଗ୍ରନ୍ଥଟି ଏଭଳି ଆକର୍ଷଣୀୟ ହୋଇ ପାରିଛି । ତେଣୁ ଉକ୍ତ ଗ୍ରନ୍ଥ ବର୍ଣ୍ଣିତ ସମସ୍ତ ଘଟଣା ଓ ସମସ୍ତ ରହସ୍ୟପୂର୍ଣ୍ଣ ବିବରଣୀ ସମ୍ପୂର୍ଣ୍ଣ ନିରପେକ୍ଷ ବୋଲି ଆଶା କରାଯାଇ ପାରେ ।

 

୧୯୭୩ ମସିହାରେ ନେତାଜୀ ରିସର୍ଚ୍ଚ ବ୍ୟୁରୋ (Netaji Research Bureau) ଆନୁକୂଲ୍ୟରେ ନେତାଜୀ ଏବଂ ଭାରତର ସ୍ଵାଧୀନତା ସଂଗ୍ରାମ ଉପରେ ଯେଉଁ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଥିଲା ତାହାରି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଶିଶିର କୁମାର ବସୁଙ୍କ ରଚିତ ନେତାଜୀଙ୍କ ଅନ୍ତର୍ଦ୍ଧାନ କାହାଣୀଟି ସର୍ବପ୍ରଥମେ ଇଂରାଜୀରେ The Great Escape ନାମରେ ଉପସ୍ଥାପିତ ହୋଇଥିଲା । ପରେ ଭାରତ ସରକାରଙ୍କ ଶିକ୍ଷା ଦପ୍ତରର ସହାୟତାରେ ଏବଂ ‘ନେତାଜୀ ରିସର୍ଚ୍ଚ ବ୍ୟୁରେ’ ତରଫରୁ ଶିଶିର କୁମାର ବସୁଙ୍କ The Great Escape ସାଧାରଣପାଠକମାନଙ୍କ ନିମନ୍ତେ ଏକ special reprint ହିସାବରେ ୧୯୭୫ ମସିହାରେ ବହି ଆକାରରେ ପ୍ରକାଶ ପାଇଥିଲା । ଏହା ପରେ ପରେ ୧୯୭୫ ମସିହାରେ ହିଁ The Great Escape ବଙ୍ଗଳା ଭାଷାରେ ‘ଦେଶ’ ପତ୍ରିକାର ପୂଜା ସଂଖ୍ୟାରେ ‘‘ମହାନିଷ୍କ୍ରମଣ”‘ ବୋଲି ପ୍ରକାଶ ପାଇଥିଲା । ଲେଖାଟି ପାଠକମାନଙ୍କ ଦ୍ଵାରା ଏପରି ଆଦୃତ ହୋଇଥିଲା ଏବଂ ଖୁବ୍ କମ୍ ସମୟରେ ଏତେ ଜନପ୍ରିୟତା ହାସଲ କରିଥିଲା ଯେ ଆନନ୍ଦ ପବ୍ଲିଶର୍ସ (କଲିକତା) ତରଫରୁ, ‘ମହାନିଷ୍କ୍ରମଣ’ ବହି ଆକାରରେ ପ୍ରକାଶ ପାଇଲା । ପାଠକମାନଙ୍କ ବିଶେଷ ଅନୁରୋଧ କ୍ରମେ ଲେଖକ ଏହି ବଙ୍ଗଳା ବହିରେ ସମସ୍ତ ଘଣାଟିକୁ ଆହୁରି ବିଷଦଭାବେ ବର୍ଣ୍ଣନା କରିଛନ୍ତି ଏବଂ ଏଥିରେ ଆହୁରି ଅନେକ କୌତୂହଳଜନକ ତଥ୍ୟ ମଧ୍ୟ ପରିବେଷଣ କରିଛନ୍ତି ।

 

କଲିକତାର ନେତାଜୀ ଭବନରେ Netaji Research Bureau ପ୍ରତିଷ୍ଠା ହେବା ଦିଗରେ ଶ୍ରୀଯୁକ୍ତ ଶିଶିର କୁମାର ବସୁଙ୍କ ଅବଦାନ ବିଶେଷ ଉଲ୍ଲେଖନୀୟ । ମୂଳରୁ ସେ କିଭଳି ସେହି ମହାନ୍ ବିପ୍ଳବୀଙ୍କ ଚରଣରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାହା ଏହି କାହାଣୀ ପାଠ କଲେ ସ୍ପଷ୍ଟ ଜଣାପଡ଼େ । ମେଡ଼ିକେଲ କଲେଜରେ ଅଧ୍ୟୟନ କରୁଥିବା ସମୟରେ ୧୯୪୧ ମସିହାରେ ନେତାଜୀଙ୍କ ଆହ୍ଵାନରେ ତାଙ୍କ ମହାନିଷ୍କ୍ରମଣରେ ସାହାଯ୍ୟ କରିବାକୁ ଯାଇ ଶ୍ରୀଯୁକ୍ତ ଶିଶିର ବସୁଙ୍କ ଜୀବନର ଶ୍ରେଷ୍ଠ ଅଭିଜ୍ଞତା ଲାଭ ହୁଏ । ତା’ପରେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ସେ ନିବିଡ଼ ଭାବେ ଜଡ଼ିତ ହୋଇପଡ଼ନ୍ତି । ନେତାଜୀଙ୍କ ଗୋପନ ସାହାଯ୍ୟକାରୀ ହିସାବରେ ତାଙ୍କୁ ବେଶ୍ କିଛିଦିନ ରେଡ଼୍‌ଫୋର୍ଟ ଓ ଲାହୋର ଫୋର୍ଟରେ ଜୀବନର ଚରମ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଛି । ପରେ ଶ୍ରୀଯୁକ୍ତ ଶିଶିର ବସୁ ଇଉରୋପ ଏବଂ ଆମେରିକାରେ Child Healthରେ ବିଶେଷ ତାଲିମ ପାଇବା ପରେ ୧୯୭୨ ମସିହା ଠାରୁ Calcutta Institute of Child Healthର Director ଭାବେ ଅବସ୍ଥାପିତ ଅଛନ୍ତି । ଏହାଛଡ଼ା ନେତାଜୀଙ୍କ ଅନ୍ତର୍ଦ୍ଧାନ ପରେ ଏବଂ ଭାରତର ସ୍ଵାଧୀନତା ହାସଲ ପରେ, ନେତାଜୀ ଏବଂ ନେତାଜୀଙ୍କ ବହୁଳ ଚିନ୍ତାଧାରର ପର୍ଯ୍ୟାଲୋଚନା ଓ ଗବେଷଣାର ଆବଶ୍ୟକତା ସେ ବିଶେଷଭାବେ ଉପଲବ୍‌ଧି କରିଥିଲେ । ତେଣୁ ୧୯୫୭ ମସିହାଠାରୁ ଆନ୍ତର୍ଜାତିକ ସ୍ଵୀକୃତି ପାଇଥିବା ଇତିହାସ, ରାଜନୀତି ବିଜ୍ଞାନ ଓ ଆନ୍ତର୍ଜାତିକ କାର୍ଯ୍ୟକ୍ରମର ପାଠ୍ୟକ୍ରମ ଉପରେ ବିଶେଷ କରି ସୁଭାଷଚନ୍ଦ୍ର ଓ ଶରତଚନ୍ଦ୍ର ବସୁଙ୍କ ଉପରେ ଅଧ୍ୟୟନ ଓ ଗବେଷଣାର ଅନ୍ୟତମ ସଂସ୍ଥା Netaji Research Bureauର ସେ ନିର୍ମାତା ଓ ପ୍ରତିଷ୍ଠାନ–ପରିଚାଳକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେ ଏବେ ସୁଦ୍ଧା, ନେତାଜୀଙ୍କ ସ୍ଵରଚିତ ଲେଖା, ଅଭିଭାଷଣ ଓ ଯାବତୀୟ ଚିଠିପତ୍ର ଏବଂ ନେତାଜୀଙ୍କ ବିଷୟରେ ଅନ୍ୟାନ୍ୟ ପ୍ରବନ୍ଧକୁ ନେଇ ପ୍ରାୟ ପଚିଶ ଖଣ୍ଡରୁ ବେଶୀ ପୁସ୍ତକର ସମ୍ପାଦନା କରିଛନ୍ତି ।

 

ପ୍ରଥମେ ବଙ୍ଗଳା ‘ଦେଶ’ ପତ୍ରିକାରେ ‘ମହାନିଷ୍କ୍ରମଣ’କୁ ପଢ଼ି ମୁଁ ବିଶେଷ ଭାବେ ଆକୃଷ୍ଟ ହୋଇଥିଲି । ଏହାପରେ ହିଁ ସ୍ଵାଭାବିକ ଭାବେ ଆରମ୍ଭ ହୋଇଥିଲା ଲେଖକଙ୍କ ସଙ୍ଗେ ମୋର ଚିଠିର ଆଦାନ ପ୍ରଦାନ । ଏହି ଚିଠି ଆଦାନ ପ୍ରଦାନ କାଳରେ ଲେଖାଟିକୁ ଓଡ଼ିଆରେ ଅନୁବାଦ କରିବା ବିଷୟରେ ଲେଖକଙ୍କୁ ମୋର ଆଗ୍ରହ ପ୍ରକାଶ କରିଥିଲି । ଲେଖକ ଯେ କେବଳ ତାଙ୍କର ସମ୍ମତି ପ୍ରଦାନ କରିଥିଲେ ତାହା ନୁହେଁ, ଏ ଦିଗରେ ତାଙ୍କଠାରୁ ଯେ ମୁଁ ବହୁତ ଅନୁପ୍ରେରଣା ପାଇଛି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷ କରି ନେତାଜୀ’ଙ୍କ ସମ୍ପର୍କରେ ମୋର ଏକାନ୍ତ ଆଗ୍ରହ ଦେଖି ସେ ବହୁତ ଖୁସି ହୋଇଥିଲେ । The Great Escape ବହିଟି ତାଙ୍କଠୁ ଉପହାର ସ୍ଵରୂପ ପାଇ ମୋର ଆଗ୍ରହ ଦ୍ଵିଗୁଣିତ ହୋଇଥିଲା । ବହି ଭିତରେ ଥିବା ଚିତ୍ରଗୁଡ଼ିକର ବ୍ଲକ ସବୁ Netaji Research Bureauଙ୍କ ସୌଜନ୍ୟରୁ ପାଇଥିବା ଯୋଗୁଁ ମୁଁ ବିଶେଷ ଉପକୃତ । ପ୍ରକୃତରେ ଲେଖକ ଶ୍ରୀଯୁକ୍ତ ଶିଶିର ବସୁଙ୍କ ସାହାଯ୍ୟ, ସହାନୁଭୂତି ବ୍ୟତିରେକ ଏ ଗ୍ରନ୍ଥ ଛପାଇବା ମୋ ପାଇଁ ଏକ ବିଡ଼ମ୍ବନା । ତେଣୁ ଲେଖକଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ।

 

ଓଡ଼ିଶାର ତଥାକଥିତ ଲବ୍‍ଧ ପ୍ରତିଷ୍ଠିତ ପ୍ରକାଶକମାନଙ୍କ ସାହାଯ୍ୟ ବିନା ଏହିଭଳି ଏକ ଗ୍ରନ୍ଥ ଛପାଇବା ନିଶ୍ଚିତ ଭାବେ ଏକ କଠିନ ସମସ୍ୟା । କିନ୍ତୁ ଓଡ଼ିଶାର କୌଣସି ପ୍ରକାଶକ ଏ’ ଗ୍ରନ୍ଥ ଛପାଇବା ପାଇଁ ଆଗଭର ନ ହେବା ଯୋଗୁଁ ମୋର ସୀମିତ ଆର୍ଥିକ ସମ୍ବଳରେ ଏଭଳି ଏକ ଦୁରୂହ କାର୍ଯ୍ୟରେ ହାତ ଦେବା ପାଇଁ ବାଧ୍ୟ ହେଲି । ତେଣୁ ସ୍ଥଳ ବିଶେଷରେ ଅନେକ ତ୍ରୁଟି ରହିଯିବା ବିଚିତ୍ର ନୁହେଁ । ପାଠକମାନେ ନିଜ ଉଦାର ଗୁଣରେ ଏହାକୁ ସୁଧାରି ନେବେ ବୋଲି ମୋର ଏକାନ୍ତ ଅନୁରୋଧ ।

 

ସ୍ୱନାମଧନ୍ୟ କବି ତଥା ଅଧ୍ୟାପକ ଶ୍ରୀ ଦିଲୀପ ଦାସ୍ ଏହି ଗ୍ରନ୍ଥର ପାଣ୍ଡୁଲିପିକୁ ସଂଶୋଧନ କରିବାଠୁ ଛପାକାମ ଶେଷ ହେବା ପର୍ଯ୍ୟନ୍ତ ନାନା ଦିଗରୁ ସାହାଯ୍ୟ କରିଛନ୍ତି, ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଅଧ୍ୟାପକ ଶ୍ରୀ ରତ୍ନାକର ପାଢ଼ୀଙ୍କ ସାହାଯ୍ୟ ସହାନୁଭୂତି ବିଶେଷ କରି ଏହି ଗ୍ରନ୍ଥ ନିମିତ୍ତ ତାଙ୍କ ଆର୍ଥିକ ସାହାଯ୍ୟ ବିନା ଏହି କାର୍ଯ୍ୟ ସମ୍ପନ୍ନ ହେବା ହୁଏତ ଅସମ୍ଭବ ହୋଇଥାନ୍ତା, ସେଥିପାଇଁ ମୁଁ ତାଙ୍କ ନିକଟରେ ଋଣୀ ଏବଂ ଅଧ୍ୟାପକ ବିବେକାନନ୍ଦ ପାଣିଗ୍ରାହୀଙ୍କ ଅଶେଷ ପ୍ରେରଣା ଓ ଉଦ୍ୟମ କେବେହେଲେ ଭୁଲିବାର ନୁହେଁ । ଅନ୍ୟାନ୍ୟ ଯେଉଁମାନେ ମୋତେ ଏ ଦିଗରେ ଉଣାଅଧିକେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ପରିଶେଷରେ ମୁଦ୍ରାକର ଶ୍ରୀ ଗୋବିନ୍ଦ ବାଡ଼ତିଆଙ୍କୁ ମୋର କୃତଜ୍ଞତା ।

 

ଅଧ୍ୟାପକ ଓ ଶିକ୍ଷକ ଗବେଷକ

କିଶଳୟ ବ୍ୟାନାର୍ଜୀ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର

 

Image

 

ଭୂମିକା

 

ବିଶ୍ଵଯୁଦ୍ଧ ଶେଷ ହେବାର ଠିକ୍ ମାସେ ପରେ, ୧୯୪୫ ମସିହା ସେପ୍‌ଟେମ୍ବର ମାସରେ ମୁଁ ସୁଦୂର ପଞ୍ଜାବର ଲୟାଲପୁର ଜେଲରୁ ମୁକ୍ତି ପାଇଲି । ଜେଲ ଗେଟ୍ ବାହାରକୁ ଆସି ପ୍ରାୟ ଚମକି ପଡ଼ିଲି । ମନେହେଲା ଯେପରି ଏକ ସମ୍ପୂର୍ଣ୍ଣ ଭିନ୍ନ ଜଗତରେ ଆସି ପହଞ୍ଚିଛି । ଚାରିଆଡ଼େ ଖାଲି ଲୋକମାନଙ୍କ ଭିଡ଼ ଓ ଫୁଲ ସବୁ ବିଞ୍ଛାଡ଼ି ହୋଇ ପଡ଼ୁଛି । ବହୁ ଆଡ଼ମ୍ବର ସହକାରେ ମୋତେ ଯେତେବେଳେ ଜନତା ଟାଙ୍ଗାରେ ନେଇ ସହର ଅଭିମୁଖେ ଯାତ୍ରା କରୁଛନ୍ତି ସେତେବେଳେ ଉତ୍ତେଜିତ ଜନତାଙ୍କ ମୁହଁରେ ନୂତନ ଏକ ସ୍ଲୋଗାନ ଶୁଣି ଆହୁରି ବେଶୀ ବିବ୍ରତ ହେଲି–“ବୋଷ୍‍ ଖାନଦାନ୍ ଜିନ୍ଦାବାଦ !’’ ଗତ ବର୍ଷ ହାତକଡ଼ା ଲଗାଇ ଯେତେବେଳେ ମୋତେ ଟାଙ୍ଗାରେ ଷ୍ଟେସନରୁ ଜେଲକୁ ନେଇ ଆସିଥିଲେ ସେତେବେଳେ ମୋ ଆଡ଼କୁ ଫେରି ମଧ୍ୟ କେହି ଚାହିଁ ନ ଥିଲେ; କି ଅଦ୍ଭୁତ ଏହି ପଟ୍ଟ ପରିବର୍ତ୍ତନ !

 

ପଞ୍ଜାବରୁ କଲିକତା ବାଟରେ ଟ୍ରେନରେ ଆସିଲାବେଳେ ପ୍ରତି ଷ୍ଟେସନରେ ସେହି ଗୋଟିଏ ଧରଣର ଅଭିଜ୍ଞତା ହେଲା । କଲିକତା ଫେରିବା ପରେ କିଛି ଦିନ ଧରି ବୋଷ୍‍ ଖାନଦାନ୍‌ର ପିଲମାନଙ୍କୁ ନେଇ ସମସ୍ତେ ବହୁତ ମାତିଲେ । ଆମେ ଯେପରି ହଠାତ୍ ଜଣେ ଜଣେ ଛୋଟ ଛୋଟ ନେତା ବା ହିରୋ ହୋଇଗଲୁ । ଏ ସମସ୍ତ ଘଟଣାଟି ଅବଶ୍ୟ ମୋତେ ଖୁବ୍ ଅସ୍ଵସ୍ତିକର ଲାଗୁଥିଲା ।

 

ସେହି ସମୟରେ ମୋର ବାପା ମୋତେ ସ୍ଵତନ୍ତ୍ର ଭାବେ ଡାକି ଦୁଇଟି ଗୁରୁତ୍ଵପୂର୍ଣ୍ଣ ଉପଦେଶ ଦେଇଥିଲେ । ପ୍ରଥମତଃ ସେ ମୋତେ ସତର୍କ କରି ଦେଇଥିଲେ ସେ ଆମ୍ଭମାନଙ୍କୁ ନେଇ ଯେଭଳି ଭାବେ ସମସ୍ତେ ମାତିଛନ୍ତି ସେଥିରେ ଆମେ ଯେପରି ପ୍ରଭାବିତ ବା ବିଭ୍ରାନ୍ତ ନ ହେଉ । କାରଣ ଆପାତ ଦୃଷ୍ଟିରେ ଆମେ ଯେଉଁ ଗୌରବର ଅଧିକାରୀ ହୋଇଛୁ ତାହା ବାସ୍ତବିକ ସୁଭାଷଙ୍କ ‘Reflected glory’ । ମୋ ପକ୍ଷରେ ଉଚିତ୍ ହେବ ଡାକ୍ତରୀ ପଢ଼ା ସମ୍ପୂର୍ଣ୍ଣ କରିବା ଦିଗରେ ମନ ଦେବା ଏବଂ ସାଧାରଣ ଭାବେ ଜୀବନ ସଂଗ୍ରାମ ପାଇଁ ପ୍ରସ୍ତୁତ ହେବା । ସେ ଅବଶ୍ୟ ଏ କଥା ମଧ୍ୟ କହିଥିଲେ ସେ ମନୁଷ୍ୟ ଜୀବନରେ ନିଜ ସ୍ଥାନଟି ଠିକ୍ ରୂପେ ବାଛି ନେବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ତାହା ନିଜ କର୍ମ ଏବଂ ଅବଦାନ ମାଧ୍ୟମରେ ହିଁ ଅର୍ଜନ କରିବାକୁ ହେବ ।

 

‘‘ବାପାଙ୍କର ଦ୍ଵିତୀୟ ଉପଦେଶଟି ହେଲା ମୁଁ ଯେପରି ବିଗତ ପାଞ୍ଚ ବର୍ଷର ନିଜ ଅଭିଜ୍ଞତାର କାହାଣୀ ଲେଖି ରଖେ । ଅବଶ୍ୟ ଏହି ଲେଖାର ପ୍ରଧାନ ଅଂଶ ହେବ ଦାଦାଙ୍କର ଗୋପନ ଗୃହତ୍ୟାଗ ଓ ମୋର ବୈଚିତ୍ର୍ୟମୟ କାରା–ଜୀବନର କାହାଣୀ । ସେ ପରିଷ୍କାର ଭାବେ କହି ନାହାଁନ୍ତି ଲେଖାଟି ନେଇ ସେତେବେଳେ ଆମେ କଣ କରିବୁ ଯଦିଓ ମା’ଙ୍କ ଜରିଆରେ ପ୍ରାୟ ଏ ବିଷୟରେ ମୋତେ ମନେ ପକାଇ ଦେଉଥିଲେ ।

 

ବାପାଙ୍କର ପ୍ରଥମ ଉପଦେଶ ଅନୁସାରେ ମୁଁ ପୁଣି ଡାକ୍ତରୀ ପଢ଼ାରେ ମନଦେଲି । ଅବଶ୍ୟ ଦେଶ ସେବାର ପ୍ରସ୍ତୁତି ହିସାବରେ ବାପାଙ୍କର ସମର୍ଥନରେ ମୁଁ ନାନା ପ୍ରକାର ଜନହିତକର କାମରେ ଅଂଶ ଗ୍ରହଣ କରିବାକୁ ଲାଗିଲି । ଚତୁର୍ଥ ଦଶକର ଝଞ୍ଜା ବିକ୍ଷୁବ୍ଧ ପାଞ୍ଚ ବର୍ଷର କାହାଣୀ ଲେଖିବା ବିଷୟରେ ବାପାଙ୍କର ଉପଦେଶ ମୁଁ ସେତେବେଳେ ରଖି ପାରି ନ ଥିଲି । ତେବେ ଏସବୁ ଯେପରି ଭୁଲି ନ ଯାଏ ସେଥିପାଇଁ ଗତ ତିରିଶ ବର୍ଷ ଧରି ସମ୍ପୂର୍ଣ୍ଣ କାହାଣୀଟି ବହୁବାର ମନେ ମନେ ନିଜକୁ ଶୁଣାଇଛି ।

 

୧୯୫୦ ମସିହାରେ ଯେତେବେଳେ ବାପାଙ୍କର ମୃତ୍ୟୁହେଲା ସେତେବେଳେ ମଧ୍ୟ ମୋର ଛାତ୍ର ଜୀବନର ଅବସାନ ହୋଇନି । ତା ପରେ ବହୁତ ଭାବିଛି, ଐତିହାସିକ ଯେ ସବୁ ତଥ୍ୟ ନିତାନ୍ତ ମୋର ନିଜସ୍ଵ ହୋଇ ରହିଛି ସେସବୁ ସମ୍ବନ୍ଧରେ ମୋର କଣ କରିବା ଉଚିତ । ‘ଦେଶ’ ପତ୍ରିକାରେ “ମହାନିଷ୍କ୍ରମଣ” ପ୍ରକାଶିତ ହେବା ପରେ ଅନେକେ ମୋତେ ପଚାରିଛନ୍ତି କାହିଁକି ମୁଁ ଏତେ ଦିନ ଧରି ସେହି କାହାଣୀ ପ୍ରକାଶ କରିନାହିଁ । ବାପାଙ୍କ ସତର୍କବାଣୀର କଥା ତ ମୁଁ ଆଗରୁ କହିଛି । ବିଳମ୍ବ ହେବାର ଆହୁରି ସୁଚିନ୍ତିତ କାରଣ ଅଛି । ମୁଁ ବହୁ ପୂର୍ବରୁ ହିଁ ଉପଲବ୍‌ଧି କରିଥିଲି ଯେ ଦାଦାଙ୍କ ଗୃହତ୍ୟାଗରେ ମୋର ଯେଉଁ ସାମାନ୍ୟ ଭୂମିକା କିଛି କାଳ ମୋର ମନ ପ୍ରାଣ ସମ୍ପୂର୍ଣ୍ଣଭାବେ ଅଧିକାର କରିଥିଲେ ହେଁ ତାଙ୍କର ବିରାଟ ଜୀବନର ବହୁ ଗୁରୁତ୍ଵପୂର୍ଣ୍ଣ ଘଟଣା ଭିତରେ ସେଇଟି ଅନ୍ୟତମ । ସୁତରାଂ ଆତ୍ମପ୍ରଚାରର ଇଚ୍ଛା ମୋର ନ ଥିଲେ କାହାଣୀଟି ପ୍ରକାଶିତ ହେବାର ବିଶେଷ କୌଣସି ଜାରୁରୀ ଆବଶ୍ୟକତା ନ ଥିଲା । ମୁଁ ମନେ ମନେ ଠିକ୍ କରିଥିଲି ଯେ ଦାଦାଙ୍କର ସମ୍ପୂର୍ଣ୍ଣ ଜୀବନ କଥା ଲିପିବଦ୍ଧ କରିବା ଓ ତାଙ୍କ ଜୀବନ ନେଇ ଚର୍ଚ୍ଚା ଓ ଗବେଷଣାରେ ଉଚିତ୍ ବ୍ୟବସ୍ଥା ହେଲେ ତାହାରି ପରିପ୍ରେକ୍ଷୀରେ ମୁଁ ତାଙ୍କ ମହାନିଷ୍କ୍ରମଣ କାହାଣୀ ନିବେଦନ କରିବି । ଶେଷ ପର୍ଯ୍ୟନ୍ତ ସେହି ପଥର ସନ୍ଧାନ ମୁଁ ପାଇଲି ନେତାଜୀ ରିସାର୍ଚ୍ଚ ବ୍ୟୁରେ ସ୍ଥାପନ ଭିତରେ ଏବଂ ସ୍ଥିର କଲି ଯେ ବ୍ୟୁରୋର କାମରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିବି ।

 

ପନ୍ଦର ବର୍ଷର ଅକ୍ଲାନ୍ତ ପ୍ରଚେଷ୍ଟା ପରେ “ନେତାଜୀ ରିସାର୍ଚ୍ଚ ବ୍ୟୁରେ’’ ୧୯୭୦ ମସିହାରେ ନେତାଜୀ ଓ ଭାରତର ମୁକ୍ତି ସଂଗ୍ରାମ ଉପରେ ଗୋଟିଏ ଅନ୍ତର୍ଜାତିକ–ସମ୍ମିଳନୀ ଆହ୍ଵାନ କଲେ । ସେହି ସମ୍ମିଳନୀ ପାଇଁ ମୁଁ ନେତାଜୀଙ୍କ ଐତିହାସିକ ଗୃହତ୍ୟାଗର ବିବରଣୀ ଲେଖିଲି । ଏ ଖବର ପାଇ ବନ୍ଧୁବର ଶ୍ରୀ ସାଗରମୟ ଘୋଷ ମୋତେ ଅନୁରୋଧ କଲେ ବଙ୍ଗଳା ଭାଷାରେ ଆହୁରି ବିଶଦ୍‌ଭାବରେ କାହାଣୀଟି “ଦେଶ’’ ପତ୍ରିକାରେ ଲେଖିବାକୁ ହେବ । ସାଗର ବାବୁଙ୍କ ଉତ୍ସାହ ନ ପାଇଥିଲେ ଲେଖାଟି ହୁଏତ ସମ୍ପୂର୍ଣ୍ଣ ହୋଇ ପାରିଥାନ୍ତା କି ନାହିଁ ସନ୍ଦେହ । ବ୍ୟକ୍ତିଗତ ଓ ପାରିବାରିକ ଦିଗରୁ ଗୋଟିଏ ବିଶେଷ ଦୁଃସମୟ ମଧ୍ୟରେ ଲେଖିବାକୁ ହେଲା । ସହଧର୍ମିଣୀଙ୍କ ଉପସ୍ଥିତି ଓ ବିନା କାର୍ଯ୍ୟଟି ସମ୍ପନ୍ନ ହେବା ମୋ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା ।

 

‘ଦେଶ’ ପତ୍ରିକାରେ ପ୍ରକାଶିତ ହେବା ପରେ ମୁଁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗ କରିଛି ଏବଂ ମୋର ବିଶ୍ଵାସ ଯେ କାହାଣୀଟି ବର୍ତ୍ତମାନ ମୋଟାମୋଟି ଭାବେ ସମ୍ପୂର୍ଣ୍ଣ ହୋଇଛି । ପାଠକମାନେ ମନେରଖିବେ ଯେ ଏହା ରହସ୍ୟ ବା ରୋମାଞ୍ଚକର କାହାଣୀ ନୁହେଁ । ଭାରତର ଭବିଷ୍ୟତ ଇତିହାସ ରଚୟିତାମାନଙ୍କ ପାଖରେ ସୁଭାଷଚନ୍ଦ୍ରଙ୍କ ମହାନିଷ୍କ୍ରମଣ ଏକ ଚିରନ୍ତନ ପ୍ରେରଣା । ମୁକ୍ତି ଯଜ୍ଞରେ ସମ୍ପୂର୍ଣ୍ଣ ଆତ୍ମ ନିବେଦନର ଏକ ଅତୁଳନୀୟ ଦୃଷ୍ଟାନ୍ତ । ପ୍ରତ୍ୟେକ୍ଷ ସହଯୋଗୀ ଓ କାହାଣୀକାର ହିସାବରେ ମୁଁ ଏଠାରେ ଉପଲକ୍ଷ୍ୟ ମାତ୍ର ।

 

ଶିଶିର କୁମାର ବସୁ

 

ବସୁନ୍ଧରା

୯୦, ଶରତ ବସୁ ଲେନ

କଲିକତା–୭୦୦୨୬

୨ ତାରିଖ ଫେବୃଆରୀ ୧୯୭୫

Image

 

No. IV/4/43–M.S.

GOVERNMENT OF INDIA

HOME DEPARTMENT

 

New Delhi

the 7th November

1944

 

Notice under Section 7 of the Restriction and Detention Ordinance, 1944 (III of 1944).

 

In pursuance of section 7 of Ordinance No. III of 1944, you Sisir Bose are informed that the grounds for your detention are that you were acting in a manner prejudicial to the defence of British India in as much as in collaboration with members of the Bengal Volunteer Group and others, you were actively engaged in a manner calculated to assist Subhas Chandra Bose and the Japanese.

 

(2) You are informed that you have a right to make a representation in writing against the order under which you are detained. If you wish to make such a representation you should address it to the undersigned and Forward it through the officer–in–charge in whose custody you have been placed as soon as possible.

 

Sd/ R. Tottenham

Additional–Secretary to the

Government of India

 

(ସୁଭାଷ ଚନ୍ଦ୍ର ଓ ଶତୃପକ୍ଷଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଲାହୋର ଫୋର୍ଟରେ ଲେଖକଙ୍କୁ ଏହି ଚାର୍ଜସିଟ୍ ଦିଆ ହୋଇଥିଲା ।)

 

ଲାହୋର ଫୋର୍ଟ, ୧୯୪୪ ମସିହାର ନଭେମ୍ବର । ପ୍ରାୟ ଦୁଇ ମାସ ନିଃସଙ୍ଗ ଓ ବିଭୀଷିକାମୟ କାରାବାସ ପରେ ମୋ ଜେଲ ପ୍ରକୋଷ୍ଠର ଦରଜା ଖୋଲାହେଲା । ପିଠି ପଛଆଡ଼ୁ ହାତକଡ଼ା ଲଗେଇ ଫୋର୍ଟର କର୍ତ୍ତୃପକ୍ଷ ଦିଲ୍ଲୀରୁ ଆସିଥିବା ଦୁଇ ଉଚ୍ଚପଦସ୍ଥ ଇଂରେଜ ଅଫିସରଙ୍କ ସାମନାରେ ମୋତେ ହାଜିର କଲେ । ତାଙ୍କ ମଧ୍ୟରୁ ଜଣେ ମୋତେ ନାନା ପ୍ରକାର ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରି ଶେଷରେ ପ୍ରଶ୍ନ କଲେ–ଆଚ୍ଛା, ତୁମ ଦାଦାଙ୍କ ଦେଶତ୍ୟାଗ ପୂର୍ବରୁ ତୁମ ସଙ୍ଗେ ତାଙ୍କର ଖୁବ୍ ଘନିଷ୍ଠ ସମ୍ପର୍କ ଥିଲା, ନୁହେଁ କି ? ପ୍ରଶ୍ନଟିର ଅନ୍ତର୍ନିହିତ ଅର୍ଥ ବୁଝିପାରି ମୁଁ ଟିକିଏ ବୁଲେଇ ଜବାବ ଦେଲି–ଯେ କୌଣସି ଭାରତୀୟ ପରିବାରରେ ଦାଦା–ପୁତୁରାଙ୍କ ସମ୍ପର୍କ ସାଧାରଣତଃ ଘନିଷ୍ଠ ହିଁ ହୋଇଥାଏ । ଏହା ଶୁଣି ମୋ ପ୍ରଶ୍ନକର୍ତ୍ତାଟି ଅସ୍ଵାଭାବିକ ଗର୍ଜନ କଲେ । ତା ପରେ ହିଁ ମୋତେ ଗୋଟିଏ ଅଭିଯୋଗ–ପତ୍ର (Charge sheet) ଦିଆହେଲା ।

Image

(ଲାହୋର ଫୋର୍ଟ)

ନେତାଜୀ ଯେତେବେଳେ ୧୯୪୦ ମସିହାର ଡିସେମ୍ବର ମାସରେ ଦେଶତ୍ୟାଗ କରିବା ପାଇଁ ବିରାଟ ସିଦ୍ଧାନ୍ତ ନେଲେ ତାହାରି ପଟ୍ଟଭୂମିକାରେ ମୋ ସଙ୍ଗେ ତାଙ୍କ ଘନିଷ୍ଠତା ଟିକିଏ ଅପ୍ରତ୍ୟାଶିତ ଭାବେ ବଢ଼ିଯାଇଥିଲା । ତାଙ୍କର ଏକ ବୃହତ୍ ପୁତୁରା–ଭାଣିଜୀ ପରିଧି ଭିତରେ ବିଶେଷ କରି ମୋ ଭାଇ ଭଉଣୀମାନଙ୍କ ପାଖରେ ଆମ ଦାଦାଙ୍କ ସର୍ବଦା ଗୋଟିଏ ବିଶେଷ ସ୍ଥାନ ଥିଲା । ମୋ ବାପା ଓ ମା–ଶରତଚନ୍ଦ୍ର ଓ ବିଭାବତୀ, ତାଙ୍କ ଦୈନନ୍ଦିନ ଜୀବନରେ ସୁଭାଷଚନ୍ଦ୍ରଙ୍କୁ ଯେଉଁ ଆଖିରେ ଦେଖୁଥିଲେ ଏବଂ ପ୍ରତ୍ୟେକ ପରସ୍ଥିତିରେ ସେମାନେ ଯେଉଁଭଳି ଭାବରେ ତାଙ୍କୁ ସ୍ନେହ–ପ୍ରଶ୍ରୟ ଦେଉଥିଲେ, ତା ଫଳରେ ଆମ ମନରେ ତାଙ୍କ ପ୍ରତି ଗୋଟିଏ ଅହେତୁକ ପକ୍ଷପାତ ମନୋଭାବ ସୃଷ୍ଟି ହୋଇଥିଲା । ଅବଶ୍ୟ ଏହାଛଡ଼ା ଦାଦାଙ୍କ ବ୍ୟକ୍ତିଗତ ଚରିତ୍ର–ମାଧୁର୍ଯ୍ୟ ଓ ତାଙ୍କ ସାନ ସାନ ପୁତୁରା ଭାଣିଜୀଙ୍କ ଖେଳସାଥି ହୋଇ ତାଙ୍କର ସବୁପ୍ରକାର ପିଲାଳିଆମିରେ ହସି ଖେଳି ମିଶିବାର ଆଶ୍ଚର୍ଯ୍ୟ କ୍ଷମତା ଏହି ମନୋଭାବର ଅନ୍ୟତମ କାରଣ ଥିଲା । ତେବେ ମୋତେ ଏହା ସ୍ଵୀକାର କରିବାକୁ ପଡ଼ିବ ଯେ ବାପା–ମା’ଙ୍କର ଉତ୍ସାହ ଓ ଦୃଷ୍ଟାନ୍ତ ଏବଂ ଦାଦାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ଵ ସତ୍ତ୍ୱେ ବି ତାଙ୍କ ପ୍ରତି ମୋ ମନରେ ସଭୟ ଶ୍ରଦ୍ଧା ଓ ନିଜର ଭୀରୁ ସ୍ଵଭାବ ପାଇଁ ବହୁଦିନ ପର୍ଯ୍ୟନ୍ତ ତାଙ୍କ ସଙ୍ଗେ ମୋର ସାଧାରଣ ମିଳାମିଶା ମଧ୍ୟ ସମ୍ଭବ ହୋଇ ନ ଥିଲା । ପରିବାରର ଅନ୍ୟ ସମସ୍ତେ ଏପରିକି ବାହାର ଲୋକ ମଧ୍ୟ ଯାହା ଖୁବ୍‌ ସହଜରେ କରି ପାରୁଥିଲେ ତାହା ମୋ ଦ୍ୱାରା ହୋଇପାରୁ ନ ଥିଲା । ବୋଧହୁଏ ନିଜର ଅକ୍ଷମତା ଘୋଡ଼ାଇବା ପାଇଁ ମୁଁ ନିଜକୁ ନିଜେ ଏହା କହି ବୁଝାଉଥିଲି ଯେ, ଏହିପରି ଜଣେ ଅସାଧାରଣ ଓ ଦୁର୍ଲଭ ବ୍ୟକ୍ତି ସଙ୍ଗେ ଦାଦା–ପୁତୁରାର ସାଧାରଣ ଅନ୍ତରଙ୍ଗତାର କୌଣସି ସ୍ଥାନ ନାହିଁ ।

 

ପରିବାରର ପରବର୍ତ୍ତୀ ଜେନେରେଶନ୍‌ର ପୁଅ–ଝିଅମାନଙ୍କ ପ୍ରତି, ପ୍ରତ୍ୟେକଙ୍କର ଚରିତ୍ର ଓ ରୁଚି ନିର୍ବିଶେଷରେ ତାଙ୍କର ଗଭୀର ଶ୍ରଦ୍ଧା ଓ ଉତ୍ସାହ ଥିଲା । ବିଶେଷ କରି ମୋ ଭାଇ ଭଉଣୀଙ୍କ କ୍ଷେତ୍ରରେ ଦାଦାଙ୍କ ମତାନୁସାରେ ହିଁ ଆମ ବାପା–ମା ଆମ ଶିକ୍ଷା–ପଦ୍ଧତି ଠିକ୍ କରୁଥିଲେ–ଯେପରି କି ରସ–ଅଙ୍କନ ବ୍ୟବସ୍ଥା, ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା ଲାଠି ଓ ଛୁରାଖେଳ ଶିକ୍ଷା ନିମନ୍ତେ ଶିକ୍ଷକ ନିଯୁକ୍ତି ଇତ୍ୟାଦି । ମୋର ଅନ୍ତର୍ମୁଖୀତା ଭେଦ କରିବା ନିମନ୍ତେ ସେ ବାରମ୍ବାର ଚେଷ୍ଟା କରିଛନ୍ତି । କିନ୍ତୁ ଶେଷ ସମୟ ସୁଦ୍ଧା ପୂରାପୂରି ସକ୍ଷମ ହୋଇ ନାହାନ୍ତି । ସେ ମୋତେ “ଦି ସାଇଲେଣ୍ଟ ବୟ” (The silent boy) ଉପାଧି ଦେଇଥିଲେ ଏବଂ କହୁଥିଲେ ମୁଁ କୁଆଡ଼େ କେବଳ monosylable(ଏକ ଅକ୍ଷର ଶବ୍ଦ)ରେ କଥା କୁହେ, ଆଉ ଯେତେ ଚିମୁଟାଚିମୁଟି କଲେ ମଧ୍ୟ କେବଳ ନିଃଶବ୍ଦରେ ମୁଣ୍ଡ ହଲାଏ ଓ ହସେ । ଏହିଭଳି ଅବସ୍ଥା ପ୍ରାୟ ବହୁଦିନ ଚାଲିଥିଲା ଯଦିଓ ମୁଁ ନିଜ ମନରେ ପିଲାଦିନରୁ ତାଙ୍କ ଜୀବନ ଓ କର୍ମଧାରାକୁ ଅତି ଘନିଷ୍ଠ ଭାବେ ଗର୍ବର ସହ ଅନୁସରଣ କରୁଥିଲି । ମୋର ବିଶ୍ଵାସ, ସେ ଏ କଥା ଭଲ ରୂପେ ଜାଣିଥିଲେ ।

 

ଦାଦାଙ୍କ ସମ୍ବନ୍ଧରେ ମୋର ଯେଉଁ ପ୍ରଥମ ସ୍ମୃତି, ତା’ସହିତ ୧୯୪୦–୪୧ ମସିହାରେ ଘଟିଥିବା ନିଗୂଢ଼ ସମ୍ପର୍କ–ସେହି ଗୁରୁତ୍ଵପୂର୍ଣ୍ଣ ଐହିହାସିକ ଦିନଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟ ସାଦୃଶ୍ୟ ରହିଛି । ତା’ ହେଉଛି ବହୁ ଦିନ ତଳର–୧୯୨୭ ମସିହାର କଥା, ସେ ବର୍ମାର ବନ୍ଦୀଶାଳାରୁ ଭଗ୍ନସ୍ଵାସ୍ଥ୍ୟ ନେଇ ଫେରି ଆସିଥାନ୍ତି । ମୁଁ ସେତେବେଳେ ନିହାତି ସାନପିଲା, ତାଙ୍କ ବିଛଣା କଡ଼ରେ ବସି ମୁଁ ଅବାକ ବିସ୍ମୟରେ ତାଙ୍କ ଆଖିଆଡ଼କୁ ଚାହିଁ ରହୁଥିଲି । ମୋର ମନେ ହେଉଥିଲା ଯେମିତି ଆମ ପରିବାର ଭିତରେ ଏକ ଯୋଗୀ ପୁରୁଷଙ୍କର ଆବିର୍ଭାବ ହୋଇଛି । ୧୯୪୦ ମସିହାରେ ପୁଣି ତାଙ୍କ ଅସୁସ୍ଥ ଶଯ୍ୟା ପାଖରେ ରାତି ପରେ ରାତି ବସି ତାଙ୍କର ଆଖି ଆଡ଼କୁ ଚାହିଁ ମୋର ମନେ ହେଉଥିଲା ସତେ ଯେପରି ଏକ ବିରାଟ ପରିବର୍ତ୍ତନ ଘଟିଯାଇଛି–ଏହା ଯେପରି ଏକ ଜୀବନ୍ତ ବିପ୍ଳବୀର ଛବି, ଆଦର୍ଶର ବେଦୀମୂଳେ ସମ୍ପୂର୍ଣ୍ଣ ଆତ୍ମ ନିବେଦନର ଏକ ଅତୁଳନୀୟ ପ୍ରତିମୂର୍ତ୍ତି ।

 

୧୯୨୭ ମସିହାର ଘଟଣା । ସେତେବେଳେ ବାପା, ମା, ଦାଦା ଆମେ ସମସ୍ତେ ୩୮/୧ ଏଲଗିନ୍ ରୋଡ଼ର (ବର୍ତ୍ତମାନ ନେତାଜୀ ଭବନକୁ ଲାଗି) ଗୋଟିଏ ଭଡ଼ାଘରେ ବାସ କରୁଥିଲୁ । ୧୯୨୮ ମସିହାରେ ବାପା ଏକ ନମ୍ବର ଉଡ଼ବାର୍ନ ପାର୍କରେ ଘର ତିଆରି କଲେ । ଫଳରେ ଦାଦା ମଧ୍ୟ ଆମ ସଙ୍ଗେ ଉଡ଼ବାର୍ନ ପାର୍କରେ ବାସ କରିବାକୁ ଲାଗିଲେ । ୧୯୩୨ ମସିହାରେ ସେ ଗ୍ରେପ୍ତାର ହେଲେ । ପୁଣି ୧୯୩୩ରୁ ୧୯୩୭ ମସିହା ପର୍ଯ୍ୟନ୍ତ ସେ କେତେବେଳେ ପ୍ରବାସରେ ଆଉ କେତେବେଳେ ନଜରବନ୍ଦୀ ଭାବରେ ଜୀବନ କଟାଇଥିଲେ । କିନ୍ତୁ ଏହି ସବୁ ସମୟରେ କୌଣସି ଅବସ୍ଥାରେ ମଧ୍ୟ ମୋ ବାପା–ମା’ଙ୍କ ସଙ୍ଗେ ତାଙ୍କ ଯୋଗାଯୋଗର ସାମାନ୍ୟ ବ୍ୟତିକ୍ରମ ମଧ୍ୟ ଘଟି ନ ଥିଲା । ୧୯୩୭ ମସିହାରେ ସେ ମୁକ୍ତି ପାଇବା ପରେ ତାଙ୍କ ମା, ଆମ ଗୋସେଇଁ ମା’ ପ୍ରଭାବତୀଙ୍କ ଇଚ୍ଛା ଅନୁଯାୟୀ ସେ ଆମ ନିଜସ୍ଵ ପୁରୁଣା ଘର ୩୮/୨ ଏଲଗିନ୍‍ ରୋଡ଼ରେ ବାସ କରିବାକୁ ଲାଗିଲେ । ଦୁଇ ଘର ଭିତରେ ଦୂରତ୍ଵର ବ୍ୟବଧାନ ଅବଶ୍ୟ ଥିଲା ଖୁବ୍ କମ୍‍, ମାତ୍ର ତିନି ମିନିଟର ପଥ ।

 

ଏହା ସହିତ ଆଉ ଗୋଟିଏ ସ୍ମୃତି ମଧ୍ୟ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ଦାଦାଙ୍କ ସଙ୍ଗେ ମୋର ପ୍ରଥମ ପ୍ରତ୍ୟକ୍ଷ କର୍ମାଭିସାର ୧୯୨୭ ମସିହାରେ ଶିଲଂର ଶୈଳ ନିବାସରେ ଲୁଚକାଳି ଖେଳ ଭିତରେ ହିଁ ଆରମ୍ଭ ହୋଇଥିଲା । ଆମ ଭାଇ ଭଉଣୀଙ୍କ ଆଖିରେ ଧୂଳିଦେଇ ସେ ଲୁଚି ପଳାଉଥିଲେ ଏବଂ ଆମେ ସମସ୍ତେ ମିଶି ତାଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁଥିଲୁ । ଖେଳ ସମୟରେ ସେ ଅନେକ ଥର କ୍ଳାନ୍ତ ହେବାର ଛଳନା କରି ଶୋଇ ପଡ଼ୁଥିଲେ ଏବଂ ହଠାତ୍ ଘରର ଝରକା ଦେଇ ବାହାରକୁ ଡେଇଁପଡ଼ି ଅଦୃଶ୍ୟ ହୋଇ ଯାଉଥିଲେ । ପରବର୍ତ୍ତୀ ଜୀବନରେ ଯେଉଁ ବିରାଟ ଲୁଚକାଳି ଖେଳରେ ମୁଁ ତାଙ୍କର ସାଥୀ ହେଲି, ସେଥିରେ କେବଳ ତଫାତ୍‌ଟା ହେଲା ମୁଁ ଥିଲି ତାଙ୍କ ସପକ୍ଷରେ, ବିପକ୍ଷରେ ନୁହେଁ ।

 

୧୯୨୭ ମସିହାରୁ ଆରମ୍ଭ କରି ୧୯୪୧ ମସିହା ପର୍ଯ୍ୟନ୍ତ ଦାଦାଙ୍କ ସଙ୍ଗେ ମୋ ସମ୍ପର୍କର ଘଟଣା ବହୁଳ ବିବରଣୀ ପାଇଁ ଉଲ୍ଲେଖଯୋଗ୍ୟ ନୁହେଁ । ତେବେ କିଭଳି ଭାବରେ ନାନାପ୍ରକାର ସାହଚର୍ଯ୍ୟ ଓ ଅଭିଜ୍ଞତାର ଭିତର ଦେଇ କ୍ରମେ କ୍ରମେ ତାଙ୍କ ସଙ୍ଗେ ମୋର ସମ୍ପର୍କ ଗଢ଼ି ଉଠିଲା, ତା’ର ଗୋଟିଏ ଆଭାସ ହୁଏତ ଦେଇପାରେ । ମୋର ମା’ଙ୍କ ସାହାଯ୍ୟରେ ହିଁ ଦାଦାଙ୍କ ରାଜନୈତିକ ଅଥବା ଜନସେବାର କାର୍ଯ୍ୟକଳାପ ସଙ୍ଗେ ପିଲାଦିନରୁ ମୋର ପରିଚୟ ଘଟିଥିଲା । ମହିଳା ସଭାରେ, ସ୍ଵଦେଶୀ ଶୋଭାଯାତ୍ରାରେ ବ୍ୟାୟାମ ଓ କ୍ରୀଡ଼ା ପ୍ରତିଯୋଗିତାରେ ଅଥବା ସେବାକାର୍ଯ୍ୟର ସାହାଯ୍ୟ ନିମନ୍ତେ ନାନା ଧରଣର ଅନୁଷ୍ଠାନରେ ମୁଁ ମା’ଙ୍କ ପଣତ ଧରି ଦାଦାଙ୍କ ବକ୍ତୃତା ଶୁଣିବାକୁ ଯାଉଥିଲି । ସେହି ସମୟରେ ସେ ଶୁଦ୍ଧ ବଙ୍ଗଳାରେ ଧିରେ ଧିରେ ଦାର୍ଶନିକ ଭଳି ଲମ୍ବା ଲମ୍ବା ବକ୍ତୃତା ଦେଉଥିଲେ । ବକ୍ତୃତାର ବହୁତ କିଛି ସେତେବେଳେ ମୁଁ ବୁଝିପାରୁ ନ ଥିଲି । ତଥାପି ମନ୍ତ୍ରମୁଗ୍‍ଧ ଭଳି ତାଙ୍କ ମୁହଁକୁ ସ୍ଥିର ଦୃଷ୍ଟିରେ ଅନାଇ ରହୁଥିଲି ।

 

୧୯୨୮ ମସିହାରେ କଲିକତାରେ ହୋଇଥିବା କଂଗ୍ରେସ ସମ୍ମିଳନୀର ଅବସରରେ ଦାଦା ଆମ ନିକଟରେ ଏକ ନୂତନ ରୂପରେ ଆବିର୍ଭାବ ହେଲେ । ସାମରିକ ପୋଷାକ ପିନ୍ଧି ଯେତେବେଳେ ସେ ଉଡ଼ବାର୍ନ ପାର୍କର ସିଡ଼ି ବାଟେ ଓହ୍ଲାଇଥିଲେ, ସେ ଦୃଶ୍ୟ ଯେ କୌଣସି ଅବୋଧ ବାଳକ ନିକଟରେ ଅପୂର୍ବ ଓ ଅବିସ୍ମରଣୀୟ । ଦ୍ଵିପହରରେ କାମ ଅବସରରେ ଯେତେବେଳେ ସେ ଘରକୁ ଫେରୁଥିଲେ, ସେତେବେଳେ ରୌଦ୍ରତାପରେ ତାଙ୍କ ମୁହଁ ଅତ୍ୟନ୍ତ ଲାଲ ପଡ଼ି ଯାଉଥିଲା । ଦ୍ଵିମହଲାର ମଝି ଘରେ ଇଉନିଫର୍ମର ଜ୍ୟାକେଟ ଓ ବେଲଟ ପଲଙ୍କ ଉପରକୁ ଫୋପାଡ଼ି ଦେଇ ବିଶ୍ରାମ ନେଉଥିଲେ ଏବଂ ମା’ ତାଙ୍କ ପାଇଁ ଖାଇବା ବ୍ୟବସ୍ଥା କରୁଥିଲେ । ବାଳକ ବା ବୃଦ୍ଧ ଯେଉଁମାନେ ଏ ଛବି ଦେଖିଛନ୍ତି, ଆଜାଦ ହିନ୍ଦ ଫୌଜର ସର୍ବାଧି–ନାୟକର ରୂପ ତାଙ୍କ ପାଇଁ ଅଦ୍ଭୂତପୂର୍ବ ନୁହେଁ ।

 

ତାଙ୍କ ଦେଶତ୍ୟାଗର ପରିପ୍ରେକ୍ଷୀରେ ୧୯୩୮–୩୯ ମସିହାର ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରିପାରେ । ସେହି ସମୟରେ ମୁଁ ରାଜନୀତିରେ ପ୍ରକୃତ ଉତ୍ସାହ ନେବା ଆରମ୍ଭ କରିଛି; ତେଣୁ ବିଭିନ୍ନ ରାଜନୈତିକ ତତ୍ତ୍ଵ ସମ୍ବନ୍ଧରେ ମୋତେ ବିଶେଷ କିଛି ପଢ଼ାପଢ଼ି ମଧ୍ୟ କରିବାକୁ ପଡ଼ୁଥାଏ । ୧୯୩୮ ମସିହାର ହରିପୁର କଂଗ୍ରେସରୁ ଫେରି ଦାଦା ମୋତେ ଏକ ଅପାତଃ ଦୃଷ୍ଟିରେ ସରଳ ଅଥଚ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟର ଦାୟିତ୍ଵ ଦେଲେ । ଏହା ଫଳରେ ଯେମିତି ମୋର ଆନ୍ତର୍ଜାତିକ ରାଜନୀତିରେ ଖଡ଼ିଛୁଆଁ ହେଲା । ସେ ମୋତେ ଏକାନ୍ତରେ ଡାକି କହିଲେ–ମୁଁ ଯେପରି ନିୟମିତ ମସ୍କୋ ରେଡ଼ିଓ ଶୁଣେ । ବିଶେଷତଃ ଭାରତୀୟ ଘଟଣାବଳୀ ଓ ଆମ ଜାତୀୟ ଆନ୍ଦୋଳନ ସମ୍ପର୍କରେ ସେମାନେ କଣ କହନ୍ତି ବା କିପରି ଭାବରେ ରିପୋର୍ଟ କରନ୍ତି ତାହା ଲକ୍ଷ୍ୟ ରଖେ ଏବଂ ତାଙ୍କ ପ୍ରଚାରର ଗତି ପ୍ରକୃତି ସମ୍ବନ୍ଧରେ ତାଙ୍କୁ ସଚେତନ କରେ । ବହୁଦିନ ଧରି ମୁଁ ମଧ୍ୟ–ରାତ୍ରିରେ ଏବଂ ଅତି ପ୍ରତ୍ୟୁଷରେ ମସ୍କୋ ରେଡ଼ିଓର ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଓ ସମ୍ବାଦ ପ୍ରଚାର ଶୁଣୁଥିଲି । ପ୍ରାୟ ଅନେକ ସମୟରେ ରେଡ଼ିଓ ଉପରେ ମୁଣ୍ଡ ରଖି ଶୋଇ ପଡ଼ୁଥିଲି । ବେଳେ ବେଳେ ବାପା ଆସି ମୋତେ ଡାକି ଦେଉଥିଲେ ଏବଂ ସୁଭାଷର ବୁଦ୍ଧିରେ ପଡ଼ିଛି ବୋଲି କହି ପରିହାସ କରୁଥିଲେ । ଦୁଃଖର କଥା ସେହି ସୂତ୍ରରୁ, ମୋର ବହୁ ପରିଶ୍ରମ ସତ୍ତ୍ୱେ, କୌଣସି କୌତୂହଳୋଦ୍ଦୀପକ ବା ଉତ୍ସାହ ବ୍ୟଞ୍ଜକ ବିଶେଷ କିଛି ସମ୍ବାଦ ମୁଁ ଶୁଣି ପାରି ନ ଥିଲି କିମ୍ବା ଦାଦାଙ୍କୁ ମଧ୍ୟ କିଛି ଜଣାଇ ପାରି ନ ଥିଲି ।

 

ଦୁଇ

 

୧୯୪୦ ମସିହାର ଜୁଲାଇ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦାଦା ଯେତେବେଳେ ଶେଷ ଥର ପାଇଁ ଜେଲରେ ଥିଲେ, ସେତେବେଳେ ମୁଁ ପରିବାରର ଅନ୍ୟମାନଙ୍କ ସଙ୍ଗେ ପ୍ରାୟ କେତେଥର ତାଙ୍କୁ ଦେଖିବା ପାଇଁ ପ୍ରେସିଡ଼େନ୍‌ସି ଜେଲକୁ ଯାଇଛି । ମୋର ମନେଅଛି ସେ ମୋର ମେଡ଼ିକେଲ କଲେଜର ପଢ଼ାପଢ଼ି ସମ୍ପର୍କରେ ବୁଝାସୁଝା କରୁଥିଲେ, ଆଉ ମୋତେ ବହୁତ ସମୟରେ ମନେ ପକାଇ ଦେଉଥିଲେ ଯେ ହାଫ–ଡାକ୍ତର ହେବାଠୁ ହାଫ–ଇଞ୍ଜିନିୟର ହେବା ଭଲ-। ସେ ଅନ୍ୟମାନଙ୍କ ସମ୍ବନ୍ଧରେ ମଧ୍ୟ ଠିକ୍ ସେହିଭଳି ଖବର ରଖୁଥିଲେ । ଜେଲକର୍ତ୍ତାମାନଙ୍କ ସମ୍ବନ୍ଧରେ ସେ ଯେଉଁସବୁ ପରିହାସ କରୁଥିଲେ, ତାହା ଆମେ ଖୁବ୍ ଉପଭୋଗ କରୁଥିଲୁ । “ବ୍ରିଟିଶ ସାମ୍ରାଜ୍ୟ ଆଉ କେତେଦିନ ?” ବାରମ୍ବାର ଏହି ପ୍ରଶ୍ନ କରି ସେ’ ଜେଲର ଭାରତୀୟ କର୍ମଚାରୀମାନଙ୍କୁ ଅପ୍ରସ୍ତୁତ କରି ଦେଉଥିଲେ । ତାପରେ ସେ ତାଙ୍କୁ ଆଶ୍ଵାସନା ଦେଇ କହୁଥିଲେ ଯେ, ସେମାନଙ୍କ ଚାକିରି ଠିକ୍ ବଜାୟ ରହିବ । କେବଳ ଆଜି ଯେଉଁମାନେ ସରକାର ଚଳାଉଛନ୍ତି, ଆଉ ଯେଉଁମାନେ ବନ୍ଦୀ, ତାଙ୍କ ଭିତରେ ହିଁ ସ୍ଥାନ ବିନିମୟ ହେବ ।

 

ଅକ୍ଟୋବର ମାସରେ ସହବନ୍ଦୀମାନଙ୍କ ସହିତ ନେତାଜୀ ଜେଲ ଭିତରେ ଦୁର୍ଗାପୂଜାର ଆୟୋଜନ କଲେ । ସେଥିପାଇଁ ଆମର ଖୁବ୍ ଉତ୍ସାହ ଥିଲା । ବିସର୍ଜନ ଦିନ ଜେଲ୍ ଗେଟ୍ ପାଖରେ ପ୍ରତିମା ନେବା ପାଇଁ ଯେଉଁ ଦଳ ଗଲେ ମୁଁ ସେମାନଙ୍କ ସଙ୍ଗେ ଯୋଗ ଦେଲି ।

 

ମୋ ବାପା ତାଙ୍କ ବନ୍ଦୀ ଭାଇଙ୍କ ପାଖକୁ ଅନେକ ସମୟରେ ଯାଉଥିଲେ । ଏହି ସମୟରେ ମୁଁ ମା’ଙ୍କ ପାଖରୁ ଶୁଣୁଥିଲି ଦାଦା କୁଆଡ଼େ ବାପାଙ୍କୁ ଖୁବ୍ ପୀଡ଼ାପୀଡ଼ି କରୁଛନ୍ତି, କାରଣ ଦାଦା ଚାହାନ୍ତି ଦୁର୍ଗାପୂଜାରେ ବାପା ଯେତେବେଳେ ଉତ୍ତର ଭାରତକୁ ବୁଲିବାକୁ ଯିବେ, ସେତେବେଳେ ସୀମାନ୍ତ ପ୍ରଦେଶର ଫରୱାର୍ଡ଼ ବ୍ଲକର ନେତା ମିଆଁ ଆକବର ସାହେବଙ୍କ ସହ ସେ ସାକ୍ଷାତ କରିବେ ଏବଂ ମିଆଁ ସାହେବଙ୍କୁ ସୋଭିୟେତ୍‍ ରୁଷିଆ ଯିବାପାଇଁ ଅନୁରୋଧ କରିବେ । ମୁଁ ସେତିକିବେଳେ ଶୁଣୁଥିଲି ମିଆଁ ଆକବର ସାହେବଙ୍କ ପ୍ରଥମ ଜୀବନରେ ଏଭଳି ଆହୁରି ଭ୍ରମଣ ଜନିତ ଅଭିଜ୍ଞତା ରହିଛି ।

 

ଅଣତିରିଶ ନଭେମ୍ବର ଠାରୁ ଦାଦା ଯେତେବେଳେ ଜେଲ ଭିତରେ ଅନଶନ ଆରମ୍ଭ କଲେ ସେତେବେଳେ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଆମ ପରିବାର ଭିତରେ ଚରମ ଦୁଶ୍ଚିନ୍ତା ଦେଖାଦେଲା । ମୋ ବାପା ସେତେବେଳେ ବଙ୍ଗୀୟ ବ୍ୟବସ୍ଥାପକ ସଭାର ବିରୋଧୀ ଦଳର ନେତା-। ପୁଣି ମା’ଙ୍କ ପାଖରୁ ଶୁଣିଲି ସ୍ଵରାଷ୍ଟ୍ରମନ୍ତ୍ରୀ ଖାଜା ନାଜିମୁଦ୍ଦିନ୍‌ ବାପାଙ୍କୁ କହିଛନ୍ତି ଯେ, ବ୍ରିଟିଶ ପ୍ରଭୁମାନେ ଏ ଘଟଣାରେ ଖୁବ୍‍ କଠୋର ମନୋଭାବ ଅବଲମ୍ବନ କରିବେ । ସେଥିରେ ଆମର ଦୁଶ୍ଚିନ୍ତା ଗଭୀରତର ହେଲା । କିନ୍ତୁ ଡିସେମ୍ବର ପାଞ୍ଚ ତାରିଖ ଉପରଓଳି ଆମର ଦୁଶ୍ଚିନ୍ତାର ଅବସାନ ଘଟାଇ ଏଲଗିନ୍ ରୋଡ଼ର ଘରୁ ଖବର ଆସିଲା ଯେ, ଦାଦା ବିନା ସର୍ତ୍ତରେ ମୁକ୍ତି ପାଇଛନ୍ତି ଓ ତାଙ୍କୁ ଗୋଟିଏ ଆମ୍ବୁଲେନସ୍‌ରେ ଘରକୁ ଅଣାଯାଇଛି ।

 

ଆମେ ଯେଉଁମାନେ ସେତେବେଳେ ଘରେ ଥିଲୁ (ଉଡ଼ବାର୍ନ ପାର୍କ) ସମସ୍ତେ ତାଙ୍କୁ ଦେଖିବାପାଇଁ ଏଲଗିନ୍ ରୋଡ଼ର ଘରକୁ ଦୌଡ଼ିଲୁ । ଦାଦା ତାଙ୍କ ଘରେ ଶୋଇଥିଲେ ଏବଂ ସେ ଖୁବ୍ ଦୁର୍ବଳ ଓ କ୍ଳାନ୍ତ ଦେଖା ଯାଉଥିଲେ ।

 

ଏଇଠି ମୋର କହି ରଖିବା ଉଚିତ ଯେ ନେତାଜୀଙ୍କ ଘର ବୋଲି ଆଜି ଯେଉଁ ସମସ୍ତଙ୍କର ପରିଚିତ, ସେଇଟି ଥିଲା ପ୍ରକୃତରେ ତାଙ୍କ ବାପା ଜାନକୀନାଥଙ୍କ ଘର । ଦାଦା ଯେତେବେଳେ ୧୯୩୭ ମସିହାରେ ଏଲଗିନ୍‍ ରୋଡ଼ର ଘରେ ବାସ କରିବାକୁ ଆସିଲେ ତାହାର ଦୁଇବର୍ଷ ପୂର୍ବରୁ ଜାନକୀନାଥଙ୍କ ମୃତ୍ୟୁ ଘଟିଥାଏ । ଘରେ ଦୁଇଟି ଖଟ ଥିଲା–ଜାନକୀନାଥଙ୍କର ପୁରୁଣା ଅମଳର ନିଜସ୍ଵ ଏକ ବଡ଼ ପଲଙ୍କ ଓ ଅନ୍ୟଟି ଗୋଟିଏ ମୋଟାମୋଟି ସାଧାରଣ ଖଟ । ଦାଦା ସେହି ସାଧାରଣ ଖଟଟି ବ୍ୟବହାର କରୁଥିଲେ ।

 

ଜେଲରେ ସେ ନିଶ ରଖୁଥିଲେ । ତାହାଦ୍ଵାରା ସେ’ ଅଧିକ ଅସୁସ୍ଥ ଦେଖା ଯାଉଥିଲେ । ଘରକୁ କେହି ଆସିଲେ ସେ ତାଙ୍କ ସ୍ଵାଭାବିକ ରୀତିରେ ହସି ହସି ସ୍ଵାଗତ ଜଣାଉଥିଲେ । ମୁଁ ମୋର ସ୍ଵଭାବଗତ ସଲଜ୍ଜ ଭାବରେ ତାଙ୍କ ପାଖକୁ ଗଲି, ମୋର ହାତଟିକୁ ସେ ନିଜ ପାପୁଲି ଭିତରକୁ ଟାଣିନେଲେ ଓ କେମିତି ଏକ ଅସ୍ଵାଭାବିକ ଭାବରେ ବଡ଼ ସମୟ ଧରି ଦୃଢ଼ଭାବେ ଧରି ରଖିଲେ । ମୁଁ ଟିକିଏ ଅପ୍ରସ୍ତୁତ ବୋଧ କଲି । ପରେ ମୋର ମନେ ହୋଇଥିଲା ସେହି ଦୀର୍ଘ ଓ ହୃଦୟସ୍ପର୍ଶୀ ହାତଧରା ଭିତରେ ହିଁ ହୁଏତ ମୋ ସଙ୍ଗେ ତାଙ୍କ ନୂତନ ସମ୍ପର୍କର ସୂଚନା ନିହିତ । ଅବଶ୍ୟ ଏ ସବୁ ମୋର କଳ୍ପନା ମଧ୍ୟ ହୋଇ ପାରେ ।

 

ଡାକ୍ତରଙ୍କ ବାରଣ ସତ୍ତ୍ୱେ ତାପରେ କିଛିଦିନ ଅତ୍ୟଧିକ ଅତିଥିଙ୍କ ଭିଡ଼ ହେବାକୁ ଲାଗିଲା । ସେତେବେଳେ ମୁଁ ତାଙ୍କ ନିକଟରୁ ପ୍ରାୟ ଦୂରରେ ଅଲଗା ହୋଇ ରହୁଥିଲି । ମୋର ମା’ ପ୍ରତିଦିନ ତାଙ୍କୁ ଦେଖିବାକୁ ଯାଉଥିଲେ । ମା’ ଆସି କହନ୍ତି ଦାଦା ମୋର ମେଡ଼ିକେଲ କଲେଜର ରୁଟିନ୍ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ପଚରା ଉଚରା କରୁଥିଲେ । ମୁଁ କେତେବେଳେ କଲେଜ ଯାଏ, କେତେବେଳେ ଫେରି ଆସେ ଓ ପଢ଼ାପଢ଼ିର ଅବସ୍ଥା କିପରି ଇତ୍ୟାଦି । ଅବଶ୍ୟ ତାଙ୍କର ଯେ ମୋ ସଙ୍ଗେ ବିଶେଷ କିଛି ଦରକାର ସେପରି କିଛି ପ୍ରତ୍ୟକ୍ଷ ଇଙ୍ଗିତ ତା ଭିତରେ ନ ଥିଲା । ସେ ମା’ଙ୍କୁ କେବେହେଲେ ମୁହାଁମୁହିଁ କହି ନାହାନ୍ତି ଯେ ମୋ ସଙ୍ଗେ ତାଙ୍କର ବିଶେଷ କୌଣସି କାମ ଅଛି କିମ୍ବା ମୋ ସହିତ ସେ କିଛି କଥାବାର୍ତ୍ତା କରିବାକୁ ଚାହାନ୍ତି ।

 

ତିନି

 

ସେଦିନ ଛୁଟିଥିଲା । ଦ୍ଵିପ୍ରହର ଖାଇବା ସମୟରେ ନେତାଜୀଙ୍କ ବ୍ୟକ୍ତିଗତ ଭୃତ୍ୟ ଉଡ଼ବାର୍ନ ପାର୍କରେ ମୁଁ ରହୁଥିବା ଘରେ ଆସି ଖବର ଦେଲା ଯେ ଦାଦା ଡକାଇ ପଠାଇଛନ୍ତି, ସେହିଦିନ ହିଁ ଯେପରି ତାଙ୍କ ସଙ୍ଗେ ଦେଖା କରେ । କିଛିସମୟ ପରେ ମୁଁ ଏଲଗିନ୍‍ ରୋଡ଼ର ଘରେ ଉପସ୍ଥିତ ହେଲି ଓ ବୁଝି ପାରିଲି ଦାଦା ମୋ ପାଇଁ ପ୍ରକୃତରେ ଅପେକ୍ଷା କରୁଥିଲେ । ମୁଁ ଆସିଲା ପରେ ସମସ୍ତେ ଚାଲିଯିବାରୁ ଘରଟା ଖାଲି ହୋଇଗଲା, ସେତେବେଳେ ସେ ଖୁବ୍ ସ୍ନିଗ୍‌ଧ ଦେଖା ଯାଉଥିଲେ ଦୁର୍ବଳତା ହେତୁ ତାଙ୍କ ଦେହର ବର୍ଣ୍ଣ ସାମାନ୍ୟ ପାଣ୍ଡୁର ଦିଶୁଥିଲା । ଓ କେତେ ଦିନର ଅଚଞ୍ଛା ଦାଢ଼ି ଯୋଗୁଁ ତାଙ୍କ ଚେହେରା କେମିତି ଏକ ଅଦ୍ଭୁତ ମନେ ହେଉଥିଲା । ଖଟ ଉପରେ ତକିଆକୁ ଆଉଜି ସେ ବସିଥିଲେ, ତାଙ୍କ ଶାନ୍ତ ଓ ସ୍ଵାଭାବିକ ଚେହେରା ଦେଖି ମୁଁ ଥରେହେଲେ ଭାବି ନଥିଲି ଯେ ସେ କୌଣସି ଗୁରୁତର କଥାର ଅବତାରଣା କରିବେ । ମୋର ଅଭ୍ୟାସ ଅନୁଯାୟୀ ତାଙ୍କଠୁ ଟିକେ ଦୂରରେ ତାଙ୍କ ବାପାଙ୍କର ଯେଉଁ ଅନ୍ୟ ପଲଙ୍କଟି ଥିଲା ତା ଉପରେ ବସିବାକୁ ଗଲି । ମୋତେ କିନ୍ତୁ ତାଙ୍କ ପାଖକୁ ଆସି ତାଙ୍କ ବିଛଣାର ଡାହାଣ ପାଖରେ ବସିବାକୁ ସେ ଇଙ୍ଗିତ କଲେ ଏବଂ ମୁଁ ତାହା ମାନି ସେପରି ବସିଲି । ଏମିତି ପାଖକୁ ଡାକିବାରେ ମୁଁ ଯେ ଟିକେ ଭୟଭୀତ ହେଲି ତାହା କହିବା ବାହୁଲ୍ୟ ।

 

କେତୋଟି ମୁହୂର୍ତ୍ତ ମୋ ଆଡ଼େ ସ୍ଥିର ଦୃଷ୍ଟିରେ ଚାହିଁ ରହିବା ପରେ ସେ କହିଲେ–‘‘ମୋର ଗୋଟିଏ କାମ କରି ପାରିବ ?” ମୋର ଯେପରି ଦୁର୍ବଳ ସ୍ଵଭାବ, ମୁଁ ଟିକିଏ ଦ୍ଵିଧାନ୍ୱିତ ଭାବେ କେବଳ ମୁଣ୍ଡ ହଲାଇଲି । ସେ ପଚାରିଲେ–‘‘ତୁମେ କିପରି ଗାଡ଼ି ଡ୍ରାଇଭିଂ କରିପାର ?” “ମୋଟାମୋଟି ଭଲ ପାରେ” ବୋଲି ମୁଁ କହିଲି । କିନ୍ତୁ ଦାଦା ବୋଧହୁଏ ଆଉ ଟିକିଏ ବିଶଦ୍‍ଭାବେ ଜାଣିବାକୁ ଚାହିଁଲେ । ତେଣୁ ସେ ପୁଣି ପଚାରିଲେ, “ତୁମେ କେବେ long distance ଗାଡ଼ି ଚଳାଇ ଯାଇଛ ?” ମୁଁ କହିଲି–‘ନା’ । ସେ କହିଲେ, “ଦେଖ ଦିନେ ରାତିରେ ତୁମକୁ ଗାଡ଼ି ନେଇ ମୋତେ ବେଶ୍‍ କିଛି ଦୂରରେ ପହଞ୍ଚାଇ ଦେବାକୁ ପଡ଼ିବ । କେହି କିନ୍ତୁ କିଛି ଜାଣିବେ ନାହଁ, ପାରିବ ତ ?” ମୁଁ ନିର୍ଲିପ୍ତ ଭାବେ କେବଳ ଶୁଣି ଯାଉଥିଲି ।

 

ଅଗତ୍ୟା ମୁଁ ଆଉ ଥରେ ମୁଣ୍ଡ ହଲାଇଲି । ଏହି ମୁଣ୍ଡ ହଲାଇବା ‘ହଁ’ ବି ହୋଇ ପାରେ ପୁଣି ଅନିଶ୍ଚିତ ବି ହୋଇ ପାରେ । ସେ ବୋଧହୁଏ ‘ହଁ’ ବୋଲି ଧରିନେଲେ ଏବଂ ଆହୁରି କହି ଚାଲିଲେ । ଏ ସମସ୍ତ ଘଟଣାଟା ଏଭଳି ପ୍ଲାନରେ କରିବାକୁ ହେବ ଯେ ସବୁଥିରେ ଆମେ ଯେପରି ସମ୍ପୂର୍ଣ୍ଣ କୃତକାର୍ଯ୍ୟ ହେଉ । ଅବଶ୍ୟ ତୁମେ ଏ ସମ୍ପର୍କରେ ଅନ୍ୟ କାହାକୁ ଲେଶ ମାତ୍ର କିଛି କହିବନି-।’’

 

ଦାଦା କହିଲେ ଯେ ସେ ଗୋପନରେ ଗୃହତ୍ୟାଗ କରି ଅଜଣା ପଥରେ ଗୋଡ଼ ଦେଉଛନ୍ତି–ଏଲଗିନ୍ ରୋଡ଼ର ଘରେ ଏ କଥା ଜାଣିବ କେବଳ ଏକମାତ୍ର ଇଲା । ଇଲା ମୋର ଦାଦା ଝିଅ ଭଉଣୀ; ମୋ ଠାରୁ ଦୁଇବର୍ଷ ସାନ । ଦାଦା କହିଲେ ଯେ ସେ ଇଲାକୁ ପରୀକ୍ଷା କରି ଦେଖିଛନ୍ତି, ଆଉ ତାଙ୍କର ବିଶ୍ଵାସ ଯେ ସେ ଏହା ନିଶ୍ଚୟ ପାରିବ ।

 

ଏହି ପ୍ରଥମ ସାକ୍ଷାତ ଶେଷରେ ସେ ମୋତେ କହିଲେ ମୁଁ ଘରକୁ ଯାଇ ଏହି ପରିକଳ୍ପନାର ପ୍ରତିଟି ଦିଗ ଯେପରି ଭଲ କରି ପରଖି ଦେଖେ ଏବଂ ପରଦିନ ସନ୍ଧ୍ୟା ସୁଦ୍ଧା ଆସି ଏ ସମ୍ବନ୍ଧରେ ତାଙ୍କୁ ଯେପରି ଏକ ସୁଚିନ୍ତିତ ମତାମତ ଦିଏ । ପରିକଳ୍ପନାଟିର ସମ୍ପୂର୍ଣ୍ଣ ସଫଳତା ଉପରେ ଗୁରୁତ୍ୱ ଦେଇ ସେ ମୋତେ ବାରମ୍ବାର କହୁଥିଲେ ଯେ କୌଣସି ବିପଦ ଯେପରି ନ ଆସେ ।

 

ମନରେ କିଛି ବିସ୍ମୟ ଓ ଉତ୍ତେଜନା ନେଇ ମୁଁ ଏକ ନମ୍ବର ଉଡ଼ବାର୍ନ ପାର୍କକୁ ପାଦରେ ଚାଲି ଚାଲି ଫେରିଲି । ମୁଁ ଭାବିବାକୁ ଲାଗିଲି, ଘଟଣାଟା କଣ ହୋଇ ପାରେ । ମୋର ପ୍ରଥମେ ମନେ ହୋଇଥିଲା–ସେ ହୁଏତ ଗୋପନରେ କାହାରି ସହିତ ସାକ୍ଷାତ କରିବାକୁ ଚାହିଁଛନ୍ତି । ତେଣୁ ତାଙ୍କୁ ନେଇ ସେଠାରେ ପହଞ୍ଚାଇ ଦେବାରେ ମୋତେ ସାହାଯ୍ୟ କରିବାକୁ ପଡ଼ିବ ।

 

ଚାରି

 

ସେଦିନ ବହୁତ ରାତି ପର୍ଯ୍ୟନ୍ତ ବିଛଣାରେ ଶୋଇ ଘଟଣାଟି ଚିନ୍ତା କରୁ କରୁ ମୁଁ ଉପଲବଧି କଲି ଯେ, ମୋର ଏତେ ଦିନର ନିସ୍ତରଙ୍ଗ ଜୀବନରେ ଗୋଟିଏ ଅସାଧାରଣ ଓ ପ୍ରତିଦ୍ଵନ୍ଦିତାମୂଳକ କୌଣସି ଘଟଣା ଘଟିବାକୁ ଯାଉଛି । ଏହା ମଧ୍ୟ ବୁଝି ପାରିଲି ଯେ ମୋ ଉପରେ ଯେଉଁ ସମ୍ପର୍କର ଏତେ ଦିନ ଧରି ମୋର ଓ ଦାଦାଙ୍କ ଭିତରେ ପ୍ରତିବନ୍ଧକ ସୃଷ୍ଟିକରି ଆସିଛି ତାହା ଏବେ ମୋତେ ଅତିକ୍ରମ କରିବାକୁ ପଡ଼ିବ ।

 

ମୁଁ ଦ୍ଵିତୀୟ ସାକ୍ଷାତ ବେଳକୁ ଦାଦାଙ୍କ ଶେଯର ଅତି ନିକଟରେ ଯାଇ ବସିବାକୁ ମୁଁ ମୋଟେ ଇତଃସ୍ତତ କଲି ନାହିଁ । ସେହି ଦିନଠାରୁ ଆରମ୍ଭ କରି ପ୍ରତିଦିନ ତାଙ୍କ ବିଛଣାର ବାଁ କଡ଼ରେ ବସି ଘଣ୍ଟା ପରେ ଘଣ୍ଟା ପରିକଳ୍ପନା ବିଷୟରେ ବହୁ ଆଳାପ ଆଲୋଚନା ଚାଲିଲା । ଆଲୋଚନା ଯେତେ ଅଗ୍ରସର ହେଲା ପରିକଳ୍ପନା ସେତେ ମଞ୍ଜି ଧରିବାରେ ଲାଗିଲା । ଅନେକ ସମୟରେ ମୁଁ ସେତେବେଳେ ବାରଣ୍ଡା ପଟର କବାଟଟା ବନ୍ଦକରି ଦେଇ ଆସୁଥିଲି ଯେପରିକି କୌଣସି ଆତ୍ମୀୟ ପରିଜନ ହଠାତ୍ ଘର ଭିତରକୁ ପଶି ନ ଆସନ୍ତି । ଅବଶ୍ୟ ଗୋସେଇଁ ମା’ଙ୍କ ଘର ଆଡ଼କୁ ଥିବା ଦୁଆରଟି ସବୁଦିନ ପ୍ରାୟ ବନ୍ଦ ରହୁଥିଲା ।

 

ପରଦିନ ସନ୍ଧ୍ୟାରେ ମୁଁ ଯେତେବେଳେ ତାଙ୍କ ପାଖକୁ ଫେରିଗଲି ସେତେବେଳେ ବି ମୋ ମନରେ କୌଣସି ସୁଚିନ୍ତିତ ମତାମତ ଗଢ଼ି ଉଠି ନ ଥିଲା । ତା’ର କାରଣ ପ୍ରଥମ ଦିନ ପରିକଳ୍ପନା ସମ୍ବନ୍ଧରେ ସେ ମୋତେ ଯେତିକି ମାତ୍ର କହିଥିଲେ ତାହା ମୋ ପାଇଁ ଯଥେଷ୍ଟ ନ ଥିଲା-। ସାହାସ ସଞ୍ଚୟ କରି ମୁଁ ତାଙ୍କ ମୁହାଁମୁହିଁ ହେଲି । ଏହି ଥରଠୁ ଆରମ୍ଭ ହେଲା ଆମ ଭିତରେ ପ୍ରତିଦିନର ସାକ୍ଷାତ ଏବଂ ଗୋପନ ଆଲୋଚନା । କିନ୍ତୁ ଏହିସବୁ ସାକ୍ଷାତ ଅନ୍ୟମାନଙ୍କ ଆଖିରେ ଖୁବ୍ ସହଜ ଓ ସ୍ଵାଭାବିକ ହେବା ଦରକାର । ତେଣୁ ବାହାର ଅତିଥିମାନେ ଚାଲିଯିବା ପର୍ଯ୍ୟନ୍ତ ମୋତେ ବହୁତ ସମୟରେ ଅନ୍ୟତ୍ର ବୁଲାବୁଲି କରି ଆସିବାକୁ ପଡ଼ୁଥିଲା । ଘରେ କେହି ଆତ୍ମୀୟ ସ୍ୱଜନ କିମ୍ବା ଭୃତ୍ୟମାନେ ଥିଲେ ମୋତେ ଅପେକ୍ଷା କରିବାକୁ ହେଉଥିଲା । ସେତେବେଳେ ପ୍ରାୟ ରେଡ଼ିଓଟାକୁ ନେଇ ମୁଁ ମୋଡ଼ାମୋଡ଼ି କରୁଥିଲି କିମ୍ବା ଅନ୍ୟାନ୍ୟ ତୁଚ୍ଛ କାମରେ ସମୟତକ କଟାଉଥିଲି । ଅସୁସ୍ଥ ଦାଦାଙ୍କୁ ପୁତୁରା ଦେଖିବାକୁ ଆସିବ ଏଥିରେ ଅବଶ୍ୟ କିଛି ଅସ୍ଵାଭାବିକ ନଥିଲା । ତଥାପି ଏହା ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାରୁ ଦାଦା ଗୋଟିଏ କୌଶଳ ବାହାର କଲେ । ସେ କହିଲେ, “କେହି ପ୍ରଶ୍ନ କଲେ କୁହାଯିବ ଯେ ମୁଁ ରେଡ଼ିଓଟା ଭଲ ବଜାଇ ପାରେ ତେଣୁ ତାଙ୍କୁ Foreign broad cast ଗୁଡ଼ିକ ଶୁଣାଇବାରେ ସାହାଯ୍ୟ କରେ ।” ଅବଶ୍ୟ ସେ ପ୍ରକୃତରେ ଯୁଦ୍ଧର ଗତି–ପ୍ରକୃତି ଦିନ ପରେ ଦିନ ଟିକିନିଖି ଭାବେ ପର୍ଯ୍ୟବେକ୍ଷଣ କରୁଥିଲେ ଏବଂ ବର୍ଲିନ, ରୋମ ଓ ଲଣ୍ଡନର ସମ୍ବାଦ ପ୍ରଚାର ଏବଂ ଭାଷଣ ଘଣ୍ଟାକୁ ଘଣ୍ଟା ଶୁଣୁଥିଲେ ।

 

ଆମେ ତାଙ୍କ ପରିସ୍ଥିତିର ମୂଲ୍ୟାୟନ ମନଦେଇ ଶୁଣୁଥିଲୁ । ଯୁଦ୍ଧରେ ଅଥବା କୂଟନୀତିରେ ଇଂରେଜ କୌଣସି ଅସୁବିଧାରେ ପଡ଼ିଛି ଶୁଣିଲେ ସେ ପ୍ରକୃତରେ ଆନନ୍ଦ ପାଉଥିଲେ-। ଆମେ ମଧ୍ୟ ସେହି ଆନନ୍ଦରେ ଭାଗ ନେଉଥିଲୁ ।

 

ଆମର ଆଲୋଚନା ଯେତେ ଅଗ୍ରସର ହେବାକୁ ଲାଗିଲା, ମୋର ଆତ୍ମବିଶ୍ଵାସ ମଧ୍ୟ ସେତିକି ବଢ଼ିବାକୁ ଲାଗିଲା । ମୋର ଏହି ନବଲବ୍‌ଧ ସାହାସ ଯୋଗୁଁ ମୁଁ ଆଶ୍ଚର୍ଯ୍ୟ ହେଲି କାରଣ ଦେଖିଲି ସେତେବେଳକୁ ମୁଁ ଦାଦାଙ୍କ କୌଣସି ପ୍ରସ୍ତାବର ସମାଲୋଚନା ବା ବିରୋଧ ମଧ୍ୟ କରି ପାରୁଛି । ଏହାଦ୍ଵାରା ତାଙ୍କ ସମ୍ବନ୍ଧରେ ମୋର ଯେଉଁ ସଂକୋଚର ପ୍ରାଚୀର ଏତେ ଦିନ ଧରି ଥିଲା ତାହା କ୍ରମେ ଭାଙ୍ଗିଗଲା ।

Image

(ପ୍ରଥମ ସ୍ମୃତି : ସୁଭାଷଚନ୍ଦ୍ର ଓ ଶିଶିର)

 

୧୯୪୧ ମସିହାର ଗୋପନ ଯାତ୍ରାର ପରିକଳ୍ପନା ଚାଲିଥିବା ବେଳେ ଦାଦାଙ୍କ ଅନ୍ୟ ଏକ ବିଦେଶ ଯାତ୍ରାର କଥା ମୋର ପ୍ରାୟ ମନେ ପଡ଼ୁଥାଏ । ୧୯୩୩ ମସିହା ଆରମ୍ଭର କଥା । ଜବ୍ବଲପୁର ସେଣ୍ଟ୍ରାଲ ଜେଲରେ ସେତେବେଳେ ଦୁଇ ଭାଇ ଏକା ସାଙ୍ଗରେ ବନ୍ଦୀ ଥିଲେ । ଦାଦା ରୋଗରେ ଶଯ୍ୟାଶାୟୀ ହେତୁ ଚିକିତ୍ସା ପାଇଁ ସରକାର ତାଙ୍କୁ ଇଉରୋପ ଯିବାକୁ ଅନୁମତି ଦେଇଥିଲେ । ଆମେ କେତେଜଣ ମା’ ଓ ଆମ ଗୋସେଇଁ ମା’ଙ୍କ (ବାସନ୍ତୀ ଦେବୀ) ସଙ୍ଗେ ତାଙ୍କୁ ବିଦାୟ ଦେବାକୁ ଯାଇଛୁ । ସେ ଏକ ଅନ୍ୟ ଧରଣର ଯାତ୍ରା । ଜେଲରୁ କଡ଼ା ପୋଲିସ ପହରାରେ ଆମ୍ବୁଲେନସ୍ ସାହାଯ୍ୟରେ ତାଙ୍କୁ ଷ୍ଟେସନକୁ ନେଇଗଲେ ଏବଂ ସେଠାରୁ ଷ୍ଟ୍ରେଚର ଦ୍ଵାରା ଟ୍ରେନ କମ୍ପାର୍ଟମେଣ୍ଟରେ ବସାଇଦେଲେ । ବିଦାୟ ନେବା ସମୟରେ ଜେଲରେ ବାପାଙ୍କ ନିକଟରେ ଦାଦା ଦୁଃଖରେ ଭାଙ୍ଗି ପଡ଼ି ତାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ପକାଇଲେ । ବମ୍ବେରୁ ତାଙ୍କୁ ଜାହାଜରେ ନେଇଯିବେ ଏବଂ ଜାହାଜ ଭାରତର ଉପକୂଳ ଛାଡ଼ିଯିବା ପରେ ସେ ମୁକ୍ତି ପାଇବେ ।

Image

(ଏଲ୍‍ଗିନ୍‍ ରୋଡ଼ର ଘର)

 

୧୯୩୩ ମସିହାରୁ ୧୯୪୧ ମସିହା ପର୍ଯ୍ୟନ୍ତ ଅନୁଶାସନର ଆଉ ଅନ୍ତ ନ ଥିଲା ! ବ୍ରିଟିଶ ସରକାରଙ୍କ ସବୁ ବାଧା ନିଷେଧ ତୁଚ୍ଛ କରି ଓ ସବୁ ଅନୁଶାସନକୁ ଅଗ୍ରାହ୍ୟ କରି ୧୯୪୧ ମସିହାରେ ଏହାର ଉଚିତ୍ ପ୍ରତିଶୋଧ ନିଆହେଲା । କିନ୍ତୁ ଏହି ଗୋପନ ଯାତ୍ରା ପୂର୍ବରୁ ଦାଦା ବାପାଙ୍କ ନିକଟରୁ କିଭଳିଭାବେ ବିଦାୟ ନେଇଥିଲେ ତାହା ମୁଁ ଜାଣି ପାରି ନ ଥିଲି ।

 

ରାତି ପରେ ରାତି ଦାଦାଙ୍କ ସଙ୍ଗେ ଆଲୋଚନାର ଅବସରରେ ୧୯୩୬ ମସିହାରେ କାରସିୟାଂ ଠାରେ ତାଙ୍କ ଘନିଷ୍ଠ ସାହାଚର୍ଯ୍ୟରେ ଆସିଥିବା ଦିନ ଗୁଡ଼ିକର କଥା ମଧ୍ୟ ମୋର ମନେ ପଡ଼ୁଥାଏ । ସେହି ସମୟରେ ଖୁବ୍ ନିକଟରୁ ତାଙ୍କ ଅନେକ କଥାବାର୍ତ୍ତା ଶୁଣିବାର ସୁଯୋଗ ମୁଁ ପାଇଥିଲି । ଇଉରୋପରେ ଚାରି ବର୍ଷର ନିର୍ବାସନ ପରେ ସେ ଦେଶକୁ ଫେରିବା ମାତ୍ରେ ସରକାର ତାଙ୍କୁ ଗ୍ରେପ୍ତାର କଲେ ଏବଂ ବାପାଙ୍କ କାରସିୟାଂ ବାସଭବନରେ ନଜରବନ୍ଦୀ କରି ରଖିଲେ । ସେହି ସମୟରେ ମୋର ବଡ଼ ଭାଇ ଅମୀୟନାଥ ଓ ମୁଁ ଦାଦାଙ୍କ ସଙ୍ଗେ ଗ୍ରୀଷ୍ମଛୁଟି କାରସିୟାଂରେ କଟାଇବାର ଅନୁମତି ପାଇଲୁ । ମୁଁ ସେତେବେଳେ ମାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ ହେଁ ମୋର ବେଶ୍ ଚିନ୍ତା ଭାବନା କରିବାର ଦକ୍ଷତା ଆସିଥାଏ । କଥାବାର୍ତ୍ତା ପ୍ରାୟ ସବୁବେଳେ ଦାଦା ଓ ମୋର ବଡ଼ଭାଇ ଅମୀୟନାଥଙ୍କ ମଧ୍ୟରେ ହେଉଥିଲା ଏବଂ ମୁଁ ଥିଲି କେବଳ ନୀରବ ଶ୍ରୋତା । ସକାଳୁ ଆରମ୍ଭ ହୋଇ ବହୁତ ରାତି ପର୍ଯ୍ୟନ୍ତ ଏପରିକି ଘୋର ବର୍ଷାରେ ଏବଂ ବୁଲିବା ବେଳେ ମଧ୍ୟ ତାଙ୍କ କଥାବାର୍ତ୍ତାର ବିରାମ ନ ଥାଏ । ବିଷୟବସ୍ତୁର କୌଣସି ନିର୍ଦ୍ଦିଷ୍ଟ ସୀମା ନ ଥିଲା । ପାରିବାରିକ ଟିକିନିଖି ସମସ୍ୟା, ନିଜ ଜୀବନର ସୁଖ ଦୁଃଖର କାହାଣୀଠୁ ଆରମ୍ଭ କରି ଦେଶ ବିଦେଶର ରାଜନୀତି ଏପରିକି Interpretation of dreams ପର୍ଯ୍ୟନ୍ତ ଆଲୋଚନାର ବିଷୟବସ୍ତୁ ଥିଲା । ତାଙ୍କ ପିଲାଦିନର ସ୍ମୃତି ଚାରଣରେ ମୋର ଆଗ୍ରହ ଥିଲା ବେଶି କାରଣ ସେହି ସମୟରେ ନିଜ ଅଭିଜ୍ଞତା ସଙ୍ଗେ ସେ ସବୁକୁ ମୁଁ ତୁଳନା କରି ଦେଖୁଥିଲି । କଥାବାର୍ତ୍ତା ଭିତରେ ଥରେ ଆମ ଆଡ଼କୁ ଚାହିଁ ହୁଏତ ଦୁଃଖର ସହିତ କହିଲେ, ‘‘ଜାଣିଛ, ମୁଁ ଯେତେବେଳେ ତୁମ ବୟସର ବା ତା’ଠୁ ଆହୁରି ସାନ ଥିଲି ସେତେବେଳେ ଘରେ ମୋତେ ବିଶେଷ କେହି ଗ୍ରାହ୍ୟ କରୁ ନ ଥିଲେ–ପ୍ରାୟ ସମସ୍ତେ କହୁଥିଲେ ମୁଁ ଗୋଟିଏ ବଦ୍ଧପାଗଳ । ଜୀବନରେ ମୋ ଦ୍ଵାରା କିଛି ହୋଇ ପାରିବ ନାହିଁ-।’’ ଟିକିଏ ପରେ ହିଁ ହୁଏତ ବିଷୟଟିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଭବିଷ୍ୟତର ଟିକଏ ଆଭାସ ଦେଇ ସେ କହିଲେ, “ଲେନିନଙ୍କ ବିଷୟରେ ଗୋଟିଏ ଗଳ୍ପ ଶୁଣ । ଏବେ ଯେପରି ଆମେ ବୁଲୁଛୁ ଲେନିନ୍ ତାଙ୍କ ସାଥିମାନଙ୍କ ସହିତ ଯେତେବେଳେ ବୁଲି ବାହାରୁ ଥିଲେ, ଲଣ୍ଡନର ‘ବବି’ ମାନେ (ପୁଲିସ କନେଷ୍ଟବଲ୍‌) ତାଙ୍କୁ ଦେଖି ପରିହାସ କରି କହୁଥିଲେ–ଦେଖ, ଦେଖ ସେହି ଲୋକଟିର ନାଁ ଲେନିନ, ସେମାନେ ଆମ ଦେଶରେ ମୂଷା ଗାତରେ ଲୁଚି ବାସ କରନ୍ତି, ସେମାନେ ପୁଣି ତାଙ୍କ ପ୍ରବଳ ପରାକ୍ରାନ୍ତ ଜାର୍‌ଙ୍କୁ ଉଚ୍ଛେଦ କରିବାର ସ୍ଵପ୍ନ ଦେଖନ୍ତି ।” ଏହା କହି ଦାଦା ହସିଲେ । ବହୁଦିନ ପରେ ଅବଶ୍ୟ ମୁଁ ବୁଝି ପାରିଥିଲି ଯେ ସେ ସେହି ଗଳ୍ପ ମାଧ୍ୟମରେ ହିଁ ତାଙ୍କ ବିରାଟ ସ୍ଵପ୍ନର ଇଙ୍ଗିତ ଦେଇଥିଲେ ।

 

ପାଞ୍ଚ

 

ଆମର ଏହି ଗୋପନ ପରାମର୍ଶ ଚାଲିଥିବା ବେଳେ ଦାଦା’ ଦିନେ ମୋତେ ଖୁବ୍ ଶାନ୍ତ ଭାବେ ଗୋଟିଏ କଠିନ ପ୍ରଶ୍ନ ପଚାରିଲେ । ସେ ଜାଣିବାକୁ ଚାହିଁଲେ–ସେ ଯେଉଁ କାର୍ଯ୍ୟର ଦାୟିତ୍ଵ ମୋତେ ଦେଉଛନ୍ତି ତାହା ମୁଁ ବାପା–ମା’ଙ୍କ ଅଜାଣତରେ କରି ପାରିବି କି ନାହିଁ । ମୁଁ କିଛି ସମୟ ପାଇଁ ଅଶ୍ଵସ୍ତିବୋଧ କଲି, ତାପରେ ମୃଦୁ ସ୍ଵରରେ କହିଲି–“ଠିକ୍‍ ଅଛି” । କିଛିଦିନ ଭିତରେ ଅବଶ୍ୟ ମୁଁ ବୁଝି ପାରିଲି ଯେ ସେ ମୋତେ ପରୀକ୍ଷା କରିବା ପାଇଁ ଏ ପ୍ରଶ୍ନଟି ପଚାରିଥିଲେ । ସୌଭାଗ୍ୟବଶତଃ ମୋତେ ସେତିକିବେଳେ ଏହି ସମସ୍ୟାର ମୁକାବିଲା କରିବାକୁ ପଡ଼ି ନ ଥିଲା । କିଛିଦିନ ହେଲା ବାପାଙ୍କ ଦେହ ଭଲ ନ ଥିଲା ବୋଲି ସେ ତିନି ସପ୍ତାହର ଛୁଟି ନେଇ କ୍ୟାଲିମ୍ପଙ୍ଗ ଚାଲିଯାଇଥାନ୍ତି । ମା ମଧ୍ୟ ସାନ ପିଲାମାନଙ୍କୁ ନେଇ ବଡ଼ଦିନ ଛୁଟି କଟାଇବା ପାଇଁ ମୋର ବଡ଼ ଭାଇଙ୍କ ନିକଟକୁ (ଧାନବାଦ ନିକଟରେ) ଯିବା ପାଇଁ ବାହାରିଥାନ୍ତି ।

 

ବାପାଙ୍କ ସମ୍ବନ୍ଧରେ କହିବାକୁ ଯାଇ ଦାଦା କହିଲେ ଯେ; ତାଙ୍କର ମଝିଆ ଭାଇ କୁଆଡ଼େ ତାଙ୍କୁ ଜୀବନରେ କେବେହେଲେ କୌଣସି କାମରେ ବାଧା ଦେଇ ନାହାନ୍ତି ବରଂ ଯେ କୌଣସି ଏକ ଐତିହାସିକ ସିଦ୍ଧାନ୍ତ ନେବା ମୁହୂର୍ତ୍ତରେ ମଝିଆ ଭାଇଙ୍କ ପାଖରୁ ହିଁ ସେ ପାଇଛନ୍ତି ଉତ୍ସାହ ଓ ସମର୍ଥନ । ଆଜି ଯଦି ମଝିଆ ଭାଇ ତାଙ୍କ ନିଜ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ସାନ ଭାଇର ଏହି ବିପଦ ପଥରେ ଆଗେଇ ଯିବାଟା ସମର୍ଥନ ନ କରନ୍ତି ତେବେ ସେ ହୁଏତ କଠିନ ସମସ୍ୟାରେ ପଡ଼ିଯିବେ । ମୋର ମନେଅଛି, ଜାନୁୟାରୀ ମାସ ପ୍ରାରମ୍ଭରେ ବାପା କଲିକତା ଫେରିବା ପୂର୍ବରୁ ଦାଦା ଦୁଇ ତିନି ଥର ‘ଲେଟ୍‌ ଫି’ ଦେଇ କ୍ୟାଲିମ୍ପଙ୍ଗ ଠିକଣାରେ ଶେୟାଲଦାରୁ ଛାଡ଼ୁଥିବା ଦାର୍ଜିଲିଂ ମେଲ ଟ୍ରେନରେ ବାପାଙ୍କ ନିକଟକୁ ଚିଠି ପୋଷ୍ଟ କରିଛନ୍ତି । ପୋଷ୍ଟ ଅଫିସ ମାରଫତ୍ ଚିଠି ନ ପଠାଇଲେ ହୁଏତ ସେନ୍‌ସର (censor)ରୁ ବଞ୍ଚିଯାଇ ହବ ଏହା ଭାବି ସେ ଏପରି କରୁଥିଲେ ।

 

ବାପା–ମା ଯେବେ କଲିକତାକୁ ଫେରିଲେ ସେତେବେଳକୁ ଅନ୍ତର୍ଦ୍ଧାନର ପରିକଳ୍ପନା ଅନେକ ଦୂର ଆଗେଇ ଯାଇଛି ଏବଂ ମୁଁ ସେଥିରେ ଗଭୀର ଭାବେ ଜଡ଼ିତ ହୋଇ ପଡ଼ିଛି । ମୋତେ ଆଉ ବାପା–ମା’ଙ୍କୁ କିଛି କହିବାକୁ ପଡ଼ିଲା ନାହିଁ । ଦାଦା ଯାହା କହିବା କଥା ସେ ତାଙ୍କୁ କହିଲେ । ବାପା–ମା ମୋର ନିରପତ୍ତା କଥା ଭାବି ଯେ ବିଶେଷ ଚିନ୍ତିତ ବା ବଚଳିତ ହୋଇଥିଲେ ତାହା କିନ୍ତୁ ସେମାନେ ପ୍ରକାଶ କଲେ ନାହିଁ । ତେବେ ଏହି ପରିକଳ୍ପନା ଭିତରେ ବିପଦର ଯେ ଆଶଙ୍କା ଅଛି ସେ ସମ୍ବନ୍ଧରେ ସେମାନେ ଯଥେଷ୍ଟ ସଚେତନ ଥିଲେ । ଏବଂ ଏହି ପରିକଳ୍ପନାର ସଫଳତା ସମ୍ବନ୍ଧରେ ଦାଦା ଯେତିକି ନିଶ୍ଚିନ୍ତ ଥିଲେ ସେମାନେ କିନ୍ତୁ ସେତିକି ନ ଥିଲେ ।

 

ବେଶ୍ କିଛିଦନ ପରେ, ୧୯୪୨ ମସିହାରେ ମୁଁ ଯେତେବେଳେ ଗ୍ରେପ୍ତାର ହେଲି ସେତେବେଳେ ବାପା ସୁଦୂର ଦାକ୍ଷିଣାତ୍ୟ ଜେଲରେ ବସି ମୋ ବିପଦ କଥା ଭାବି ବିଶେଷ ଚିନ୍ତିତ ହୋଇ ପଡ଼ିଥିଲେ । ମୁଁ ଯେତେବେଳେ ଅକ୍ଟୋବର–ନଭେମ୍ବର ମାସରେ ମେଡ଼ିକେଲ କଲେଜ ହସ୍‍ପିଟାଲରେ ଗୁରୁତର ଅସୁସ୍ଥ ଅବସ୍ଥାରେ ରାଜବନ୍ଦୀ; ସେତେବେଳେ ଜେଲରୁ ଲୁଚାଇ ପଠାଇଥିବା ଖଣ୍ଡିଏ ଚଠି ମୋ ହାତକୁ ଆସିଥିଲା । ସେଥିରେ ବାପା ମୋତେ ବହୁତ ଚମକପ୍ରଦ ଖବର ଦେଇଥିଲେ । ବାପା ସେତେବେଳକୁ ଜାଣି ପାରିଥିଲେ ଯେ ନେତାଜୀଙ୍କ ଅନ୍ତର୍ଦ୍ଧାନରେ ମୋର ଏବଂ ମିଆଁ ଆକବର ଶାହଙ୍କ ଭୂମିକା ବ୍ରିଟିଶ୍ ସରକାର ମୋଟାମୋଟି ସବୁ ଜାଣି ପାରିଛନ୍ତି ତେଣୁ ସେହି ଚିଠିରେ ବାପା ଲେଖିଥିଲେ ଯେ ମୋର ହଠାତ୍ ଅସୁସ୍ଥ ହୋଇ ପଡ଼ିବାଟା ଯେପରି ଭଗବାନଙ୍କର ଏକ ମହାନ୍ ଆର୍ଶୀବାଦ । କାରଣ ମୁଁ ଯଦି ଜେଲରେ ଟାଇଫଏଡ଼୍ ରୋଗରେ ଆକ୍ରାନ୍ତ ନ ହୋଇଥାନ୍ତି ତେବେ ମୋତେ ଏତେବେଳକୁ ରେଡ଼ଫୋର୍ଟ କିମ୍ବା ଲାହୋର–ଫୋର୍ଟକୁ ନିଆ ଯାଇଥାନ୍ତା । ଆହୁରି କିଛିଦିନ ପରେ ୧୯୪୪–୧୯୪୫ ମସିହାରେ ବାପା ଯେତେବେଳେ ଶୁଣିଲେ ଯେ ମୋତେ କୌଣସି ଅଜ୍ଞାତ ସ୍ଥାନରେ ବନ୍ଦୀ ଅବସ୍ଥାରେ ରଖାଯାଇଛି ସେ ସେତେବେଳେ ଠିକ୍ ବୁଝି ପାରିଥିଲେ ଯେ ମୋତେ ଲାହୋର ପୋର୍ଟକୁ ହିଁ ନିଆଯାଇଛି । ସେହି ସମୟରେ ତାଙ୍କ ଜେଲ ଡାଏରୀରେ ମୋ ଜୀବନ ସଂଶୟ କଥା ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବେ ଲିଖିତ ଅଛି । ପୁଣି ୧୯୪୪–୪୫ ମସିହାରେ ଯେତେବେଳେ ଦୀର୍ଘଦିନ ଧରି ମୋର କୌଣସି ଖବର ମିଳି ନ ଥିଲା, ସେତେବେଳେ ମୋର ମା’ ମୋତେ ପ୍ରାୟ ମୃତ୍ୟୁ ବୋଲି ଧରି ନେଇଥିଲେ ।

 

ଛଅ

 

ଅଳ୍ପ କେତେ ଦିନ ପରେ ଆମର ଯାତ୍ରା ଠିକ୍‌ କେଉଁ ଧରଣର ହେବାକୁ ଯାଉଛି ସେ ସମ୍ବନ୍ଧରେ ଦାଦା ମୋତେ ଆଉ ଟିକିଏ ବିଶଦଭାବେ କହିଲେ । ପ୍ରଥମତଃ ସେ ଛଦ୍ମବେଶ ଧାରଣ କରିବେ । ଦ୍ଵିତୀୟତଃ ସେ ସୀମାନ୍ତ ପ୍ରଦେଶରୁ ଏକ ସଙ୍କେତର ପ୍ରତୀକ୍ଷାରେ ଅଛନ୍ତି । ସଙ୍କେତ ପାଇବା ପରେ ହିଁ ଯିବାର ଦିନ ସ୍ଥିର ହେବ । ସେ ଯେ ଦେଶ ତ୍ୟାଗ କରିବାକୁ ଯାଉଛନ୍ତି ସେ କଥା ଏବେ ମୁଁ ସ୍ପଷ୍ଟ ବୁଝି ପାରିଲି ।

 

ଏଲଗିନ୍‍ ରୋଡ଼ର ଘରୁ ଗୋପନରେ ନିଷ୍କ୍ରାନ୍ତ ହେବାଟା ଥିଲା ଆମ ପରିକଳ୍ପନାର ପ୍ରଥମ ପର୍ଯ୍ୟାୟ । ଏହି ନିଷ୍କ୍ରମଣର ଗୋପନୀୟତା ଓ ସାଫଲ୍ୟ ଉପରେ ହିଁ ଅନ୍ତର୍ଦ୍ଧାନର ପରବର୍ତ୍ତୀ ପର୍ଯ୍ୟାୟର ସାଫଲ୍ୟତା ନିର୍ଭର କରୁଛି । ଏହା ଯଦି ସଫଳ ହୁଏ ତେବେ ପୁଲିସ ପହରାର ବ୍ୟର୍ଥତା ଗୋଟିଏ ଉପହାସର ବିଷୟ ହେବ ଏବଂ ସମଗ୍ର ବିଟିଶ୍ ଇଣ୍ଟେଲିଜେନସ୍, ଅନ୍ତର୍ଦ୍ଧାନର ସୂତ୍ର ବାହାର କରିବାକୁ ହନ୍ତସନ୍ତ ହୋଇଯିବେ ।

 

ଏଲଗିନ୍ ରୋଡ଼ର ଘରୁ ନିଷ୍କ୍ରାନ୍ତ ହେବାପାଇଁ ନାନା ଧରଣର ପରିକଳ୍ପନା ପ୍ରସ୍ତାବିତ ହେଲା ଓ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ ହେଲା । ଶେଷ ସୁଦ୍ଧା ଗୋଟିଏ “ଫାଇନାଲ୍ ପ୍ଲାନ” ପ୍ରସ୍ତୁତ କରାଗଲା ।

 

ପ୍ରଥମେ ସ୍ଥିର ହେଲା, ସେ ଖୋଲାଖୋଲି ଭାବେ ଘୋଷଣା କରିବେ ଯେ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ସେ କଲିକତା ଠାରୁ ଷୋଳ ମାଇଲ ଦୂରବର୍ତ୍ତୀ ଗଙ୍ଗାକୂଳରେ ଅବସ୍ଥିତ ରିସିଡ଼ା ନାମକ ସ୍ଥାନରେ ବାପାଙ୍କର ଯେଉଁ “ବଗିଚା ଘର” ଅଛି ସେଠାରେ ଯାଇ ରହିବେ । ତାପରେ ମୁଁ ଦିନେ ରାତିରେ ତାଙ୍କୁ ଗୋପନରେ ମୋଟର ଗାଡ଼ିରେ ନେଇ ବର୍ଦ୍ଧମାନ କିମ୍ବା ଆସାନସୋଲରେ ପହଞ୍ଚାଇଦେବି । ତା ନ ହୋଇ ଯଦି କଲିକତା ଠାରୁ ସିଧା ବର୍ଦ୍ଧମାନ ଯିବା ଦରକାର ହୁଏ ତେବେ ବି ମୋ ପକ୍ଷରେ ରିସିଡ଼ାରେ ଗୋଟିଏ ରାତି କଟାଇବା ଖୁବ୍ ସୁବିଧାଜନକ ହେବ । ଏହି ପରିକଳ୍ପନାର ପରିପ୍ରେକ୍ଷୀରେ ଦାଦା ମୋତେ କହିଲେ, ରିସିଡ଼ାର ବଗିଚା ଘରର ମାଳୀକୁ ଆଗରୁ କିଛି ନ ଜଣାଇ ହଠାତ୍ ଦିନେ ରାତିରେ ମୋଟର ଗାଡ଼ି ନେଇ ରିସିଡ଼ାରେ ହାଜର ହେବାକୁ ଏବଂ ରାତିଟା ସେଠାରେ କଟାଇ ଆସିବାକୁ । ତାହାହେଲେ ଅନ୍ୟ କୌଣସି ରାତିରେ ମୋର ହଠାତ୍ ଉପସ୍ଥିତିରେ ମାଳୀ ଆଶ୍ଚର୍ଯ୍ୟ ହେବ ନାହିଁ, ବରଂ ସେ ଆଗରୁ ଅଭ୍ୟସ୍ତ ଥିବ ।

 

ଦ୍ଵିତୀୟ ପରିକଳ୍ପନାଟି ଟିକିଏ ଭିନ୍ନ ଧରଣରେ ହେଲେ ବି ପ୍ରଥମ ପରିକଳ୍ପନାର ଅନୁରୂପ ଥିଲା । ସ୍ଥିର ହୋଇଥିଲା ସେହିଭଳି ଗୋଟିଏ କିଛି ବାହାନାରେ ଦାଦା ରିସିଡ଼ାକୁ ନ ଯାଇ ଏକ ନମ୍ବର ଉଡ଼ବାର୍ନ ପାର୍କର ବାସଭବନକୁ ଚାଲି ଆସିବେ ଏବଂ ତିନି ମହଲାର ଛାତ ଆଡ଼କୁ ଥିବା କୌଣସି ଗୋଟିଏ ଘରେ ରହିବେ । ଦାଦାଙ୍କୁ ଏପରି ଛଳନା କରି କହିବାକୁ ହେବ ଯେ “ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଆଲୁଅ–ପବନ ଦରକାର । ଏଲଗିନ୍ ରୋଡ଼ର ଘରେ ତାହା ଉପଯୁକ୍ତ ପରିମାଣରେ ମିଳୁନାହିଁ ।” ଦାଦା ଉଡ଼ବାର୍ନ ପାର୍କରେ ରହିଲେ ସବୁ ପରିକଳ୍ପନା ନିଶ୍ଚିନ୍ତ ମନରେ କାର୍ଯ୍ୟକାରୀ କରିବା ପାଇଁ ସୁବିଧା ହେବ । ଅପରନ୍ତୁ ଏତେ ଜଣ ଆତ୍ମୀୟ ପରିଜନ ଓ ତାଙ୍କ ବୃଦ୍ଧା ମା’ଙ୍କ ଆଖିରେ ଅଯଥା ଧୂଳି ଦେବାକୁ ପଡ଼ିବ ନାହିଁ ।

 

ଅବଶ୍ୟ ଏହି ଦୁଇଟିଯାକ ପରିକଳ୍ପନା ଶେଷରେ ନାକଚ କରିବାକୁ ପଡ଼ିଲା । ନାକଚ କରିବାର କାରଣଗୁଡ଼ାକ ମନେହୁଏ ମୁଁ ନିଜେ ଉତ୍‌ଥାପନ କରିଥିଲି । ପ୍ରଥମ କାରଣ ହେଲା–ଏଥିରୁ ପୁଲିସ ଏତିକି ଅନ୍ତତଃ ଅନୁମାନ କରି ପାରିବ ଯେ ଏଲଗିନ୍, ରୋଡ଼ର ବାସଭବନରୁ ଉଡ଼ବାର୍ନ୍‍ ପାର୍କର ବାସଭବନକୁ ଯିବା ଭଳି ସ୍ଵାସ୍ଥ୍ୟର ଉନ୍ନତି ଦାଦାଙ୍କର ହୋଇଛି, ଫଳରେ ସେମାନେ ପୂର୍ବ ଅପେକ୍ଷା ଅଧିକ ସତର୍କ ହୋଇଯିବେ । ଜେଲ୍‌ରୁ ଖଲାସ ହେବା ପରେ ଦାଦା ଘରୁ କେବେହେଲେ ବାହାରୁ ନ ଥିଲେ । ତା ଫଳରେ ସମସ୍ତଙ୍କର ବିଶେଷତଃ ପୁଲିସର ଧାରଣା ହୋଇଥିଲା ଯେ ସେ ବଡ଼ ଧରଣର କୌଣସି ସକ୍ରିୟ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ଏହା ଫଳରେ ଶତ୍ରୁ ପକ୍ଷର ଆଖିରେ ଧୂଳି ଦେବାର ସୁବର୍ଣ୍ଣ ସୁଯୋଗ ଆମେ ପାଇଥିଲୁ । ଉଡ଼ବାର୍ନ୍‍ ପାର୍କକୁ ଯିବାର ବିପକ୍ଷରେ ମୁଁ ଆଉ ଗୋଟିଏ କାରଣ ଦେଖାଇଥିଲି–ମୋ ବାପାଙ୍କର ଘରେ ସବୁ କ୍ଷେତ୍ରରେ ଟିକିଏ କଡ଼ାକଡ଼ି ବ୍ୟବସ୍ଥା ଥିଲା—ଯେପରି ପ୍ରତ୍ୟେକ ଫାଟକରେ ଜଗୁଆଳି ରହିବା, ଜଗୁଆଳିମାନେ ଠିକ୍ ସମୟରେ ଫାଟକ ବନ୍ଦ କରିବା ଇତ୍ୟାଦି । ଅନ୍ୟ ଦିଗରେ ଏଲଗିନ୍ ରୋଡ଼ର ଘରେ ଏତେ କଡ଼ାକଡ଼ି ବ୍ୟବସ୍ଥା ନ ଥିଲା । ତେଣୁ ସେଠାରେ ମନଇଚ୍ଛା କାମ କରି ଖସି ପଳାଇବାର ସୁବିଧା ଥିଲା ।

 

ଅବଶେଷରେ ତୃତୀୟ ସମ୍ଭାବନାଟିକୁ ନେଇ ଆମେ ବିବେଚନା କଲୁ । ମୋର ବଡ଼ ଭାଇ ଡା: ଅଶୋକନାଥ ବସୁ ଧାନବାଦ ପାଖରେ କାମ କରୁଥିଲେ । ସେ ମଝିରେ ମଝିରେ ନିଜ ମଟର ଗାଡ଼ିରେ କଲିକତା ଆସୁଥିଲେ । ପ୍ରସ୍ତାବଟା ହେଲା–ଥରେ କଲିକତାରୁ ଧାନବାଦ ଫେରିଯିବା ସମୟରେ ମୁଁ ଦାଦାଙ୍କୁ ଲୁଚାଇ ତାଙ୍କ ଗାଡ଼ିରେ ପଠାଇ ଦେଇପାରେ । ଏହି ପରିକଳ୍ପନାଟି ବେଶୀ ଦୂର ଆଗେଇ ପାରିଲା ନାହିଁ; କାରଣ ସେତେବେଳେ ଘରର ଅନ୍ୟାନ୍ୟ ସମସ୍ତେ ଭାଇଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ କଲିକତା ଆସିବା ପାଇଁ କୌଣସି ପ୍ରସ୍ତାବ ମଧ୍ୟ ନ ଥିଲା ।

 

ରିସିଡ଼ା ଓ ଉଡ଼ବାର୍ନ ପାର୍କରୁ ଅନ୍ତର୍ଦ୍ଧାନ ହେବାର ପରିକଳ୍ପନା ପରିତ୍ୟକ୍ତ ହେବା ପରେ ଆମେ ଏଲଗିନ୍ ରୋଡ଼ର ଘରୁ କିଭଳି ପଳାଇ ଯାଇ ପାରିବୁ ପୁନର୍ବାର ତାହା ଆଲୋଚନା କରିବାରେ ଲାଗିଲୁ । ଖୁବ୍ ସହଜ ଭାବରେ ଘରର ପ୍ରଧାନ ଫାଟକ ଦେଇ ଗାଡ଼ି ଚଳାଇ ବାହାରି ଯିବା । ଯେ ସମ୍ଭବ ହେବ ସେ କଥା ମୋ ମୁଣ୍ଡରେ ବହୁତ ଦିନ ଧରି ପଶି ନ ଥିଲା । ତେଣୁ ମୁଁ କ୍ରମାଗତ ମୁଣ୍ଡ ଖେଳାଇବାରେ ଲାଗିଲି କିଭଳି ସେ ଲୁଚିଛପି ଘରୁ ବାହାରି କିଛି ଦୂର ଯାଇ ମୋର ମଟର ଗାଡ଼ିରେ ଚଢ଼ି ପାରିବେ । ମୁଁ ଏପରି ମଧ୍ୟ ଚିନ୍ତା କଲି ଯେ, ଦାଦା ଛଦ୍ମବେଶରେ ଘରର ଉତ୍ତର–ପଶ୍ଚିମ ପଟରେ ଜମାଦାରମାନଙ୍କ ପାଇଁ ଥିବା ଛୋଟ ଫାଟକ ବାଟେ ବାହାରି ଯାଇ ପାରିବେ ଏବଂ ମୁଁ ଏଲଗିନ୍‍ ରୋଡ଼ର ପୋଷ୍ଟ ଅଫିସ ପାଖରେ ମୋଟର ଗାଡ଼ି ନେଇ ଅପେକ୍ଷା କରିବି ଓ ତାଙ୍କୁ ବାଟରୁ ନେଇଯିବି । ଘରର ପଛପଟେ ଗୋଟିଏ କାରଖାନା ଥିବାରୁ ସେପଟେ ବାହାରି ଯିବାର ସମ୍ଭବ ନ ଥିଲା । ତା ଛଡ଼ା ପଛପଟେ ମଧ୍ୟ କୌଣସି କବାଟ ନ ଥିଲା । ଆମେ ଏହିଭଳି ବିଭିନ୍ନ ପରିକଳ୍ପନା ନେଇ ସତେ ଯେପରି ଅନନ୍ତକାଳ–ଧରି ଆଲୋଚନା କଲୁ । ମୁଁ ଶେଷ ସୁଦ୍ଧା ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ ସବୁଠାରୁ ନଶ୍ଚିନ୍ତ ଓ ନିରାପଦ ହେଲା ସିଧା ଘରଠୁ ଦାଦା ମୋଟର ଗାଡ଼ିରେ ଚଢ଼ିବେ । ତା’ପରେ ସେହି ଅନୁଯାୟୀ ଅନ୍ୟାନ୍ୟ ପରିକଳ୍ପନା ସ୍ଥିର କରାଯିବ ।

 

ସାତ

 

ଆମେ ଗୋଟିଏ ଦିଗରେ ରାତି ରାତି ଧରି ବିଭିନ୍ନ ପରାମର୍ଶ ଓ ପରିକଳ୍ପନା କରିବାରେ ଲାଗିଲୁ । ଅନ୍ୟ ଦିଗରେ ଦାଦା ଯାତ୍ରାପଥରେ ସମ୍ଭବତଃ ଯେଉଁ ସବୁ ବିଭିନ୍ନ ଧରଣର ବାଧା ଉପସ୍ଥିତ ହୋଇ ପାରେ ତା’ର ମୁକାବିଲା କରିବା ପାଇଁ ଓ ଲୋକଙ୍କ ମନରେ ଯେପରି କୌଣସି ସନ୍ଦେହର ଉଦ୍ରେକ ନ ହୁଏ ସେ, ସବୁର ପ୍ରୟୋଜନୀୟ ବ୍ୟବସ୍ଥା ଅବଲମ୍ବନ କରିବାରେ ଉଦ୍ୟୋଗୀ ରହିଲେ । ଉଦାହରଣସ୍ଵରୂପ, ଆତ୍ମୀୟ–ସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ସଙ୍ଗେ ଆଳାପ–ଆଲୋଚନାରେ ଏପରିକି ଚିଠିପତ୍ରରେ ସେ ବାରମ୍ବାର କହିବାରେ ଲାଗିଲେ ଯେ ତାଙ୍କୁ ତ ଶୀଘ୍ର ଆଉଥରେ ଜେଲ ଫେରି ଯିବାକୁ ହେବ । ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ସେ ମୁକ୍ତି ପାଇବେ ନାହିଁ, ତେଣୁ ତାଙ୍କର ବ୍ୟକ୍ତିଗତ କାମ ଏବଂ ଦେଶପାଇଁ ଯେତେ ସବୁ କାମଦାମ ଅଛି ସେ’ସବୁ ଶେଷ କରି ଯିବାକୁ ହେବ । ଏପରିକି ତାଙ୍କର ଅନୁପସ୍ଥିତିରେ ‘ମହାଜାତି ସଦନ’ର ଭବିଷ୍ୟତ ରୂପରେଖ କଣ ହେବ ସେ ବିଷୟରେ ମଧ୍ୟ ସେ ଆଲୋଚନା କରୁଥିଲେ । କଲିକତା କର୍ପୋରେଶନ୍‌, ‘ମହାଜାତି ସଦନ’ ପାଇଁ କିଛି ଜମି ବ୍ୟକ୍ତିଗତ ଭାବରେ ତାଙ୍କ ନାମରେ ଲେଖି ଦେଇଥିଲେ । ଦାଦାଙ୍କ ଚିନ୍ତା ହେଲା ଯେ ତାଙ୍କ ଅନ୍ତର୍ଦ୍ଧାନ ପରେ ତାଙ୍କର ଏହି ‘ମାନସ ଗୃହ’ ହୁଏତ ଆଇନ ହାତରୁ ଅବ୍ୟାହତି ପାଇବ ନାହିଁ । ସେ ଏପରି ମଧ୍ୟ ଚିନ୍ତା କରିଥିଲେ ଯେ ତାଙ୍କ ଏଟର୍ନୀଙ୍କୁ କହି ଏହି ସମ୍ପତ୍ତି ସବୁ ଗୋଟିଏ ‘ଟ୍ରଷ୍ଟବୋର୍ଡ଼' ହାତରେ ହସ୍ତାନ୍ତରିତ କରିଯିବେ । କିନ୍ତୁ ବନ୍ଧୁ ମହଲରେ ଆକାରଣରେ ସନ୍ଦେହ ସୃଷ୍ଟି ହୋଇପାରେ ଭାବି ସେ ଏସବୁ ଚିନ୍ତା ତ୍ୟାଗ କଲେ ।

 

ଆଲିପୁର କୋର୍ଟରେ ତାଙ୍କ ବିରୁଦ୍ଧରେ ଦୁଇଟି ମକଦ୍ଦମା ଚାଲିଥିଲା–ପ୍ରଥମଟି କିଛି କାଳ ପୂର୍ବେ ଗୋଟିଏ ରାଜଦ୍ରୋହାତ୍ମକ ବକ୍ତୃତା ପାଇଁ ଓ ଅନ୍ୟଟି ଫରୋୟାର୍ଡ଼ ବ୍ଲକ୍‌ ପତ୍ରିକାର ଗୋଟିଏ ସମ୍ପାଦକୀୟ ପାଇଁ । କୋର୍ଟରେ ଯେପରି କୌଣସିମତେ ହାଜିରା ଦେବାକୁ ନ ପଡ଼େ ସେଥିପାଇଁ ସେ ବିଶେଷ ସଚେଷ୍ଟ ଥିଲେ । ହାଜିରା ନ ଦେବା ପକ୍ଷରେ ତାଙ୍କର ଭଗ୍ନସ୍ଵାସ୍ଥ୍ୟ ଏକ ଉପଯୁକ୍ତ ସୁଯୋଗ ହୋଇଥିଲା । କିଛିଦିନ ଏଥିପାଇଁ କୌଣସି ଅସୁବିଧା ହେଲା ନାହିଁ । ତାଙ୍କ ଚିକିତ୍ସକ ଭାଇ ଡା: ସୁନିଲ ଚନ୍ଦ୍ର ବସୁ କଲିକତା ମେଡ଼ିକେଲ କଲେଜର ପ୍ରଧାନ ଚିକିତ୍ସକ ଡା: ମନି ଦେଙ୍କ ସହିତ ପରାମର୍ଶ କରୁଥିଲେ ଏବଂ ସେ ସହଜରେ କୋର୍ଟରେ ଦାଖଲ କରିବାର ପ୍ରୟୋଜନୀୟ ମେଡ଼ିକେଲ ସାର୍ଟିଫିକେଟ ଦେଉଥିଲେ । କିନ୍ତୁ ପରେ ଯେତେବେଳେ ଦାଦାଙ୍କ ଦେହ ଟିକିଏ ଭଲହେଲା ସେତେବେଳେ ତାଙ୍କ ଡାକ୍ତର ଭାଇ ଏପରି କରିବାକୁ କୁଣ୍ଠିତ ହେଲେ । ସେ କହିଲେ ଜେଲ୍ ଯିବାଟା ଏଡ଼ାଇବା ପାଇଁ ଏଭଳି ମେଡ଼ିକେଲ କୈଫିୟତ୍ ଦେବା ସୁଭାଷର ଅନୁଚିତ୍ । ଅତଏବ ତାଙ୍କର ଡାକ୍ତର ଭାଇଙ୍କ ଇଚ୍ଛା ବିରୁଦ୍ଧରେ କିମ୍ୱା ତାଙ୍କ ବିନା ପରାମର୍ଶରେ ମେଡ଼ିକେଲ କଲେଜର ପ୍ରଧାନ ଶିକ୍ଷକ ସାର୍ଟିଫିକେଟ ନ ଦେବାର ସମ୍ଭାବନା ହେତୁ ଦାଦାଙ୍କୁ ଅନ୍ୟ ଏକ ବ୍ୟବସ୍ଥା କରିବାକୁ ପଡ଼ିଲା । ସେ ମେଡ଼ିକେଲ୍ କଲେଜର ଜଣେ ସୁନାମଧନ୍ୟ ସର୍ଜନ ଓ ତାଙ୍କ ବ୍ୟକ୍ତିଗତ ବନ୍ଧୁ ଡା: ପଞ୍ଚାନନ ଚାଟାର୍ଜୀଙ୍କୁ ଡକାଇଲେ । ସେ ଦାଦାଙ୍କୁ ପରୀକ୍ଷା କରି ବିଶେଷ ଗୋଟିଏ ସର୍ଜିକାଲ୍ ଅସୁସ୍ଥତାର କଥା ଲେଖି ମେଡ଼ିକେଲ୍‌ ସାର୍ଟିଫିକେଟ ଦେଇଦେଲେ ।

 

ସମସ୍ତ ଆତ୍ମୀୟସ୍ୱଜନ, ଆଗନ୍ତୁକ, ଘରର ପ୍ରତ୍ୟେକ ଭୃତ୍ୟ, ଧଳା ପୋଷାକପିନ୍ଧା ପୁଲିସ ଯେଉଁମାନେ ଘରର ଚାରିପଟେ ପହରା ଦିଅନ୍ତି ଏପରିକି ଆମ ଦାଦାଙ୍କ ପୋଷା ଆଲ୍‌ସେଶିୟାନ୍ କୁକୁରଟିର ମଧ୍ୟ ଗତିବିଧି ବିଶେଷତଃ ରାତ୍ରିବେଳା ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମଦୃଷ୍ଟି ରଖିବାକୁ ହେଲା । ଘର ଭିତରେ ଏଭଳି ଦୃଷ୍ଟି ରଖିବାରେ 'ଇଲା' ସାହାଯ୍ୟ କରୁଥିଲା । ମୁଁ ଘରର ଚାରିପଟେ ଛଦ୍ମବେଶରେ ବୁଲୁଥିବା ଗୋଇନ୍ଦା ବିଭାଗର ଗୁପ୍ତଚରମାନଙ୍କ ଉପରେ ଦୃଷ୍ଟି ରଖୁଥିଲି । ବିଶେଷତଃ ମୁଁ ଯେତେବେଳେ ବହୁତ ରାତିରେ ଉଡ଼ବାର୍ନ ପାର୍କରୁ ଏଲଗିନ୍‍ ରୋଡ଼କୁ ଫେରୁଥିଲି ସେତେବେଳେ ଏହି ଗୁପ୍ତଚରମାନଙ୍କର କାର୍ଯ୍ୟ–କଳାପ ଉପରେ ଲକ୍ଷ୍ୟ ରଖୁଥିଲି । ସେ ସମୟରେ ଜଣେ ବେକାର ଆତ୍ମୀୟ ଦାଦାଙ୍କ ପାଖକୁ ପ୍ରାୟ ପ୍ରତିଦିନ ଆସୁଥିଲେ । ପ୍ରତିଦିନ ରାତିରେ ମୋର ଦାଦାଙ୍କ ପାଖକୁ ଯିବା ଦେଖି ସେ ଅକାରଣରେ କୌତୂହଳୀ ହୋଇ ପଡ଼ିଲେ ଏବଂ ନାନା ପ୍ରକାର ପ୍ରଶ୍ନ ପଚାରିବା ମଧ୍ୟ ଆରମ୍ଭ କରିଦେଲେ । ଦାଦା ତାଙ୍କୁ ଟାଟା ପ୍ରତିଷ୍ଠାନର ବଡ଼ ସାହେବଙ୍କ ପାଖକୁ ଖଣ୍ଡେ ପରିଚୟ ପତ୍ର ଲେଖି ଜାମ୍‌ସେଦପୁର ପଠାଇଦେଲେ । ଯିବା ପୂର୍ବରୁ ଏଭଳି ଦୀର୍ଘଦିନ ବେକାର ରହିବାର ବିଡ଼ମ୍ବନା ସମ୍ବନ୍ଧରେ ଅନେକ କଥା ବୁଝାଇଲେ, ଆଉ କହିଲେ–ତୁମର ଯେତେଦିନ ପର୍ଯ୍ୟନ୍ତ ଚାକିରି ନ ହେବ ସେ ପର୍ଯ୍ୟନ୍ତ କୌଣସିମତେ ତାଙ୍କୁ ଛାଡ଼ିବ ନାହିଁ ଏବଂ ଜାମ୍‌ସେଦପୁରରୁ ପାଦେ ମଧ୍ୟ ଘୁଞ୍ଚିବ ନାହିଁ । ଏହି ପ୍ଲାନ୍‌ଟି ପ୍ରକୃତରେ ଖୁବ୍ ଭଲ କାମ ଦେଇଥିଲା । ଭଦ୍ରଲୋକ ଜଣକ ଅବଶ୍ୟ ନେତାଜୀଙ୍କ ଅନ୍ତର୍ଦ୍ଧାନ ପରେ ଚାକିରିହୀନ ଅବସ୍ଥାରେ ହିଁ କଲିକତାକୁ ଫେରି ଆସିଥିଲେ ।

 

ସେତେବେଳେ ବାପ, ମା କଲିକତାରେ ନ ଥାନ୍ତି । ମୁଁ ଏକୁଟିଆ ଉଡ଼ବାର୍ନ ପାର୍କରେ ଥାଏ । ସେହି ସମୟରେ ବମ୍ବେରୁ ଜଣେ ପରିବାରର ବନ୍ଧୁ ସସ୍ତ୍ରୀକ ଦାଦାଙ୍କ ଅତିଥି ଭାବେ ଆସି ଉପସ୍ଥିତ ହେଲେ । ମୋ ଉପରେ ଉଡ଼ବାର୍ନ ପାର୍କରେ ଏମାନଙ୍କର ରହିବା ଓ ଦେଖାଶୁଣା କରିବାର ଦାୟିତ୍ଵ ଦିଆହେଲା । ଏମାନଙ୍କର ଉପସ୍ଥିତି ଫଳରେ ମୋର ଏଲ୍‌ଗିନ୍ ରୋଡ଼ରେ ଦାଦାଙ୍କ ପାଖକୁ ଘନ ଘନ ଯାତାୟାତର ଗୋଟିଏ ନୂଆ ସୁଯୋଗ ମିଳିଗଲା ।

 

୧୯୪୦ ମସିହାର ଶୀତ ଛୁଟିରେ ମୋତେ ଗୋଟିଏ ଅସୀମ ଧୈର୍ଯ୍ୟର ପରୀକ୍ଷା ଦେବାକୁ ପଡ଼ିଲା l ଦାଦା କହିଲେ–ମୋତେ ସକାଳୁ ଉଠି ମଟର ଗାଡ଼ି ଡ୍ରାଇଭିଂ କରି ବର୍ଦ୍ଧମାନ ଯିବାକୁ ହେବ ଏବଂ ସେଠାକାର ରେଳ ଷ୍ଟେସନରେ ଦ୍ଵିପହରର ଭୋଜନ ସାରି ପୁଣି ସିଧା କଲିକତା ଫେରି ଆସିବାକୁ ହେବ । ତା’ପରେ ମୁଁ କେତେଦୂର କ୍ଳାନ୍ତ ହୋଇଛି ତା’ର ଏକ ରିପୋର୍ଟ ଦେବାକୁ ହେବ । ମୁଁ ତାଙ୍କ କଥା ଅନୁସାରେ ସିଧା ବର୍ଦ୍ଧମାନ ଗଲି ଏବଂ ଫେରିଆସି ମୋ ଯାତ୍ରାର ମୋଟାମୋଟି ଏକ ଭଲ ରିପୋର୍ଟ ଦେଲି ।

 

ଆଠ

 

ଯେତେବେଳେ ଆମର କଥାବାର୍ତ୍ତା ଓ ବ୍ୟବସ୍ଥାଦି ବହୁତ ଦୂର ଆଗେଇ ଯାଇଛି, ସେତେବେଳେ ମୁଁ ଏହି ଅନ୍ତର୍ଦ୍ଧାନ–ପର୍ବର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଗୋଟିଏ କାର୍ଯ୍ୟର ଦାୟିତ୍ଵ ପାଇଲି । ପ୍ରତିଦିନ ଯେପରି ସନ୍ଧ୍ୟାବେଳେ ଦାଦାଙ୍କ ପାଖକୁ ଯାଏ ସେଦିନ ମଧ୍ୟ ସେପରି ଯାଇଥିଲି । ଯାଇ ଦେଖିଲି ଘରେ ବହୁତ ଲୋକ, ଘର ପ୍ରାୟ ଭର୍ତ୍ତି । ତେଣୁ ମୁଁ ଆସି ବାହାରେ ଅପେକ୍ଷା କଲି । କିନ୍ତୁ ଦାଦା ମୋତେ ଭିତରକୁ ଡକାଇ ପଠାଇଲେ ଏବଂ ଜଣେ ସୁଦର୍ଶନ ପଠାଣ ଭଦ୍ରବ୍ୟକ୍ତିଙ୍କ ସଙ୍ଗେ ପରିଚୟ କରାଇଦେଲେ, ସେ ହେଲେ ମିଆଁ ଆକବର ଶାହ । ଦାଦା କହିଲେ ସେହିଦିନ ରାତିରେ ମିଆଁ ସାହେବ ତାଙ୍କ ଦେଶକୁ ଫେରି ଯାଉଛନ୍ତି । ଦାଦା ତାଙ୍କ ସେକ୍ରେଟେରୀଙ୍କୁ ମିଆଁ ସାହେବଙ୍କର ରେଳ ଟିକଟ ଓ ରିଜରଭେସନର ବ୍ୟବସ୍ଥା କରିବାକୁ ହାଓଡ଼ା ଷ୍ଟେସନକୁ ପଠାଇଦେଲେ । ମୋତେ ଦାୟିତ୍ଵ ଦେଲେ, ପ୍ରଥମେ ମିଆଁ ସାହେବଙ୍କୁ ମୋର ମଟର ଗାଡ଼ିରେ ବଜାରକୁ ନେଇ ତାଙ୍କର କିଛି କିଣାକିଣିରେ ସାହାଯ୍ୟ କରିବାକୁ ହେବ ଓ ତାପରେ ହୋଟେଲ୍‌ରୁ ତାଙ୍କ ମାଲପତ୍ର ନେଇ ହାଓଡ଼ା ଷ୍ଟେସନରେ ପହଞ୍ଚାଇ ଦେବାକୁ ପଡ଼ିବ । ଦାଦା ମୋତେ ବିଶେଷ କରି କହିଥିଲେ ମୁଁ ଯେପରି ଷ୍ଟେସନ ଭିତରକୁ ନ ଯାଏ । ତାଙ୍କ ସେକ୍ରେଟେରୀ ଷ୍ଟେସନ ସମ୍ମୁଖରେ ଅପେକ୍ଷା କରିବେ ଏବଂ ସେ ମିଆଁ ସାହେବଙ୍କୁ ଟ୍ରେନରେ ଚଢ଼ାଇ ଦେବେ । ମୁଁ କେବଳ ମିଆଁ ସାହେବଙ୍କୁ ଷ୍ଟେସନର ଗାଡ଼ି ବାରଣ୍ଡାରେ ଛାଡ଼ିଦେଇ ଫେରି ଆସିବି ।

 

ସେଦିନ ମୋ ଗାଡ଼ିରେ ଡ୍ରାଇଭର ଥିଲା । ମୁଁ ମିଆଁ ସାହେବଙ୍କ ସଙ୍ଗେ ପଛ ସିଟରେ ବସି ଇଂରାଜୀରେ କଥାବାର୍ତ୍ତା କରିବାରେ ଲାଗିଲି । ମିଆଁ ସାହେବ ମୋତେ କହିଲେ ଦାଦା ତାଙ୍କୁ କହିଛନ୍ତି ଯେ ମିଆଁ ସାହେବଙ୍କ ଉପରେ ଯେମିତି ଅପର ପ୍ରାନ୍ତରର ଓ ସୀମାନ୍ତ ସେପଟର ବ୍ୟବସ୍ଥାପନାର ଦାୟିତ୍ଵ ନ୍ୟସ୍ତ ହୋଇଛି ସେପରି ଏ ପ୍ରାନ୍ତରେ ତାଙ୍କ ସାହାଯ୍ୟକାରୀ ହିସାବରେ ସେ ମୋତେ ବାଛିଚନ୍ତି । ମିଆଁ ସାହେବ ମୋତେ ଧର୍ମତାଲାର ‘ଓୟାଛେଲମୋଲ୍ଲାର’ ଦୋକାନକୁ ନେଇଯିବାକୁ ନିର୍ଦ୍ଦେଶ ଦେଲେ । ସେ ଗୋଟିଏ ଟୋପି ଓ ପାଇଜାମା ଦାଦାଙ୍କ ଛଦ୍ମବେଶ ପାଇଁ କିଣିବେ । ମିଆଁ ସାହେବ କହିଲେ, ସେ ଯେତେବେଳେ ହାଓଡ଼ା ଷ୍ଟେସନରେ ଓହ୍ଲାଇଯିବେ ସେତେବେଳେ ସେ ଇଚ୍ଛାକୃତ ଭାବେ ପ୍ୟାକେଟ୍‌ଟା ମୋ ଗାଡ଼ିରେ ଛାଡ଼ିଦେଇ ଯିବେ, ଏବଂ ମୁଁ’ ତା’ର ଦାୟିତ୍ଵ ଗ୍ରହଣ କରିବି । ମୁଁ ମଧ୍ୟ ଦାଦାଙ୍କ ଘରେ ଦର୍ଜୀର ଲୁଗାପଟା ମାପିବାର ଗୋଟିଏ ଫିତା ପଡ଼ିଥିବାର ଆଗରୁ ଲକ୍ଷ୍ୟ କରିଥିଲି ।

 

ନଅ

 

ଆମେ ନିର୍ଦ୍ଦେଶ ଅନୁଯାୟୀ ସବୁ କାର୍ଯ୍ୟ ଠିକ୍‌ ଭାବେ କରିଗଲୁ । ମୁଁ ଏବଂ ମିଆଁ ଆକ୍‌ବର ଦୁଇଜଣ ମିଶି ଓୟାଛେଲ୍‌ମୋଲ୍ଲାର ଦୋକାନରେ ପଶିଲୁ । କିନ୍ତୁ ସେ ଯେତେବେଳେ କାଉଣ୍ଟର ଆଡ଼କୁ ଆଗେଇଗଲେ ମୁଁ ଦୂରରୁ ନିରାସକ୍ତ ଭାବେ ଦେଖିବାକୁ ଲାଗିଲି । ସେ ଗୋଟିଏ ହଳ ଢିଲା ପାଇଜାମା ଓ ଗୋଟିଏ କଳା ଫେଜ୍, ଜାତୀୟ ଟୋପି କିଣିଲେ । ପ୍ୟାକେଟ୍‍ଟା ଗାଡ଼ିର ପଛସିଟ୍‌ରେ ଅବହେଳାବଶତଃ ପକାଇ ଦିଆଗଲା । ଏହା ପରେ ଆମେ ମିର୍ଜାପୁର ଷ୍ଟ୍ରିଟରେ ଥିବା ହୋଟେଲରେ ଯେଉଁଠାରେ ମିଆଁ ଆକ୍‌ବର ରହୁଥିଲେ ସେଠାକୁ ଗଲୁ । ତାଙ୍କ ମାଲପତ୍ର ଧରି ହାଓଡ଼ା ଷ୍ଟେସନ ଆଡ଼କୁ ଆଗେଇ ଚାଲିଲୁ । ଦାଦାଙ୍କ ସେକ୍ରେଟେରୀ ଷ୍ଟେସନ ସମ୍ମୁଖରେ ହିଁ ଛିଡ଼ା ହୋଇଥିଲେ । ସେ ମିଆଁ ସାହେବଙ୍କୁ ନେଇ ଷ୍ଟେସନ ଭିତରକୁ ଚାଲିଗଲେ । ମୁଁ ଡ୍ରାଇଭରକୁ ମଟର ଗାଡ଼ି ବୁଲେଇ ଘରଆଡ଼କୁ ଯିବାକୁ କହିଲି । ଆମେ ଷ୍ଟେସନର ସୀମା ଅତିକ୍ରମ କରିବା ପୂର୍ବରୁ ହିଁ ପଛ ସିଟ୍‌ରେ ପଡ଼ିଥିବା ପ୍ୟାକେଟ୍‍ଟା ଉପରେ ଡ୍ରାଇଭରର ନଜର ପଡ଼ିଗଲା । ସେ କହିବାକୁ ଲଗିଲା ଯେ, ସେ ବର୍ତ୍ତମାନ ବି ଦୌଡ଼ିଯାଇ ପ୍ୟାକେଟ୍‌ଟା ପହଞ୍ଚାଇ ଦେଇ ଆସିପାରିବ । ମୁଁ ନିତାନ୍ତ ଛଳନା କରି କହିଲି–କି ମୁସ୍କିଲ୍ କଥା ! ଏତେ ସବୁ ଝଞ୍ଜଟ ମୋତେ ଭଲ ଲାଗୁନାହିଁ, ବର୍ତ୍ତମାନ ଘରକୁ ଯିବା । ଯାହା ସବୁ ଜିନିଷ ପଡ଼ିଛି ଡାକରେ ଭଦ୍ରଲୋକଙ୍କୁ ପଠାଇ ଦେଲେ ହିଁ ଚଳିବ ।

ମୁଁ ମଧ୍ୟ ମୋର ସୁପରିକଳ୍ପିତ ଯୋଜନା ଅନୁଯାୟୀ କିଛି କିଣାକିଣି କରିବାକୁ ବଜାରକୁ ଗଲି । ଦାଦା ଅବଶ୍ୟ ଏଥିପାଇଁ ଟଙ୍କା ଦେଲେ । ହ୍ୟାରିସନ ରୋଡ଼ର ଗୋଟିଏ ଦୋକାନରୁ ଗୋଟିଏ ମଧ୍ୟମ ଧରଣର ସୁଟ୍‌କେସ, ଗୋଟିଏ ଆଟାଚିକେସ୍‍ ଓ ବିଛଣାପତ୍ର ପାଇଁ ଗୋଟିଏ ହୋଲ୍‌ଡ଼–ଅଲ୍ କଣିଲି । ସୁଟ୍‍କେସ ଓ ଆଟାଚିକେସରେ M.Z. ଲେଖାଇ ନେଲି ଓ ନିଉ ମାର୍କେଟରୁ ଗୋଟିଏ ହଳ ଫ୍ଲାନେଲ୍‌ର ସାର୍ଟ ଏବଂ କିଛି ଟୟଲେଟର ଜିନିଷପତ୍ର କିଣିଲି । ଦାଦାଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ଅବଜ୍ଞାବଶତଃ ସବୁ ଦେଶୀ ଜିନିଷ ତ୍ୟାଗ କରି କେବଳ ବ୍ରିଟିଶ୍–ମେକ୍‌ର ଯାବତୀୟ ଜିନିଷପତ୍ର କିଣିଲି । ତକିଆ, ବିଛଣା ଚାଦର, ରେଜେଇ ଇତ୍ୟାଦି ଚାନ୍ଦିନୀଚୌକରୁ ଯୋଗାଡ଼ କଲି । ଦାଦା ଯେଉଁ ଧରଣର ମଜଭୁତ କାବୁଲି ଚପ୍‌ପଲ ଚାହୁଁଥିଲେ ତାହା ପାଇବାକୁ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ଶେଷରେ ନିଉ ମାର୍କେଟର ଗୋଟିଏ ଚୀନା ଦୋକାନରୁ ହଳେ ଯୋତା କିଣିଲି ।

ଦାଦା ୟୁରୋପରେ ଯେଉଁ ଗରମ ଲୁଗାପଟା ପିନ୍ଧୁଥିଲେ ସେଥିରୁ କିଛି ବାଛି ନେବାକୁ ଚାହିଁଲେ । ସେସବୁ ଲୁଗାପଟା ମା’ଙ୍କ ଦାୟିତ୍ୱରେ ଉଡ଼ବାର୍ନ ପାର୍କର ଘରେ ଥିଲା । ମା କଲିକତା ଛାଡ଼ିଯିବା ପୂର୍ବରୁ ମୁଁ ଆଲ୍‌ମାରୀର ଚାବିଟା କେଉଁଠି ଅଛି ବୁଝି ରଖିଥିଲି । ମା’ଙ୍କୁ କହିଥିଲି, ଦାଦା ବହୁତଦିନଧରି ଜେଲ୍ ଚାଲିଯିବେ ତ, ସେଥିପାଇଁ ସେସବୁ ଲୁଗାପଟା ଥରେ ଦେଖିବାକୁ ଚାହୁଁଛନ୍ତି । ଦାଦାଙ୍କ ଭୃତ୍ୟ ଲୁଗାପୁଟୁଳି ଧରି ଏ ବାସଭବନରୁ ସେ ବାସଭବନ ହେବାକୁ ଲାଗିଲା । ସେଥିରୁ ଦାଦା ପିନ୍ଧିବା ପାଇଁ କିଛି ଗରମ ଲୁଗାପଟା ଓ ଗୋଟିଏ ଗରମ ଗଳାବନ୍ଧ କୋଟ୍‌ ନେଲେ । ଏହି ସୁଯୋଗରେ ମୁଁ ତାଙ୍କ ହୋଲ୍‌ଡ଼–ଅଲଟି ଲୁଗାପୁଟୁଳି ଭିତରେ ଲୁଚାଇ ତାଙ୍କ ପାଖକୁ ପଠାଇଦେଲି; ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦରକାର ହେବ ମନେ କରି ସେ ମଧ୍ୟ ସେଟାକୁ ପାଖରେ ରଖିବାକୁ ଚାହୁଁଥିଲେ ।

ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ର ଛଡ଼ା ଦାଦା ଆଟାଚିକେସରେ ରଖିବା ପାଇଁ ମୋ ହାତରେ ଦୁଇଖଣ୍ଡ ପବିତ୍ର କୋରାନ ଗ୍ରନ୍ଥ, କିଛି ଔଷଧ–ମୃତ ସଞ୍ଜିବନୀ ସୁଧା, ମିଷ୍ଟଲ୍ ଏବଂ ଭଜା ମସଲା ଡବା ଇତ୍ୟାଦି ଦେଇଥିଲେ ।

ତାଙ୍କ ପାଇଁ କିଛି ଭିଜିଟିଂ କାର୍ଡ଼ ଛପାଇବାକୁ ଯାଇ ମୋତେ ପ୍ରଥମେ ଷ୍ଟେଜ୍‌ ଆକ୍ଟିଂ କରିବାକୁ ପଡ଼ିଲା । କଣ ଲେଖା ହେବ ତାହା ନିଜ ହାତରେ ଲେଖି ଲେଖାଟା କପି କଲା ପରେ ତାଙ୍କ ହାତ ଲେଖାଟି ନଷ୍ଟ କରି ଦେବାକୁ କହିଲେ । ପୁନଶ୍ଚ କହିଲେ, ଯେତେବେଳେ କାର୍ଡ଼ ଅର୍ଡ଼ର ଦେବାକୁ ଯିବି, ସେତେବେଳେ ମୋତେ ଏମିତି ଛଳନା କରିବାକୁ ହେବ ଯେ ମନେ ହେବ ଯେପରି ନିଜ ପାଇଁ ଅର୍ଡ଼ର ଦେବାକୁ ଯାଉଛି । ଅତଏବ ଦିନେ ସନ୍ଧ୍ୟାବେଳେ ମୁଁ ସୁଟ୍ ପିନ୍ଧି ମୁଣ୍ଡରେ ଫେଲଟ୍ ହ୍ୟାଟ୍ ଲଗାଇ ସାହେବ ସାଜି ଘରୁ ବାହାରିଲି । ସେ’ ସମୟରେ ମୋ ବୟସର, ପିଲାଙ୍କ ପକ୍ଷେ ଏହି ଧରଣର ପୋଷାକ ପିନ୍ଧିବା ପ୍ରଚଳନ ନ ଥିଲା, କୌଣସି ପାହାଡ଼ିଆ ବା ଶୀତପ୍ରଧାନ ସ୍ଥାନକୁ ଗଲେ ଅଲଗା କଥା । ଘରୁ ଠିକ୍ ବାହାରିବା ମୁହୂର୍ତ୍ତରେ ଜଣେ ମାଉସୀ–ପୁଅ ଭାଇ ସହିତ ଭେଟ ହୋଇଗଲା ।

ଗୋଟିଏ ଡିନାରର ନିମନ୍ତ୍ରଣ ଅଛି ବୋଲି କହି ମୋର ପୋଷାକ ସମ୍ବନ୍ଧରେ ତାଙ୍କ ପ୍ରଶ୍ନ ଏଡ଼ାଇ ବାହାରି ପଡ଼ିଲି । ଚୌରଙ୍ଗୀରୁ ଗୋଟିଏ ଟେକ୍‌ସି ଚଢ଼ି ରାଧା ବଜାରରେ ଉପସ୍ଥିତ ହେଲି । କାଉଣ୍ଟରରେ ଥିବା ଲୋକଟି ସହିତ ଇଂରାଜୀରେ କଥା କହି କାର୍ଡ଼ର ଅର୍ଡ଼ର ଦେଲି । ପୁଣି କାର୍ଡ଼ ନେବା ଦିନ ଠିକ୍‌ ସେହିଭଳି ବେଶରେ ଡେଲିଭେରି ନେଲି ଓ କାର୍ଡ଼ ମାଲିକଙ୍କ ହାତରେ ପହଞ୍ଚାଇ ଦେଲି । କାର୍ଡ଼ରେ ଲେଖାଥିଲା :

 

MOHD. ZIAUDDIN

Travelling Inspector

 

The Empire of India Life Assurance Co. Ltd.

Permanent Address :

 

Civil Lines

Jubbulpore

 

ଦାଦାଙ୍କ ଜିନିଷପତ୍ର ସବୁ ଗୋପନରେ ନେଇ ଉଡ଼ବାର୍ନ ପାର୍କରେ ମୋର ତିନି ମହଲାର ଘରେ ଜମା କରିଥିଲି । ସେହି ସମୟରେ ମୋର ବାପା–ମା ଓ ଘରର ଅନ୍ୟାନ୍ୟମାନେ କଲିକତା ବାହାରେ ରହୁଥିବା ଯୋଗୁଁ ଗୋପନରେ ଜିନିଷପତ୍ର ଉପରକୁ ନେବାରେ ମୋତେ ବିଶେଷ ଅସୁବିଧା ହୋଇ ନାହିଁ । ଭୃତ୍ୟମାନେ ଯେପରି କୌଣସି ସନ୍ଦେହ ନ କରନ୍ତି, ସେଥିପାଇଁ ଦ୍ଵିପ୍ରହର ବେଳେ ସାଧାରଣତଃ ସେମାନେ ସବୁ ବିଶ୍ରାମ କରୁଥିବାବେଳେ ମୁଁ ଜିନିଷପତ୍ର ଉପରକୁ ନେଇ ଆସୁଥିଲି । ବେଡ଼ିଂଟା ବାନ୍ଧି ମୁଁ ନିଜ ଆଲମୀରା ଭିତରେ ରଖିଲି । ସୁଟ୍‌କେସଟା ଆଉ ଗୋଟିଏ ଦୁଇଟା ସେ ଭଳି ବାକ୍‌ସ ସଙ୍ଗେ ମୋର ଖଟ ତଳେ ରଖିଲି । ଲୁଗାପଟା ଓ ଛୋଟ ଛୋଟ ଜିନିଷକୁ ଲୁଚାଇ ରଖିବା ସହଜ ଥିଲା । ମୋ’ ଘରେ ମୁଁ ଏକୁଟିଆ ଶୋଉଥିଲି । ଅନ୍ୟ କେହି ବିଶେଷ ଆସୁ ନ ଥିଲେ ।

 

କେଉଁ ମଟର ଗାଡ଼ିଟା ନିଆଯିବ, ସେ ବିଷୟରେ ମଧ୍ୟ ଆମେ କିଛିଦିନ ଧରି ଆଲୋଚନା କଲୁ । ସେ ସମୟରେ ମୋ ବାପାଙ୍କର ଦୁଇଖଣ୍ଡ ଗାଡ଼ି ଥିଲା, ଗୋଟିଏ ଖୁବ୍ ବଡ଼ ଷ୍ଟୁଡ଼ିବେକାର ପ୍ରେସିଡ଼େଣ୍ଟ ଓ ଅନ୍ୟଟି ଟିକିଏ ଅଳ୍ପ ପରିଚିତ ଜର୍ମାନ ଗାଡ଼ି, ଓୟାନ୍‌ଡ଼ାରାର । ଷ୍ଟୁଡ଼ିବେକାର ଗାଡ଼ିଟା ମୋର ମା’ଙ୍କ ନାମରେ ରେଜିଷ୍ଟ୍ରି ହୋଇଥିଲା ଏବଂ ଓୟାନ୍‍ଡ଼ାରାର ଗାଡ଼ିଟା ଥିଲା ମୋ’ ନାମରେ । ପିଲାବେଳରୁ ଗାଡ଼ି ସମ୍ବନ୍ଧରେ ମୋର ଯେଉଁ ଦୁର୍ବଳତା ସେ କଥା ବାପା ଜାଣିଥିଲେ । ଗୋଟିଏ ଗାଡ଼ି ମୋ’ ନାମରେ ଥିବା ହୁଏତ ତାହାରି ଗୋଟିଏ କାରଣ । ଯଦିଓ ଛୋଟ ଓୟାନଡ଼ାରାର ଗାଡ଼ିଟା ମୁଁ ବେଶି ବ୍ୟବହାର କରୁଥିଲି, ବାପା କିନ୍ତୁ ମୋତେ ଦୁଇଟିଯାକ ଗାଡ଼ି ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ ଦେଉଥିଲେ । ମୁଁ ଅବଶ୍ୟ ବାପାଙ୍କ ସୁବିଧା ଅସୁବିଧା ଦେଖି ଗାଡ଼ି ନେଇ ଯଥେଷ୍ଟ ବୁଲାବୁଲି କରୁଥିଲି । ଗାଡ଼ି ଚଳାଇବା ଦିଗରୁ କହିବାକୁ ଗଲେ ଦୁଇଟିଯାକ ଗାଡ଼ିରେ ହିଁ ମୋର ସମାନ ଦଖଲ ଥିଲା । ପ୍ରଥମେ ଆମେ ଷ୍ଟୁଡ଼ିବେକାର ଗାଡ଼ିଟା ନେବାକୁ ଠିକ୍ କରିଥିଲୁ; କାରଣ ସେ ଗାଡ଼ିଟା ସହଜରେ ଖରାପ ହୁଏନା, ଆଉ ଭଲ ସ୍ପିଡ଼ରେ ମଧ୍ୟ ଯାଏ । ପରେ ଅନ୍ୟାନ୍ୟ କେତେଗୁଡ଼ିଏ କାରଣ ଯୋଗୁଁ ଓୟାନଡ଼ାରାର ଗାଡ଼ିଟାକୁ ହିଁ ବାଛି ନେଲୁ । ପ୍ରଥମତଃ ବାପା ଯେତେବେଳେ କଲିକତାରେ ଅଛନ୍ତି ସେତେବେଳେ ଷ୍ଟୁଡ଼ିବେକାର ଗାଡ଼ିଟାକୁ ନେଇ ମୋର ଦୁଇଦିନ ପାଇଁ ଅନ୍ତର୍ଦ୍ଧାନ ହୋଇଯିବାଟା ଖରାପ ହେବ । ତା ଛଡ଼ା ଗାଡ଼ିଟାର ଗୋଟିଏ ସମ୍ଭ୍ରାନ୍ତ ଚେହେରା ଓ ବାପାଙ୍କ ଗାଡ଼ି ହିସାବରେ ମଧ୍ୟ ଚାରିଆଡ଼େ ପରିଚିତ ଥିଲା । ଅନ୍ୟ ଦିଗରେ ଓୟାନଡ଼ାରାର ଗାଡ଼ିଟା ମୋ’ ନାମରେ ଥିବାହେତୁ ମୁଁ ଯଦି କିଛିଦିନ ପାଇଁ ଗାଡ଼ିଟା ନେଇ କୌଣସି ଯାଗାକୁ ଯାଏ ତେବେ କେହି କିଛି ଭାବିବେ ନାହିଁ । ଯେଉଁ ମୁହୂର୍ତ୍ତରେ ସ୍ଥିର ହେଲା ଓୟାନଡ଼ାରାର ଗାଡ଼ିଟା ହିଁ ଯିବ, ତତ୍‌କ୍ଷଣାତ୍‌ ମୁଁ ଗାଡ଼ିର ଇଞ୍ଜିନ ଓ ସବୁ ପାର୍ଟ ଚେକ୍ଅପ୍ କରିବାରେ ଲାଗିପଡ଼ିଲି । ଗୋଟିଏ ଅଧିକା ଟାୟାର କଣିଲି, ନୂଆଁ ବ୍ୟାଟେରି ମଧ୍ୟ ଲଗାଇଲି । ନିଜର ଆତ୍ମବିଶ୍ଵାସକୁ ଦୃଢ଼ କରିବା ପାଇଁ ଦିନେ ଗାଡ଼ି ଚଳାଇ ପାର୍କ ସାର୍କାସ ଇଲାକାର ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ଟାୟାର ବଦଳ କରିବା ଅଭ୍ୟାସ କଲି । ଇତିମଧ୍ୟରେ ଷ୍ଟୁଡ଼ିବେକାର ଗାଡ଼ିରେ ଚଢ଼ି ଆମର ଦଳେ ଆତ୍ମୀୟସ୍ଵଜନ ଧାନବାଦ୍ ପାଖରେ ମୋ’ ଭାଇଙ୍କ ଘରକୁ ଛୁଟି କଟାଇବାକୁ ଚାଲିଗଲେ ।

 

ମୋର ମନେହେଲା ଧାନବାଦ୍‌ରେ ଭାଇଙ୍କ ପାଖରୁ ଥରେ ବୁଲି ଆସିବାଟା ମୋର ପ୍ରସ୍ତୁତି ପାଇଁ ଭଲ ହେବ । ତେଣୁ ମୋତେ ଏଭଳି ବ୍ୟବସ୍ଥା କରିବାକୁ ପଡ଼ିଲା ଯାହା ଫଳରେ କି ମା’ଙ୍କୁ କଲିକତା ଫେରାଇ ଆଣିବା ପାଇଁ ମୋତେ ସେଠାକୁ ଡକରା ପଡ଼ିଲା । ବମ୍ବେରୁ ଆସିଥିବା ଅତିଥିମାନେ ଜାନୁୟାରୀ ମାସର ପ୍ରଥମ ସପ୍ତାହରେ ଫେରିଗଲେ । ମୁଁ ତାଙ୍କ ସଙ୍ଗେ ଟ୍ରେନରେ ଧାନବାଦ୍ ପର୍ଯ୍ୟନ୍ତ ଚାଲିଗଲି । ଦୁଇଦିନ ଭାଇଙ୍କ ପାଖରେ ବାରାରିରେ ରହିବା ଫଳରେ ଜାଗାଟା ବୁଲାବୁଲି କରି ଦେଖିନେଲି ଓ ମନେ ମନେ କେତେଗୁଡ଼ିଏ ରାସ୍ତାର ଠିକଣା ମନେ ରଖିବାର ଅପୂର୍ବ ସୁଯୋଗ ପାଇଗଲି । ମୋର ପରବର୍ତ୍ତୀ ଯାତ୍ରାରେ ଏସବୁ ଖୁବ୍ କାମରେ ଲାଗିଥିଲା । ସେତେବେଳେ ବି ଅନ୍ତର୍ଦ୍ଧାନ ପର୍ବର ଟିକନିଖି ପ୍ଲାନ୍ ସମ୍ପୂର୍ଣ୍ଣ ସ୍ଥିର ହୋଇ ପାରିନି । କିନ୍ତୁ ମୋଟାମୋଟି ଠିକ୍ ହୋଇଥିଲା ଯେ ମୁଁ ଅନ୍ତତଃ ଗୋଟିଏ ରାତି ବାରାରିରେ ଭାଇଙ୍କ ଘରେ ବିଶ୍ରାମ ନେବି । ତାଛଡ଼ା ଘଟଣାଟାକୁ ଏପରି ସଜାଇବାକୁ ହେବ ଯେ, ଯେପରିକି ମୁଁ କୌଣସି କାମରେ ଭାଇଙ୍କ ନିକଟକୁ ଯାଇଛି । ତାହାହେଲେ ଘରେ ମୋର ଅନୁପସ୍ଥିତି କାହାରି ମନରେ ସନ୍ଦେହ ସୃଷ୍ଟି କରିବ ନାହିଁ । ଦାଦା ମୋତେ ଯେଭଳି ଶିଖାଇ ଦେଇଥିଲେ ମୁଁ ସେଭଳି ବାରାରିରେ ଭାଇଙ୍କୁ କେବଳ କହିଲି ଯେ ଦାଦାଙ୍କ କୌଣସି କାମରେ ମୋତେ ଶୀଘ୍ର ହୁଏତ ଏଠାକୁ ଆସିବାକୁ ପଡ଼ିପାରେ, ସେତେବେଳେ ମୁଁ ପୁଣି ଆସିବି ।

 

ଆମ ପରିବାରର ଯେଉଁମାନେ ଷ୍ଟୁଡ଼ିବେକାର ଗାଡ଼ିରେ କଲିକତା ଫେରୁଥିଲେ ମୁଁ ସେମାନଙ୍କ ସଙ୍ଗେ ଫେରି ଆସିଲି । ବାରାରିରୁ ଧାନବାଦ୍ ରାସ୍ତା ଓ ପରେ କଲିକତା ପର୍ଯ୍ୟନ୍ତ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ଟି ମୁଁ ଖୁବ୍ ମନଯୋଗ ଦେଇ ଦେଖି ଦେଖି ଆସିଲି । କାରଣ ଆଉ କିଛିଦନ ଭିତରେ ଦାଦାଙ୍କୁ ନେଇ ମୋତେ ପୁଣି ଏହି ବାଟରେ ହିଁ ଆସିବାକୁ ହେବ ।

 

ଆସାନସୋଲ ଓ ବର୍ଦ୍ଧମାନ ମଝିରେ ଗୋଟିଏ ବଡ଼ ଧରଣର ଯାନ୍ତ୍ରିକ ଗଣ୍ଡଗୋଳ ଘଟି ମଟର ଗାଡ଼ି ଅଚଳ ହୋଇଗଲା । ଅବସ୍ଥା ଏପରି ହେଲା ଯେ, କଲିକତାରୁ ଗୋଟିଏ ବିଶେଷ ଯନ୍ତ୍ର ଆଣିଲେ ଯାଇ ଗାଡ଼ି ଚାଲିବ । ଅଗତ୍ୟା ଆମେ ସେଠାରେ ମଟର ଗାଡ଼ି ଛାଡ଼ି ଦେଇ ବାଟରୁ ଗୋଟିଏ ଧଡ଼ଧଡ଼ିଆ ଟେକସିରେ ଚଢ଼ି କଲିକତା ଫେରିଲୁ । ଏହି ଘଟଣା ଦେଖି ମୋର ତ ହାତଗୋଡ଼ ଥଣ୍ଡା ହୋଇ ଯିବାର ଉପକ୍ରମ ହେଲା । ମୁଁ ମନେମନେ କେବଳ ପ୍ରାର୍ଥନା କରିବାକୁ ଲାଗିଲି ଯେ, ଯେତେବେଳେ ସମୟ ଆସିବ ‘ଓୟାନଡ଼ାରାର’ ଯେପରି ଏଭଳି ସମସ୍ୟାର ସମ୍ମୁଖୀନ ନ ହୁଏ ।

 

ଦଶ

 

ବାରାରି–ଧାନବାଦ୍ ଇଲାକା ପର୍ଯ୍ୟବେକ୍ଷଣ କରି ମୋର ଫେରିବା ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ପର୍ବର ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହେଲା । ଦାଦା ଟିକିଏ ଅଧୈର୍ଯ୍ୟ ହୋଇ ପଡ଼ିଥିଲେ, କାରଣ ସୀମାନ୍ତ ପ୍ରଦେଶରୁ ତାଙ୍କ ପାଇଁ ସବୁଜ ସଂକେତ ଆସି ପହଞ୍ଚିବାରେ ଡେରି ହେଲା । ପ୍ରଥମେ ଯେତେବେଳେ ଦାଦା ଏସବୁ ଘଟଣା ନେଇ ମୋ ସଙ୍ଗେ କଥାବାର୍ତ୍ତା କରିଥିଲେ ସେତେବେଳେ କହିଥିଲେ ଡିସେମ୍ବର ମାସର ଶେଷ ଆଡ଼କୁ ସେ’ ବାହାରି ପଡ଼ିବେ । ତାହା ଯଦି ହୁଅନ୍ତା ତେବେ ହୁଏତ ଯିବାବେଳେ ବାପାଙ୍କ ସଙ୍ଗେ ସାକ୍ଷାତ ହୋଇ ନ ଥାନ୍ତା । କାରଣ ବାପା ଜାନୁୟାରୀ ମାସରେ କାଲିମ୍ପଙ୍ଗରୁ ଫେରିଲେ ।

 

ଏଲଗିନ୍ ରୋଡ଼ର ଘରୁ କିଭଳି ଭାବରେ ନିଷ୍କ୍ରାନ୍ତ ହେବେ ସେସବୁ ବିଷୟରେ ମଧ୍ୟ ସବୁ ସ୍ଥିର ହୋଇଗଲା । ଦାଦାଙ୍କୁ ପଶ୍ଚିମା ମୁସଲମାନ ଭଦ୍ରଲୋକ ଭଳି ପରିଚ୍ଛେଦ ପିନ୍ଧିବାକୁ ହେବ-। ଦିନେ ରାତିରେ ସେହି ପୋଷାକ ପିନ୍ଧି ସେ ଘରର ବିରାଟ ଦର୍ପଣରେ ନିଜକୁ କି ଭଳି ଦିଶୁଛି ଭଲଭାବେ ଦେଖିନେଲେ ।

 

ପରଦିନ ମୁଁ ଆସିବା ପରେ ସେ’ ବିଶେଷ ଉତ୍ସାହିତ ହୋଇ କହିଲେ, ଛଦ୍ମବେଶ ଖୁବ୍ ଭଲ ହୋଇଛି, ଭିଡ଼ ଭିତରେ ମଧ୍ୟ ତାଙ୍କୁ କେହି ଚିହ୍ନି ପାରିବେ ନାହିଁ । ଏକଥା ଶୁଣି ମୁଁ ହସିଲି ଏବଂ ସାହସ ସହକାରେ କହି ପକାଇଲି ଯେ, ସୁଭାଷଚନ୍ଦ୍ର ବୋଷ୍‍ଙ୍କ ଚେହେରା ଓ ବ୍ୟକ୍ତିତ୍ୱରେ ଯେତେ ଛଦ୍ମବେଶ ଥାଉ ନା କାହିଁକି ତାକୁ ଲୁଚାଇବା ସମ୍ଭବ ନୁହେଁ । ଏହା ଶୁଣି ସେ’ କିନ୍ତୁ ଟିକିଏ ହତାଶ ହୋଇଗଲେ ।

 

ଏହାପରେ ସେ’ ସମସ୍ତଙ୍କ ଆଖିରେ ଧୂଳିଦେବା ପାଇଁ ଯେଉଁ ପରିକଳ୍ପନା କରିଛନ୍ତି ସେ’ କଥା ପ୍ରକାଶ କଲେ । ଦାଦା ଘୋଷଣା କରିବେ ଯେ, ସେ କଛିଦିନ ପାଇଁ ଲୋକଚକ୍ଷୁର ଆଢ଼ୁଆଳକୁ ଚାଲିଯାଉଛନ୍ତି । ଏହି ସ୍ଵେଚ୍ଛାକୃତ ଅବସର–ବ୍ରତ ଯାପନ ସମୟରେ ସେ କାହାରି ସହିତ ଦେଖା କରିବେ ନାହିଁ ବା କଥା ମଧ୍ୟ କହିବେ ନାହିଁ । ତାଙ୍କ ଘର ମଝିରେ ଦୁଇଟି ପର୍ଦ୍ଦା ଦୁଇପଟୁ ଝୁଲେଇ ଦିଆହେବ ଯାହା ଫଳରେ ତାଙ୍କ ଘରର ଉତ୍ତରପଟ ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଯିବ । ଦାଦା ଘରର ସେହି ଉତ୍ତର ପଟରେ ରହିବେ ଓ ଯଥାରୀତି ତାଙ୍କ ବ୍ରତ ପାଳନ କରିବେ । ଯେଉ ପୁଝାରୀ ତାଙ୍କ ମା’ଙ୍କର ରୋଷେଇ କରେ ତା’ ଉପରେ ଦାୟିତ୍ଵ ରହିବ ଯେ, ସେ ଦାଦାଙ୍କ ଖାଦ୍ୟ ସାମଗ୍ରୀ ଠିକ୍ ସମୟ ଅନୁସାରେ ପର୍ଦ୍ଦାର ତଳଦେଇ ଘର ଭିତରକୁ ଠେଲିଦେବ ! ଦାଦାଙ୍କ ଆହାର୍ଯ୍ୟ ହେବ ନିରାମିଷ; ତରକାରୀ, କ୍ଷୀର, ଛେନା, ମିଠା ଆଉ ଫଳ । ସେ ଚାଲିଯିବା ପରେ ମଧ୍ୟ ଇଲାକୁ ଏହି ଛଳନାଟି କରିଯିବାକୁ ହେବ । ଖାଦ୍ୟ ସାମଗ୍ରୀ ଯାହାକିଛି ଇଲାକୁ ହିଁ ଖାଇ ନେବାକୁ ହେବ ଓ ଅନ୍ୟାନ୍ୟ ପ୍ରୟୋଜନୀୟ ସବୁ କାମଗୁଡ଼ିକ ପାଇଁ ମଧ୍ୟ ତାକୁ ଠିକ୍ ଭାବେ ଅଭିନୟ କରିବାକୁ ପଡ଼ିବ ।

 

ସବୁଠାରୁ ସୁବିଧାଜନକ କଥା ଥିଲା, ଏକମାତ୍ର ଗୋସେଇଁମା ଓ ଇଲା ଛଡ଼ା ବିରାଟ ବସୁ ପରିବାରରେ ଅନ୍ୟ ସମସ୍ତେ ତିନି ମହଲାରେ ଶୋଉଥିଲେ । ଦାଦାଙ୍କ ଶୋଇବାଘର ଦିମହଲାରେ ଥିଲା । ଆଉ ଗୋଟିଏ ସୁବିଧା ଥିଲା, ଗୋସେଇଁମା ସେହି ସମୟରେ ଘରର ବା ଦାଦାଙ୍କର ଦୈନନ୍ଦିନ ଜୀବନ–ଯାତ୍ରାର ଟିକିନିଖି ବିଷୟ ନେଇ ମୁଣ୍ଡ ଖେଳାଉ ନ ଥିଲେ । ତା ଛଡ଼ା ଦାଦାଙ୍କର ଏହି ଧରଣର ବ୍ରତ ପାଳନ ପ୍ରସ୍ତାବରେ କାହାରି ବେଶି ଆଶ୍ଚର୍ଯ୍ୟ ହେବାର କଥା ନୁହେଁ–ବିରୋଧିତାର ତ କୌଣସି ପ୍ରଶ୍ନ ଉଠୁନାହିଁ । ରାତ୍ରିରେ ଖାଇବା ପରେ ଘରର ଚାକରବାକର ସମସ୍ତେ ଶୋଇବାକୁ ଚାଲିଯାନ୍ତି, ଏକମାତ୍ର ଦାଦାଙ୍କର ଯେଉଁ ବ୍ୟକ୍ତିଗତ ଭୃତ୍ୟ ତାକୁ କେବଳ ଟିକିଏ ସମ୍ଭାଳି ନେବାକୁ ପଡ଼ିବ । ତା’ ଉପରେ ହିଁ ଥିଲା ତଳ ମହଲାର ସଦର କବାଟ ବନ୍ଦ କରିବାର ଦାୟିତ୍ଵ । ବାହାର ଗେଟ୍‌ରେ ତ ତାଲା ପଡ଼ୁ ନ ଥିଲା, କେବଳ ଆଉଜା ରହୁଥିଲା । ତେଣୁ ସ୍ଥିର ହେଲା ଯେ, ଦାଦାଙ୍କ ବ୍ୟକ୍ତିଗତ ଭୃତ୍ୟ ପ୍ରତ୍ୟେକ ଦିନ ଯାହା କରେ ସେଦିନ ମଧ୍ୟ ଠିକ୍ ତାହା କରିବ ଓ ତା’ପରେ ତାକୁ ଛୁଟି ଦେଇ ଶୋଇବାକୁ ଯିବାପାଇଁ କୁହାହେବ । ସୌଭଗ୍ୟବଶତଃ ତା’ର ନିଦ ଥିଲା ଖୁବ୍ ଗାଢ଼ ।

 

ଆମେ ସ୍ଥିର କଲୁ ଯେ ସଦର କବାଟ ବ୍ୟବହାର ନ କରି ଘର ପଛରେ ରୋଷେଇ ଘରର ଯେଉଁ ଛୋଟ ସିଡ଼ି ଅଛି ସେହିପଟେ ତଳକୁ ଓହ୍ଲାଇବୁ । ଆମ ଡାକ୍ତର ଦାଦାଙ୍କର ଯେଉଁ ଆଲ୍‌ସେଶିୟାନ କୁକୁରଟା ଥିଲା ତାକୁ ପୁଣି ରାତିରେ ଛାଡ଼ି ଦିଆଯାଏ, ତାକୁ ନେଇ ଗୋଟିଏ ସମସ୍ୟା ହୋଇପାରେ । ଏହା ଭିତରେ ଦିନେ ଜଣେ ବିଶିଷ୍ଟ ଅତିଥି ଦାଦାଙ୍କ ସହିତ ଦେଖାକରି ଯେତେବେଳେ ଫେରୁଛନ୍ତି ସେତେବେଳେ ସେହି ଆଲ୍‌ସେଶିୟାନଟା ତାଙ୍କ ଉପରେ ଡେଇଁ ପଡ଼ିଲା-

 

ଇଲା ଏହି ଘଟଣାର ସୁଯୋଗ ନେଇ ଦାଦାଙ୍କ ତରଫରୁ ଡାକ୍ତର ଦାଦାଙ୍କୁ ଯାଇ କହିଲା ଯେ, ରାତିରେ କୁକୁରଟାକୁ ବାନ୍ଧି ରଖିଲେ ଭଲ ହୁଅନ୍ତା; କାରଣ ଅନେକେ ବହୁତ ରାତି ପର୍ଯ୍ୟନ୍ତ ଦାଦାଙ୍କ ପାଖକୁ ଯିବା ଆସିବା କରନ୍ତି । ଘରର ବାହାରେ କୌଣସି ଆଲୁଅ ଜଳା ହେଉ ନ ଥିଲା । ଦାଦାଙ୍କୁ ଅବଶ୍ୟ ଗୋଟିଏ ଦୀର୍ଘ କରିଡ଼ୋର ପାର ହୋଇ ଯିବାକୁ ହେବ । ଆଖପାଖ ଘରୁ କେହି ଉଙ୍କି ମାରି ଦେଖି ନେବାର ଭୟ ଥିଲା । ଘର ବାହାରେ ଧଳା ପୋଷାକରେ ଯେତେ ସବୁ ପୁଲିସ ବିଭାଗର ଲୋକ ରହୁଥିଲେ ମୁଁ କିଛିଦିନ ତାଙ୍କ ଚାଲିଚଳନ ପ୍ରତି ଲକ୍ଷ୍ୟ ରଖିଲି । ମୁଁ ଦାଦାଙ୍କୁ ପରେ ଜଣାଇଲି ଯେ, ମନେହୁଏ ସେମାନେ ବେଶ୍ ନଶ୍ଚିନ୍ତବୋଧ କରୁଛନ୍ତି, ଟିକିଏ ରାତି ହେଲେ କାମରେ ଖୁବ୍ ହେଳା କରନ୍ତି । ଆମକୁ କେବଳ ଦେଖିବାକୁ ହେବ ଯେ, ଗାଡ଼ି ନେଇ ଯେତେବେଳେ ବାହାରିବୁ ସେତେବେଳେ ଗେଟ୍‌ର ଖୁବ୍ ପାଖାପାଖି ସେମାନେ ଯେପରି କେହି ନ ଥାନ୍ତି ।

 

ଅନ୍ତର୍ଦ୍ଧାନର ଦଶ ବାର ଦିନ ପୂର୍ବରୁ ମୋ ବାପା କଲିକତାକୁ ଫେରି ଆସିଲେ । ଦାଦା ମୋତେ କହିଲେ, ବାପାଙ୍କୁ ଯାଇ କହିବାକୁ ଯେ, ଯେତେ ଶୀଘ୍ର ସମ୍ଭବ ସେ ବାପାଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ ଚାହାଁନ୍ତି । ମୁଁ ଯାଇ ମା’ଙ୍କ ନିକଟରେ ଖବରଟା ପହଞ୍ଚାଇ ଦେଲି । ପରଦିନ ସନ୍ଧ୍ୟାରେ ଦୁଇଭାଇ ମିଳିତ ହେଲେ । ଦୁଇ ଦିନ ପରେ ମା’ ମୋତେ କହିଲେ, ବାପା ଥଟ୍ଟା କରି ପଚାରୁଥିଲେ–ତୁମ ପୁଅ କଣ ବାପା–ମା’ଙ୍କୁ ମଧ୍ୟ ନ କହି ଦାଦା ସାଙ୍ଗରେ ଏ୍ୟାଡ଼୍‌ଭାଞ୍ଚାରରେ ଚାଲିଛି ? ମୁଁ ନୀରବରେ ଶୁଣିଲି । ମୋ ବାପା–ମା ଯେ ସବୁକିଛି ଜାଣିଲେଣି ଏବଂ ଏତେ ସହଜ ଭାବରେ ସବୁକଥା ଗ୍ରହଣ କରିଛନ୍ତି ଏହା ଜାଣି ମୋ ମନରେ ଆତ୍ମବିଶ୍ଵାସ ଓ ବେଶ୍ ତୃପ୍ତି ଆସିଲା-। ମୁଁ ଲକ୍ଷ୍ୟ କରିବାକୁ ଲାଗିଲି ଯେ, ଆଜିକାଲି ଦାଦା ମୋ ସଙ୍ଗେ ଦୀର୍ଘ ନୈଶ ଆଲୋଚନାର ସେସନ୍ ଗୁଡ଼ିକ ଛୋଟ କରି ବାପାଙ୍କ ସଙ୍ଗେ ବେଶି କଥାବାର୍ତ୍ତା କରୁଛନ୍ତି । ଠିକ୍ ଏହି ସମୟରେ ଦାଦା ମୋତେ ବାରମ୍ବାର ଜିଜ୍ଞାସା କରିବାରେ ଲାଗିଲେ, ଯାତ୍ରାର ଆୟୋଜନ ସମ୍ପୂର୍ଣ୍ଣ ହେଲାଣି ନା ନାହିଁ ଏବଂ ମୁଁ ନିଜେ ଶେଷ ସଂଗ୍ରାମ ପାଇଁ ‘ପ୍ରସ୍ତୁତ’ କି ନୁହେଁ । ବାପା ମୋ ସଙ୍ଗେ ଯାତ୍ରାଦିନ ଛଡ଼ା ଏ ବିଷୟ ନେଇ କୌଣସି କଥା ସିଧାସଳଖ କହି ନାହାନ୍ତି । କିନ୍ତୁ ମା’ଙ୍କ ପାଖରୁ ମୁଁ ଜାଣି ପାରୁଥିଲି ଯେ, ଦୁଇ ଭାଇ ମିଶି ସମସ୍ତ ପରିକଳ୍ପନାଟାକୁ ମୂଳରୁ ଶେଷ ପର୍ଯ୍ୟନ୍ତ ବିଚାର କରି ଦେଖୁଛନ୍ତି-

 

ସେହି ଐତିହାସିକ ଦିନଟି ଧୀରେ ଧୀରେ ଆଗେଇ ଆସୁଛି । ଦାଦା ମୋତେ ଡାକି କହିଲେ, ବାପା ଆମ ପରିକଳ୍ପନାର କିଛି ପରିବର୍ତ୍ତନ କରିଛନ୍ତି । ଗୋଟିଏ ପରିବର୍ତ୍ତନ ହେଲା ବାପାଙ୍କ ମତରେ, ଦାଦା ଚାଲିଯିବା ପରେ ସେ ଲୋକଚକ୍ଷୁର ଆଢ଼ୁଆଳରେ ନିଃସଙ୍ଗ ଜୀବନଯାପନ କରୁଛନ୍ତି ବୋଲି ମିଥ୍ୟା ଛଳନା କରାଯିବ ଏବଂ ଶେଷ ପର୍ଯ୍ୟନ୍ତ ପୁଲିସ୍‌କୁ ଜଣାଇବାକୁ ପଡ଼ିବ । ଏ ସଂକ୍ରାନ୍ତରେ ଏଲଗିନ୍ ରୋଡ଼ ଘରର କୌଣସି ଜଣେ ପୁଅପିଲାକୁ ଦାୟିତ୍ଵ ଦିଆଯିବା ଉଚିତ୍ । ମୁଁ ତ ଏଲଗିନ୍ ରୋଡ଼ରେ ରହେ ନା, ସୁତରାଂ ମୋ ଦ୍ଵାରା ଏ କାମ ସମ୍ଭବ ନ ଥିଲା । ପରେ ପୁଲିସ୍‌ର ଯେଉଁ ଅବଶ୍ୟମ୍ଭାବୀ ଜୁଲୁମ ହେବ ଇଲା ଭଳି ଅଳ୍ପ ବୟସର ଝିଅ ତା’ର ମୁହାଁମୁହିଁ ହେଉ, ଏହା ବାପା କେବେହେଲେ ଚାହାଁନ୍ତି ନାହିଁ । ଦାଦା ବାପାଙ୍କ କଥା ମାନି ନେଇଛନ୍ତି ବୋଲି ମନେହେଲା । ସେ କହିଲେ, ‘ତୁମେ ଟିକେ ଚିନ୍ତା କରି କୁହ କାହାକୁ ଏ ବିଷୟରେ ଦାୟିତ୍ଵ ଦିଆଯାଇ ପାରେ’ । ମୁଁ ଆମର ଦଦେଇ ପୁଅ ଭାଇ ଦ୍ଵିଜେନ୍ଦ୍ର ନାଥର ନାଁ କହିଲି । କିଛି ସମୟ ଆଳାପ–ଆଲୋଚନା ପରେ ସ୍ଥିର ହେଲା ଇଲାକୁ ଟିକିଏ ଆଢ଼ୁଆଳରେ ରଖି ଦ୍ଵିଜେନ୍ଦ୍ର ନାଥକୁ ହିଁ ମିଥ୍ୟା ଛଳନା କରିବା ଦାୟିତ୍ଵ ଦିଆଯିବ । ଇଲା ଅବଶ୍ୟ ସବୁ ବିଷୟରେ ତା’କୁ ସାହାଯ୍ୟ କରିବ ।

 

ଏଗାର

 

ଦାଦାଙ୍କ ନିର୍ଦ୍ଦେଶ କ୍ରମେ ଦିନେ ସନ୍ଧ୍ୟାରେ ଇଲାକୁ ମୋର ମଟର ଗାଡ଼ିରେ ନେଇ ଦକ୍ଷିଣେଶ୍ଵର ଗଲି । ମୁଁ କାଳୀ ମନ୍ଦିରର ଦୁଆର ପାଖରେ ଅପେକ୍ଷା କଲି, ଇଲା ଗୋଟିଏ ଛୋଟ ତାମ୍ର ପାତ୍ର ନେଇ ମନ୍ଦିରରେ ପ୍ରବେଶ କଲା । ପୂଜାଫୁଲ ଓ ଚରଣାମୃତ ହାତରେ ଧରି ସେ ଘରକୁ ଫେରି ଆସିଲା ।

 

ଯେତେବେଳେ ଆମ ଯାତ୍ରାର ଚୂଡ଼ାନ୍ତ ପ୍ଳାନ ହୋଇଗଲା ସେତେବେଳେ ସ୍ଥିର ହୋଇ ଥିଲା ମୁଁ ଧାନବାଦ୍ ପାଖରେ କୌଣସି ଡାକବଙ୍ଗଳାରେ ଦାଦାଙ୍କୁ ଓହ୍ଲାଇଦେଇ ସିଧା ଭାଇଙ୍କ ପାଖକୁ ବାରାରି ଚାଲିଯିବି । ସେଠାରେ ଦିନଟେ କଟାଇ ସନ୍ଧ୍ୟାବେଳେ ଆଉ ଥରେ ଡାକବଙ୍ଗଳାରୁ ତାଙ୍କୁ ନେଇ ସେ ଯେଉଁ ରେଳ ଷ୍ଟେସନକୁ ଯିବାକୁ ଚାହିଁବେ ସେଠାରେ ପହଞ୍ଚାଇ ଦେବି । କିନ୍ତୁ ଶେଷ ଆଡ଼କୁ ସେ ମତ ପରିବର୍ତ୍ତନ କରି କହିଲେ ଯେ, ‘ଅନ୍ୟ ଯାଗାକୁ ଯିବା ଠାରୁ ସେ ବରଂ ଛଦ୍ମବେଶରେ ଭାଇଙ୍କ ଘରେ ହିଁ ଦିନଟା କଟାଇବେ’ । ସେ ପୁନଶ୍ଚ କହିଲେ, ‘ଦେଖ ଅଜଣା ଲୋକ ସଙ୍ଗେ ରହି ବିପଦ ଆଣିବାଠୁଁ ନିଜ ଲୋକଙ୍କୁ ଯେତିକି ଦରକାର ସେତିକି କହି ନିର୍ଭୟରେ ରହିବା ଭଲ’ । ସେହି ସମୟରେ ହୁଏତ ମୋ ମାମୁଁ ଘର କେତେକ ଲୋକ ବାରାରିରେ ଥିବା ସମ୍ଭାବନା ଥିଲା । ସେ କହିଲେ, ‘ତାହାହେଲେ ବି ଡାକବଙ୍ଗଳା ଅପେକ୍ଷା ଭାଇଙ୍କ ଘରେ ରହିବାଟା ସେ’ ଶ୍ରେୟ ମନେ କରନ୍ତି ।’

 

ଆମେ କିଛିଦିନ ଧରି କେବଳ ଭାବୁଥିଲୁ କି ଭଳି ଭାବରେ ଓୟାନଡ଼ାରାର ଗାଡ଼ିର ଡ୍ରାଇଭରଟିକୁ ଦୁଇ ତିନିଦିନି ପାଇଁ ଅନ୍ୟତ୍ର ପଠାଇଦେଇ ହୁଅନ୍ତା, କିନ୍ତୁ ତା’ର କୌଣସି ଉପାୟ ଖୋଜି ପାଉ ନ ଥିଲୁ । ଯାତ୍ରାର ଠିକ୍ କେତେଦିନ ପୂର୍ବରୁ ପ୍ରାୟ ଦୈବୀ–ଆଶୀର୍ବାଦ ଭଳି ଗୋଟିଏ ଘଟଣା ଘଟିଗଲା । ଡ୍ରାଇଭରର ଗାଁରୁ ଚିଠି ଆସିଲା ତା’ର ମା’ ଗୁରୁତର ଭାବେ ଅସୁସ୍ଥ, ତାକୁ ଏଇ ମୁହୂର୍ତ୍ତରେ ଘରକୁ ଯିବାକୁ ହେବ । ଏ ଖବର ଶୁଣି ମୋ ମନରୁ ଗୋଟିଏ ବିରାଟ ଚିନ୍ତା ଦୂର ହେଲା-। ଦୌଡ଼ିଯାଇ ଦାଦାଙ୍କୁ ଏ ଖବରଟି ଜଣାଇଦେଲି । ଡ୍ରାଇଭରକୁ ଟଙ୍କାପଇସା ଦେଇ ତା ମା’ ପାଖରେ ଯେତେଦିନ ରହିବା ଇଚ୍ଛା ସେତେଦିନ ପାଇଁ ଛୁଟି ଦିଆଗଲା ।

 

ମୁଁ କାହିଁକି ହଠାତ୍ ଭାଇଙ୍କ ପାଖକୁ ଯିବି ତାହାର ମଧ୍ୟ ଗୋଟିଏ ଉପଯୁକ୍ତ କାରଣ ଥିବା ଦରକାର । ତେଣୁ ସ୍ଥିର ହେଲା ମୋତେ କହିବାକୁ ହେବ–ଭାଉଜ ଅସୁସ୍ଥ ହୋଇ ପଡ଼ିଛନ୍ତି । ମୋତେ ନିଜେ ଯାଇ ସେ’ ବିଷୟରେ ଖବର ନେଇ ଆସିବାକୁ ବାପା କହିଛନ୍ତି, ସେଠାକୁ ଯିବା ପରେ ମୋତେ ବାପାଙ୍କୁ ଟେଲିଗ୍ରାମ କରିବାକୁ ହେବ ଯେ, ଭାଉଜ ଭଲ ଅଛନ୍ତି, ଚିନ୍ତାର କୌଣସି କାରଣ ନାହିଁ ।

 

ବାଟରେ ଯଦି ସନ୍ଦେହ କରି ଆମ ଗାଡ଼ିକୁ କେହି ଅଟକାଏ ଓ କୌଣସି ଆପତ୍ତି କରେ, ତେବେ କଣ କରାଯିବ, ଏ ସବୁ ସମ୍ଭାବନା ନେଇ ମଧ୍ୟ ଆମେ ଆଲୋଚନା କଲୁ । ଦାଦା କହିଲେ, ମୋତେ ଏପରି ଛଳନା କରିବାକୁ ହେବ ଯେ, ମୁଁ ଯେପରି ଗାଡ଼ିର ପ୍ରକୃତ ମାଲିକ, ଆଗ୍ରହବଶତଃ ଗାଡ଼ି ଚଳାଉଛି ଏବଂ ସୁଭାଷଚନ୍ଦ୍ର ବୋଷ୍‍ ହେଲେ ମୋର ଡ୍ରାଇଭର, ସେ ସାଙ୍ଗରେ ଅଛନ୍ତି । ମୁଁ ହସିହସି କହିଲି, ଗାଡ଼ିର ମାଲିକ ଆଉ ଡ୍ରାଇଭରର ଚେହେରା ଆଡ଼କୁ ଚାହିଁଲେ ଗଳ୍ପଟା ଖୁବ୍‍ ବିଶ୍ଵାସଯୋଗ୍ୟ ହେବ କି ? ଦାଦା କହିଲେ, ‘ହଁ ଠିକ୍ ହେବ, ତୁମେ କୌଣସି କଥା କହିବ ନାହିଁ, ଗମ୍ଭୀର ହୋଇ ମାଲିକ ଭଳି ବସି ରହିବ, ମୁଁ ତରବରରେ ଓହ୍ଲାଇ କବାଟ ଖୋଲି ସେଲାମ ଠୁକି ଠିଆ ହୋଇଯିବି । ଅଭିନୟ ଯାହା କରିବାର କଥା, ତା’ ମୁଁ ଠିକ୍ ଚଳାଇ ନେବି । ଯଦି କେହି ଜିଜ୍ଞାସା କରେ କୁଆଡ଼େ ଯାଉଛ, ପରବର୍ତ୍ତୀ ଷ୍ଟେସନର ନାମ କହିବାକୁ ପଡ଼ିବ, ଏତେ ରାତ୍ରିରେ କାହିଁକି ଚାଲିଛ ଜିଜ୍ଞାସା କଲେ କହିବାକୁ ପଡ଼ିବ, ରାସ୍ତାରେ ଗାଡ଼ି ଖରାପ ହୋଇଯାଇଥିଲା, ତେଣୁ ଅଟକି ଯାଇଥିଲୁ ।

 

ଯାତ୍ରାର ଠିକ୍ ପୂର୍ବେ ଦାଦା ମୋତେ ଠିକ୍ ଦୁଇଦିନର ନୋଟିସ ଦେଲେ । ୧୯୪୧ ମସିହା, ଜାନୁୟାରୀ ୧୬ ତାରିଖ ଗୁରୁବାର ସନ୍ଧ୍ୟାରେ ଯାତ୍ରା ଆରମ୍ଭ ହେବ । ମୁଁ ସେହି ମୁହୂର୍ତ୍ତରେ ପୁଣି ଥରେ ଓୟାନଡ଼ାରାର ଗାଡ଼ିକୁ ଚେକ୍ କରିବାରେ ଲାଗିପଡ଼ିଲି । ସର୍ଭିସିଂ କରିବାକୁ ଯାଇ ଦେଖିଲି ଗୁରୁବାର ପୂର୍ବରୁ ବୁକିଂ ନାହିଁ, ଅଗତ୍ୟା ସେଥିରେ ରାଜି ହେଲି ।

 

ମୁଁ ସେତେବେଳେ ମେଡ଼ିକେଲ କଲେଜର ତୃତୀୟ ବାର୍ଷିକ ଛାତ୍ର । ମୃତଦେହ କଟାକଟି କାମରେ ନିଯୁକ୍ତ, କଲେଜରୁ ଛୁଟିନେବା ପ୍ରଶ୍ନଉଠୁ ନାହିଁ । ସେଦିନ ସକାଳେ ମଧ୍ୟ କଲେଜ ଗଲି । କେବଳ କୌଣସି ଏକ ବାହାନା କରି ଶୀଘ୍ର ଘରକୁ ଫେରି ଆସିଲି, କାହିଁକି କିଛିଦିନ ଆସି ପାରିଲିନି ସେ’ ସବୁ କଲେଜରେ ପରେ କହିଲେ ଚଳିବ, ଆଗ ତ ଫେରି ଆସେ । ମୋର ଛଦ୍ମବେଶର କୌଣସି ପ୍ରଶ୍ନ ଉଠୁନାହିଁ । ସେହି ସମୟରେ ଆମେ ସଧାରଣତଃ ଯେଉଁ ସବୁ ପୋଷାକ ପିନ୍ଧୁଥିଲୁ ସେହି ପୋଷାକ ହିଁ ପିନ୍ଧିଲି–ଧୋତି, ଶାର୍ଟ ଓ ତା ଉପରେ ଗରମ କୋର୍ଟ ଆଉ ଯୋତା । ଯାତ୍ରା ପୂର୍ବରୁ ଦାଦା ତାଙ୍କର କାଶ୍ମୀରୀ କାମ ହୋଇଥିବା ଗରମ ଟୋପିଟା ମୋତେ ଦେଲେ । ଦିନ ଆଲୁଅରେ ଗାଡ଼ି ଚଳାଇବା ସମୟରେ ଅଥବା କୌଣସି ଲୋକ ସଙ୍ଗେ କଥାବାର୍ତ୍ତାର ପ୍ରୟୋଜନ ହେଲେ ସେ ମୋତେ ଟୋପିଟା ପିନ୍ଧିବାକୁ କହିଲେ, ଏଥିରୁ ଚେହେରାରେ ସାମାନ୍ୟ ପରିବର୍ତ୍ତନ ଆସିବ । ଦାଦା ତିରିଶି ମସିହାରେ ତାଙ୍କ ୟୁରୋପ ଭ୍ରମଣ ବେଳେ ଏହି ଟୋପିଟା ବହୁତ ପିନ୍ଧୁଥିଲେ । ଏହି ଟୋପି ପିନ୍ଧି ତାଙ୍କର ବହୁତ ଛବି ମଧ୍ୟ ଅଛି । କାଶ୍ମୀରୀ ଟୋପିଟା ମୁଁ ଏବେ ବି ଯତ୍ନ ସହକାରେ ରଖିଛି ।

 

ଠିକ୍ ଯାତ୍ରାର ପୂର୍ବ ରାତିରେ ମୋର ହଠାତ୍ ସନ୍ଦେହ ହେଲା, ମୁଁ ଦାଦାଙ୍କ ପାଇଁ ଯେଉଁ ସୁଟକେଶଟା କିଣିଛି ଓ ଲୁଗାପଟା ସଜାଡ଼ି ରଖିଛି ସେଇଟା ଓୟାନଡ଼ାରାର ଗାଡ଼ିର ଲଗେଜ ବୁଥ୍ ଅପେକ୍ଷା ବେଶି ବଡ଼ ହୋଇ ଯିବନି ତ ? ସୁଟ୍‌କେସର ମାପ ନେଇ ଲଗେଜ ବୁଥ୍‌ଟା ବି ମାପିଲି । କି ସର୍ବନାଶ ! ଯାହା ଭାବିଥିଲି ଠିକ୍ ତାହା ହିଁ ହେଲା । ସେତେବେଳେ ତରବରରେ ମୋ ବାପାଙ୍କର ଗୋଟିଏ ସୁଟ୍‌କେସ୍, ବାହାରକଲି । ଗୋଟିଏ ସୁଟ୍‌କେସରେ M.Z. (ମହମ୍ମଦ ଜିୟାଉଦ୍ଦିନ ନାମର ଆଦ୍ୟ ଅକ୍ଷର)ଅନ୍ୟଟିରେ S.C.B. ଲେଖା ଥିଲା । ବାକ୍‌ସ ଦୁଇଟି ବଦଳ କଲି, M.Z. ଓ S.C.B. ଦୁଇଟି ଲେଖା ପୋଛି ପକାଇଲି, ତରବରରେ ଟିକେ ଚାଇନିଜ୍ ଇଙ୍କରେ ଆଉ ଥରେ M.Z. ଲେଖିଦେଲି । ଲେଖାଟି ଭାରି ଖରାପ ହେଲା–କିନ୍ତୁ କଣ ବା କରାଯିବ ! ପରେ ଗାଡ଼ି ଚଳାଉ ଚଳାଉ ବିଷୟଟି ଦାଦାଙ୍କ ପାଖରେ ସ୍ୱୀକାର କଲି । ସେ ଟିକିଏ ବିରକ୍ତି ପ୍ରକାଶ କଲେ ।

 

ବାର

 

ଅବଶେଷରେ ସେହି ବିଶେଷ ଦିନଟି ଆସି ପହଞ୍ଚିଲା । ମୁଁ ଯେପରି ଗୋଟିଏ ନିଶାରେ ସବୁ କାର୍ଯ୍ୟ କରି ଯାଉଥିଲି । ତେବେ ମୋର ଅନ୍ତରର ଉତ୍ତେଜନା ମୁଁ ବାହାରକୁ ପ୍ରକାଶ କରୁ ନଥିଲି । ଶେଷ ଆଡ଼କୁ ଦିନେ ଦାଦା ମୋତେ କହିଲେ–‘ମୁଁ ଅନ୍ଧକାରରେ ଲମ୍ଫ ଦେବାକୁ ଯାଉଛି, ଭବିଷ୍ୟତ ଅନିଶ୍ଚିତ । ଅନେକ ଦିନ ପର୍ଯ୍ୟନ୍ତ–ହୁଏତ ଦୀର୍ଘ କୋଡ଼ିଏ ବର୍ଷ ମୁଁ ଦେଶକୁ ଫେରି ପାରିବି ନାହିଁ, ତୁମମାନଙ୍କ ସହିତ ଦେଖା ହେବ ନାହିଁ’ । ମୋର ଭାଗ୍ୟରେ କଣ ଘଟିବ ସେ ସମ୍ବନ୍ଧରେ ଚିନ୍ତା କରି, ଅନ୍ତର୍ଦ୍ଧାନର ଦିନଟି ଯେତେ ଆଗେଇ ଆସିଲା, ତାଙ୍କର ମତାମତ ମଧ୍ୟ ଟିକିଏ ବଦଳିଗଲା । ପ୍ରଥମେ ସେ ଭାବିଥିଲେ ସମ୍ପୂର୍ଣ୍ଣ ସମସ୍ୟାଟିର ଗୋପନୀୟତା ରକ୍ଷା କରିବା ସମ୍ଭବ ହେବ । ମୁଁ ସେପରି କୌଣସି ବିପଦରେ ପଡ଼ିବି ନାହିଁ । କିନ୍ତୁ ଯିବା ପୂର୍ବରୁ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା କହିଲେ । ପ୍ରଥମ ହେଲା, ‘ଯଦି–କୌଣସିମତେ ତୁମେମାନେ ଘଟଣାଟିକୁ ଅନ୍ତତଃ ଚାରି ପାଞ୍ଚ–ଦିନ ଗୋପନ ରଖି ପାର, ତେବେ ମୁଁ ସୀମା ଅତିକ୍ରମ କରିଯିବି’ । ଦ୍ଵିତୀୟତଃ, ଏହି ଅନ୍ତର୍ଦ୍ଧାନରେ ମୋର ଭୂମିକା ବେଶି ଦିନ ଗୋପନ ରହିବ ନାହିଁ, କାରଣ ପ୍ରକାଶ ହୋଇଯିବାର ସୂତ୍ର ଅନେକ । ତେଣୁ ମୋତେ କହିଥିଲେ ପୁଲିସର ନିର୍ଯ୍ୟାତନା ଓ ଦୀର୍ଘଦିନ କାରାବାସ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ମୋ’ ଆଡ଼କୁ ଟିକିଏ ଚାହିଁ କହିଲେ–‘କଣ ଆଉ ହେବ, ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ଜେଲ୍‌ରେ ରହିବ । ଯେପରି ଦେଶର ଅନେକେ ଅଛନ୍ତି ।’

 

ଆଗରୁ କହିଛି, ଓୟାନଡ଼ାରାର ଗାଡ଼ିଟା ସେଦିନ ସର୍ଭିସିଂ ହେଉଥିଲା । ସର୍ଭିସିଂ ହେବା ପାଇଁ ଏତେ ଦୀର୍ଘ ସମୟ ନେଲା ଯେ, ମୁଁ ଶେଷକୁ ଅସ୍ଥିର ହୋଇ ପଡ଼ିଲି, ବେଶ୍ ସନ୍ଧ୍ୟା ହୋଇଯିବା ପରେ ସର୍ଭିସିଂ ହୋଇ ଆସିଲା । ତା’ପରେ ମୁଁ ମାଲପତ୍ର ସବୁ ସଜାଡ଼ି ରଖିଲି ।

 

ମୁଁ ଯେତେବେଳେ ପ୍ରସ୍ତୁତ ହେଉଛି, ଦେଖିଲି ବାପା ଧୀର ପଦକ୍ଷେପରେ ତିନି ମହଲାକୁ ଉଠି ଆସିଲେ ଏବଂ ମୋତେ ଖୋଲା ଛାତକୁ ଡାକିନେଲେ । ବାପାଙ୍କର ମୁହଁ ଓ ଆଖିରେ ଉଦ୍‌ବେଗର ଚିହ୍ନ ସ୍ପଷ୍ଟଥିଲା । ବାପାଙ୍କ ସଙ୍ଗେ ଜୀବନରେ ଆଉ ମୋର ଏହାଠୁ ବେଶି ଭାବ ଗମ୍ଭୀର ଆଲୋଚନା କେବେହେଲେ ହୋଇନାହିଁ । ପ୍ରଥମେ ସେ ଆମ ପରିକଳ୍ପନା ସମ୍ବନ୍ଧରେ କେତେକ ତୀକ୍ଷ୍‌ଣ ପ୍ରଶ୍ନ ପଚାରିଲେ, ମୁଁ ସେତେବେଳେ ବୁଝିପାରିଲି ଯେ, ସମ୍ପୂର୍ଣ୍ଣ ପରିକଳ୍ପନାଟି ବାପାଙ୍କର ନଖଦର୍ପଣରେ ଅଛି । ଆମର ଛାତଟି ଆଲୋକିତ ହୋଇଥିଲା । ବାପା ପ୍ରଥମେ ମୋତେ ବୁଝାଇଲେ ଏଭଳି ଖୋଲାଖୋଲି ଭାବରେ ଲୋକଚକ୍ଷ୍ୟୁର ସମ୍ମୁଖରେ ଛିଡ଼ାହୋଇ–ଯାହାକୁ କହନ୍ତି–Conspiracy under the lamp post କଲେ ସେଇଟା ସବୁଠାରୁ ବେଶି ସଫଳ ହୁଏ । ମୁଁ ବୁଝି ପାରୁଥିଲି ଆମର ନିରାପତ୍ତା କଥା ଭାବି ଭାବି ବାପା ବେଶ୍ ବିଚଳିତ ହୋଇ ପଡ଼ିଛନ୍ତି । ସେ ମୋତେ ପଚାରିଲେ, ମୁଁ ଯେଉଁ କାମର ଦାୟିତ୍ଵ ନେଇଛି ତାହା ଠିକ୍ ଭାବେ କରି ପାରିବି ନା ନାହିଁ ? ମୁଁ ବାପାଙ୍କୁ କହିଲି, ଗାଡ଼ି ଚଳାଇବାକୁ ମୁଁ ଭଲ ପାଏ । ମୋର ନିଜ ଉପରେ ଏବଂ ମୋର ଗାଡ଼ି ଉପରେ ପୂର୍ଣ୍ଣ ବିଶ୍ଵାସ ଅଛି । ଏହା ପରେ ବାପା କହିଲେ, ତାଙ୍କର ନିଶ୍ଚିତ ବିଶ୍ଵାସ ଯେ, ଚନ୍ଦନ ନଗରରେ ଫରାସୀ ପୁଲିସ୍ ଚୋରାମାଲ୍ ନେଇ ଯାଉଛନ୍ତି କି ନାହିଁ ଦେଖିବା ପାଇଁ ଆମ ଗାଡ଼ିକୁ ଅଟକାଇବେ ଓ ଥରେ ଆପତ୍ତି କଲେ ଦାଦାଙ୍କର ଛଦ୍ମବେଶ କଣ ରହି ପାରିବ ? ସେ ଯାହାହେଉ ସ୍ଥିର ହେଲା, ମୁଁ ବାରାରିରେ ପହଞ୍ଚି ଭାଉଜଙ୍କ ସ୍ଵାସ୍ଥ୍ୟ କିପରି ଅଛି ସେ ବିଷୟରେ ବାପାଙ୍କ ନିକଟକୁ ଟେଲିଗ୍ରାମ କରିବି । ବାପା ଏହା ପରେ ଧୀରେ ଧୀରେ ତଳକୁ ଓହ୍ଲାଇ ଗଲେ ।

 

ପରେ ମୁଁ ମା’ଙ୍କ ପାଖରୁ ଶୁଣିଥିଲି ଯେ, ବାପା ସେହି ରାତ୍ରିରେ ପ୍ରାୟ ଦୁଇଟା ପର୍ଯ୍ୟନ୍ତ ଅନିଦ୍ରା ରହି କ୍ରମାଗତ ଅସ୍ଥିର ଭାବେ ଘରୁ ବାରଣ୍ଡା ଏବଂ ବାରଣ୍ଡାରୁ ଘର ଏ ଭଳି ପଦଚାରଣ କରିଥିଲେ । ସେ ଭାବିଥିଲେ ଆମେ ଉଡ଼ବାର୍ନ ପାର୍କର ଘର ସାମନା ଦେଇ ଯିବୁ । ଓୟାନଡ଼ାରାର ଗାଡ଼ିର ପରିଚିତ ଶବ୍ଦ ଶୁଣିବା ଆଶାରେ ସେ ଅପେକ୍ଷା କରୁଥିଲେ । କିନ୍ତୁ ବହୁତ ରାତ୍ରି ପର୍ଯ୍ୟନ୍ତ କଛି ଶୁଣିବାକୁ ନ ପାଇ ଆମର କ’ଣ ହେଲା ଭାବି ଭାବି ପରିଶେଷରେ ସେ ଶୋଇବାକୁ ଯାଇଥିଲେ । ଯାହାହେଉ, ସେ’ ରାତିରେ ମୁଁ ତଳକୁ ଓହ୍ଲାଇ ଆସି ପୂଝାରୀକୁ ଶୀଘ୍ର ଖାଇବାକୁ ମାଗିଲି; କହିଲି, ଭୀଷଣ କ୍ଲାନ୍ତ ଲାଗୁଛି–ଶୋଇ ପଡ଼ିବି । ମୁଁ ଯେତେ ସମୟ ଧରି ଖାଇଲି ମା’ ମୋ ପାଖରେ ଚୁପ୍‌ହୋଇ ବସିରହିଲେ । ତା’ପରେ ମୁଁ ମା’ଙ୍କ ସହିତ ଘରକୁ ଯାଇ ରାସ୍ତାଖର୍ଚ୍ଚ ପାଇଁ କିଛି ଟଙ୍କା–ପଇସା ନେଲି । ମା’ କେବଳ କହିଲେ–‘ଜାଣେନା ବାବା ତୁମେ ସବୁ କଣ କରୁଛ !’ ଏହା କହି ଟିକିଏ ମ୍ଳାନ ହସ ହସିଲେ । ଘରେ ଅନ୍ୟ ଗାଡ଼ିର ଯେଉଁ ଡ୍ରାଇଭର ଥିଲା ତାକୁ ସେହି ସମୟରେ ତଡ଼ି ପାରିଲେ ଟିକିଏ ଭଲ ହୁଅନ୍ତା । ଡ୍ରାଇଭରଟି ସବୁବେଳେ ବାହାରକୁ ଖାଇବାକୁ ଯାଉଥିଲା । ମା’ଙ୍କୁ ସେ’ ବ୍ୟବସ୍ଥା କରିବାକୁ କହିଲି–ସେ ଡ୍ରାଇଭରକୁ ଖାଇବାକୁ ଯିବା ପାଇଁ ଛୁଟିଦେଲେ ।

 

ମୁଁ ଓୟାନଡ଼ାରାର ଗାଡ଼ିକୁ ଗ୍ୟାରେଜରୁ ବାହାର କରି ପାଖରେ ଥିବା ପ୍ୟାନ୍‌ଟ୍ରି, ଦୁଆର ପାଖରେ ପାର୍କ କଲି । ଗାଡ଼ି ବାରଣ୍ଡାକୁ ଲାଗି ସଦର ଦୁଆରରେ ସବୁବେଳେ ଅନ୍ତତଃ ଜଣେ ଲୋକ ରହୁଥାଏ । ମାଲପତ୍ର ଆଣି ଗାଡ଼ିରେ ଲଦିବା ସମୟରେ ତା’ର ଦୃଷ୍ଟିକୁ ଏଡ଼ାଇବାକୁ ହେବ । ମାଲପତ୍ର ଓହ୍ଲାଇ ଆଣିବାବେଳେ ମୁଁ ତାକୁ ଭାଗ ଭାଗ କରି ଆଣିଲି, ପ୍ରଥମେ ତିନିମହଲାରୁ ଦ୍ଵିମହଲାକୁ ଓ ଦ୍ଵିମହଲାରୁ ତଳ ମହଲାକୁ । ବାଟରେ ମଝିରେ ମଝିରେ ବାକ୍‍ସଟା ଅନ୍ଧାରରେ ଲୁଚାଇ ଦେଉଥିଲି । ଘରର ଛୋଟ ଭାଇ ଭଉଣୀ ଓ ଚାକରବାକରଙ୍କର ନଜର ଏଡ଼ାଇ ଶେଷ ପର୍ଯ୍ୟନ୍ତ ମୁଁ ଜନିଷ ଗୁଡ଼ିକ ଗାଡ଼ିରେ ଲଦି ପାରିଲି ।

 

ସେତେବେଳେ ରାତି ସାଢ଼େ ଆଠଟା ହେବ, ମୁଁ ଯିବା ପାଇଁ ପ୍ରସ୍ତୁତ ହେଲି । ମୁହଁରେ କୌଣସି ପ୍ରକାର ଉତ୍ସାହ ଉତ୍ତେଜନା ଯେତେ ଦୂର ସମ୍ଭବ ପ୍ରକାଶ ନ କରି ଗାଡ଼ି ବାରଣ୍ଡାକୁ ଆସି ଯେଉଁଠାରେ ସେ ଭୃତ୍ୟଟି ରହୁଥିଲା ତାକୁ ଧୀରସ୍ଥିର ଭାବେ କହିଲି, ମୁଁ ଟିକିଏ ରିସିଡ଼ାର ବଗିଚା ଘରକୁ ଯାଉଛି, ଯଦି ବେଶି ଡେରି ହୋଇଯାଏ ତେବେ ରାତିଟା ସେଠାରେ ରହିଯିବି । ରାତି ଏଗାରଟା ସୁଦ୍ଧା ଯଦି ନ ଫେରିବି ତେବେ ସେମାନେ ଯେପରି ଆଉ ଅପେକ୍ଷା ନ କରି ଗେଟ୍, ବନ୍ଦ କରି ଦିଅନ୍ତି ।

 

ତା’ପରେ ମୁଁ ଗାଡ଼ି ଚଳାଇ ବାହାରି ପଡ଼ିଲି । ଏଲଗିନ୍ ରୋଡ଼ବାଟେ ନ ଯାଇ ଓଲଟା ଆଡ଼େ ଗାଡ଼ି ବୁଲେଇଲି । ଲୋୟାର ସାକୁର୍ଲାର ରୋଡ଼ର ଗୋଟିଏ ପେଟ୍ରୋଲ ଷ୍ଟେସନରେ ଗାଡ଼ିରେ ତେଲ ଭର୍ତ୍ତି କଲି । ଚକର ପ୍ରେସାରଟା ଠିକ୍ ଅଛି କି ନାହିଁ ଭଲଭାବେ ଦେଖିଲି ଏବଂ ବ୍ୟାଟେରି ମଧ୍ୟ ଚେକ୍ କଲି । ତା’ପରେ ଚୌରଙ୍ଗୀ ବାଟେ ଗାଡ଼ି ବୁଲାଇ ଆଣି ପଶ୍ଚିମ ପଟ ଦେଇ ଏଲଗିନ୍ ରୋଡ଼ ଘରେ ପଶିଗଲି ଓ ଖୁବ୍ ସ୍ଵାଭାବିକ ଭାବେ ଗାଡ଼ି ଚଳାଇ ଘର ପଛପଟ ପାହାଚ ପାଖରେ ଗାଡ଼ି ପାର୍କ କଲି । କୋର୍ଟଟା ଗାଡ଼ିରେ ରଖି ମୁଁ ନିତାନ୍ତ ନିରୁଦ୍‍ବିଗ୍ନ ଭାବରେ ଦ୍ଵିମହଲା ଉପରକୁ ଚଢ଼ିଗଲି ।

 

ତେର

 

ଦାଦା ସେତେବେଳେ ଲୁଗାପଟା ଓହ୍ଲାଇ ସିଲ୍‌କର ଧୋତି ଓ ଚଦର ପିନ୍ଧୁଥିଲେ । ଯେଉଁ ନିର୍ଜନ ବାସର ବ୍ରତ ସେ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି, ସେହି ବ୍ରତ ଆରମ୍ଭ ହେବା ପୂର୍ବରୁ ମା’ ଓ ପରିବାରର ଅନ୍ୟାନ୍ୟ ସମସ୍ତଙ୍କ ସାମନାରେ ସେ ଆନୁଷ୍ଠାନିକ ଭାବେ ଶେଷ ଥର ପାଇଁ ଆହାର ଗ୍ରହଣ କରିବେ । ଇଲା, ଦ୍ଵିଜେନ ଓ ଅରବିନ୍ଦ ଘରେ ପର୍ଦ୍ଦା ଲଗାଇବାରେ ବ୍ୟସ୍ତ ଥା’ନ୍ତି । ଦାଦା ମୋତେ ପରେ କହିଲେ ଅରବିନ୍ଦକୁ ଏହି ଛଳନା କରିବା କାମରେ ସାହାଯ୍ୟ କରିବାକୁ କୁହାଯାଇଛି । ଘରର ଉତ୍ତର ଦିଗରେ ଭୂଇଁରେ ବସି ଦାଦା ତାଙ୍କର ସେହି ବିଶେଷ ଆହାର ଗ୍ରହଣ କଲେ । ତାଙ୍କୁ ଘେରି ତା’ଙ୍କ ମା’, ଭାଉଜମାନେ ଓ ପୁତୁରା–ଭାଣିଜୀର ଦଳ ବସିଥିଲେ–କହିବା ବାହୁଲ୍ୟ ଯେ, ମୁଁ ତାଙ୍କ ମଧ୍ୟରେ ଅନ୍ୟତମ । ଖିଆପିଆ ସରିଲା ପରେ ଗୋସେଇଁ ମା ଓ ଅନ୍ୟମାନେ ଜଣେ ପରେ ଜଣେ ବିଦାୟ ନେଇ ଚାଲିଗଲେ । ସେମାନେ ଘୃଣାକ୍ଷରେ ମଧ୍ୟ ଜାଣି ପାରିଲେ ନାହିଁ ଯେ, ଏହି ବିଦାୟ ଦୀର୍ଘ ବିଦାୟ ହେବାକୁ ଯାଉଛି । ଦାଦା ଯେ ଦୁଃଖରେ ବିଚଳିତ ହୋଇ ପଡ଼ିଥିଲେ ତାହା ତାଙ୍କ ମୁହଁରୁ ଜଣା ପଡ଼ୁଥିଲା । ତଥାପି ସେ ନିଜକୁ ସଂଯତ ରଖିଥିଲେ ।

 

ଦାଦା ତାଙ୍କର ଏହି ବ୍ରତ ପାଳନ–ସଂକଳ୍ପର କଥା ତାଙ୍କ ପରିବାରର ସମସ୍ତଙ୍କ ପାଖରେ ଖୁବ୍ ବିଶ୍ଵାସଯୋଗ୍ୟ କରାଇ ପାରିଥିଲେ । ତେବେ ଏହି ସ୍ଵେଚ୍ଛାକୃତ ନିର୍ଜନବାସ ବେଳେ କି ଭଳି କ’ଣ କରିବାକୁ ପଡ଼ିବ ସେ ସମସ୍ତଙ୍କୁ ଭଲଭାବେ ବୁଝାଇ ଦେଇଥିଲେ । ପୁଝାରୀକୁ କି ଭଳି ପର୍ଦ୍ଦା ସେ’ ପାଖରୁ ଖାଇବା ପଦାର୍ଥ ବଢ଼ାଇ ଦେବାକୁ ହେବ ତାହା ବୁଝାଇ ଦିଆ ହୋଇଥିଲା । ନିଜ ହାତରେ ରେଡ଼ିମେଡ଼ ଉତ୍ତର ଲେଖା କେତେ ଗୁଡ଼ିଏ ଚିଟ୍ ତିଆରି କରି ଯାଇଥିଲେ । ଯେଉଁ ଲୋକମାନେ ତାଙ୍କୁ ସାକ୍ଷାତ କରିବାକୁ ଆସିବେ, ସେମାନେ କେଉଁ କାମରେ ଆସିଛନ୍ତି ଅନୁମାନ କରି ସେହି ଚିଟ୍ ଗୁଡ଼ିକ ବଢ଼ାଇ ଦେବାକୁ ହେବ । ଏହି ସବୁ ଚିଟ୍‌ର କୌଣସିଟିରେ ଲେଖାଥିଲା–‘ଏ ସଂକ୍ରାନ୍ତରେ କଂଗ୍ରେସ ଅଫିସରେ ବୁଝାବୁଝି କରନ୍ତୁଅଥବା ‘ଏ ସମ୍ପର୍କରେ କର୍ପୋରେଶନରେ ଖବର ନିଅନ୍ତୁ’, ନ ହେଲେ ‘ଦେହ ଅସୁସ୍ଥ, ପରେ ଏ ବିଷୟରେ ଆଲୋଚନା ହେବ’ ଅଥବା ‘ଅମୁକ ଲୋକ ସଙ୍ଗେ କଥାବାର୍ତ୍ତା କରନ୍ତୁ’ ଇତ୍ୟାଦି । ଏହାଛଡ଼ା ଜେଲରେ ଯେଉଁସବୁ ସହକର୍ମୀ ଥିଲେ ତାଙ୍କ ଉଦ୍ଦେଶ୍ୟରେ ସେ କେତୋଟି ଚିଠି ଲେଖି ଯାଇଥିଲେ । ଦାଦା କହିଥିଲେ, ସେ ଚାଲିଯିବା ପରେ ପରବର୍ତ୍ତୀ କୌଣସି ଦିନର ତାରିଖ ଦେଇ ଚିଠିଗୁଡ଼ିକ ଯେପରି ଡାକରେ ପଠା ହୁଏ । ଏହି ସବୁ ଚିଠିଗୁଡ଼ିକ ଭିତରେ ଶ୍ରୀ ହରିବିଷ୍ଣୁ କାମାଥଙ୍କୁ ଲେଖିଥିବା ୧୮ ଜାନୁୟାରୀ ତାରିଖର ଚିଠି ଅନ୍ୟତମ ।

କ୍ରମଶଃ ରାତ୍ରି ଗଭୀର ହେଲାରୁ ଘରର ସମସ୍ତେ ତିନିମହଲାର ଯେ ଯାହାର ଘରକୁ ଶୋଇବାକୁ ଗଲେ । ଗୋସେଇଁ ମା’ ମଧ୍ୟ ଦାଦାଙ୍କ ପାର୍ଶ୍ଵବର୍ତ୍ତୀ ନିଜ ଶୋଇବା ଘରକୁ ଚାଲିଗଲେ । ମୁଁ ଜାଣେନା ସେଦିନ ସେ କେତେ ରାତି ପର୍ଯ୍ୟନ୍ତ ଅନିଦ୍ରା ଥିଲେ ।

ଆମେ ଯେତେବେଳେ ରାତି ସାଢ଼େ ଗୋଟେ ସମୟରେ ଘରୁ ବାହାରିଲୁ ସେତେବେଳେ ସେ ଚାହିଁଥିଲେ କି ? ବୟସ୍କମାନଙ୍କ ଭିତରୁ ଆଉ କାହାକୁ ନେଇ କୌଣସି ସମସ୍ୟା ଉପୁଜି ନ ଥିଲା । କିନ୍ତୁ ଦଦେଇ ଓ ଦାଦା ପୁଅ ଦୁଇ ଭାଇ କେବଳ ଆଖପାଖରେ ବୁଲାବୁଲି କରିବାକୁ ଲାଗିଲେ । ତାଙ୍କ ମଧ୍ୟରୁ ଜଣକ ସଙ୍ଗେ ମୁଁ ପାଖ ଘରେ ଅର୍ଥାତ୍ ଇଲାର ଶୋଇବା ଘରେ ବସି ରେଡ଼ିଓ ଶୁଣିବାରେ ଲାଗିଲି ଓ ତାଙ୍କୁ ନାନା ପ୍ରକାର ଗପସପ କରି ଭୁଲେଇ ରଖିଲି ଓ କ୍ଳାନ୍ତ କରି ଦେବାର ଚେଷ୍ଟା କରୁଥିଲି । ଶେଷ ପର୍ଯ୍ୟନ୍ତ ସେ ପରାଜୟ ସ୍ଵୀକାର କରି ଶୋଇବାକୁ ଯିବା ପାଇଁ ବାହାରିଲେ । ମୁଁ ମଧ୍ୟ ଘରକୁ ଯିବାର ଛଳନା କରି ଛିଡ଼ା ହେଲି । ଅନ୍ୟ ଭାଇଟି କିନ୍ତୁ ଏତେ ସହଜରେ ଭୁଲିବାର ପାତ୍ର ନୁହେଁ । ତା’ଛଡ଼ା ଆମର କାର୍ଯ୍ୟକଳାପ ସ୍ପଷ୍ଟତଃ ତା ପାଖରେ ସନ୍ଦେହଜନକ ମନେ ହୋଇଥିଲା । ସେ ଥରେ ଜିଜ୍ଞାସା କଲେ, ମୁଁ କାହିଁକି ଏତେ ରାତି ପର୍ଯ୍ୟନ୍ତ ଘରକୁ ଯାଉନାହିଁ । ଆଉ ଥରେ ପଚାରିଲେ, ମୁଁ କାହିଁକି ଆଜି ଗାଡ଼ି ଧରି ଆସିଛି । ସେ ଉପର ମହଲାର ନିଜ ଘରକୁ ଯାଇ ମଧ୍ୟ ବାରମ୍ବାର ଫେରି ଆସୁଥିଲେ । ଥରେ ତ ମୁଁ ‘ଏଥର ଘରକୁ ଯିବା’, କହି ଖୁବ୍ ଶୀଘ୍ର ଗୋଡ଼ ପକାଇ ତଳକୁ ଓହ୍ଲାଇ ଆସି ପୁଣି ଥରେ ନିଃଶବ୍ଦରେ ଯେତେବେଳେ ଉପରକୁ ଉଠି ଆସୁଛି, ତାଙ୍କ ମୁହାଁମୁହିଁ ପଡ଼ିଗଲି ।

ଅମୂଲ୍ୟ ସମୟ ବୋହି ଯାଉଛି, ଦାଦା ବ୍ୟସ୍ତ ହୋଇ ପଡ଼ିଲେ । ଶେଷ ପର୍ଯ୍ୟନ୍ତ ଦ୍ଵିଜେନକୁ ଡାକି ଦାଦା କହିଲେ, ମୋର ଏହି ସନ୍ଦେହଗ୍ରସ୍ତ ଭାଇଟିକୁ ସାଙ୍ଗରେ ନେଇଯାଇ ବିଛଣାରେ ଶୋଇ ରୁହ ଏବଂ ଯେ କୌଣସି ଉପାୟରେ ହେଉ ଆମେ ଚାଲି ନ ଯିବା ପର୍ଯ୍ୟନ୍ତ ତାକୁ ଅଟକାଇ ରଖ ।

ବାହାରକୁ ଯିବାର ଲମ୍ବା କରିଡ଼ୋର ଓ ଘର ପଛପଟର ସିଡ଼ି ଆଉ ଥରେ ଦେଖି ନିଆହେଲା । ସବୁ ଠିକ୍ ଅଛି ।

ଘରର ସେହି ପର୍ଦ୍ଦା ସେ’ପାଖେ ଛିଡ଼ାହୋଇ ଦାଦା ମହମ୍ମଦ ଜିଆ–ଉଦ୍ଦିନର ପୋଷାକ ପିନ୍ଧିଲେ । ତାଙ୍କ ବେଡ଼ିଙ୍ଗ୍‌ଟା ଭଲ ଭାବରେ ବାନ୍ଧି ନେବାକୁ ହେଲା ।

ଦାଦା ତାଙ୍କର ବାଦାମୀ ରଙ୍ଗର ଗଳାବନ୍ଧ ଲମ୍ବା କୋର୍ଟ ସାଙ୍ଗରେ ଢିଲା ପାଇଜାମା ପିନ୍ଧିଲେ ଆଉ ମୁଣ୍ଡରେ କଳାଫେଜ୍ ଟୋପି ଲଗାଇଲେ । ଶେଷ ମୁହୂର୍ତ୍ତରେ ଏହି ଛଦ୍ମବେଶ ସମ୍ପର୍କରେ ସେ ଗୋଟିଏ ପରିବର୍ତ୍ତନ କଲେ । ସେ କହିଲେ, ମୁଁ ଯେଉଁ କାବୁଲ ଚପଲ ହଳେ ତାଙ୍କ ପାଇଁ କଣିଥିଲି ସେଇଟା ପିନ୍ଧି ଚଲାବୁଲା କରିବା ତାଙ୍କ ପକ୍ଷେ କଷ୍ଟକର । ତେଣୁ ପୁରୁଣା ଫିତା ବନ୍ଧା ଭାରି ମଜବୁତ୍ ଯେଉଁ ଜୋତା ସେ ଇଉରୋପରେ ବ୍ୟବହାର କରୁଥିଲେ ତାକୁ ପିନ୍ଧିଲେ । ସେଥିରେ ସେ ବେଶି ଆରାମ ପାଇଲେ ସତ କିନ୍ତୁ ଏହି ଜୋତା ବିଭ୍ରାଟ ଫଳରେ ପରେ ଆମକୁ ଗୋଟିଏ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯେଉଁ ଚଷମାଟା ସେ ସେ’ସମୟରେ ପିନ୍ଧୁଥିଲେ ସେଇଟା ଛାଡ଼ି ଦଶବର୍ଷ ତଳର ପୁରୁଣା ରୋଲଡ଼ ଗୋଲଡ଼ ରାଉଣ୍ଡ ଫ୍ରେମର ଚଷମାଟା ସାଙ୍ଗରେ ନେଲେ, କହିଥିଲେ, ଯେତେବେଳେ ଅନ୍ଧାରରେ ବା ଏକୁଟିଆ ରହିବେ ସେତେବେଳେ ଚଷମା ବ୍ୟବହାର କରିବେ ନଚେତ୍ ଚଷମା ବିନା ଚଳିବେ ।

ଦ୍ୱିଜେନକୁ ଦାୟିତ୍ଵ ଦିଆ ହୋଇଥିଲା ଆମର ସେହି ସନ୍ଦିଗ୍‌ଧ ଭାଇଟିକୁ ଅଟକାଇ ରଖିବାକୁ, ଆଉ ତା ଛଡ଼ା ରାସ୍ତାଘାଟ ଆଡ଼କୁ ଲକ୍ଷ୍ୟରଖି ଫାଟକ ପାଖରେ C. I. D. ମାନେ ଅଛନ୍ତି କି ନାହିଁ ଜୋର୍‌ରେ ଗଳା–ଖଙ୍କାର ଦେଇ, ଆମକୁ ସଙ୍କେତ ଦେବାକୁ ।

ରାସ୍ତା କ୍ଲିଅର ହେବା ଆଶାରେ ଅପେକ୍ଷା କରୁ କରୁ ଯେ ତିନି ଘଣ୍ଟା ସମୟ ଅତିବାହିତ ହୋଇ ଯାଇଛି ସେ’ କଥା ଆମେ ବୁଝି ପାରି ନ ଥିଲୁ । ଯାହାହେଉ ଉପରୁ ସଙ୍କେତ ଭାସି ଆସିଲା ଏବଂ ଆମେ ମଧ୍ୟ ଯାତ୍ରା ଆରମ୍ଭ କଲୁ ।

ଦାଦା ପର୍ଦ୍ଦା’ ବାହାରକୁ ଆସି ଇଲା ପାଖରୁ ସସ୍ନେହେ ବିଦାୟ ନେଲେ; କହିଲେ, ଭଗବାନ ତୁମର ମଙ୍ଗଳ କରନ୍ତୁ । ଇଲାକୁ କୁହାହେଲା ଆମେ ଚାଲିଯିବା ପରେ ମଧ୍ୟ ଅନ୍ତତଃ ଆଉ ଘଣ୍ଟାଏ ଯେପରି ଦାଦାଙ୍କ ଘରର ଆଲୁଅ ଜଳୁଥିବ ।

ହୋଲଡ଼୍–ଅଲ୍ ନେଇ ଅରବିନ୍ଦ ଆଗରେ, ତା’ପରେ ଦାଦା, ପଛରେ ମୁଁ, ତିନିଜଣ କରିଡ଼ୋରର କାନ୍ଥକୁ ଲାଗି ଗୋଡ଼ ଚିପି ଚିପି ଚାଲିଲୁ । ସେଦିନ ଆକାଶରେ ଉଜ୍ଵଳ ଜ୍ୟୋତ୍ସ୍ନା, ଦାଦା ସାବଧାନ କରିଦେଲେ କାନ୍ଥରେ ଯେପରି ଛାଇ ନ ପଡ଼େ ।

ପ୍ରାୟ ସାଇଲେଣ୍ଟ ମାର୍ଚ୍ଚ କରି ଆମେ ପଛ ସିଡ଼ି ଦେଇ ଓହ୍ଳାଇ ଗାଡ଼ି ପାଖକୁ ଆସି ପହଞ୍ଚିଲୁ । ହୋଲଡ଼୍–ଅଲଟି ସାମନା ସିଟ୍‌ରେ ରଖି ଦିଆହେଲା । ଦାଦା ନିଃଶବ୍ଦେ ଗାଡ଼ିରେ ଚଢ଼ି ଦୁଆରଟା ବନ୍ଦ ନ କରି ହାତରେ ଧରି ରଖିଲେ, କେହି ଯଦି ଶୋଇ ନ ଥାଏ, ଦୁଇଟା ଦୁଆର ବନ୍ଦ ହେବାର ଶବ୍ଦ ଯେପରି ଶୁଣି ନ ପାରେ, ନଚେତ୍ ସନ୍ଦେହ ହେବ ଦୁଇଜଣ ଲୋକ ବାହାରି ଗଲେ ।

ଦାଦା ଗାଡ଼ିରେ ବସିବା ପରେ ମୁଁ ବେଶ୍ ଶବ୍ଦ କରି ଚଟି ଜୋତା ଫଟ୍ ଫଟ୍, କରି ଗାଡ଼ିରେ ଉଠିଲି ଓ ଦୁଆରଟା ମଧ୍ୟ ସଶବ୍ଦରେ ବନ୍ଦ କଲି । ମୋର ଏତେ ସବୁ ଚେଷ୍ଟାକୃତ ଗୋଳମାଳରେ ଦୂରରେ କେଉଁଠି କେତେଟା କାଉ ରାବି ଉଠିଲେ । ବାହାରର ଗେଟ୍‌ଟା ଅରବିନ୍ଦ ଆଗେଇ ଯାଇ ଖୋଲିଦେଲା; ମୁଁ ତା’ପରେ ତୁମୁଳ ଗର୍ଜନ କରି ଗାଡ଼ି ଚଳାଇ ଜୋର୍‌ରେ ବାହାରିଗଲି ।

 

ଚଉଦ

 

ଦୀର୍ଘ ପ୍ରତୀକ୍ଷାର ଅବସରରେ ଦାଦା ମୋତେ କହିଥିଲେ ଯେ, ଘରୁ ବାହାରି ମୁଁ ଯେପରି ପ୍ରଥମତଃ ଦକ୍ଷିଣ ଦିଗକୁ ଯାଏ ଯଦିଓ ଉତ୍ତର ଆମର ଗନ୍ତବ୍ୟ ଦିଗ । ଘରୁ ବାହାରି ତ ଡାହାଣକୁ ଆଗେଇଲି । ତା’ପରେ ଏଲଗିନ୍ ରୋଡ଼ ଛାଡ଼ି ପୁଣି ଡାହାଣ ପଟେ ବୁଲି ଏଲେନବି ରୋଡ଼ରେ ଦକ୍ଷିଣ ଦିଗକୁ ଗାଡ଼ି ଚଳାଇଲି । ଆମର ପାଖାପାଖି କୌଣସି ବିପଦର ସମ୍ଭାବନା ଅଛି ବୋଲି ମନେହେଲା ନାହିଁ । ଏଲଗିନ୍‌ ରୋଡ଼ ଏବଂ ଉଡ଼ବାର୍ନ ରୋଡ଼ର ଛକରେ ଖଟ ପକାଇ ସି–ଆଇ–ଡ଼ି ଲୋକମାନେ ତାଙ୍କର ହେଡ଼କ୍ଵାର୍ଟର ସ୍ଥାପନ କରିଥିଲେ । ଆମେ ଯେତେବେଳେ ବାହାରିଗଲୁ ସେମାନେ ସମ୍ଭବତଃ କମ୍ବଳ ଘୋଡ଼ି ଆରାମରେ ଶୋଇ ଯାଇଥିଲେ ! ଦୁଇ ରାସ୍ତାର ଛକରେ ଏହି ପର୍ଯ୍ୟବେକ୍ଷଣ କେନ୍ଦ୍ରଟିର ଉଦ୍ଦେଶ୍ୟ ଥିଲା ଅବଶ୍ୟ ଗୋଟିଏ ବାଟୁଳିରେ ଦୁଇଟି ପକ୍ଷୀ ମାରିବା । ସେଠାରୁ ବସୁ ପରିବାରର ଦୁଇଟି କୋଠା ଉପରେ ସେମାନେ ସତର୍କ ଦୃଷ୍ଟି ରଖୁଥିଲେ ଓ ଦରକାର ପଡ଼ିଲେ ହଠାତ୍ ଯାଇ ଯେ କୌଣସି କୋଠା ସମ୍ମୁଖରେ ଉପସ୍ଥିତ ହେଉଥିଲେ । ଯାହାହେଉ ତାଙ୍କ କୌଶଳ ବ୍ୟର୍ଥତାରେ ପର୍ଯ୍ୟବସିତ ହେଲା ଏବଂ ପକ୍ଷୀ ଦୁଇଟି ସେମାନଙ୍କର ଅଜାଣତରେ ଉଡ଼ିଗଲେ ।

 

ଏଲେନବି ରୋଡ଼ରେ ଖଣ୍ଡେ ଦୂର ଯିବା ପରେ ବାଁ ପଟେ ଜଷ୍ଟିସ୍ ଚନ୍ଦ୍ରମାଧବ ରୋଡ଼କୁ ଆସିଲି ଏବଂ ତା’ପରେ ଲନ୍‌ସଡ଼ାଉନ୍ ରୋଡ଼ରେ ପହଞ୍ଚିଲି । ଦାଦା ସେହି ଯେ ଗାଡ଼ିର ଦୁଆର ଧରି ବସିଥିଲେ, ଏଲେନବି ରୋଡ଼କୁ ଆସି ସେ ଦୁଆରଟା ବନ୍ଦ କଲେ । ଲନ୍‌ସଡ଼ାଉନ ରୋଡ଼ରେ ଆସି ପୁଣି ଉତ୍ତରକୁ ବୁଲି ଲୋୟାର ସାର୍କୁଲାର ରୋଡ଼ରେ ପହଞ୍ଚିଲି । କିଛି ସମୟ ଧରି ମୁଁ ବାରମ୍ବାର ପଛକୁ ଫେରି ଚାହୁଁଥିଲି, କୌଣସି ଗାଡ଼ି ଆମକୁ ଅନୁସରଣ କରୁଚି କି ନାହିଁ । ପଛପଟୁ କୌଣସି ଆଲୁଅ ଦେଖାଗଲେ ହିଁ ମୁଁ ସନ୍ଦିଗ୍‌ଧ ଭାବରେ ଦେଖୁଥିଲି । ଦାଦା ମୋତେ ପଚାରିବାରେ ଲାଗିଲେ, କାହିଁକି ମୁଁ ସନ୍ଦିହାନ୍ ହେଉଛି ଏବଂ କେହି ଆମକୁ ଫଲୋ କଲା ଭଳି ମନେ ହେଉଛି କି ନା ?

 

ଆମର ପ୍ଲାନ୍ ଥିଲା ସକାଳ ହେବା ଆଗରୁ ହିଁ ଧାନବାଦ୍ ପହଞ୍ଚିଯିବୁ, ଅଥଚ ଯାତ୍ରା ଆରମ୍ଭ କରୁ କରୁ ଅନେକ ଡେରି ହୋଇଗଲା । ସେଥିପାଇଁ ମୁଁ ଚିନ୍ତିତ ହୋଇ ପଡ଼ିଥିଲି । ପୁଣି ଏପଟେ ଖୁବ୍ ବେଶି ସ୍ପିଡ଼ରେ ଗାଡ଼ି ଚଳାଇବାର ବିପଦ ମଧ୍ୟ ମୁଁ ନେବାକୁ ଚାହେଁନି । ମନର ଅସ୍ଥିରତାରେ ସମୟ ଏବଂ ସ୍ପିଡ଼ ସମ୍ବନ୍ଧରେ ମନେ ମନେ ଗୋଟିଏ ପ୍ଲାନ କରିବା ଉଦ୍ଦେଶ୍ୟରେ ମୁଁ ଟିକିଏ ପରେ ପରେ ଡ୍ୟାଶ୍‌ବୋର୍ଡ଼ର ଘଡ଼ିରେ ଟର୍ଚ୍ଚ ଆଲୁଅ ପକାଇ ସମୟ ଦେଖୁଥିଲି । ଲେୟାର ସାର୍କୁଲାର ରୋଡ଼ରେ ଆସି ଶେୟାଲଦାରେ ପହଞ୍ଚିଲି । ଶେୟାଲଦା ପାଖରେ ଗାଡ଼ିର ଗତି କମାଇ ଦେବାକୁ ପଡ଼ିଲା । କାରଣ କେତେଟା ଘୋଡ଼ାଗାଡ଼ି ରାସ୍ତା ମଝିରେ ଏପଟ ସେପଟ ବୁଲାବୁଲି କରୁଥିଲେ । ଏମାନେ ଆମର ଆହୁରି ଡେରି କରି ଦେବେ–ଏହି କଥା ଭାବୁ ଭାବୁ ମୁଁ ଆଉ ଥରେ ଡ୍ୟାଶ୍‌ବୋଡ଼ ଘଡ଼ିରେ ଟର୍ଚ୍ଚ ଆଲୁଅ ପକାଇଲି । ଦାଦା ମୋତେ ସାବଧାନ କରିଦେଲେ, ଟର୍ଚ୍ଚ ଆଲୁଅ ଏପରି ପକାଅ ନାହିଁ । ଡ୍ୟାଶ୍‌ବୋର୍ଡ଼ର ଆଲୁଅ ଆସି ମୋ’ ମୁହଁରେ ପଡ଼ୁଛି ।

 

ହ୍ୟାରିସନ୍ ରୋଡ଼ରେ ଆଗେଇ ଯାଉ ଯାଉ ଆମେ ବୁଝି ପାରିଲୁ ସମଗ୍ର କଲିକତା ବର୍ତ୍ତମାନ ନିଦ୍ରିତ ଆଉ ଭୟର କିଛି କାରଣ ନାହିଁ । କେବଳ ହାଓଡ଼ା ବ୍ରିଜ୍‌ର ପାଖକୁ ଆସି ଗୋଟିଏ ଦୁଇଟା ଟାକ୍‌ସି ଆଉ କେତୋଟା ଘୋଡ଼ାଗାଡ଼ି ଆଖିରେ ପଡ଼ିଲା ।

 

ସେ’ ସମୟରେ ମଧ୍ୟ ଗଙ୍ଗାନଦୀ ପାରି ହୋଇ ଗ୍ରାଣ୍ଡ ଟ୍ରଙ୍କ୍ ରୋଡ଼କୁ ଆସିବାକୁ ହେଲେ ଦୁଇଟା ବ୍ରିଜ ଥିଲା–ହାଓଡ଼ା ବ୍ରିଜ ଓ ଦକ୍ଷିଣେଶ୍ଵର ପାଖ ଦେଇ ଉଇଲିଂଡ଼ନ୍ ବା ବାଲି ବ୍ରିଜ୍ । ବାରାକପୁର ଟ୍ରଙ୍କ ରୋଡ଼ରେ ଗଲେ ବାଲି ବ୍ରିଜର ଯେଉଁ ଦ୍ୱୀତିୟ ରାସ୍ତା ପଡ଼ିବ ସେହି ରାସ୍ତାଟି ଅପେକ୍ଷାକୃତ ଟିକିଏ ଭଲ ଥିଲା ଏବଂ ଆମେ ସାଧାରଣତଃ ରିସିଡ଼ାର ଘରକୁ ଯିବା ପାଇଁ ସେହି ରାସ୍ତାଟି ହିଁ ବ୍ୟବହାର କରୁ । କିନ୍ତୁ ବ୍ରିଜ ପାରି ହେବାକୁ ହେଲେ ପାନୁ ପାଇଁ ପଇସା ଦେବାକୁ ହୁଏ-। ପଇସା ନେବାକୁ ପାନୁବାଲାମାନେ ଖୁବ୍ ପାଖକୁ ଆସନ୍ତି । କିଏ ଜାଣେ, କାଳେ କେହି ଚିହ୍ନି ପକାଇବେ ତେଣୁ ଏହି ବ୍ରିଜ ଦେଇ ଯେ ଯିବା ନାହିଁ ତାହା ଆଗରୁ ହିଁ ଆଲୋଚନା ପରେ ଠିକ୍ ହୋଇଥିଲା । ହାଓଡ଼ା ବ୍ରିଜ୍, ପାରି ହେବା ସମୟରେ ଓ ପରେ ହାଓଡ଼ାର ଆବଡ଼ା ଖାବଡ଼ା ରାସ୍ତାରେ ଯିବାବେଳେ ଗାଡ଼ି ଖୁବ୍‍ ବେଶି ଶବ୍ଦ କରିବାକୁ ଲଗିଲା । ନିଝୁମ ରାତିରେ ଗାଡ଼ିର ଏହି ଶବ୍ଦ ମୋ’ ପାଇଁ ଅସ୍ଵସ୍ତିବୋଧ ହେଲା, କାଳେ କେହି ଯଦି ଶୁଣି ପକାଇବେ । ଶିଳ୍ପ–ଇଲାକା ପାରି ହେବା ସମୟରେ ବେଳେବେଳେ ରାସ୍ତାରେ ସଶସ୍ତ୍ର ପୁଲିସ ଆଖିରେ ପଡ଼ିଲେ । ସେମାନେ ଆମର ଚଳନ୍ତା ଗାଡ଼ି ଆଡ଼କୁ ନିର୍ଲିପ୍ତ, ଭାବରେ ଚାହିଁ ଦେଖିଲେ । ପରିଚିତ ଜାଗାସବୁ ପାରି ହେବା ସମୟରେ ଆମେ କଥାବର୍ତ୍ତା ହୋଇ ଯାଉଥିଲୁ–ଏହି ତ ଲିଲୁଆ ପାରି ହେଲୁ–ଏହା ପରେ ଉତ୍ତରପାଡ଼ା, ବାଲି, କୋନ୍ନଗର ଏଥର ଆମର ରିସିଡ଼ା ତା’ପରେ ଶ୍ରୀରାମପୁର ଇତ୍ୟାଦି-

Unknown

 

ଘଣ୍ଟାଏ ଖଣ୍ଡେ ଡ୍ରାଇଭିଂ କରିବା ପରେ ମୁଁ ଦାଦାଙ୍କୁ କହିଲି “ଆପଣ ଟିକଏ ଶୋଇ ପଡ଼ନ୍ତୁ ନା” ! ଦାଦା କହିଲେ–“ନା ତାହା ତୁମପାଇଁ ଭଲ ହେବ ନାହିଁ । ଗାଡ଼ିର ଏକମାତ୍ର ଆରୋହୀ ଯଦି ଶୋଇପଡ଼େ ତାହାହେଲେ ଯେ ଡ୍ରାଇଭିଂ କରୁଛି ତା’ର ମଧ୍ୟ କ୍ଳାନ୍ତି ଆସିଯାଏ । ତା’ଅପେକ୍ଷା ଚାଳକ ସହିତ ମଝିରେ ମଝିରେ କଥାବାର୍ତ୍ତା କରି ତାକୁ ସଙ୍ଗ ଦେବାଟା ଉଚିତ୍” ଏହି ଆଳରେ ସେ ତାଙ୍କର କେତେ ଗୁଡ଼ିଏ ଲମ୍ବାଲମ୍ବା ମଟର ଯାତ୍ରାର କଥା କହିଲେ ଏବଂ ମୋତେ ଆଶ୍ଵସ୍ତ କଲେ ଯେ, ରାତ୍ରି ଉଜାଗର ହୋଇ ମଟରରେ ଭ୍ରମଣ କରିବା ତାଙ୍କର ଅଭ୍ୟାସ ଅଛି ।

 

ଆସିଲାବେଳେ ଇଲା ଥର୍ମଫ୍ଲାସ୍କ ଭର୍ତ୍ତିକରି କଫି ଦେଇଥିଲା । ଦାଦା ମଝିରେ ମଝିରେ ମୋତେ କଫି ପିଇବାକୁ କହୁଥାନ୍ତି । ଏପରିକି, ଯେତେବେଳେ ମୁଁ ଲେଭେଲ କ୍ରସିଂ ନିକଟରେ ଗାଡ଼ି ଅଟକାଇଛି, ସେ କପ୍‌ରେ କଫି ଢାଳି ମୋ’ ମୁହଁ ପାଖରେ ଧରିଲେ, କଣ ଆଉ କରନ୍ତି ଧୀରେ ଧୀରେ ଓଠ ଲଗାଇ ପିଇଲି ।

 

ସେହି ଦୀର୍ଘପଥ ଅତିକ୍ରମ କରିବା ସମୟରେ ମଝିରେ ମଝିରେ ନାନା ଧରଣର କଥାବାର୍ତ୍ତା ହୋଇଥିଲା । ହଠାତ୍ ଥରେ ଦାଦା କହିଲେ–“ଡି ଭ୍ୟାଲେରାଙ୍କ ଏସକେପ୍ ଗଳ୍ପ ଜାଣ ତ-?”

 

ମୁଁ କହିଲି, ଜାଣେ । ସେହି କେକ୍ ଉପରେ ଚାବିର ଛାପ ଦେଇ ଜେଲ ଭିତରକୁ ଚାଲାଣ କରିଦେବା–ତା’ପରେ ସେହି ଛାପରୁ ଚାବି ତିଆରି କରିବା କାହାଣୀ ତ ? ମୁଁ ମଧ୍ୟ ଶେଷ ଆଡ଼କୁ କେତେଗୁଡ଼ିଏ ବିଖ୍ୟାତ ‘ଏସକେପ୍’ କାହାଣୀ ପଢ଼ିଥିଲି ।

 

ଦାଦା ହଠାତ୍ ମୋତେ ଚମକାଇ ଦେଇ କହିଲେ “ଜାଣ, ଆଜି ରାତିରେ ବାହାରିବାର ପ୍ଲାନ ମୁଁ ଆଉ ଟିକିଏ ହୋଇଥିଲେ ବାତିଲ୍ କରିଦେଇଥାନ୍ତି ।’’ ପରିବାରରେ କେତେ ଜଣଙ୍କ ମନରେ ତାଙ୍କର ଗତିବିଧି ଯେ ସନ୍ଦେହ ସୃଷ୍ଟି କରିଛି, ସେହି କାରଣରୁ ସେ ଏହି କଥା ଭାବିଥିଲେ । କହିଲେ, ‘‘ଦେଖ, ଏସବୁ କ୍ଷେତ୍ରରେ କଣ କରିବାକୁ ହୁଏ ଜାଣ ? ଯେତେବେଳେ ଏପରି ପରିସ୍ଥିତି ହୁଏ ଯେ, କାହାରି ମନରେ ଗଭୀର ସନ୍ଦେହ ହୋଇଛି, ଯାହାକୁ ଅତିକ୍ରମ କରିବା ଉପାୟ ନାହିଁ ଏବଂ ସେ ଅନ୍ୟଥାରେ ସନ୍ଦେହ ବିସ୍ତାର କରି ଆହୁରି କ୍ଷତି କରି ପାରେ, ତାକୁ ଅବସ୍ଥାର କଛିକାଂଶ ପ୍ରକାଶ କରି ନିଜ ଦଳକୁ ଟାଣି ନେବାକୁ ହୁଏ, ତାହାହେଲେ ସେ ମୁହଁ ବନ୍ଦକରି ରହେ । କିନ୍ତୁ ଏହି ନୀତି ମାନି ଚଳିବାର ଗୋଟିଏ ସୀମା ଅଛି । ମୁଁ ଇତି ମଧ୍ୟରେ କେତେ ଥର ଏପରି କରିବାକୁ ବାଧ୍ୟ ହୋଇଛି ଏବଂ ସମ୍ମୁଖରେ ଅନେକ ରାସ୍ତା ପଡ଼ିରହିଛି । ଗୋଟିଏ ଲୋକକୁ ଗୋପନ କଥାଟି ପ୍ରକାଶ କରିବା ଆଗରୁ ବହୁତ କଛି ବିବେଚନା କରିବାକୁ ହୁଏ–ତା’ର ବନ୍ଧୁବାନ୍ଧବ, ଜୀବନଯାତ୍ରାର ଗତିବିଧି ଇତ୍ୟାଦି । ଘରର ଅନ୍ୟ କାହାକୁ ହେଲେ ଏହା ସହିତ ଜଡ଼ିତ କରିବା ସମ୍ଭବ ନୁହେଁ । ତାହାହେଲେ ଆଉ କିଛି ଗୋପନ ରହିବନି ।”

 

ଦାଦା ଆହୁରି କହିଲେ–ତୁମେ ପ୍ରତିଦିନ ସନ୍ଧ୍ୟାବେଳେ ଯେପରି ଏଲଗିନ୍ ରୋଡ଼ର ଘରକୁ ଯାଉଥିଲ, ଫେରିଯିବା ପରେ ଠିକ୍ ସେହିପରି ଯିବା ଆସିବା କରିବ । ମୁଁ କଲିକତା ଫେରିବା ପରେ ମୋ’ ବାପା ମଧ୍ୟ ମୋତେ ଠିକ୍ ସେହି ଉପଦେଶ ଦେଇଥିଲେ । ଦାଦା କହିଲେ–ଯେଉଁମାନେ ଏହି ଗୋପନ ଗୃହତ୍ୟାଗର କଥା ଜାଣନ୍ତି, ମୁଁ ଫେରି ଆସିବା ପରେ, ଏହି ଘଟଣାର ଗୋପନତା ରକ୍ଷା କରିବାକୁ ମୁଁ ଯେପରି ସେମାନଙ୍କୁ ବାରମ୍ବାର କୁହେ । ଇଂରାଜୀରେ ସେ କହୁଥିଲେ–They must keep their mouth shut.

 

ପୁଣି ଆମର ଆତ୍ମୀୟ ପରିଜନ ଓ ବନ୍ଧୁବାନ୍ଧବ ଗୋଷ୍ଠୀ ଭିତରେ କେତେଜଣଙ୍କର ନାଁ କହି ତାଙ୍କ ସମ୍ବନ୍ଧରେ ମୋତେ ସତର୍କ ରହିବାକୁ କହିଲେ ।

 

ବର୍ଦ୍ଧମାନ ଯିବା ବାଟରେ ଗୋଟିଏ ବନ୍ଦଥିବା ଲେଭେଲ୍ କ୍ରସିଂ ଦେଖି ମୁଁ ହଠାତ୍ ଗାଡ଼ିର ବ୍ରେକ୍ କଷିବାରୁ ଝଲକାଏ ଅଧିକ ପେଟ୍ରୋଲ ଆସି ଇଂଜିନ୍ ବନ୍ଦ ହୋଇଗଲା । ଦାଦା ଉତ୍କଣ୍ଠିତ ହୋଇ ପଡ଼ିବାରୁ ମୁଁ ତାଙ୍କୁ ଆଶ୍ୱସ୍ତ କରି କହିଲି ଯେ, ଦୁଇ ମିନିଟ ଖଣ୍ଡେ ଅପେକ୍ଷା କଲେ ଠିକ୍ ହୋଇଯିବ । ସେ ସେତେବେଳେ ମୋ ପାଇଁ କଫି ଢାଳିବାକୁ ବ୍ୟସ୍ତ ହୋଇ ପଡ଼ିଲେ । ଗାଡ଼ି ଯଥାରୀତି ଷ୍ଟାଟ୍ ନେଲା । ଟ୍ରେନଟା ମଧ୍ୟ ବହୁତ ବେଳୁ ଚାଲିଯାଇଥାଏ, କିନ୍ତୁ ଲେଭେଲ୍ କ୍ରସିଂର ଗେଟ୍ ଆଉ ଖୋଲୁନି । ଶୀତ ରାତିରେ ଲୋକଟି ଘରର କବାଟ ବନ୍ଦ କରି ଶୋଇ ପଡ଼ିଛି, ମୁଁ ଗାଡ଼ିରୁ ଓହ୍ଲାଇ କବାଟ ଧକ୍‌କା ଧକ୍‌କି କରି, ବଡ଼ ପାଟିରେ ଡାକିବାକୁ ଆରମ୍ଭ କଲି ଏବଂ ଲୋକଟିକୁ ପ୍ରାୟ ଟାଣି ବାହାର କଲି । ଦାଦା ଅପରିଚିତ ଲୋକର ଏତେ ପାଖକୁ ଯିବା ଓ କଥାବାର୍ତ୍ତା କରିବା ମୋଟେ ପସନ୍ଦ କଲେ ନାହିଁ ।

 

ଗାଡ଼ି ପୁଣି ଚାଲିବା ଆରମ୍ଭ କଲା । ଯାଉ ଯାଉ ପରଦିନର ପ୍ରୋଗ୍ରାମ ସମ୍ବନ୍ଧରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଆହେଲା । ବାରାରିରେ ପହଞ୍ଚି ସେ’ ଘରେ କିପରି ଭାବେ ପଶିବେ ଏବଂ ଇନସିଓରେନସ୍ ଏଜେଣ୍ଟ ହିସାବରେ କିଭଳି ଅଭିନୟ କରିବେ ତାହା ମୋତେ ବିଶଦ୍‍ଭାବେ ବୁଝାଇ ଦେଲେ । ଆମର ଆକସ୍ମିକ ଆଗମନର କଥା ମୋର ଭାଇ କିଛି ଜାଣି ନ ଥାନ୍ତି, ତେଣୁ ପହଞ୍ଚିବା ପରେ ମୋ’ ଭାଇଙ୍କୁ କଣ କହିବି ତାହା ଚଢ଼େଇକୁ ପଢ଼େଇଲା ଭଳି ସେ ବାରମ୍ବାର ମୋତେ ଶିଖାଇଦେଲେ ।

 

ପୂର୍ବରୁ ସ୍ଥିର ହୋଇଥିଲା ବାରାରିରେ ପହଞ୍ଚି ମୁଁ ବାପାଙ୍କୁ ଟେଲିଗ୍ରାମ କରିବି–Baudidi better, no cause for anxiety. ଦାଦା ଟିକିଏ ଚିନ୍ତାକରି ମୋତେ ଟେଲିଗ୍ରାମ କରିବାକୁ ମନାକଲେ । ସେ କହିଲେ, ଏହାଦ୍ଵାରା ମିଛରେ ଗଭର୍ଣ୍ଣମେଣ୍ଟ୍ ପାଖରେ ଗୋଟିଏ ରେକର୍ଡ଼ ରହିଯିବ ଯେ, ମୁଁ କଲିକତା ବାହାରକୁ ଯାଇଥିଲି, ତାଛଡ଼ା ଘରର ଲୋକମାନେ ଅନେକେ ହୁଏତ ମୋର ଅନୁପସ୍ଥିତି ଲକ୍ଷ୍ୟ କରି ନ ଥିବେ, ସେମାନଙ୍କୁ ଅକାରଣରେ ସଜାଗ କରିଦେଇ ଲାଭ କଣ !

 

ମୁଁ ମୋଟ ଉପରେ ମଧ୍ୟମ ଧରଣର ସ୍ପିଡ଼ରେ ଗାଡ଼ି ଚଳାଉଥିଲି । ହାଓଡ଼ା ଠାରୁ ବର୍ଦ୍ଧମାନ୍‌ ପର୍ଯ୍ୟନ୍ତ ଗ୍ରାଣ୍ଡଟ୍ରଙ୍କ୍ ରୋଡ଼୍‌ଟି ବେଶ୍ ଅଙ୍କାବଙ୍କା । ଦାଦା ସେତେବେଳେ ତାଙ୍କର ସୁଦୂର ପଞ୍ଜାବ–ଉତ୍ତର ପ୍ରଦେଶ ଅଥବା ପଶ୍ଚିମ ଭାରତର ଭ୍ରମଣ ଅଭିଜ୍ଞତା ବିଷୟରେ ଟିକେ ଅଧେ କହୁଥିଲେ । ବିଳମ୍ବରେ ବାହାରିବା ଫଳରେ ପହଞ୍ଚିବାରେ ଯେ ନିଶ୍ଚୟ ଡେରି ହୋଇଯିବ ଏହିକଥା ଚିନ୍ତାକରି ଆମେ ଦୁହେଁ ବ୍ୟସ୍ତ ହେଉଥିଲୁ । ମୁଁ ମଝିରେ ମଝିରେ ଗୋଟିଏ ହାତରେ ଷ୍ଟିଅରିଂ ଧରି ଅନ୍ୟ ହାତରେ ଟର୍ଚ୍ଚ ଜାଳି ରାସ୍ତାକଡ଼ର ମାଇଲ ଷ୍ଟୋନ ଗୁଡ଼ିକ ଦେଖୁଥିଲି, କାରଣ ଗାଡ଼ିର ମାଇଲ ମିଟର ଠିକ୍ କାମ କରୁ ନ ଥିଲା ।

 

ବର୍ଦ୍ଧମାନ ପହଞ୍ଚିବାକୁ ରାତି ପ୍ରାୟ ଚାରିଟା ବାଜିଗଲା । ମୁଁ ଦାଦାଙ୍କୁ ଦେଖାଇଲି କିପରି ସମସ୍ତ ସହର ଓ ରେଳଷ୍ଟେସନ ସେତେବେଳେ ପ୍ରାୟ ଘୁମନ୍ତ । ବର୍ଦ୍ଧମାନ ପରେ ସିଧା ରାସ୍ତା ପଡ଼ିଲା । ମୁଁ ଗାଡ଼ିର ସ୍ପିଡ଼୍ ବଢ଼ାଇଦେଲି । ଗାଡ଼ିଟା ମଧ୍ୟ ଯେତେ ଗରମ ହେଲା ସେତେ ଭଲ ସ୍ପିଡ଼୍ ନେବାକୁ ଆରମ୍ଭ କଲା । ଯେତେବେଳେ ଆମେ ଡକାୟତ ଅଧ୍ୟୁଷିତ କୁଖ୍ୟାତ ଦୁର୍ଗାପୁରର ଜଙ୍ଗଲ ପାର ହୋଇ ଆସିଲୁ ସେତେବେଳେ ଲ୍ୟାଣ୍ଡସ୍କେପ୍‌ର ଚେହେରା ସମ୍ପୂର୍ଣ୍ଣ ବଦଳିଗଲା–ଲାଲମାଟି ଓ ସୁଦୀର୍ଘ ବୃକ୍ଷଶ୍ରେଣୀ । ଚତୁର୍ଦ୍ଦିଗ ଚନ୍ଦ୍ରାଲୋକରେ ଯେପରି ଭାସି ଯାଉଛି । ଜୀବନର ପ୍ରଥମ ବଡ଼ ଆଡ଼୍‌ଭେଞ୍ଚାର କରିବାକୁ ବାହାରିଛି–ମୋପାଇଁ ଖୁବ୍ ରୋମାଣ୍ଟିକ୍ ପଟ୍ଟଭୂମି । ବେଶ୍ ଜୋରରେ ଗାଡ଼ି ଚଳାଉଥିଲି, ହଠାତ୍ ଦେଖେ–ଡକାୟତ ନୁହେଁ, ଗୋଟିଏ ପଲ ମଇଁଷି ରାସ୍ତା ପାର ହେଉଛନ୍ତି । ବ୍ରେକ କଷିବାରୁ ଗାଡ଼ିଟା କର୍କଶ ଶବ୍ଦ କରି ରହିଗଲା, ଆଉ ଟିକିଏ ହୋଇଥିଲେ ମଇଁଷି ପଲ ସହିତ ଧକ୍‌କା ଲାଗିଥାନ୍ତା । ମଇଁଷି ଗୁଡ଼ାକ ଭୟରେ ଛତ୍ରଭଙ୍ଗ ଦେଇ ଗାଡ଼ିର ଚାରିପଟରେ ଛିଡ଼ାହୋଇ ପଡ଼ିଲେ ଓ ତା’ ପରେ ଧୀରେ ଧୀରେ ରାସ୍ତାରୁ ଓହ୍ଲାଇଗଲେ, ମୋର ଛାତି ଧକ୍ ଧକ୍ କରୁଥିଲା । କଣେଇ କରି ମୁଁ ଦାଦାଙ୍କ ଆଡ଼କୁ ଥରେ ଚାହିଁଲି । ଦେଖିଲି ସେ ଶାନ୍ତ ଓ ଅବିଚଳିତ ରହିଛନ୍ତି । ସେତେବେଳେ ପୁଣି ଆଉ ଥରେ ଗାଡ଼ି ଛୁଟାଇଦେଲି ।

 

ଆସାନ୍ ସୋଲ ପାଖାପାଖି ଯେତେବେଳେ ଆସିଲୁ ସେତେବେଳେ ଠିକ୍ ଭୋର ହୋଇ ଆସୁଛି–ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛନ୍ନ, ସହରର ଟିକିଏ ବାହାରେ ଗୋଟାଏ ପେଟ୍ରୋଲ୍ ଷ୍ଟେସନ ଦେଖି ମୁଁ ଗାଡ଼ିରେ ପେଟ୍ରୋଲ ଭରି ନେବାକୁ ଚାହିଁଲି । ଦାଦା ଏହା ମୂଳରୁ ପସନ୍ଦ କଲେ ନାହିଁ । ପେଟ୍ରୋଲ ଭର୍ତ୍ତିଥିବା ଟିଣଟା ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ,–"ନ ନେଲେ କଣ ନୁହେଁ-?" ମୁଁ କହିଲି ‘‘ଗୋଟିଏ ଟିଣ ରିଜର୍ଭ ରହିବା ଭଲ, କୌଣସି ରିସ୍କ୍ ନେବା ଉଚିତ୍ ନୁହେଁ ।” କେହି ତାଙ୍କୁ ଦେଖି ପକାନ୍ତୁ ଅଥବା ତାଙ୍କ ପାଖାପାଖି ଆସନ୍ତୁ ଦାଦା ଏହା ଚାହୁଁ ନ ଥିଲେ । ମୁଁ ଏଭଳି ଭାବରେ ଗାଡ଼ି ପାର୍କ କଲି ଯେପରିକି ଯେଉଁ ଲୋକଟି ପେଟ୍ରୋଲ ଦେଉଛି ସେ ଗାଡ଼ିର ପଛଆଡ଼େ ରହିବ । ଯେତେ ସମୟ ପେଟ୍ରୋଲ ଦେବାରେ ଲାଗିଲା, ମୁଁ ତା’ ସଙ୍ଗେ ଛିଡ଼ାହୋଇ କଥାବାର୍ତ୍ତା କଲି ଓ ତା’ର ଦୃଷ୍ଟି ଯେପରି ଅନ୍ୟଆଡ଼େ ନ ଯାଇ ମୋ ଉପରେହିଁ ରହିବ ତା’ର ଚେଷ୍ଟା କଲି-। ଏହାପରେ ଅସାନ୍‍ସୋଲ ସହର ଯେତେ ଶୀଘ୍ର ସମ୍ଭବ ପାର ହୋଇ ଆସିଲି ।

 

ଆସାନ୍‍ସୋଲ ଠାରୁ ଧାନ୍‌ବାଦ ବାଟରେ ସକାଳର କଟକଟିଆ ଖରାରେ ଡ୍ରାଇଭ୍ କରିବାକୁ ହେଲା । ଏହା ପ୍ରଥମ ଥର ମୋର ମନେହେଲା ଦାଦାଙ୍କ ଛଦ୍ମବେଶ ପ୍ରକୃତରେ ଖୁବ୍ ଭଲ ହୋଇଛି । ସାମନାରେ ସିଧା–ରାସ୍ତା କିନ୍ତୁ ଉଚ୍ଚ ନୀଚ–ସମୁଦ୍ରର ବଡ଼ ବଡ଼ ଢେଉ ଭଳି । ଯେତେବେଳେ ନୀଚରେ ଅଛି ସେତେବେଳେ ଦୂର ରାସ୍ତା ଆଉ ଦିଶେନା । ଗାଡ଼ି ନେଇ ଲୁଚକାଳି ଖେଳ ଖେଳିବା ଭଳି ମନେହୁଏ । ଗାଡ଼ି ଘୋଡ଼ା କିଛି କିଛି ଚାଲିବା ଆରମ୍ଭ କଲାଣି । ବିପରୀତ ଦିଗରୁ କେତେଟା ଗାଡ଼ି ଆମ ପାଖ ଦେଇ ବାହାରିଗଲା । ସକାଳ ହେବାରୁ ମୁଁ ଦାଦାଙ୍କ ସେହି କାଶ୍ମୀରୀ ଟୋପିଟା ମୁଣ୍ଡରେ ପିନ୍ଧିଥିଲି । ଏହା ମୋ ମନରେ ଟିକିଏ ନିରାପତ୍ତାର ଭାବ ଆଣିଥିଲା ।

 

ଗ୍ରାଣ୍ଡଟ୍ରଙ୍କ ରୋଡ଼ରୁ ରାସ୍ତା ଯେଉଁଠି ଧାନବାଦ୍‍ ଆଡ଼କୁ ବୁଲିଯାଇଛି ତା’ର କିଛି ପୂର୍ବରୁ ଗୋବିନ୍ଦପୁର ନାମକ ଗ୍ରାମରେ ଗୋଟିଏ ଚେକ୍ ପୋଷ୍ଟ ଥିଲା । ମୁଁ ଗାଡ଼ି ଚଳାଇ ଆସୁ ଆସୁ ଦେଖିବାକୁ ପାଇଲି ଧୀରେ ଧୀରେ ବାଉଁଶର ଗେଟ୍‌ଟା ଓହ୍ଲାଇ ଆସି ବାଟ ବନ୍ଦ କରି ଦେଲା । ମୁଁ ଗାଡ଼ିର ଗତି କମାଇ ଦେଲି । ଗୋଟିଏ ଲୋକ ପାଖରେ ଥିବା ଛୋଟ ଛାଉଣୀରୁ ପେନ୍‌ସିଲ ଆଉ ନୋଟବହି ହାତରେ ଧରି ବାହାରି ଆସିଲା । ତା’ପରେ ପୁଣି ଲୋକଟି ଘୁଞ୍ଚିଗଲା ଏବଂ ଗେଟ୍‌ଟା ମଧ୍ୟ ଉପରକୁ ଉଠିଗଲା । ମୁଁ ଖୁବ୍ ସ୍ପିଡ଼ରେ ବାହାରିଗଲି । ଦାଦାଙ୍କୁ କହିଲି, ‘ମୋ’ ଗାଡ଼ିର ନମ୍ବର ନେଲା’ । ମନେହେଲା ଦାଦା ଉଦ୍‌ବିଗ୍ନ ହେଲେ । ସେ ଅନ୍ତତପକ୍ଷେ ତିନି ଥର ମୋତେ ପଚାରିଲେ–‘ଠିକ୍ ଦେଖିଛ ? ନମ୍ବର ନେଇଛି ? ମୁଁ ତାଙ୍କୁ ଆଶ୍ଵସ୍ତ କଲି ଯେ, ଏହା ତାଙ୍କର ଗୋଟିଏ ରୁଟିନ୍ କାମ । କେତେଦିନ ପୂର୍ବେ ଏହି ବାଟ ଦେଇ ଗଲାବେଳେ ମୁଁ ଏହା ଲକ୍ଷ୍ୟ କରିଥିଲି । ଦିନ ଆଲୁଅରେ ଧାନବାଦ୍‍ ସହରର ଭିତର ଦେଇ ଗଲାବେଳେ ମୋତେ ଅତ୍ୟନ୍ତ ଅସ୍ଵସ୍ତି ବୋଧ ହେଉଥିଲା ଏବଂ ମୁଁ ଯେତେଟା ସମ୍ଭବ ଜୋର୍‌ରେ ଗାଡ଼ି ଚଳାଉଥିଲି କାରଣ ପରିଚିତ ସହର, ଯଦି ଆମକୁ କେହି ଦେଖି ପକାଏ ! ଧାନବାଦ୍ ଛାଡ଼ି ବାରାରିର ବାଟ ଧରିଲି । ଇଲାକାଟା ଅବଶ୍ୟ ମୁଁ କିଛିଦିନ ତଳେ ଭଲଭାବେ ଦେଖି ଯାଇଛି । ତାହା ସତ୍ତ୍ୱେ ବି ରାସ୍ତା ଯଦି ଭୁଲ ହୁଏ ଏହି ଭୟ ମନରେ ଥିଲା । ମୁଁ କେତେବେଳେ ଯାଇ ବାରାରିରେ ଭାଇଙ୍କ ଘରେ ପହଞ୍ଚିବି ସେହି ଆଶାରେ ଅଧୀର ଭାବେ ପ୍ରତ୍ୟେକ ଛକ ଗଣିବାରେ ଲାଗିଲି । ଯେତେବେଳେ ଦୂରରୁ ବାରାରିର ଘର ଓ ତା’ ପଛରେ ଥିବା କୋକ୍ ଓଭେନ୍‌ ପ୍ଲାଣ୍ଟର ଚିମ୍‌ନି ଆଖିରେ ପଡ଼ିଲା ସେତେବେଳେ ମୁଁ ଖୁବ୍ ନିଶ୍ଚିନ୍ତ ହେଲି ।

 

ମୁଁ ଦୂରରୁ ତାଙ୍କୁ ଘରଟା ଠିକ୍ ଭାବେ ଚିହ୍ନାଇ ପାରିବି ନା ନାହିଁ ସେ'କଥା ଦାଦା ମୋତେ ବାରମ୍ବାର ପଚାରିଲେ । ପାଖାପାଖି ଠିକ୍ ଗୋଟିଏ ଧରଣର ଦୁଇଟି ଘର ଥିଲା, ଗୋଟିଏ ମୋ’ ଭାଇଙ୍କର ଓ ଅନ୍ୟଟି ସେହି କାରଖାନାର ଜଣେ ଇଂରେଜ ଅଫିସରଙ୍କର । ଭୁଲ ହେଲେ ଆଉ ନିସ୍ତାର ନାହିଁ ।

 

ସେତେବେଳେ ପ୍ରାୟ ସକାଳ ସାଢ଼େ ଆଠଟା ହେବ । ଆଗରୁ ସ୍ଥିର ହୋଇଥିଲା ଭାଇଙ୍କ ଘରଠୁ କିଛି ଦୂରରେ ମୁଁ ଦାଦାଙ୍କୁ ଓହ୍ଲାଇଦେବି । ତାଙ୍କୁ ଘରଟା ଚିହ୍ନାଇ ଦେଇ ମୁଁ ଏକୁଟିଆ ଡ୍ରାଇଭ କରି ଘରେ ପଶିବି । ଯେତେଟା ଦୂରରେ ଦାଦା ଗାଡ଼ିରୁ ଓହ୍ଲାଇଯିବେ ବୋଲି ମୁଁ ଭାବିଥିଲି ସେତେଟା ଦୂରରେ ସେ ଓହ୍ଲାଇଲେ ନାହିଁ । ମୁଁ ଘର ଠିକ୍ ଚିହ୍ନାଇ ଦେଇଛି–ଏ ବିଷୟରେ ସେ ନିଃସନ୍ଦେହ ହେବା ପରେ ଘର ଠାରୁ ପ୍ରାୟ ଚାରିଶହ ଗଜ ଦୂରରେ ମୁଁ ଗାଡ଼ି ଛିଡ଼ା କଲି ଓ ଦାଦା ତତ୍‌କ୍ଷଣାତ୍‌ ଓହ୍ଲାଇ ପଡ଼ିଲେ ।

 

ପନ୍ଦର

 

ମୁଁ ବେଶ୍ ସହଜଭାବେ ଏବଂ ଆତ୍ମପ୍ରତ୍ୟୟର ସହିତ ଗାଡ଼ି ଡ୍ରାଇଭ କରି ଭାଇଙ୍କ ଘରକୁ ପଶିଲି । ଘର ସାମନାରେ ହିଁ ଦୁଇଜଣ ଲୋକ କାମ କରୁଥିଲେ । ତାଙ୍କ ଭିତରୁ ଜଣେ ଭାଇଙ୍କ ଡ୍ରାଇଭର । ଅନ୍ତତ ଦୁଇଜଣ ଲୋକ ଦେଖିଲେ ଯେ, ମୁଁ ଏକୁଟିଆ ଗାଡ଼ିରେ ଆସି ପହଞ୍ଚିଲି, ଏହାଦ୍ଵାରା ମୁଁ ଖୁବ୍ ନିଶ୍ଚିନ୍ତ ବୋଧକଲି । ମୋର ଛୋଟ ସୁଟକେସ୍‌ଟା ହାତରେ ନେଇ ମୁଁ ପ୍ରାୟ ଦୌଡ଼ିଯାଇ ଘର ଭିତରକୁ ପଶିଗଲି । ହାତରେ ମାତ୍ର ଦଶ ମିନିଟ ସମୟ ଥାଏ, ତା ଭିତରେ ଭାଇଙ୍କୁ ସବୁଯାକ କଥା ବୁଝାଇ କହିବାକୁ ହେବ । ଦାଦାଙ୍କ ଯେଉଁ ଦୁଇଟା ବାକ୍‌ସ ଗାଡ଼ିର ପଛ ଲଗେଜ ବୁଥ୍‌ରେ ଥିଲା, ସେଠାରେ ହିଁ ରହିଲା ହୋଲଡ଼–ଅଲଟି ସିଟ୍ ଉପରେ ଛାଡ଼ି ଆସିଲି । ଗାଡ଼ି ଗ୍ୟାରେଜକୁ ନେବା ପୂର୍ବରୁ ଡ୍ରାଇଭର ଜିନିଷପତ୍ର ସବୁ ଘର ଭିତରେ ଦେଇଗଲା ଏବଂ ସେ' କଥା ମୋତେ ଗଲାବେଳେ କହି ଦେଇଗଲା । ଭାଇ ଶୋଇବା ଘରେ ଥିଲେ । ମୁଁ କବାଟରେ ନକ୍ କଲି, ବେଶ୍ ଜୋରରେ ନକ୍ କଲି । ମନେହେଲା ଯେପରି ବହୁତ ସମୟ ଧରି କୌଣସି ଉତ୍ତର ପାଇଲି ନାହିଁ । ମୁଁ ଭାବିଲି ସବୁକଥା ବୁଝାଇ କହିବା ଆଗରୁ ହୁଏତ ଦାଦା ଆସି ପହଞ୍ଚିଯିବେ । ମୁଁ ପ୍ରାୟ ଅଧୈର୍ଯ୍ୟ ହୋଇ ପଡ଼ିଲି । ଏହି ସମୟରେ ଭାଇ କବାଟ ଖୋଲି ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ–ଯଦିଓ ମୁଁ ଯେ ଆସିପାରେ ତା’ର ଇଙ୍ଗିତ ତାଙ୍କୁ ଗତଥର ଦେଇ ଯାଇଥିଲି । ମୁଁ କୌଣସିମତେ ଭାଇଙ୍କୁ ଦାଦା ଯାହା କହିବାକୁ କହିଥିଲେ କହିଗଲି । ମୁଁ କହିଲି–ଦାଦାଙ୍କୁ ମୁଁ ସାଙ୍ଗରେ ନେଇ ଆସିଛି । ସେ ଗୋଟିଏ ବିଶେଷ ଗୋପନ ମିଶନ୍‌ରେ ଯାଉଛନ୍ତି ଏବଂ ଛଦ୍ମବେଶରେ ଅଛନ୍ତି । ମୁଁ ତାଙ୍କୁ ରାସ୍ତାରେ ଓହ୍ଲାଇ ଦେଇ ଆସିଛି ଯାହା ଦ୍ଵାରା କି ଆମେ ଯେ ସାଙ୍ଗ ହୋଇ ଆସିଛୁ ସେ'କଥା ଯେପରି କେହି ଜାଣି ନ ପାରିବେ । ଆଉ ଅଳ୍ପ କେତେ ମିନିଟ ଭିତରେ ଦାଦା ଆସି ପହଞ୍ଚିବେ । ଦାଦା କହିବେ ସେ ଜଣେ ଇନ୍‌ସିଓରେନ୍‌ସ ଏଜେଣ୍ଟ ଏବଂ ଭାଇଙ୍କ ସଙ୍ଗେ ବ୍ୟବସାୟୀକ କଥାବାର୍ତ୍ତା ହେବାକୁ ଚାହାଁନ୍ତି । ଭାଇଙ୍କୁ କହିବାକୁ ହେବ ଯେ, ଏବେ ତାଙ୍କର କାମକୁ ବାହାରି ଯିବାର ସମୟ ହୋଇ ଯାଇଛି, ତେଣୁ କଥାବାର୍ତ୍ତା ହେବାକୁ ସମୟ ହେବ ନାହିଁ । ସେତେବେଳେ ଦାଦା କହିବେ ଯେ, ସେ ଅନେକ ଦୂରରୁ ଆସିଛନ୍ତି । ପାଖାପାଖି ରହିବାର ଜାଗା ନାହିଁ ଏବଂ ଫେରିବାର ଟ୍ରେନ ମଧ୍ୟ ରାତ୍ରି ପୂର୍ବରୁ ନାହିଁ । ଅତଏବ ସବୁଠାରୁ ଭଲ ହେବ ସେ ଏଠାରେ ଅପେକ୍ଷା କରିବେ, ପରେ କଥାବାର୍ତ୍ତା ହେବ । ତେଣୁ ଆଜି କେବଳ ଦିନବେଳା ପାଇଁ ଦାଦା ଭାଇଙ୍କ ଆତିଥ୍ୟ ଭିକ୍ଷା କରିବେ । ଏହିସବୁ କଥାବାର୍ତ୍ତା ଇଂରାଜୀରେ ହେବ ଏବଂ ଏଭଳି ଭାବେ ହେବ ଯେ, ଭୃତ୍ୟମାନେ ଯେପରି ଶୁଣିବାକୁ ପାଇବେ । ରାତ୍ରିର ପ୍ଲାନ୍ ବିଷୟରେ ଆମେ ପରେ କଥା ହେବା ।

 

ମୋର ବକ୍ତବ୍ୟ ଶେଷ ନ ହେଉଣୁ ଭୃତ୍ୟ ଆସି ଖବର ଦେଲା ଜଣେ ଅପରିଚିତ ବିଦେଶୀ ଲୋକ ଭାଇଙ୍କ ସଙ୍ଗେ ସାକ୍ଷାତ କରିବାକୁ ଚାହୁଁଛନ୍ତି । ମୁଁ ଏଭଳି ଭାବ ଦେଖାଇଲି ଯେପରି ଏଥିରେ ମୋର କୌଣସି ଉତ୍ସାହ ନାହିଁ । ମୁଁ ଭାଉଜଙ୍କୁ ଭେଟିବା ପାଇଁ ଘର ଭିତରକୁ ପଶିଗଲି ।

 

ଭାଇ ବାରଣ୍ଡାକୁ ଆସି ଅପରିଚିତ ଆଗନ୍ତୁକଙ୍କ ସଙ୍ଗେ ଯଥାରୀତି କଥାବାର୍ତ୍ତା କଲେ । ତା’ପରେ ଅତିଥିଙ୍କୁ ସାଙ୍ଗରେ ନେଇ ବସିବା ଘରକୁ ଆସିଲେ । ଭୃତ୍ୟକୁ ଡାକି କହିଦେଲେ ଯେ, ଏହି ଭଦ୍ରଲୋକ ଆଜି ଦିନକ ପାଇଁ ଏଠାରେ ରହିବେ ଅତିରିକ୍ତ ଶୋଇବା ଘରଟିରେ ତାଙ୍କ ପାଇଁ ବ୍ୟବସ୍ଥା କରିଦେବାକୁ ହେବ । ତାଙ୍କ ଖାଇବା ପିଇବା ଯାବତୀୟ ସବୁ ତାଙ୍କ ଘରକୁ ପଠାଇ ଦେଲେ ହିଁ ଚଳିବ ।

 

ସେହି ୧୭, ଜାନୁୟାରୀ, ୧୯୪୧ ମସିହାର ଦିନଟାଯାକ ଆମେ ଯେଉଁ ଷ୍ଟେଜ ଆକ୍ଟିଂ କଲୁ ତାହା ସ୍ଵତନ୍ତ୍ରଭାବେ କହିଲା ଭଳି ଗୋଟାଏ ଗଳ୍ପ । ଭାଇ ଯେତେବେଳେ ଭୃତ୍ୟକୁ ନାନା ପ୍ରକାର ନିର୍ଦ୍ଦେଶ ଦେଉଛନ୍ତି ମୁଁ ଅତି ନିରାସକ୍ତ ଭଙ୍ଗିରେ ଘରକୁ ପଶିଲି । ଠିକ୍ ସେତିକିବେଳେ ଅପରିଚିତ ଆଗନ୍ତୁକଙ୍କ ସଙ୍ଗେ ମୋର ପରିଚୟ କରାଇ ଭାଇ କହିଲେ–ଇଏ ମୋର ସାନ ଭାଇ ଶିଶିର ବସୁ ।

 

ଅତିଥିଙ୍କୁ ବସିବା ଘରେ ହିଁ ଚା’ ପିଇବାକୁ ଦିଆହେଲା । ମୁଁ, ଭାଇ ଓ ଭାଉଜଙ୍କ ସଙ୍ଗେ ଭିତର ଖାଇବା ଘରେ ଖାଇ ବସିଲି । ଭାଇ ତା’ପରେ କାମକୁ ବାହାରିଗଲେ । ମୁଁ ଭାଉଜଙ୍କ ସଙ୍ଗେ ଗପସପ କରି କିଛି ସମୟ କଟାଇଲି ଏବଂ ତା’ପରେ ବିଶ୍ରାମ ନେଲି । ଦାଦା ତାଙ୍କ ଘରେ ଥିଲେ ।

 

ମଧ୍ୟାହ୍ନରେ ଭାଇ ଖାଇବାକୁ ଘରକୁ ଆସିଲେ । ଅତିଥିଙ୍କୁ ଯେଭଳି ଦିଆ ହୋଇଥାଏ । ଦାଦାଙ୍କ ଖାଇବା ପଦାର୍ଥ ତାଙ୍କ ଘରକୁ ପଠାଇ ଦିଆହେଲା । ଆମେ ସମସ୍ତେ ମିଶି ଖାଇଲୁ । ଭାଇ ଅତିଥିଙ୍କ ସଙ୍ଗେ ଆଉ ସାକ୍ଷାତ କଲେ ନାହିଁ । ସେହିକ୍ଷଣି କାମକୁ ବାହାରିଗଲେ । ମୁଁ ଇତି ମଧ୍ୟରେ ଗାଡ଼ି ନେଇ ବାହାରି ପଡ଼ିଲି ଏବଂ ଗାଡ଼ିରେ ପେଟ୍ରୋଲ୍ ଭର୍ତ୍ତି କଲି ।

 

ମୁଁ ବାହାରେ ଥାଇ ମଧ୍ୟ ବୁଝି ପାରିଲି ଯେ, ଦାଦା ମଧ୍ୟାହ୍ନରେ କିଛି ସମୟ ଶୋଇ ପଡ଼ିଥିଲେ । ସନ୍ଧ୍ୟା ପୂର୍ବରୁ ସେ ଆଉ ଘରୁ ବାହାରି ନାହାନ୍ତି ।

 

ଭାଇ କାମରୁ ଫେରି ଚପରାସୀ ହାତରେ ଦାଦାଙ୍କୁ ଖବର ପଠାଇଲେ ଯେ, ଏଥର ସେ’ କଥା ହେବାକୁ ଚାହାଁନ୍ତି । ଭାଇ ଓ ଦାଦା ବାହାର ବାରଣ୍ଡାରେ ବସି କଥାବାର୍ତ୍ତା ହେଲେ । ମୁଁ ବୈଠକ ଘରେ ବସି ଖୁବ୍ ନିର୍ଲିପ୍ତ ଭାବେ ମ୍ୟାଗାଜିନ୍ ପଢ଼ିବାରେ ଲାଗିଲି । ଦାଦା ସିଦ୍ଧାନ୍ତ ନେଲେ ଯେ, ସେ ଅସାନସୋଲରେ ନ ଚଢ଼ି ଗୋମୋରୁ ଟ୍ରେନ୍‌ରେ ଚଢ଼ିବେ । ମୁଁ ଯେତେବେଳେ ଏକଥା ଶୁଣିଲି, କହିଲି ଯେ, ଏଠାରୁ ଗୋମୋ ଯିବା ରାସ୍ତା ମୋର ଜଣାନାହିଁ । ତା’ଛଡ଼ା ରାତିରେ ଗାଡ଼ି ଡ୍ରାଇଭ କଲେ ଆହୁରି ଅସୁବିଧା ହୋଇ ପାରେ, ତେଣୁ ଭାଇ ସଙ୍ଗରେ ଥିଲେ ଭଲ ହୋଇଥାନ୍ତା ଦାଦା ଏଥିରେ ରାଜି ହେଲେ, କିନ୍ତୁ ଭାଇ କହିଲେ ଏସବୁ ଜାଗାରେ ରାତିରେ ଭାଉଜଙ୍କୁ ଏକୁଟିଆ ଛାଡ଼ିଯିବା ନିରାପଦ ନୁହେ । ଦାଦା କହିଲେ–ଠିକ୍ ଅଛି, ସେ ମଧ୍ୟ ସାଙ୍ଗରେ ଚାଲନ୍ତୁ । କେବଳ ଭୃତ୍ୟମାନଙ୍କୁ ଡାକି କହି ଦିଆହେଲା ବାହାରୁ ଆସିଥିବା ଭଦ୍ରଲୋକଙ୍କ ପାଇଁ ଶୀଘ୍ର ଖାଇବା ବ୍ୟବସ୍ଥା କରିବାକୁ କାରଣ ତାଙ୍କୁ ଟ୍ରେନରେ ଯିବାକୁ ହେବ । ଆମେ ମଧ୍ୟ ଟିକିଏ ଶୀଘ୍ର ଖିଆପିଆ ସାରିନେଲୁ । ଅନ୍ୟାନ୍ୟ ସମସ୍ତଙ୍କୁ କୁହାହେଲା ଭାଇ–ଭାଉଜ ମୋତେ ନେଇ ବୁଲି ବାହାରିବେ ।

 

ଶୀତର ସନ୍ଧ୍ୟା ଯେତେବେଳେ ଗାଢ଼ ହୋଇ ଆସିଲା ଦାଦା ସବୁ ଭୃତ୍ୟଙ୍କ ଆଖି ଆଗରେ ବାରଣ୍ଡାରୁ ଓହ୍ଲାଇ ବେଶ୍ ଲୋକ ଦେଖାଣିଆ ଭାବେ ଆମ ସମସ୍ତଙ୍କ ପାଖରୁ ବିଦାୟ ନେଲେ । କହିବା ବାହୁଲ୍ୟ ଯେ, ଇଂରାଜୀରେ ବିଦାୟ ସମ୍ଭାଷଣ ହେଲା । ଆଗରୁ କଥା ହୋଇଥିଲା ଯେ, ସେ ଯେଉଁ ବାଟରେ ଆସିଥିଲେ, ଯେହି ବାଟରେ କିଛି ଦୂର ଯାଇ ଅପେକ୍ଷା କରିବେ । ଆମେ ତିନିଜଣ ଟିକିଏ ପରେ ଗାଡ଼ି ନେଇ ବାହାରି ପଡ଼ିଲୁ । ରାସ୍ତାରେ ମୋଟେ ଆଲୁଅ ନ ଥିଲା । ଦାଦା ଟର୍ଚ୍ଚ ସାହାଯ୍ୟରେ ଧୀରେ ଧୀରେ ଆଗେଇ ଯାଉଥିଲେ । କିଛିଦୂର ଯିବା ପରେ ଅସ୍ପଷ୍ଟ ଭାବେ ତାଙ୍କ ଛଦ୍ମବେଶୀ ଚେହେରା ଆମ ଆଖିରେ ପଡ଼ିଲା । ତାଙ୍କୁ ଆମେ ଗାଡ଼ିରେ ଉଠାଇ ନେଲୁ ।

 

ଷୋହଳ

 

ଭାଇ ରାସ୍ତା ଦେଖାଇ ଦେଲେ ଓ ମୁଁ ଗୋମୋ ଆଡ଼କୁ ଗାଡ଼ି ଛୁଟାଇଦେଲି । ସେମାନେ ତିନିଜଣ ପଛ ସିଟ୍‌ରେ ବସିଥିଲେ, ମୋର ସଙ୍ଗୀ ଥିଲା ମୋ ପାଖ ସିଟ୍‌ରେ ଥିବା ଦାଦାଙ୍କ ହୋଲ୍‍ଡ଼–ଅଲ୍‌ଟି । ଆମ ହାତରେ ଯଥେଷ୍ଟ ସମୟ ଥିଲା । ଦିଲ୍ଲୀ–କାଲ୍‌କା ମେଲ୍ ମଧ୍ୟରାତ୍ରି ପରେ ଗୋମୋ ଷ୍ଟେସନରେ ପହଞ୍ଚିବ । ଆମକୁ ଯିବାକୁ ହେବ ମାତ୍ର ତିରିଶ ମାଇଲ । ତେଣୁ ଆମେ ଧୀରେ ସୁସ୍ଥେ ଚାଲିଥିଲୁ । ରାସ୍ତା ଅବଶ୍ୟ ଗ୍ରାଣ୍ଡ ଟ୍ରଙ୍କ୍ ରୋଡ଼ ଭଳି ଏତେ ଭଲ ନ ଥିଲା, ରାସ୍ତାଟା ଥିଲା ସଂକୀର୍ଣ୍ଣ ଏବଂ ଆବଡ଼ା–ଖାବଡ଼ା ।

 

ବାଟରେ ଆମେ ଦୁଇ ଥର ଦୀର୍ଘ ସମୟ ଧରି ବିଶ୍ରାମ ନେଲୁ । ଥରେ ରହିଲୁ ରାସ୍ତାକଡ଼ ଗୋଟିଏ ଗଛ ତଳେ । ଧାଡ଼ିଏ ଶଗଡ଼ ଗାଡ଼ିର ଟୁଂ–ଟାଂ ଶବ୍ଦ ସହିତ ଶୋଭଯାତ୍ରାକୁ ଆମେ ଭଲ ରୂପେ ଉପଭୋଗ କଲୁ । ସମସାମୟିକ ଇତିହାସର ଗୋଟିଏ ବିରାଟ ଆଡ଼୍‌ଭେଞ୍ଚାରର ପଟ୍ଟଭୂମି ହିସାବରେ ଏହି ବଳଦ କଣ୍ଠର ଘଣ୍ଟିରୁ ବାହାରୁଥିବା ଟୁଂ–ଟାଂ ସଙ୍ଗୀତର ମୂର୍ଚ୍ଛନା କେମିତି ଖୁବ୍ ଆଶ୍ଚର୍ଯ୍ୟ ମନେହେଲା ।

 

ଦ୍ଵିତୀୟ ଥର ବିଶ୍ରାମ ନେଲୁ ପ୍ରାୟ ଗୋମୋ ପାଖାପାଖି ଗୋଟିଏ ସ୍ଥାନରେ । ଚାରିଆଡ଼େ ବିସ୍ତୀର୍ଣ୍ଣ ଧାନକ୍ଷେତ, ଚନ୍ଦ୍ରାଲୋକରେ ଯେପରି ଉଦ୍ଭାସିତ । ଅଦୂରରେ ଦିଗନ୍ତକୁ ଛୁଇଁ ଦିଶୁଥାଏ ପରେଶନାଥ ପାହାଡ଼ର କ୍ଷୀଣ ରୂପରେଖା ।

 

ଗୋମୋ ଷ୍ଟେସନର ପାଖାପାଖି ରାସ୍ତାଟା ଆହୁରି ଖରାପ ଥିଲା । ଆମେ ଷ୍ଟେସନ୍‌ରେ ଯେତେବେଳେ ପହଞ୍ଚିଲୁ ସେତେବେଳେ ଟ୍ରେନ୍ ଆସିବାର ସମୟ ପ୍ରାୟ ହୋଇ ଯାଇଥାଏ । ଭାଇ ଆଉ ମୁଁ ମାଲପତ୍ର–ହୋଲ୍‍ଡ଼–ଅଲ୍‍ଟି, ସୁଟ୍‌କେସ୍ ଏବଂ ଅଟାଚିକେସ୍–ଓହ୍ଲାଇ କୁଲିକୁ ଡକାଡ଼କି ଆରମ୍ଭ କଲୁ । ତତ୍‌କ୍ଷଣାତ୍‌ ନିଦରୁ ଉଠି ଆସିଥିବା ଗୋଟିଏ କୁଲି ଆସି ମାଲପତ୍ର ନେଇଗଲା ।

 

“ମୁଁ ଯାଉଛି, ତୁମେମାନେ ଫେରିଯାଅ–ବିଦାୟ ମୁହୂର୍ତ୍ତରେ ଏହାଥିଲା ତାଙ୍କର ଶେଷ ଉକ୍ତି । ମୁଁ କେବଳ ନିର୍ବାକ ଓ ନିସ୍ପନ୍ଦ ଭାବରେ ଠିଆହୋଇ ରହିଲି, ପ୍ରଣାମ କରିବାକୁ ମଧ୍ୟ ଭୁଲିଗଲି । ରାତ୍ରିରେ ଗୋମୋ ଷ୍ଟେସନର ନିର୍ଜନ ଓଭରବ୍ରିଜ ଦେଇ ଦାଦା ତାଙ୍କ ସ୍ଵଭାବସିଦ୍ଧ ଦୃପ୍ତ ଅଥଚ ଧୀର ଭଙ୍ଗିରେ ଚାଲିଯାଉଥାନ୍ତି, ମୁଣ୍ଡରେ ମାଲପତ୍ର ନେଇ କୁଲିଟି ଆଗରେ ଚାଲିଥାଏ–ଚିରଦିନ ପାଇଁ ଏହି ଛବିଟି ମୋ’ ମନରେ ମୁଦ୍ରିତ ହୋଇ ରହିଲା । ସେ’ପାଖର ସିଡ଼ିରେ ଓହ୍ଲାଇ ଦାଦା ପ୍ଲାଟଫର୍ମ ଆଡ଼କୁ ଯାଉ ଯାଉ ଅନ୍ଧକାରରେ ମିଶିଗଲେ ।

 

ସେତେବେଳକୁ ମେଲ୍‌ଟ୍ରେନର ଗୁମ୍ ଗୁମ୍ ଧ୍ୱନି ସ୍ପଷ୍ଟ ଶୁଭୁଛି । ଆମ ଗାଡ଼ିରେ ଟିକିଏ ଦୂରକୁ ଆସି ଅପେକ୍ଷା କଲୁ । ହୁସ୍, ହୁସ୍, ଶବ୍ଦରେ ଟ୍ରେନ୍ ଆସି ପହଞ୍ଚିଲା ଓ ପୁଣି ଛାଡ଼ିଦେଲା । ଆମେ ବହୁ ସମୟଧରି ଟ୍ରେନ୍ ଚାଲିଯିବାର ଶବ୍ଦ ଖୁବ୍ ମନଯୋଗ ସହକାରେ ଶୁଣିଲୁ । ତା’ ପରେ ଦେଖିଲୁ ଟ୍ରେନ୍ ଚକର ଛନ୍ଦୋମୟ ଝଂକାର ସଙ୍ଗେ ତାଳ ଦେଇ ଅନ୍ଧକାରର ବୁକୁରେ ଗୋଟିଏ ଆଲୋକର ମାଳା ଝୁଲି ଝୁଲି ଦୂରକୁ, ବହୁ ଦୂରକୁ ଚାଲିଯାଉଛି ।

 

ସତର

 

ଆମେ ଯେତେବେଳେ ବାରାରିରେ ପହଞ୍ଚିଲୁ ରାତି ସେତେବେଳେ ପ୍ରାୟ ତିନିଟା ହେବ-। ଆମେ ତା’ପରେ ଶୋଇବାକୁ ଗଲୁ ।

 

ଭାଇ ମୋତେ କହୁଥିଲେ ଯେ, ମନେହୁଏ ଦାଦା ହୁଏତ ପୁରାତନ ଭାରତୀୟ ବିପ୍ଲବୀମାନଙ୍କର ଐତିହ୍ୟ ଓ ପଥ ଅନୁସରଣ କରୁଛନ୍ତି, ବୋଧହୁଏ ସେ ରୁଷିଆ ଆଡ଼କୁ ଚାଲିଛନ୍ତି-। ମୁଁ ଭାଇଙ୍କ ସଙ୍ଗେ ସଙ୍ଗେ ଏକମତ ହେଲି ଯେ, ଦାଦା ବିପ୍ଲବୀମାନଙ୍କ ପଥରେ ଚାଲିଛନ୍ତି । କିନ୍ତୁ କହିଲି, ମୁଁ ଏ ବିଷୟରେ ନିଃସନ୍ଦେହ ଯେ, ତାଙ୍କର ବର୍ତ୍ତମାନ ଗନ୍ତବ୍ୟ ସ୍ଥଳ ହେଉଛି ଜର୍ମାନୀ-

 

ପରଦିନ ଶନିବାର ଜାନୁୟାରୀ ୧୮ ତାରିଖ ସକାଳ ନଅଟା ବେଳକୁ ମୁଁ କଲିକତା ପଥେ ଯାତ୍ରା ଆରମ୍ଭ କଲି । ଏଥରର ଡ୍ରାଇଭ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଧରଣର । ମୋ ଜୀବନରେ ମୁଁ ଏତେ ନିଶ୍ଚିନ୍ତ ଓ ହାଲୁକା କେବେହେଲେ ବୋଧ କରିନି । ସାରାଟା ପଥ ମୁଁ ଗୀତ ଗାଇ ଗାଇ ଆସିଲି । ସ୍ଵଦେଶୀ ଗୀତ ଯାହା ଜାଣିଥିଲି ସବୁ ଗାଇ ଶେଷ କଲି । ମୋ ସାଙ୍ଗରେ କିଛି ଖାଇବା ପଦାର୍ଥ ଥିଲା, ରାସ୍ତା କଡ଼ରେ ଠିଆହୋଇ ଖାଇଲି । ଷ୍ଟେସନ ବା ସହର ବା ଲୋକମାନଙ୍କର ସାନ୍ନିଧ୍ୟ ଯେତେଟା ସମ୍ଭବ ଏଡ଼ାଇ ଚାଲିଲି । ପ୍ରାୟ ଠିକ୍ ଚୁଁଚୁଡ଼ା ପାଖାପାଖି ଆସି ଦୂରରୁ ଏକ ପୁଲିସର ସମାବେଶ ଦେଖିବାକୁ ପାଇଲି । ହଠାତ୍ ମୋର ଛାତିଟା ଧଡ଼୍‌କରି ଉଠିଲା, ମୋ ପାଇଁ ଅପେକ୍ଷା କରୁ ନାହାନ୍ତି ତ ?

 

ଅପରାହ୍ନ ପ୍ରାୟ ଚାରିଟା ବେଳକୁ ମୁଁ ଗାଡ଼ି ନେଇ ଏକ ନମ୍ବର ଉଡ଼୍‌ବାର୍ନ ପାର୍କରେ ଆସି ପହଞ୍ଚିଲି । ବଡ଼ ଗାଡ଼ିଟାର ଡ୍ରାଇଭର ଆଗେଇ ଆସି ଗାଡ଼ିର ଦାୟିତ୍ଵ ନେଲା । ମୁଁ ଗାଡ଼ି ବାରଣ୍ଡାରେ ଗାଡ଼ି ଛାଡ଼ିଦେଇ ଦୌଡ଼ି ଉପରକୁ ଉଠିଗଲି । ଦ୍ଵିମହଲାର ହଲ୍ ଘରେ ମା’ଙ୍କ ସହିତ ଦେଖାହେଲା । ମା’ କହିଲେ–ବାପା ବର୍ତ୍ତମାନ ତଳକୁ ଓହ୍ଲାଇବେ । ମୁଁ ସିଡ଼ି ପାଖ ଆମ ଡ୍ରଇଂ ରୁମରେ ଅପେକ୍ଷା କରିବାକୁ ଲାଗିଲି । ଟିକିଏ ପରେ ବାପା ଆସି ପହଞ୍ଚିଲେ ।

 

ମୁଁ ଖୁବ୍ ସଂକ୍ଷେପରେ ଆମ ଯାତ୍ରାର ସମସ୍ତ ଘଟଣା ବର୍ଣ୍ଣନା କଲି । ବାପା ମୋତେ କେତୋଟି ପ୍ରଶ୍ନ କଲେ । ସବୁ ପ୍ରଶ୍ନର ଉତ୍ତର ତାଙ୍କର ସନ୍ତୋଷଜନକ ବୋଲି ମନେ ହେଲା । ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି ଯେତେବେଳେ ବାପା କହିଲେ ଯେ, ବାରାରିରୁ ଆମର ଯେଉଁ ଟେଲିଗ୍ରାମ ପଠାଇବାର କଥା ଥିଲା ସେଇଟା ସେ ଆଶା କରୁ ନ ଥିଲେ କାରଣ ଆମେ ଚାଲିଯିବା ପରେ ତାଙ୍କର ମନେ ହୋଇଥିଲା ଯେ, ଏହି ଟେଲିଗ୍ରାମ କରିବାଟା ବୁଦ୍ଧିମାନର କାମ ନୁହେଁ, ସେ ବୁଝି ପାରିଥିଲେ ଦାଦା ମଧ୍ୟ ସେ’ କଥା ଠିକ୍ ବୁଝି ପାରିବେ ।

 

ସେ ଦିନ ଆମ ସମସ୍ତଙ୍କର ଗୋଟିଏ ବାହାଘରକୁ ନିମନ୍ତ୍ରଣ ଥିଲା । ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ନାତୁଣୀ ମିନୁର, ସେ ଦିନ ବାହାଘର । ମୁଁ ଅତ୍ୟନ୍ତ କ୍ଳାନ୍ତ ବୋଧ କରୁଥୁଲି । ଅଠଚାଳିଶ ଘଣ୍ଟାରେ ପ୍ରାୟ ଚାରିଶହ ମାଇଲ ରାସ୍ତା ଗାଡ଼ି ଡ୍ରାଇଭ୍ କରି ଆସିଛି ତଥାପି ବାପା କହିଲେ, ମୋତେ ବାହାଘରକୁ ଯିବାକୁ ହେବ । ସବୁକିଛି ସ୍ଵାଭାବିକ ଭାବେ ଚାଲିବା ଉଚିତ । ବାହାଘର ନିମନ୍ତ୍ରଣରେ ଅନୁପସ୍ଥିତ ରହିବା ଠିକ୍‌ ନୁହେଁ । ମୋତେ କିଛି ସମୟ ବିଶ୍ରାମ ନେବାକୁ କହିଲେ । ଘରର ସମସ୍ତେ ଆଗ ଚାଲିଗଲେ, ମୁଁ ବାପାଙ୍କ ସଙ୍ଗେ ଟିକିଏ ଡେରିରେ ଗଲି । କିନ୍ତୁ ଯେଉଁଠି ବାଘର ଭୟ, ସେଇଠି ସନ୍ଧ୍ୟା ହୁଏ । ବାହାଘର ନିମନ୍ତ୍ରଣରେ ମୋତେ ବିଶେଷ କରି କେତେଜଣ ପଚାରିଲେ, କଅଣ ସୁଭାଷ ବାବୁଙ୍କର ଖବର କଅଣ ? ମୁଁ ମଧ୍ୟ ସରଳ ଭାଷାରେ କହିଲି–ତାଙ୍କ ଦେହ ସେପରି ସୁସ୍ଥ ନୁହେଁ ।

 

ମା’ଙ୍କ ପାଖରୁ ଶୁଣି ମୁଁ ଆଶ୍ଵସ୍ତ ହେଲି ଯେ, ଘରେ ମୋର ଅନୁପସ୍ଥିତି ବିଶେଷ କେହି ଲକ୍ଷ୍ୟ କରି ନାହାନ୍ତି । ଅନ୍ତର୍ଦ୍ଧାନର ପରଦିନ ସନ୍ଧ୍ୟାରେ ମୋର ଭଉଣୀ ଗୀତା, ମୁଁ କାହିଁକି ଏବେ ବି କଲେଜରୁ ଫେରୁ ନାହିଁ, ପଚାରୁଥିଲା । ମା’ ତାକୁ କହିଥିଲେ ଯେ ଦାଦାଙ୍କ କୌଣସି କାମରେ ମୁଁ ବାହାରକୁ ଯାଇଛି । ପିଲାଦିନୁ ଆମ ସମସ୍ତଙ୍କୁ ବେଶି ପ୍ରଶ୍ନ ନ ପଚାରିବାକୁ ଟ୍ରେନିଂ ଦିଆ ହୋଇଥିଲା । ମୋର ଜଣେ ଦଦେଇ ପୁଅ ଓ ଆଉ ଜଣେ ମାଉସୀ ପୁଅ ଭାଇ ଯେଉଁମାନେ ପ୍ରାୟ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆମ ଘରକୁ ଆସୁଥିଲେ, କେଜାଣି କାହିଁକି ଠିକ୍‍ ସେହି ଦୁଇ ଦିନ ସେମାନେ ଆସି ନାହାନ୍ତି ।

 

ପରଦିନ ସନ୍ଧ୍ୟାରେ ଏଲଗିନ୍‍ ରୋଡ଼ର ଘରକୁ ଯାଇ ମୁଁ ଇଲା ଓ ଅନ୍ୟ ଦୁଇ ଭାଇକୁ ଖବର ଦେଇ ଆସିଲି ଯେ ସବୁ ଠିକ୍‍ ଅଛି ଆମକୁ କେବଳ ଛଳନାଟା କରି ଯିବାକୁ ହେବ ଏବଂ We must keep our mouth shut. ଏହା ପରେ ମୁଁ ପ୍ରତିଦିନ ସନ୍ଧ୍ୟାରେ ମୋର ପୁରୁଣା ଅଭ୍ୟାସ ଅନୁଯାୟୀ ଏଲଗିନ୍‍ ରୋଡ଼ର ଘରକୁ ଯାଉଥିଲି । ଇଲା କୌଶଳ କରି ମୋତେ ଦାଦାଙ୍କ ଘରେ ପୁରାଇ ଦେଉଥିଲା ଏବଂ ଦାଦାଙ୍କ ପାଇଁ ଥିବା ଯାବତୀୟ ଉପାଦେୟ ଖାଦ୍ୟ ସାମଗ୍ରୀ—ଫଳମୂଳ, ଛେନା, ମିଠା ଇତ୍ୟାଦି ମୁଁ ସବୁ ଆତ୍ମସାତ କରୁଥିଲି । ଦାଦା ଯେ ଘର ଭିତରେ ନିର୍ଜନ ବାସ କରୁଛନ୍ତି ଏହି ଛଳନା ପ୍ରାୟ ଦଶ ଦିନ ପର୍ଯ୍ୟନ୍ତ ଚାଲିଲା ।

 

ଜାନୁୟାରୀ କୋଡ଼ିଏ ତାରିଖ ସୋମବାର ଦିନ ଆଲିପୁର କୋର୍ଟରେ ଦାଦାଙ୍କ ଗୋଟିଏ ମାମଲାର ତାରିଖ ଥିଲା । ମାମଲାର ମୁଲତବି ପାଇଁ ପ୍ରାର୍ଥନା କରିବା ଦରକାର । ପୁରୁଣା ମେଡ଼ିକେଲ୍‍ ସାର୍ଟିଫିକେଟ୍‍ ଦେଖି ଜର୍ଜ ଯଦି ମୁଲତବି ମଞ୍ଜୁର ନ କରନ୍ତି ତେବେ ତ ମୁସ୍କିଲ ହେବ । ଦ୍ୱିଜେନ ଓ ମୁଁ ମେଡ଼ିକେଲ୍‍ କଲେଜରେ ତାଙ୍କୁ ନପାଇ ତାଙ୍କ ଘର ପର୍ଯ୍ୟନ୍ତ ଦୌଡ଼ିଲୁ । ସେଠାରେ ମଧ୍ୟ ସେ ନ ଥିଲେ । କୋର୍ଟ ବସିବାର ସମୟ ପ୍ରାୟ ହୋଇ ଆସୁଛି । ଶେଷରେ ଦ୍ୱିଜେନ ଓ ମୁଁ ଦାଦାଙ୍କ ନିଜସ୍ୱ ଓକିଲଙ୍କ ଘରକୁ ଆସିଲୁ । ମୁଁ ନ ଓହ୍ଲାଇ ଗାଡ଼ିରେ ବସିରହିଲି, ଦ୍ୱିଜେନ ଯାଇ ଓକିଲଙ୍କୁ କହିଲା, ଦାଦାଙ୍କ ସାୟଟିକାର ବ୍ୟଥା ଖୁବ୍‍ ବଢ଼ିଯାଇଛି । ସକାଳ ସୁଦ୍ଧା ଡାକ୍ତରଙ୍କ ସାର୍ଟିଫିକେଟ୍‍ ମିଳିବା ସମ୍ଭବ ନୁହେଁ । ସେ ଯେପରି ଦାଦାଙ୍କ ତରଫରୁ ଏହି ଶେଷ ଥର ପାଇଁ ମୁଲତବି ପ୍ରାର୍ଥନା କରନ୍ତି । ଯାହାହେଉ ଜର୍ଜସାହେବ ସେଦିନ ଶୁଣାଣି ମୁଲତବି ରଖିଥିଲେ ।

 

ସେହିଦିନ ହିଁ କଲେଜକୁ ଯାଇ ଆନାଟୋମି ଡିପାର୍ଟମେଣ୍ଟରେ ମୃତଦେହ ଡିସେକ୍‍ସନ୍‍ କାମରେ ଲାଗିଲି । ମୋର ପାର୍ଟନର ଜଣକ ନିତାନ୍ତ ଭଲ ମଣିଷ ଥିଲେ । ତାଙ୍କୁ ନେଇ କୌଣସି ସମସ୍ୟା ହେଲା ନାହିଁ । ତେବେ ଆମର ଡେମନଷ୍ଟ୍ରେଟର ମହାଶୟ ଯେତେବଳେ ପର୍ସେଣ୍ଟେଜ୍‍ ଦେବାପାଇଁ ଏବଂ ପରୀକ୍ଷା ସଂକ୍ରାନ୍ତରେ ମୋର କାର୍ଡ଼ ଦସ୍ତଖତ କରିବା ପାଇଁ ଆସିଲେ ସେତେବେଳେ ମୋତେ ସ୍ୱୀକାର କରିବାକୁ ହେଲା ଯେ, ପାରିବାରିକ କାରଣ ଯୋଗୁଁ ମୋତେ ଦୁଇଦିନ ପାଇଁ କଲିକତା ବାହାରକୁ ଯିବାକୁ ପଡ଼ିଥିଲା । ସେ ନିତାନ୍ତ ଖୋଲା ମନରେ କହିଲେ—ତୁମେ ଯେ କଲିକତା ବାହାରକୁ ଯାଇଥିଲା, ତାହାର ତ ପୁଲିସ ରେକର୍ଡ଼ କିଛି ନାହିଁ । ସେ ସେହି ଦୁଇଦିନର ପର୍ସେଣ୍ଟେଜ ଦେଇଦେଲେ ଏବଂ କାର୍ଡ଼ରେ ମଧ୍ୟ ଦସ୍ତଖତ କରିଦେଲେ । ତାଙ୍କର ଏହି ଥଟ୍ଟାର ମନ୍ତବ୍ୟରେ ମୁଁ ଏପରି ଚମକି ପଡ଼ିଥିଲି ଯେ, ଆଜି ପର୍ଯ୍ୟନ୍ତ ମୋର ସେ’ ଘଟଣାଟା ଖୁବ୍‍ ଭଲଭାବେ ମନେଅଛି ।

 

ଆଉ ଥରେ ଶୁଣାଣିର ତାରିଖ ଧାର୍ଯ୍ୟ ହେଲା—ଜାନୁୟାରୀ ୨୭ ତାରିଖ ଦିନ । ବାପା କହିଲେ, ଦାଦା ଯେତେବେଳେ ସେ ଦିନ କୋର୍ଟରେ ହାଜିରା ଦେବାକୁ ଉପସ୍ଥିତ ନ ହେବେ ସେତେବେଳେ ପୁଲିସ୍‍ ଆମ ଘରେ ପହଞ୍ଚି ଦେଖିବ ସେ’ ନାହାନ୍ତି, ତାହା କଦାପି ଭଲ ହେବ ନାହିଁ-। ତା’ ଠାରୁ ପୁଲିସ ଜାଣିବା ପୂର୍ବରୁ ହିଁ ଆମ ତରଫରୁ ଦାଦାଙ୍କ ଅନ୍ତର୍ଦ୍ଧାନ ଖବର ପ୍ରକାଶ କରିବା ଉଚିତ୍‍ । ଦାଦା ଯେ ନାହାଁନ୍ତି, ସେକଥା ଯେପରି ଆମେ ହଠାତ୍‍ ଜାଣି ପାରିଲୁ, ସମସ୍ତ ଘଟଣାଟି ଏଭଳି ସଜାଇବାକୁ ହେଲେ କ’ଣ କରିବା ଦରକାର ସେ’ ବିଷୟରେ ଆଲୋଚନା ପାଇଁ ଜାନୁୟାରୀ ପଚିଶ ତାରିଖ ଦିନ ମଧ୍ୟାହ୍ନରେ ଉଡ଼୍‍ବାର୍ନ ପାର୍କର ବାପାଙ୍କ ଶୋଇବା ଘରେ ଗୋଟିଏ ଛୋଟ ବୈଠକ ବସିଲା । ସେଠାରେ ମୁଁ, ଦ୍ୱିଜେନ ଓ ଅରବିନ୍ଦ ଥିଲୁ । ବାପା କହିଲେ, ସାଧାରଣତଃ ମୁଁ ଯେପରି ଶନି-ରବିବାର ଦିନ ଛୁଟି କଟାଇବା ପାଇଁ ରିସିଡ଼ାର ବଗିଚା ଘରକୁ ଯାଏ ସେଦିନ ସନ୍ଧ୍ୟାରେ ମଧ୍ୟ ସେଭଳି ରିସିଡ଼ା ଚାଲିଯିବି । ଶନିବାର ସନ୍ଧ୍ୟାରେ ଦାଦାଙ୍କ ପାଇଁ ଯେଉଁ ଖାଦ୍ୟ ସାମଗ୍ରୀ ରଖାହେବ ତାହା କେହି ଖାଇବେ ନାହିଁ, ତାହାହେଲେ ପରଦିନ ସକାଳେ ପୁଝାରୀ ଯେତେବେଳେ ଦେଖିବ କେହି ଖାଦ୍ୟ ସ୍ପର୍ଶ କରି ନାହାନ୍ତି ସେତେବେଳେ ସେ ନିଜ ତରଫରୁ ପାଟିତୁଣ୍ଡ ସୃଷ୍ଟି କରିବ ଏବଂ ଘରସାରା ଲୋକେ ସମସ୍ତେ ଜାଣି ପାରିବେ । ତାହାହେଲେ ସମସ୍ତ ଘଟଣାଟା ଖୁବ୍‍ ସ୍ୱାଭାବିକ ହେବ । ସେତେବେଳେ ମୋର ଭାଇମାନେ ଚାରିଆଡ଼େ ଦାଦାଙ୍କୁ ଖୋଜିବା ପାଇଁ ଲୋକ ପଠାଇବେ । ବାପାଙ୍କୁ ଖବର ଦେବାକୁ ଦଳେ ଲୋକ ରିସିଡ଼ାକୁ ଦୌଡ଼ିବେ-। ମୁଁ ବାପାଙ୍କ ସଙ୍ଗେ ରିସିଡ଼ାରେ ଥିବି ।

 

ଅଠର

 

ମୁଁ ସେଦିନ ସନ୍ଧ୍ୟାରେ ବାପା-ମା ଓ ଭାଇ ଭଉଣୀଙ୍କ ସଙ୍ଗେ ରିସିଡ଼ାର ବଗିଚା ଘରକୁ ଚାଲିଗଲି । ପରଦିନ ଥିଲା ରବିବାର ଜାନୁୟାରୀ ଛବିଶ ତାରିଖ । ସାରା ସକାଳଟା ଆମେ—ବାପା, ମା ଓ ମୁଁ ଭୀଷଣ ଉତ୍କଣ୍ଠାରେ କଟାଇଲୁ । ସବୁକିଛି ପ୍ଲାନ୍ ଅନୁସାରେ ଠିକ୍ ହେଲା କି ନାହିଁ ଏବଂ ସେତେବେଳେ କୌଣସି ଖବର କାହିଁକି ଆସିଲା ନାହିଁ, ଏହା ଚିନ୍ତା କରି । ବେଳ ବଢ଼ିବା ସଙ୍ଗେ ସଙ୍ଗେ ବାପା ଖୁବ୍ ଅସ୍ଥିର ହୋଇ ପଡ଼ିଲେ । ଖାଇବା ପିଇବା ସାରି ଆମେ ଯେତେବେଳେ କଳ୍ପନା ଜଳ୍ପନା କରୁଛୁ ଠିକ୍‍ ସେତିକିବେଳେ କଲିକତାରୁ ଗୋଟିଏ ଗାଡ଼ି ଆସି ପହଞ୍ଚିଲା । ମୋର ଦୁଇ ଦଦେଇ ଓ କକେଇ ପୁଅ ଭାଇ ଅତି ବ୍ୟସ୍ତଭାବେ ଘର ଭିତରକୁ ପଶି ଆସିଲେ । .

 

ଗାଡ଼ିର ଶବ୍ଦ ଶୁଣିବାକ୍ଷଣି ମୁଁ ଅନ୍ୟ ଘରକୁ ଯାଇ ଛଳନାରେ ଖଟରେ ପଡ଼ି ରହିଲ । ଜଣେ ସିଧା ବାପାଙ୍କ ଘରକୁ ଯାଇ କଥାବାର୍ତ୍ତା ଆରମ୍ଭ କଲେ । ଦଦେଇ ପୁଅ ଭାଇଟି ରସିକ ଲୋକ ଥିଲେ, ଥଟ୍ଟା ତାମାସା ଭଲ ପାଉଥିଲେ । ସେ ମୋ ଘରକୁ ଆସି ମୋତେ ଠେଲାପେଲା କରି ଅତ୍ୟନ୍ତ ଉତ୍ତେଜିତ ଭାବେ ବାରମ୍ବାର କହିବାକୁ ଲାଗିଲେ—‘ଜାଣିଛ, ଦାଦାଙ୍କୁ ଆଜି ସକାଳଠାରୁ କେହି ଖୋଜି ପାଉ ନାହାନ୍ତି ।’ ମୋ’ ନିଦ ତ ଭାଙ୍ଗେ ନା—କଡ଼ ଲେଉଟାଇ ଶୋଇ କହିଲି—‘ଆଃ, କଣ ସବୁ ବାଜେ କଥା କହୁଛ !’ ସେ ଖୁବ୍ ଉତ୍ତେଜିତ ହୋଇ କହିବାକୁ ଲାଗିଲେ–‘ନା ନା—ଏହା ଥଟ୍ଟା ନୁହେଁ, ସତରେ ଦାଦାଙ୍କୁ ଖୋଜି ପାଉନୁ । ଆମେ ସବୁ ଜାଗା ଖୋଜି ଖୋଜି ଦେଖିଛୁ, ଟୁଙ୍ଗି ଛାତ ପର୍ଯ୍ୟନ୍ତ । ଏବେ ମଝିଆ ଦାଦାଙ୍କୁ ଖବର ଦେବାକୁ ଆସିଛୁ ।

 

ମୁଁ ଶେଷ ପର୍ଯ୍ୟନ୍ତ ବିଛଣାରୁ ଉଠିଲି ଓ ଧୀରେ ଧୀରେ ବାରଣ୍ଡାକୁ ବାହାରିଲି । ବାପା ମଧ୍ୟ ବାହାରି ଆସିଲେ ଏବଂ ଗମ୍ଭୀରଭାବେ ସମସ୍ତଙ୍କ ଆଗରେ କହିଲେ—‘ସୁଭାଷର ଖବର ମିଳୁନାହିଁ ।’ ସେ ଆହୁରି କହିଲେ ଯେ, ଯେତେ ଶୀଘ୍ର ସମ୍ଭବ ସେ କଲିକତା ଫେରି ଯିବାକୁ ଚାହାଁନ୍ତି-। କଲିକତା ପହଞ୍ଚିବା ପରେ ହିଁ ଖୋଜିବା ବିଷୟ ନେଇ ପ୍ଲାନ ଠିକ୍ କରିବା । ଦୁଇଜଣ ବାର୍ତ୍ତାବହକଙ୍କୁ ଆଗ ଫେରି ଯିବାକୁ କହି ସେ ନିଜେ ପ୍ରସ୍ତୁତ ହେଲେ ।

 

ପୁଣି ସେହି ଓୟାନଡ଼ାରାର ଗାଡ଼ିରେ ବାପାଙ୍କୁ ପାଖରେ ବସାଇ ମୁଁ କଲିକତା ଅଭିମୁଖେ ଯାହା କଲି । ମୁଁ ଅନୁମାନ କଲି ଗାଡ଼ିରେ ବସି ବାପା ମନେ ମନେ ତାଙ୍କ ପ୍ଲାନ ଠିକ୍‍ କରୁଛନ୍ତି । କଥାବାର୍ତ୍ତା ବେଶି କଲେ ନାହିଁ । ବାପାଙ୍କୁ ନେଇ ମୁଁ ସିଧା ଏଲଗିନ୍, ରୋଡ଼ର ଘରେ ଆସି ପହଞ୍ଚିଲି । ବାପା ଦାଦାଙ୍କ ଅଫିସ ଘରେ ବସିଲେ । ସେଠାରେ ସମସ୍ତେ କ’ଣ କ’ଣ ଘଟିଛି ସେ ସମ୍ବନ୍ଧରେ ଯେ ଯାହାର ‘ରିପୋର୍ଟ ଓ ମତାମତ ଦେବାକୁ ଲାଗିଲେ । ବାପା କେତେଜଣ ପାରିବାରିକ ବନ୍ଧୁଙ୍କ ନାଁ କହି ତାଙ୍କୁ ଖବର ଦେବାକୁ କହିଲେ । ତା’ପରେ ଜଣେ ଜଣେ କରି ପ୍ରାୟ ଅନେକେ ଆସି ପହଞ୍ଚିଲେ—ଯଥା: ସତ୍ୟରଞ୍ଜନ ବକ୍‍ସି, ସୁରେଶଚନ୍ଦ୍ର ମଜୁମ୍‍ଦାର, ପଣ୍ଡିତ ଅଶୋକନାଥ ଶାସ୍ତ୍ରୀ, ନୃପେନ୍ଦ୍ରଚନ୍ଦ୍ର ମିତ୍ର ପ୍ରଭୃତି । ଆତ୍ମୀୟମାନଙ୍କ ସମାବେଶ ତ ହେଲା । ନାନା ପରମର୍ଶ ମଧ୍ୟ ଚାଲିଲା । ଗୋସେଇଁ ମା’ ତାଙ୍କ ନିଜ ଘରେ ଖୁବ୍ ଶାନ୍ତ ଭାବେ ବସିଥିଲେ । ବାପା ତାଙ୍କ ସଙ୍ଗେ ଦେଖା କଲେ । ଗୋସେଇଁ ମା’ଙ୍କୁ କିଛି କହିବାର ନ ଥିଲା— ଏହା ହିଁ ଥଲା ବାପାଙ୍କ ପାଖରେ ଗୋଟିଏ କଠିନ ପରୀକ୍ଷା । କିଛିକ୍ଷଣ ପରେ ବାପା ଦଳବଳ ନେଇ ଉଡ଼୍‍ବାର୍ନ ପାର୍କର ଘରକୁ ଆସିଲେ ଓ ନିଜର ଅଫିସ ଘରେ ବସିଲେ । ବନ୍ଧୁମାନେ ବାପାଙ୍କ ଉପରେ ନାନା ପ୍ରକାର ପରାମର୍ଶ, ଉପଦେଶ ଓ ମତାମତ ବର୍ଷଣ କରିବାରେ ଲଗିଲେ ଓ ବାପା ପରମ ଧୈର୍ଯ୍ୟ ସହକାରେ ସବୁକିଛି ଶୁଣିଗଲେ । ତା’ପରେ ସେ କେତୋଟି ଟେଲିଗ୍ରାମ ପଠାଇଲେ ଓ କଲିକତାର କେତୋଟି ଜାଗାକୁ ବିଶେଷ କରି ଆଶ୍ରମ, ମଠ ଓ ମନ୍ଦିର ଇତ୍ୟାଦିକୁ ଖବର ନେବା ପାଇଁ ଲୋକ ପଠାଇଲେ-

 

ଏଲଗିନ୍ ରୋଡ ଓ ଉଡ଼୍‍ବାର୍ନ ପାର୍କର ଘରେ ମୁଁ ଯେତେଟା ସମ୍ଭବ ଅନ୍ତରାଳରେ ରହି ଏବଂ ନିଜେ ବୋକା ଭଳି ଅଭିନୟ କରି ସବୁକିଛି ପର୍ଯ୍ୟବେକ୍ଷଣ କରୁଥିଲି ଏବଂ କିଛିଟା ଉପଭୋଗ ମଧ୍ୟ କରୁଥିଲି । ଶେଷ ପର୍ଯ୍ୟନ୍ତ ମୋତେ ମଧ୍ୟ ଡକରା ପଡ଼ିଲା । ଅଫିସ ଘରେ ସମସ୍ତଙ୍କ ଆଗରେ ବାପା ମୋତେ କହିଲେ, ‘ଏମାନେ କହୁଥିଲେ କେଓଡ଼ାତଲାର ଶ୍ମଶାନ ଓ କାଲିଘାଟର ମନ୍ଦିର ଆଡ଼େ ଟିକିଏ ଦେଖି ଆସିବା ଉଚିତ୍ । ତୁମେ ଜଣକୁ ସାଙ୍ଗରେ ନେଇ ଓୟାନଡ଼ାରାର ଗାଡ଼ିରେ ଯାଇ ଦେଖି ଆସ ।’ ମୁଁ ଖୁବ୍ ବାଧ୍ୟ ପିଲା ଭଳି ଗୋଟିଏ ଦଳକୁ ନେଇ ଓୟାନଡ଼ାରାର ଗାଡ଼ିରେ ଚଢ଼ି ଦାଦାଙ୍କୁ ଖୋଜିବାକୁ ବାହାରିଲି । କେଓଡ଼ାତଲାରେ ଦେଶବନ୍ଧୁଙ୍କ ‘ସମାଧି’– ମନ୍ଦିରଟା ଆମେ ବୁଲି ବୁଲି ଦେଖିଲୁ । ନିଶାରେ ମସ୍‌ଗୁଲ୍ ହୋଇ କେତେଗୁଡ଼ିଏ ବିଚିତ୍ର ମଣିଷ ସେଠାରେ ଜମାଇ ବସିଥିଲେ । ତାଙ୍କୁ ଦେଖି ବଡ଼ ଦୁଃଖ ଲଗିଲା । ତା’ପରେ ଗଲୁ କାଲିଘାଟ ମନ୍ଦିରକୁ । ସେଠାରେ ମଧ୍ୟ ବିଫଳ ମନୋରଥ ହେବା ପରେ ଜଣେ ବନ୍ଧୁ ତାଙ୍କର ବିଶେଷ ପରିଚିତ ଜଣେ କାଳୀଭକ୍ତ ବାବାଙ୍କ ପାଖକୁ ଯିବାର ପ୍ରସ୍ତାବ କଲେ । ଗୋଟିଏ ଲମ୍ବା ସଂକୀର୍ଣ୍ଣ ଗଳିର ଶେଷ ପ୍ରାନ୍ତରେ ତାଙ୍କ ଘରକୁ ଯାଇ ତାଙ୍କ ସାକ୍ଷାତ ପାଇଲି । ନିକଟରେ କାଳୀମୂର୍ତ୍ତି, ଖବର ଶୁଣି ସେ ଚାଲେଞ୍ଜ କରିବା ଭଙ୍ଗିରେ ମୋ ବନ୍ଧୁଙ୍କୁ କହିଲେ–ମୁଁ ଆଗରୁ କହିନି କି ସୁଭାଷ ବାବୁଙ୍କୁ ଏହି ସଂସାରରେ କେହି ବାନ୍ଧି ରଖି ପାରିବେ ନାହିଁ, ଦେଖିଲ ତ ସେଇୟା ହିଁ ହେଲା । ବହୁ ଅନୁନୟ ବିନୟ ପରେ ସେ କହିଲେ ଯେ, ଚନ୍ଦନ ନଗର ନିକଟରେ ଅମୁକ ମନ୍ଦିରରେ ଖବର ନେଇ ଦେଖିପାର, ତେବେ ରାତି ସାରା ୰ ମା’ଙ୍କର ପୂଜା କରିବା ପରେ ପରଦିନ ସକାଳେ ସେ ଆହୁରି ସଠିକ କହି ପାରିବେ । ଘରକୁ ଫେରି ଆମ ନିଷ୍ଫଳ ଯାତ୍ରାର କଥା ବାପା ଓ ଅନ୍ୟାନ୍ୟଙ୍କୁ କହିଲି ।

 

ରାତି ବଢ଼ିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ଭିଡ଼ ମଧ୍ୟ କମି ଆସିଲା । ବାପା ତା’ପରେ ସୁରେଶଚନ୍ଦ୍ର ମଜୁମଦାର୍ ମହାଶୟଙ୍କ ସଙ୍ଗେ ଆଲୋଚନା ଆରମ୍ଭ କଲେ, ସମ୍ବାଦଟି ପରଦିନ ସକାଳେ ଖବର କାଗଜରେ ପ୍ରକାଶ ପାଇବ କି ନାହିଁ ଯଦି ପ୍ରକାଶ ପାଏ, ତେବେ କ’ଣ ପ୍ରକାଶ ପାଇବ ସେ’ ବିଷୟରେ ବିବେଚନା କଲେ । ଶେଷ ପର୍ଯ୍ୟନ୍ତ ସେମାନେ ଗୋଟିଏ ଖସଡ଼ା ତିଆରି କଲେ ଏବଂ ସୁରେଶ ବାବୁ ତାହା ନେଇ ବିଦାୟ ହେଲେ ।

 

ପରଦିନ, ସତେଇଶ ଜାନୁୟାରୀ ଥିଲା ଗୋଟିଏ କଠିନ ପରୀକ୍ଷାର ଦିନ । ପ୍ରଥମତଃ ଦାଦାଙ୍କ ମାମଲାର ଶୁଣାଣି ହେବ; ସକାଳ ହେବାକ୍ଷଣି ଖବରଟା ପ୍ରଚାର ହୋଇ ଯିବାରୁ କୋର୍ଟ ସଂକ୍ରାନ୍ତରେ ଯାବତୀୟ ଅସୁବିଧା ସହଜ ହୋଇଗଲା । ଦ୍ୱିତୀୟରେ ପୁଲିସ୍‌ର ପ୍ରତିକ୍ରିୟା କି ପ୍ରକାର ହେବ ଏବଂ ସେମାନେ କ’ଣ କରିବେ ? ଏତିକି ବୁଝାପଡ଼ିଲା ଯେ, ସମସ୍ତ ବଙ୍ଗଳା ଦେଶର ପୁଲିସ୍ ଅତ୍ୟନ୍ତ ହତବାକ୍ ଓ ବୋକା ପାଲଟି ଯାଇଛନ୍ତି । କେବଳ ଏଲଗିନ୍ ରୋଡ଼ର ଘରକୁ ପହଞ୍ଚିବାକୁ ହିଁ ସେମାନଙ୍କୁ ବହୁତ ଡେରି ଲଗିଲା । ଦାଦାଙ୍କ ଗୃହତ୍ୟାଗର ଅଳୀକ କାହାଣୀଟି ବାରମ୍ବାର ତାଙ୍କୁ କହିବାକୁ ହେଲା ଯଥା ସେ ଦଶ ଦିନ ଯାବତ୍ ନିର୍ଜନ ବାସ କରୁଥିଲେ, ରାତ୍ରିର ଖାଦ୍ୟ ପଦାର୍ଥ ଅଭୁକ୍ତ ପଡ଼ିବାରୁ ସନ୍ଦେହ ହେଲା ଏବଂ ପର୍ଦ୍ଦା ଟେକି ଦେଖିଲାରୁ ଜଣା ପଡ଼ିଲା, ସେ ନାହାନ୍ତି ।

 

ଶ୍ରୀଯୁକ୍ତ ସୁଭାଷଚନ୍ଦ୍ର ବୋଷ

ଅପ୍ରତ୍ୟାଶିତଭାବେ ଗୃହତ୍ୟାଗ

 

ଗତ ରବିବାର ଅପରାହ୍ନ ହଇତେ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବସୁକେ ତାଁ ହାର ବାସଭବନେର କକ୍ଷେ ଦେଖିତେ ନା ପାଓ୍ୱାଏ ତାଁହାର ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସ୍ୱଜନ ବର୍ଗେର ମଧ୍ୟେ ଗଭୀର ଉଦ୍‍ବେଗେର ସଞ୍ଚାର ହୋଇଆଛେ । ଗତ ଡିସେମ୍ବର ମାସେର ପ୍ରଥମ ସପ୍ତାହେ କାରାଗାର ହଇତେ ମୁକ୍ତିଲାଭେର ପର ତିନି ଦିବା-ରାତ୍ର ଏଇ କକ୍ଷେ ଅବସ୍ଥାନ କରିତେ ଛିଲେନ୍ ।

 

ସକଲେଇ ଇହା ଅବଗତ ଆଛେନ ଯେ, ତିନି ଅସୁସ୍ଥ ହୋଇଆ ପଡ଼ିଆଛିଲେନ । ଗତ କଏକ ଦିନ ଯାବତ ତିନି ସମ୍ପୂର୍ଣ୍ଣ ମୌନାବଲମ୍ୱନ କରେନ୍ ଏବଂ ସକଲେର ସହିତ ଏମନକି ଆତ୍ମୀୟ ସ୍ୱଜେନର ସହିତ ଓ ଦେଖା ସାକ୍ଷାତ ବନ୍ଦ କରିଆ ଧର୍ମ ଚର୍ଚ୍ଚାୟେ ସମୟ ଅତିବାହିତ କରିତେ ଛିଲେନ୍ । ତାହାର ସ୍ୱାସ୍ଥେର ବର୍ତ୍ତମାନ ଅବସ୍ଥା ବିବେଚନା କରିୟା ଉଦ୍ଦ୍ୟେଗେର ମାତ୍ରା ଅଧିକତର ବୃଦ୍ଧି ପାଇଆଛେ । ବିଭିନ୍ନ ସ୍ଥାନେ ଅନୁସନ୍ଧାନ କରିୟା କୋନ ଫଲ୍ ହଏନାଇ । ଏବଂ ସମ୍ବାଦ ଛାପିତେ ଦେବାର ସମୟ ପର୍ଯ୍ୟନ୍ତ ତିନି ଗୃହେ ପ୍ରତ୍ୟାବର୍ତ୍ତନ କରେନ ନାଇ ବଲିଆ ଜାନା ଗେଲ ।

 

(୨୭/୧/୪୧ ତାରିଖର ବଙ୍ଗଳା ଆନନ୍ଦବାଜାର ପତ୍ରିକାରେ ପ୍ରକାଶିତ ଖବରର ପ୍ରତିଲିପି)

 

WHAT HAS HAPPENED TO

SJ. SUBASH CH.BOSE ?

 

Unexpected Exit From Home

 

Great anxiety prevails amongst, the relatives and friends of Sj Subhas Bose since yesterday afternoon when it was notice that he was not in his room where he was confined since his release from jail. in the 1st week of December last. It is generally known that from the last few days he was observing strict silence and had not been seeing anybody not even the members of his family but has been spending his time in religious practices. Anxiety is all the more acute on account of his present state of health.

 

Enquiries have been made at various places about him but up to the time of going to the Press we understand he has not returned home.

 

(୨୭/୧/୪୧ ତାରିଖରେ ଇଂରାଜୀ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ ପତ୍ରିକାରେ ପ୍ରକାଶିତ ଖବରର ପ୍ରତିଲିପି)

 

ଅପରାହ୍ନରେ ଗାଡ଼ି ବାରଣ୍ଡାର ଛାତ ଉପରେ ଛିଡ଼ାହୋଇ ମୁଁ, ଦଳେ ପୁଲିସ୍ ଯେଉଁ ପରୀକ୍ଷା ନିରୀକ୍ଷା କରୁଥିଲେ ତାହା ନିରୀକ୍ଷଣ କରୁଥିଲି, ଦେଖିଲି ସେମାନେ ଦାଦାଙ୍କ ପଳାୟନର ପଥ ଖୋଜୁଛନ୍ତି ବିଶେଷ କରି ଘର ପଛପଟେ ଏବଂ ଅନ୍ୟ ପାଖରେ ଜମାଦାରମାନଙ୍କ ପାଇଁ ଥିବା ଛୋଟ କବାଟ ଆଡ଼େ, ସେମାନଙ୍କ ଆଚରଣ ଓ ପରୀକ୍ଷା କରିବାର ଧରଣ ଦେଖି ମୁଁ ଆଶ୍ୱସ୍ତ ହେଲି-

 

ସେଦିନ କିମ୍ବା ପରଦିନ ସନ୍ଧ୍ୟାରେ ଅଲ୍ ଇଣ୍ଡିଆ ରେଡ଼ିଓ ହଠାତ୍ ଘୋଷଣା କଲା ଯେ, ସୁଭାଷଚନ୍ଦ୍ର ବୋଷ ଯିଏ କି ଗତ କାଲିଠାରୁ ନିରୁଦ୍ଦ୍ୟେଶ ହୋଇଥିଲେ, ସେ ଝରିଆ ପାଖରେ ଗ୍ରେପ୍ତାର ହୋଇଛନ୍ତି । ବାପା ଏ ଖବର ଶୁଣି ବିଚଳିତ ହେଲେ । ମୋତେ ଆଢ଼ୁଆଳକୁ ଡାକି ପଚାରିଲେ–ଏ ଖବରଟି ସମ୍ଭବ କି ନୁହେଁ । ମୁଁ’ କହିଲି, “ପୁରା ଦଶ ଦିନ ବିତି ଯାଇଛି, ଏବେ ସେ ସେ’ ଅଞ୍ଚଳରେ ରହିବେ କିପରି !’ ବାପା କହିଲେ, ‘ମନେକର ତାହାର ସବୁ ପ୍ଲାନ ଭୁଷୁଡ଼ି ପଡ଼ିଛି ଏବଂ ସେ ଯଦି ଘରକୁ ଫେରିବା ବାଟରେ ଧରା ପଡ଼ିଥାଏ ?’ ମୁଁ କିନ୍ତୁ ସେଭଳି ସମ୍ଭାବନା ମୂଳରୁ କାଟିଦେଲି । ଯାହାହେଉ ବନ୍ଧୁମାନଙ୍କ ପରାମର୍ଶରେ ବାରାରିରେ ଭାଇଙ୍କ (ଡା: ଅଶୋକନାଥ ବସୁ) ପାଖକୁ ଟେଲିଫୋନ କରାହେଲା ଏବଂ ତାଙ୍କୁ ଧାନବାଦ୍‍ ଯାଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ନେବାକୁ କୁହାଗଲା । କିଛିକ୍ଷଣ ପରେ ଏସୋସିୟେଟେଡ଼୍ ପ୍ରେସ୍‍ ଅଫ ଇଣ୍ଡିଆ ତରଫରୁ ପୂର୍ବ ଖବରଟି ଭିତ୍ତିହୀନ ବୋଲି ପ୍ରଚାରିତ ହେଲା । ବାପା ମୋତେ ଗୋସେଇଁ ମା’ଙ୍କୁ ଖବର ଜଣାଇବାକୁ କହିଲେ ।

 

ପୁଲିସ୍ ଛଡ଼ା ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନ ଓ ବନ୍ଧୁବାନ୍ଧବମାନେ ଦଳ ଦଳ ହୋଇ ଆସିବାକୁ ଲାଗିଲେ । ତାଙ୍କର ସମସ୍ତଙ୍କୁ ବାରମ୍ବାର ସେହି କାହାଣୀଟି କହିବାକୁ ପଡ଼ିଲା ଏବଂ ଦାଦାଙ୍କ ଘରକୁ ନେଇ ସଜ୍ଜିତ ବ୍ୟବସ୍ଥାଟି ଦେଖାଇବାକୁ ହେଲା । ଦାଦାଙ୍କ ବ୍ୟକ୍ତିଗତ ଭୃତ୍ୟଟି କିନ୍ତୁ ଗୋଟିଏ ବିପଜ୍ଜନକ ଘଟଣା ଆବିଷ୍କାର କରି ପକାଇଲା । ସେ ଇଲାକୁ କହିଲା ଯେ, ଦାଦା ତ ସବୁକିଛି ଛାଡ଼ି ଚାଲି ଯାଇଛନ୍ତି କିନ୍ତୁ ତାଙ୍କ ଫିତାବନ୍ଧା ଜୋତା ହଳକ ତ ଦିଶୁନାହିଁ । ଇଲା ଅପ୍ରସ୍ତୁତ ହୋଇ ତାକୁ କହିଲା, ଜୋତା ହଳକ ଦାଦା ମରାମତି ପାଇଁ ଦେଇଛନ୍ତି ।

 

ଏହା ପରେ ପ୍ରାୟ ଦୁଇମାସ କାଳ ପ୍ରତ୍ୟେକ ଦିନ ଆମର ଗଭୀର ଉତ୍କଣ୍ଠା ଓ ଉତ୍ତେଜନାରେ କଟିଲା । ପ୍ରାୟ ପ୍ରତିଦିନ ରାତିରେ ବାପା ଖାଇବା ପିଇବା ପରେ ମୋତେ ଡାକୁଥାନ୍ତି, ମଶାରୀ ଭିତରେ ବାପାଙ୍କ ବିଛଣାରେ ବସି ଫୁସ୍‍ଫାସ କରି କଥାବାର୍ତ୍ତା ହେଉଥିଲା । ବାପା କେଉଁ ସୂତ୍ରରୁ କଣ ଶୁଣିଛନ୍ତି ସବୁ କହୁଥିଲେ–ପୁଲିସ୍‌ର ଲୋକମାନେ ଏହା କହୁଛନ୍ତି, ଅଫିସରମାନଙ୍କ ମତ ଏହା, ବିରୁଦ୍ଧବାଦୀ ରାଜନୈତିକ ଦଳ ସବୁ ଏହା ପ୍ରଚାର କରୁଛନ୍ତି—ଏଭଳି କି ଜ୍ୟୋତିଷୀମାନେ କ’ଣ କହୁଛନ୍ତି—ତାହା ମଧ୍ୟ କହୁଥିଲେ । ମୁଁ ମଧ୍ୟ ବିଭିନ୍ନ ସୂତ୍ରରୁ ଯାହା ସବୁ ଶୁଣୁଥିଲି ତାହା ବାପାଙ୍କୁ ଆସି ଜଣାଉଥିଲି । କଥାବାର୍ତ୍ତା ଶେଷହେଲେ ମୋତେ ବାପାଙ୍କ ନର୍ଦ୍ଦେଶରେ ଆଲୁଅ ନ ଜାଳି ଅନ୍ଧାରରେ ଯାଇ ଉପର ମହଲାରେ ଶୋଇବାକୁ ହେଉଥିଲା, ଯାହା ଫଳରେ କି ଘର ବାହାରେ ବୁଲୁଥିବା ସି. ଆଇ. ଡ଼ି. ଚରମାନେ ଜାଣି ନ ପାରିବେ ଯେ, ଆମେ ପିତା-ପୁତ୍ର ଗଭୀର ରାତ୍ରି ପର୍ଯ୍ୟନ୍ତ କୌଣସି ଗୁପ୍ତ ପରାମର୍ଶ କରୁଛୁ ।

 

ଏହାପରେ କଛିଦିନ ଧରି ଏଲ୍‍ଗିନ୍‍ ରୋଡ଼ର ଘରକୁ ଯାଇ କେତେ ପ୍ରକାର ଯେ କଥା ଶୁଣିଲି ତା’ର ହିସାବ ନାହିଁ । ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ବିଶେଷ କରି ଯେଉଁମାନଙ୍କ ମନରେ ନାନା ପ୍ରକାର ସନ୍ଦେହ ଥିଲା, ସେମାନେ ଚୁପଚାପ୍‍ ରହିବାଟା ହିଁ ଭଲ ବୋଲି ମନେ କରିଥିଲେ । ଗୋସେଇଁ ମା’ଙ୍କ ଦୁଶ୍ଚିନ୍ତା ଲାଘବ କରିବାର ଉପାୟ ନ ଦେଖି ବାପା ଅତ୍ୟନ୍ତ ଦ୍ୱନ୍ଦରେ ପଡ଼ିଥିଲେ । ଅନେକ ଦିନ ପରେ ଜଣେ ସମ୍ପର୍କୀୟ ଗୋସେଇଁ ମା’ (ବାସନ୍ତି ଦେବୀ) ଆମକୁ କହିଥିଲେ—ସୁଭାଷ ଚାଲିଯିବା ପରେ ତୁମ ଗୋସେଇଁ ମା’ଙ୍କ ସଙ୍ଗେ ଦେଖା କରିବାକୁ ଆସି ଦେଖିଲି ଶରତ୍ ଗୋଟିଏ ପାଖରେ ଚୁପ୍‍ଚାପ୍‍ ଗାଲରେ ହାତଦେଇ ବସିଛି ଏବଂ ତା’ ଆଖିରୁ ଟୋପା ଟୋପା ହୋଇ ଲୁହ ଗଡ଼ି ପଡ଼ୁଛି, ପରେ ବୁଝିଥିଲି ବିଷୟଟାକୁ ଜାଣି ମଧ୍ୟ ମା’ଙ୍କୁ କହି ନ ପାରି ଶରତର ଏହି ଅବସ୍ଥା ହୋଇଥିଲା । କେହି କେହି ବୋଧହୁଏ ଯଥାର୍ଥରେ ବିଶ୍ଵାସ କରୁଥିଲେ ଯେ, ଦାଦା ସନ୍ୟାସ ଗ୍ରହଣ କରିଛନ୍ତି । ଯେପରି କି ମୋର ଧର୍ମପରାୟଣା ଆଈ ଆମ ଧର୍ମ-ବିମୁଖତାର ନିନ୍ଦା କରି ଦିନେ କହିଲେ–ଏଥର ତୁମ୍ଭମାନଙ୍କର ଉଚିତ୍ ଶିକ୍ଷା ହେବ, ଦେଖିବ ତୁମର ଦାଦା ନାମାବଳୀ ଦେହରେ ଦେଇ ମୁଣ୍ଡରେ ଚୁଟି ଧାରଣ କରି ମନ୍ତ୍ର ଉଚ୍ଚାରଣ କରୁ କରୁ ଘରକୁ ଫେରିବେ । ଏଲ୍‌ଗିନ୍ ରୋଡ଼ର ଘରେ ଜଣେ ଅତି ନିକଟ ଆତ୍ମୀୟଙ୍କ ଠାରୁ ଗୋଟିଏ ସମ୍ପୂର୍ଣ୍ଣ ବିପରୀତ ଓ ଅଭିନବ ମତ ଶୁଣିଲି, ସେ କହିଲେ ସୁଭାଷ ରାଜନୈତିକ ଜୀବନରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଅତି ହତାଶରେ ନିଶ୍ଚୟ ଆତ୍ମହତ୍ୟା କରିଛି—ତାର ମୃତଦେହ ଖୋଜି ବାହାର କରିବା ଉଚିତ । କାରଣ, ସୁଭାଷ ପକ୍ଷରେ ଭାରତବର୍ଷରେ ଲୁଚି ରହିବା ସମ୍ଭବ ନୁହେ ତାକୁ ଏ ଦେଶର ଛୋଟ ପିଲାମାନେ ମଧ୍ୟ ଜାଣନ୍ତି, ରାସ୍ତା କଡ଼ରୁ ମୁଢ଼ି କିଣି ଖାଇବାକୁ ଗଲେ ବି ସେ ଧରା ପଡ଼ିଯିବେ ।

 

ଦାଦା କିଭଳି ଏଲଗିନ୍ ରୋଡ଼ ଘରୁ ପଳାଇ ଯାଇଥିଲେ ସେ’ ବିଷୟରେ ନାନା ଧରଣର ଥିଓରୀ ଶୁଣିବାକୁ ପାଇଲି । ଯେପରି କେତେଜଣ ଗୋଟିଏ ଗଳ୍ପ ପ୍ରଚାର କଲେ ଯେ, ଦିନେ ସନ୍ଧ୍ୟାରେ ଦୁଇଜଣ ପଗଡ଼ିଧାରୀ ଶିଖ୍ ଭଦ୍ରଲୋକ ଦାଦାଙ୍କ ସଙ୍ଗେ ଦେଖା କରିବାକୁ ଆସିଥିଲେ କିନ୍ତୁ ଘରୁ ବାହାରିଗଲେ ତିନି ଜଣ ଶିଖ୍‍ ଭଦ୍ରଲୋକ । କେହି କେହି କହିଲେ ଦାଦା କୁଆଡ଼େ ଜାନୁୟାରୀ ଅଣତିରିଶ ତାରିଖ ଦିନ ଛଦ୍ମ ବେଶରେ ଓ ଛଦ୍ମ ନାମରେ ଖିଦିରପୁର ଡକ୍‍ରୁ ଜାପାନୀ ଜାହାଜରେ ପଳାଇ ଯାଇଛନ୍ତି ।

 

ଏବେ ଦିଲ୍ଲୀର ନ୍ୟାସନାଲ ଆରକାଇଭସ୍ (National Archives)ରେ ପୁଲିସର ପୁରୁଣା ରେକର୍ଡ଼ ପତ୍ର ଘାଣ୍ଟୁ ଘାଣ୍ଟୁ ଦେଖିଲି ଯେ, ସେତେବେଳେ ବଡ଼ ବଡ଼ କର୍ତ୍ତାମାନେ ଦାଦାଙ୍କୁ ପ୍ରଥମେ ସିଙ୍ଗାପୁର ଓ ହଂକଂ ଇଲାକାରେ ଖୋଜିଥିଲେ । ଆହୁରି ଗୋଟିଏ ଅଭିନବ ଗଳ୍ପ ଶୁଣିବାକୁ ମିଳିଲା—ଦାଦା କୁଆଡ଼େ ଦିନେ ଗଭୀର ରାତ୍ରିରେ ହୁଗୁଳିର ଗୋଟିଏ ମାଝିକୁ ବହୁତ ବକ୍‍ସିସ୍ ଦେଇ ତାଙ୍କୁ ମଝି ଦରିଆକୁ ନେଇ ଯିବାକୁ କହିଲେ । ସେଠାରେ ତାଙ୍କ ପାଇଁ ଗୋଟିଏ ବୁଡ଼ା ଜାହାଜ ଅପେକ୍ଷା କରୁଥିଲା । ଅଲୌକିକ ଘଟଣାରେ ଯେଉଁମାନେ ବିଶ୍ଵାସୀ ସେମାନଙ୍କ ଭିତରୁ କେହି କେହି କହିଲେ ଯେ, ଦାଦା ଯୋଗ ବଳରେ ସୂକ୍ଷ୍ମ ଶରୀର ଧାରଣ କରି ତାଙ୍କ ଘରର ଝରକା ବାଟେ ଅଦୃଶ୍ୟ ହୋଇ ଯାଇଛନ୍ତି ।

 

ଏହି ଧରଣର ବ୍ୟାଖ୍ୟା ମୁଁ ଖୁବ୍‍ ନିର୍ଲିପ୍ତ ଭାବେ ଶୁଣି ଯାଉଥିଲି । କିନ୍ତୁ ବେଳେ ବେଳେ ଅବଶ୍ୟ ମୁଁ ମନେ ମନେ ଭୀଷଣ ବିରକ୍ତ ହେଉଥିଲି ଏବଂ ପ୍ରତିବାଦ କରିବାର ଇଚ୍ଛାକୁ ଅତି କଷ୍ଟରେ ଦମନ କରିବାକୁ ହେଉଥିଲା ।

 

ଅବଶ୍ୟ ଦାଦାଙ୍କ କେତେକ ରାଜନୈତିକ ସହକର୍ମୀ ବେଳେ ବେଳେ କୌଣସି ଜନସଭାରେ ଅଥବା ଘରୋଇ ଭାବେ କହୁଥିଲେ ଯେ, ସୁଭାଷ ଚନ୍ଦ୍ରଙ୍କ ଜୀବନର ଏକ ମାତ୍ର ତପସ୍ୟା ହେଲା ଭାରତର ସ୍ଵାଧୀନତା ଅର୍ଜନ କରିବା ଏବଂ ସେ’ ବିଶେଷତଃ ଜଣେ କର୍ମଯୋଗୀ । ତେଣୁ ସେ ଯେଉଁଠାକୁ ଯାଇଥାନ୍ତୁ ନା କାହିଁକ ସେ ନିଶ୍ଚୟ ଦେଶର ମୁକ୍ତି ସନ୍ଧାନରେ ବାହାରିଛନ୍ତି । ଏହି ଧରଣର କଥା ଶୁଣିବାକୁ ମୋତେ ସେତେବେଳେ ଖୁବ୍ ଭଲ ଲାଗୁଥିଲା ।

 

କହିବା ବାହୁଲ୍ୟ ଯେ, ଖବର କାଗଜରେ କ’ଣ ପ୍ରକାଶ ପାଉଥିଲା, ସେ’ ଦିଗକୁ ଆମର ଦୃଷ୍ଟିଥିଲା ସଦାଜାଗ୍ରତ । ଆମେ ଚାହୁଁଥିଲୁ, ଦାଦା ସନ୍ୟାସୀ ହୋଇ ଯାଇଛନ୍ତି, ଏହି କଥା ଭଲ ରୂପେ ପ୍ରଚାର ହେଉ । ‘ଆନନ୍ଦବାଜାର’ ଓ ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼’ ବିଷୟରେ ଆମର ଚିନ୍ତା କମ୍ ଥିଲା କାରଣ ବାପା ଓ ସୁରେଶଚନ୍ଦ୍ର ମଜୁମ୍‍ଦାର ମହାଶୟଙ୍କ ମଧ୍ୟରେ ଗୋଟିଏ ଭଲ ବୁଝାମଣା ଥିଲା । କିନ୍ତୁ ସବୁ କ୍ଷେତ୍ରରେ ସମ୍ବାଦ ପତ୍ରର ନୀତି କ’ଣ ହେବ ତାହା ବାହାରୁ ନିଜ ଇଚ୍ଛାମତେ ଠିକ୍‍ ଭାବେ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଉଦାହରଣସ୍ୱରୂପ କଲିକତାର ଗୋଟିଏ ବିଶିଷ୍ଟ ଜାତୀୟତାବାଦୀ ଇଂରାଜୀ ଦୈନିକ ଖବର କାଗଜରେ ଏପରି ଗୋଟିଏ ସମ୍ପାଦକୀୟ ଲେଖା ହେଲା ଯେ, ମୁଁ ତ ତାକୁ ପଢ଼ି ଅତ୍ୟନ୍ତ ଭୟଭୀତ ହୋଇଗଲି । ଲେଖକଙ୍କ ବିଶ୍ଳେଷଣ ଅବଶ୍ୟ ପ୍ରଶଂସା କରିବା ଭଳି ହୋଇଥିଲା କିନ୍ତୁ ମୋର ଭୟ ହେଲା ଯେ, ଆମର ସଜ୍ଜିତ ଗଳ୍ପ ଏବଂ ପରିକଳ୍ପନା ବୋଧହୁଏ ସମସ୍ତଙ୍କ ମନରେ ଠିକ୍ ବିଶ୍ଵାସ ଜନ୍ମାଇ ପାରୁନାହିଁ । ମୁଁ ବାପାଙ୍କୁ ସମ୍ପାଦକୀୟଟି ପଢ଼ି ଶୁଣାଇଲି :

 

“To say that he felt sick of the whole thing and wanted to leave his work where it was, is to do scant justice to the past of the man......If the causes of his disapearance are full of mystery, no less are the circumstances surrounding it......How is it that a patient supposed to be in such an extremely weak state of health, left his room, apparently unobserved by the inmates of his house ? Is he in India and, if so where ? When did he leave his place and when had he been last seen ? ....It will remain a mystery that he was able to leave his room at all presumably without assistance and possibly at mid–winter night ? On Saturday night it was raining heavily....His relatives believe that he must have left on Saturday, past mid–night, when everybody was supposed to be asleep.The gates of the house were open no doubt but were guarded by two watch–dogs. How was it possible for Srijut Bose to leave the house under these circumstances ?”

 

“ସବୁଥିରେ ତାଙ୍କର ବିତୃଷ୍ଣା ଆସିଲାରୁ ସେ ତାଙ୍କର ସବୁ କାର୍ଯ୍ୟ ତ୍ୟାଗ କରି ଚାଲିଯିବାକୁ ଚାହିଁଥିଲେ–ଏ କଥା କହିଲେ ତାଙ୍କର ଅତୀତ ପ୍ରତି ଘୋର ଅନ୍ୟାୟ କରାହେବ….ତାଙ୍କ ଅନ୍ତର୍ଦ୍ଧାନର କାରଣ ଗୁଡ଼ିକ ଯଦି ରହସ୍ୟାବୃତ୍ତ ହୁଏ ତେବେ ଅନ୍ତର୍ଦ୍ଧାନ ସହ ଜଡ଼ିତ ପରିବେଶ ମଧ୍ୟ ଆହୁରି ରହସ୍ୟପୂର୍ଣ୍ଣ । ଏହା କିଭଳି ସମ୍ଭବ ଯେ, ତାଙ୍କ ଭଳି ଜଣେ ରୋଗୀ ଯାହାର ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଥିଲା, ସେ’ କିପରି ଘର ଛାଡ଼ି ଚାଲିଗଲେ ଏବଂ ଘରର ଅନ୍ୟାନ୍ୟ କେହି ତାଙ୍କୁ ଦେଖି ପାରିଲେ ନାହିଁ ? ସେ କ’ଣ ଭାରତବର୍ଷରେ ଅଛନ୍ତି ? ଯଦି ତାହା ହୁଏ ତେବେ କେଉଁଠାରେ ? ସେ କିପରି ଗୃହତ୍ୟାଗ କଲେ ଏବଂ କେବେ ତାଙ୍କର ଶେଷ ଦର୍ଶନ ମିଳିଥିଲା ଏହା ସମ୍ପୂର୍ଣ୍ଣ ରହସ୍ୟ ହୋଇ ରହିଯିବ ଯେ, ଯେପରି କୁହାଯାଉଛି, ସେ କିପରି ବିନା ସାହାଯ୍ୟରେ ଶୀତଦିନର ମଧ୍ୟ-ରାତ୍ରିରେ ଘରୁ ବାହାରି ଯାଇ ପାରିଲେ ? ଶନିବାର ରାତିରେ ପ୍ରବଳ ବର୍ଷା ହେଉଥିଲା–ତାଙ୍କର ଆତ୍ମୀୟସ୍ଵଜନମାନେ ବିଶ୍ଵାସ କରନ୍ତି ଯେ, ସେ ନିଶ୍ଚୟ ଶନିବାର ମଧ୍ୟରାତ୍ରି ପରେ, ଧରାଯାଉ ଯେତେବେଳେ ସମସ୍ତେ ଘୋର ନିଦ୍ରାରେ ଆଚ୍ଛନ୍ନ, ସେତେବେଳେ ସେ ଘରୁ ବାହାରି ଯାଇଥିଲେ । ଏକଥା ଠିକ୍‍ ଯେ, ଘରର ଫାଟକ ନିଶ୍ଚିତ ଭାବେ ଖୋଲା ଥିଲା । କିନ୍ତୁ ତାଙ୍କର ଦୁଇଟି ପହରାଦାର କୁକୁର ଘରର ପହରା ଦେବାରେ ନିଯୁକ୍ତ ଥିଲେ । ଏ ଭଳି ପରିସ୍ଥିତିରେ ଶ୍ରୀଯୁକ୍ତ ବୋଷ୍‍ଙ୍କ ପକ୍ଷରେ ଗୃହତ୍ୟାଗ କରିବା କିପରି ସମ୍ଭବ ହେଲା ?”

 

ଦେଶର ଯେଉଁ କେତେକ ନେତୃସ୍ଥାନୀୟ ବ୍ୟକ୍ତି ଏହି ବିଷୟରେ ଅନୁସନ୍ଧାନ କରିଥିଲେ, ବାପା ବହୁତ ଭାବିଚିନ୍ତି ତାଙ୍କ ପାଖକୁ ବିଭିନ୍ନ ଧରଣର ଉତ୍ତର ଲେଖିଥିଲେ । ଗାନ୍ଧିଜୀ ଲେଖିଥିଲେ–“Wire truth’’ ଏହାର ଉତ୍ତରରେ ବାପା ଲେଖିଥିଲେ–“Circumstances indicate–renunciation.’’ ରବୀନ୍ଦ୍ରନାଥଙ୍କ ଚିଠିର ଉତ୍ତର ଦେବାକୁଯାଇ ବାପା ଟିକେ ବ୍ୟତିକ୍ରମ କରି ଲେଖିଲେ–“Hope he will have your blessings wherever he may be” ରାଜେନ୍ଦ୍ର ପ୍ରସାଦଙ୍କୁ ଲେଖା ହେଲା– No news.??

 

ପ୍ରାୟ ତିନି ମାସ ପରେ ମୋର ବାପା ଓ ମା କବିଗୁରୁଙ୍କ ଆମନ୍ତ୍ରଣରେ ଶାନ୍ତିନିକେତନ ଯାଇଥିଲେ । ସେତେବେଳକୁ ଦାଦାଙ୍କ ଜର୍ମାନୀରେ ପହଞ୍ଚିବା ଖବର ଆସିଯାଇଛି । ରବିନ୍ଦ୍ରନାଥ ବାପାଙ୍କୁ କହିଥିଲେ, “ତୁମେ ମୋତେ ପ୍ରକୃତ କଥାଟି କହିପାର” ଏବଂ ବାପା ତାଙ୍କୁ ଦାଦାଙ୍କ ବିଷୟରେ ପ୍ରକୃତ ଘଟଣାଟି ବିଶଦଭାବେ ଜଣାଇଥିଲେ । କଲିକତାକୁ ଫେରି ବାପା ମୋତେ ଜଣାଇଲେ ଯେ, ରବୀନ୍ଦ୍ରନାଥ ଦାଦାଙ୍କ ବିଷୟରେ ଏପରି ଉଦବିଗ୍ନ ଥିଲେ ଯେ, ସେ ତାଙ୍କୁ ସତ୍ୟ ଘଟଣା କହିବାକୁ ବାଧ୍ୟ ହେଲେ ।

 

ଶେଷ ପର୍ଯ୍ୟନ୍ତ ଏକତିରିଶ ମାର୍ଚ୍ଚରେ ଆମର ଉଦ୍ୟୋଗ ଓ ଉତ୍କଣ୍ଠାର ସମାପ୍ତି ଘଟିଲା । ସନ୍ଧ୍ୟାବେଳେ ଉଡ଼୍‌ବାର୍ନ ପାର୍କର ଦ୍ଵିମହଲାର ଦକ୍ଷିଣ ବାରଣ୍ଡାରେ ବସି ମା ଓ ଭଉଣୀଙ୍କ ସଙ୍ଗେ ମୁଁ ଗପସପ କରୁଛି, ଏମିତି ସମୟରେ ଚପରାସୀ ଆସି ଗୋଟିଏ ସ୍ଲିପ୍ ମୋ ହାତରେ ଦେଲା । ସ୍ଲିପ୍‌ଟା ହାତରେ ନେଇ କିଛି ଚିନ୍ତା ନ କରି ଅନ୍ୟମନସ୍କ ଭାବେ ଜୋରରେ ପଢ଼ି ପକାଇଲି– Bhagat Ram, I come from frontier । ପଢ଼ିପକାଇ ମୁଁ ଚମକି ପଡ଼ିଲି । ମା’ଙ୍କ ସଙ୍ଗେ ମୋର ଅର୍ଥପୂର୍ଣ୍ଣ ଦୃଷ୍ଟି, ବିନିମୟ ହେଲା ।

 

ସେହି ମୁହୂର୍ତ୍ତରେ ମୁଁ ନିଜକୁ ସମ୍ଭାଳି ନେଇ ଛିଡ଼ା ହେଲି, ଜୋର୍‌ରେ ପାଟିକରି କହିଲି– ‘ପୁଣି ମୋତେ ହଇରାଣ କରିବାକୁ ଆସିଛି ! ଇଏ ସେହି କାଶ୍ମୀରର କାର୍ପେଟ୍‌ ବାଲାଟା, କହୁଛି କିଛି ଦରକାର ନାହିଁ ତଥାପି ଛାଡ଼ୁ ନାହିଁ ।

 

ମୁଁ ଓହ୍ଲାଇ ଆସି ଦେଖିଲି, ସାମନା ବାରଣ୍ଡାରେ ଦୁଇଜଣ ଲୋକ ଛିଡ଼ା ହୋଇଛନ୍ତି । ଜଣେ ଗୌରବର୍ଣ୍ଣ ସୁଦର୍ଶନ ଯୁବକ ଓ ଆଉ ଜଣେ ଟିକିଏ ବୟସ୍କ, ମୋଟା ସୋଟା ଓ ପୁରାପୁରି ବିଲାତି ଧରଣର ପୋଷାକ ପିନ୍ଧିଛନ୍ତି । ଯୁବକଟି କହିଲେ, ସେ ସେହି ସ୍ଲିପ୍‌ଟି ମୋ ପାଖକୁ ପଠାଇଥିଲେ ଏବଂ ଧୀର କଣ୍ଠରେ ଆହୁରି କହିଲେ ଯେ, ସେମାନେ ଦାଦାଙ୍କ ଖବର ନେଇ ଆସିଛନ୍ତି । ମୁଁ ତାଙ୍କୁ ପଚାରିଲି, ସେ ମୋର ଡାକ ନାଁ ଏବଂ ମୁଁ କ’ଣ କରେ ଜାଣନ୍ତି କି ନାହିଁ । ଦୁଇଟି ପ୍ରଶ୍ନର ଉତ୍ତର ପାଇଲା ପରେ ମୁଁ ତାଙ୍କୁ ପଶ୍ଚିମ ପଟେ ଥିବା ଦାଦାଙ୍କର ପୂର୍ବ ଅଫିସ ଘରକୁ ନେଇଗଲି । ଭଗତରାମ କହିଲେ ଯେ, ସେ ପେଶୱାର ଠାରୁ କାବୁଲ ପର୍ଯ୍ୟନ୍ତ ଦାଦାଙ୍କ ସାଥି ଥିଲେ ଏବଂ କାବୁଲ ଠାରୁ ମସ୍କୋ ପଥରେ ତାଙ୍କୁ ଆଗେଇ ଦେଇ ସେ ଫେରି ଅସିଛନ୍ତି । ସେହି ଦିନ ହିଁ ଦାଦାଙ୍କ ମସ୍କୋ ପହଞ୍ଚିବା କଥା ।

 

ଭଗତରାମ ଠିକ୍‍ କହିଥିଲେ । ନେତାଜୀ ରିସାର୍ଚ୍ଚ ବ୍ୟୁରୋର ସଂଗ୍ରହଶାଳାକୁ ସେହି ସମୟର ଜର୍ମାନ ସରକାରଙ୍କ ପରରାଷ୍ଟ୍ର ବିଭାଗର ଯେଉଁସବୁ ନଥିପତ୍ର ଆସିଥିଲା, ତାହା ଉପରେ ଜର୍ମାନ ରାଷ୍ଟ୍ରଦୂତ ଶୁଲେନବୁର୍ଗଙ୍କ ୩୧ ମାର୍ଚ୍ଚରେ ପଠାଇଥିବା ଗୋଟିଏ ଟେଲିଗ୍ରାମ୍‍ ଅଛି । ଶୁଲେନବୁର୍ଗ ଟେଲିଗ୍ରାମ ମାର୍ଫତରେ ବର୍ଲିନକୁ ଜଣାଇଥିଲେ ଯେ, ସୁଭାଷଚନ୍ଦ୍ର ବୋଷ ଅରଲ୍ୟାଣ୍ଡୋ ମାତସୋତାର ଛଦ୍ମ ନାମରେ ସେହିଦିନ ହିଁ ମସ୍କୋ ପହଞ୍ଚୁଛନ୍ତି ଏବଂ ପହିଲା ଏପ୍ରିଲ ଶେଷ ରାତ୍ରରେ ବର୍ଲିନ ପହଞ୍ଚିବେ ।

 

ମୂଳ ଜର୍ମାନ ବାର୍ତ୍ତାଟିର ଅନୁବାଦ ତଳେ ଦିଆହେଲା । “ବୋଷ୍‍ ଆଜି ଅରଲ୍ୟାଣ୍ଡୋ ମାତ୍‌ସୋତା ନାମରେ ଇଟାଲୀୟ ପାସ୍‌ପୋର୍ଟ ସାହାଯ୍ୟରେ ଇଞ୍ଜିନିୟର ଓୟେଙ୍ଗାରାରଙ୍କ ସଙ୍ଗେ ଦୂତାବାସକୁ ଆସିଥିଲେ । ଟେଲିଗ୍ରାମ୍‍ର ନିର୍ଦ୍ଦେଶ ଅନୁସାରେ ବୋଷ୍‍ ଏବଂ ଓୟେଙ୍ଗାରାରଙ୍କୁ ଏହା ଜଣାଇ ଦେଇଛି । ଓୟେଙ୍ଗରାର କହିଲେ ଯେ, ଶୋୟାତ‌୍‌ସ ଓ ହିଲପାର୍ଟ ମାତ୍‌ସୋତାର ଅସଲି ପରିଚୟ ଜାଣନ୍ତି ନାହିଁ । ଏଠାରୁ କୌଣସି ବିପଦ ସଙ୍କେତ ଦେବାର ପ୍ରୟୋଜନ ନାହିଁ । ଯାତ୍ରାର ସମୟ ୩୧ ମାର୍ଚ୍ଚ, ୨୩–୦୫ ମିନିଟ୍; ମାଲକିନିୟାରେ ପହଞ୍ଚିବାର ସମୟ ପହିଲା ଏପ୍ରିଲ ୨–୧୦ ମିନିଟ । ବୋଷ୍‍ ବର୍ତ୍ତମାନ ପରରାଷ୍ଟ୍ର ବିଭାଗ ସହିତ ସଂଯୋଗ ସ୍ଥାପନ କରିବାକୁ ଚାହାଁନ୍ତି ।

 

ଶୁଲେନବୁର୍ଗ

 

ସୁଭାଷଚନ୍ଦ୍ରଙ୍କ ମସ୍କୋ ପହଞ୍ଚିବାର ଖବର ଦେଇ ଜର୍ମାନ ରାଷ୍ଟ୍ରଦୂତ ଶୁଲେନବୁର୍ଗ ୩୧।୩।୪୧ ତାରିଖରେ ବର୍ଲିନକୁ ଯେଉଁ ତାରବାର୍ତ୍ତା ପଠାଇଥିଲେ, ଏହା ତା’ର ପ୍ରତିଲିପି ।

 

ଭଗତ୍‌ରାମ ବାପାଙ୍କ ପାଖକୁ ବଙ୍ଗଳାରେ ଲେଖା ଦାଦାଙ୍କର ଗୋଟିଏ ଚିଠି ଓ ଅନ୍ୟ ଦୁଇଟି ପତ୍ର ଧରି ଆସିଥିଲେ । ସେଗୁଡ଼ିକୁ ସେ ବାପାଙ୍କୁ ଦେବାକୁ ଚାହାଁନ୍ତି । ବାପାଙ୍କ ସଙ୍ଗେ ତାଙ୍କର ସାକ୍ଷାତ କରାଇ ଦେବାକୁ ମୋତେ ଅନୁରୋଧ କଲେ । ସ୍ଲିପ୍‌ଟିରେ ତାଙ୍କ ଅସଲ ନାଁ ଲେଖିଥିଲେ ବୋଲି ତାକୁ ଚିରି ଫୋପାଡ଼ି ଦେବାକୁ କହିଲେ ।

 

ମୁଁ ଭଗତ୍‌ରାମ ଓ ତାଙ୍କ ସାଥିଙ୍କୁ ଅପେକ୍ଷା କରିବାକୁ କହି ବାପାଙ୍କୁ ଖୋଜିବାକୁ ଗଲି । ଟିକିଏ ପରେ ବାପା ସ୍ନାନ ସାରି ସିଡ଼ିରେ ତଳକୁ ଓହ୍ଲାଇଲେ । ସେ ତାଙ୍କ ଅଫିସ ଘରକୁ ଯିବା ପୂର୍ବରୁ ମୁଁ ତାଙ୍କୁ ଭେଟିଲି ଏବଂ ପଶ୍ଚିମପଟ ଘରକୁ ଡାକି ଆଣିଲି । ଭଗତରାମ ପୁଣି ବାପାଙ୍କୁ ଦାଦାଙ୍କ ଖବର ଜଣାଇଲେ ଏବଂ ତିନୋଟି ପତ୍ର ବଢ଼ାଇଦେଲେ । ବାପା ମୋତେ ସେହି ପତ୍ରଗୁଡ଼ିକର ଦାୟିତ୍ୱ ଦେଇ ଭଗତ୍‍ରାମକୁ ଆମ ଘରକୁ ପୁନର୍ବାର ଆସିବାକୁ ମନା କଲେ । ଏହା ଠିକ୍ ହେଲା ଯେ, ପରଦିନ ଭୋର୍ ବେଳକୁ ଭିକ୍‍ଟୋରିଆ ମେମୋରିଆଲ୍ ବଗିଚାରେ ସେମାନେ ବାପାଙ୍କ ସଙ୍ଗେ ମିଳିତ ହେବେ ଏବଂ ସେଠାରେ ହିଁ ତାଙ୍କର ସବୁ କଥାବାର୍ତ୍ତା ହେବ ।

 

ଭଗତରାମକୁ ବିଦାୟ କରି ବାପା ମୋତେ ପତ୍ରଗୁଡ଼ିକ ତିନି ମହଲାର ନିଜ ଘରକୁ ନେଇ ଯିବାକୁ କହିଲେ ଏବଂ ସେଗୁଡ଼ିକ ଭଲକରି ପଢ଼ି ପରୀକ୍ଷା କରି ସାରିବା ପରେ ରାତିରେ ତାଙ୍କ ସହିତ ଦେଖା କରିବାକୁ କହିଲେ ।

 

ପତ୍ରଗୁଡ଼ିକ ଭିତରେ ପ୍ରଥମଟି ଥିଲା ବାପାଙ୍କ ଉଦ୍ଦେଶ୍ୟରେ ପେନ୍‌ସିଲରେ ଲେଖା ଗୋଟିଏ ବ୍ୟକ୍ତିଗତ ଚିଠି । ଚିଠିରେ କୌଣସି ସ୍ଵାକ୍ଷର ନ ଥିଲେ ମଧ୍ୟ ହାତଲେଖା ଓ ଭାଷା ଦିଗରୁ ତାହା ଯେ ଦାଦାଙ୍କର ସେଥିରେ କୌଣସି ସନ୍ଦେହ ନ ଥିଲା । ଦ୍ୱିତୀୟଟି ଥିଲା ଦେଶବାସୀଙ୍କ ଉଦ୍ଦେଶ୍ୟରେ, ଇଂରାଜୀ ଭାଷାରେ କାଳି–କଲମରେ ଲେଖା Message to My Countrymen from somewhere in Europe. ଏଥିରେ ଦାଦାଙ୍କ ପୁରା ଦସ୍ତଖତ ଥିଲା ଏବଂ ତାରିଖ ମଧ୍ୟ ଦିଆ ହୋଇଥିଲା, ୧୭ ମାର୍ଚ୍ଚ, ୧୯୪୧ । କିଛିଦିନ ପରେ ଏହି ପତ୍ରଟି ଛପାଯାଇ ବିଭିନ୍ନ ସ୍ଥାନରେ ବିତରଣ କରାହୋଇଥିଲା । ତୃତୀୟଟି ଗୋଟିଏ ଦୀର୍ଘ ପ୍ରବନ୍ଧ ଥିଲା: Forward Bloc–its justification,

 

A son of Sarat Chandra and Bibhabati Bosu. He was Netaji's Secret Contact–man and helped in Netaji's great escape in 1941.

 

He is Director of Calcutta Institute of Child Health since 1972. He is the architect and Founder–Director of Netaji Research Bureau.

 

ଶିଶିର କୁମାର ବସୁ–୧୯୪୦

 

ପେନ୍‌ସିଲରେ ଲେଖା ଏହି ପ୍ରବନ୍ଧ ପରେ ପ୍ରକାଶିତ ହୋଇଛି ଏବଂ ମୂଳ ହାତଲେଖା ନେତାଜୀ ରିସର୍ଚ୍ଚ ବ୍ୟୁରୋର ସଂଗ୍ରହାଳୟରେ ଗଚ୍ଛିତ ଅଛି ।

 

ବାପାଙ୍କ ନିକଟକୁ ଲେଖା ବଙ୍ଗଳା ଚିଠିରେ ଦାଦା ଲେଖିଥିଲେ ଯେ, ସେ ଆଉ ଥରେ ଯାହା ଆରମ୍ଭ କରିଛନ୍ତି, ତେବେ ‘‘ତାଙ୍କର ଏତିକି ମାତ୍ର ଦୁଃଖ ଯେ, ରାସ୍ତାରେ ତାଙ୍କର ବହୁତ ବିଳମ୍ବ ହୋଇଗଲା” । ବାଟରେ ଯେ ସେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ତା’ର ଇଙ୍ଗିତ ସେ ଚିଠିରେ ଥିଲା ଏବଂ ପତ୍ରବାହକ (ଭଗତ୍‌‌ରାମ) ସେ ତାଙ୍କର ବହୁତ ସେବା କରିଛନ୍ତି ତା’ର ମଧ୍ୟ ସେଥିରେ ଉଲ୍ଲେଖ ଥିଲା । ଶେଷରେ ଘରର ସମସ୍ତେ କୁଶଳରେ ଅଛନ୍ତି ଏହି ଆଶା ପ୍ରକାଶ କରି ବାପା ଓ ମଝିଆ ଭାଉଜଙ୍କୁ ପ୍ରଣାମ ଜଣାଇଥିଲେ । ଚିଠିର ଶେଷରେ ତାଙ୍କର “କନ୍ୟା” ଉଦ୍ଦେଶ୍ୟରେ ଅର୍ଥାତ୍‍ ଇଲା ପାଇଁ ଦୁଇ ଲାଇନ୍‌ ଲେଖିଥିଲେ ଏବଂ ସେହି ଚିଠି ତାକୁ ଦେଖାଇବାକୁ କହିଥିଲେ । କିଛିଦିନ ପରେ ଇଲା କଲିକତା ଆସିଲାରୁ ଚିଠିର ସେହି ଅଂଶଟି ତାକୁ ଦେଖାଇଥିଲି-

 

“Message to my Countrymen’’–ଏହା ଦାଦା ତାଙ୍କର ବିଦେଶ ଯାତ୍ରାର ଉଦ୍ଦେଶ୍ୟ ସମ୍ବନ୍ଧରେ ସାଧାରଣ ଓ ସହଜ ଭାବରେ କିଛି କହିଥିଲେ । ଗୋପନ ଯାତ୍ରା ସମୟରେ ସାହାଯ୍ୟ କରିଥିବା ହେତୁ ବର୍ମା ଓ ଚୀନର ବନ୍ଧୁବର୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ ! ସେ ଆଫ୍‌ଗାନିସ୍ଥାନ ଓ ରୁଷିଆ ଦେଇ ଯାଇଥିଲେ କିନ୍ତୁ ଧନ୍ୟବାଦ ଜଣାଇଥିଲେ ବର୍ମା ଓ ଚୀନର ବନ୍ଧୁବର୍ଗଙ୍କୁ ! କହିବା ବାହୁଲ୍ୟ, ଶତୃପକ୍ଷକୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିଲେ । Message ଟି ପ୍ରକାଶିତ ହେବାର କଛିଦିନ ପରେ ଖବର କାଗଜରେ ପଢ଼ିଲି ଯେ, ବିହାର ଗଭର୍ଣ୍ଣମେଣ୍ଟ ଆପତ୍ତିକର ଇସ୍ତାହାର ହିସାବରେ ତାହା ବାଜ୍ୟାପ୍ତ କରିଛନ୍ତି ।

 

ବହୁତ ରାତି ପର୍ଯ୍ୟନ୍ତ ଲେଖାଗୁଡ଼ିକ ବାରମ୍ବାର ପଢ଼ିଲି, ବହୁତ ଦିନର ସଞ୍ଚିତ ଉଦ୍‌ବେଗର ଅବସାନ ହେଲା ଏବଂ ଗୋଟିଏ ବିରାଟ ସମ୍ଭାବନାମୟ ଭବିଷ୍ୟତର ଇଙ୍ଗିତ ମୋର ମାନସ ଚକ୍ଷୁରେ ଭାସି ଉଠିଲା ।

 

ଊଣେଇଶ

 

ଭଗତ୍‌ରାମ ଦାଦାଙ୍କ ନିରାପଦ ଦେଶତ୍ୟାଗର ଯେଉଁ ସମ୍ବାଦ ବହନ କରି ଆଣିଲେ ସେହିଠାରେ ହିଁ ଏହି କାହାଣୀର ପରିସମାପ୍ତି ହୋଇପାରିଥାନ୍ତା କିନ୍ତୁ ଏହା ପରବର୍ତ୍ତୀ ଗୋଟିଏ, ଦୁଇଟି ଘଟଣାର ବିବରଣ ନ ଦେଲେ ଏହି ମହାନିଷ୍କ୍ରମଣର କଥା ଅସମ୍ପୂର୍ଣ୍ଣ ରହିଯିବ ।

 

ଏହାପରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଘଟଣା ହେଲା କଲିକତାର ଜାପାନୀ କନ୍‌ସ୍ୟୁଲେଟର ମାଧ୍ୟମରେ ଦାଦାଙ୍କ ସଙ୍ଗେ ଆମର ଯୋଗାଯୋଗ । ଭଗତ୍‌ରାମ ଆସିବାର ଦୁଇ ମାସ ପରେ ବାପା ମୋତେ ଗୋଟିଏ ସନ୍ଧ୍ୟାରେ ତଳ ମହଲକୁ ଡାକି ପଠାଇଲେ, ଯାଇ ଦେଖିଲି କଳା ଟୋପି ମୁଣ୍ଡରେ ପିନ୍ଧି ଜଣେ ବଙ୍ଗୀୟ ଭଦ୍ରଲୋକ ବାରଣ୍ଡାରେ ଛିଡ଼ା ହୋଇଛନ୍ତି । ବାପା ଆମ ପରସ୍ପରକୁ ପରିଚୟ କରାଇଦେଲେ ଏବଂ ମୋତେ କହିଲେ ଯେ, କଲିକତାର ଜାପାନୀ କନ୍‌ସାଲ ଜେନେରାଲ ତାଙ୍କ ସଙ୍ଗେ ଗୋପନରେ ସାକ୍ଷାତ କରିବାକୁ ଚାହାଁନ୍ତି । ରିସିଡ଼ାର ବଗିଚା ଘରେ ସାକ୍ଷାତର ବ୍ୟବସ୍ଥା ହୋଇଛି । ସେହି ବଙ୍ଗୀୟ ଭଦ୍ରଲୋକ କନ୍‌ସାଲ ଜେନେରାଲ, ଓକାଜାକିଙ୍କୁ ସାଙ୍ଗରେ ନେଇ ସନ୍ଧ୍ୟା ପରେ ନିର୍ଦ୍ଦିଷ୍ଟ ସମୟରେ ଗଙ୍ଗାକୂଳରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବେ-। ମୁଁ ଗାଡ଼ିରେ ଯାଇ ସେହି ସମୟରେ ସେହି ସ୍ଥାନରୁ ଓକାଜାକିଙ୍କୁ ସାଙ୍ଗରେ ନେଇ ରିସିଡ଼ାକୁ ଚାଲିଯିବି । ବାପା ପ୍ରଥମେ କହିଥିଲେ ଯେ, ଡ୍ରାଇଭର ଗାଡ଼ି ଚଳାଇ ନେବ । କିନ୍ତୁ ମୁଁ ଏହି ଧରଣର ବିପଜ୍ଜନକ କାମରେ ଡ୍ରାଇଭରକୁ ସାଥୀ ରଖିବା ପସନ୍ଦ କଲି ନାହିଁ । ତେଣୁ ନିର୍ଦ୍ଦିଷ୍ଟ ସମୟରେ ମୁଁ ନିଜେ ଓୟାନଡ଼ାରାର ଗାଡ଼ି ଚଳାଇ ଗଙ୍ଗା କୂଳ ପ୍ରିନ୍‌ସେପ ଘାଟ ନିକଟରେ ହାଜର ହେଲି । ମସ୍ତବଡ଼ ଗୋଟିଏ ଗାଡ଼ିରୁ ସେ ଓହ୍ଲାଇ ମୋ’ ଗାଡ଼ିର ପାଖ ସିଟରେ ଆସି ବସିଲେ । ମୁଁ ତା’ପରେ ସିଧା ରିସିଡ଼ା ଅଭିମୁଖେ ଯାତ୍ରା କଲି ।

 

ଦାଦା ଜର୍ମାନୀରୁ ଜାପାନକୁ ସମ୍ବାଦ ପଠାଇଛନ୍ତି–ସେହି ସମ୍ବାଦ କଲିକତାର ଜାପାନୀ କନ୍‌ସ୍ୟୁଲେଟରରେ ଆସି ପହଞ୍ଚିଛି, ସେମାନେ କୋଡ଼ ଶବ୍ଦର ଅର୍ଥ ଉଦ୍ଧାର କରି ସମ୍ବାଦ ଆମକୁ ଦେବାକୁ ଆସିଛନ୍ତି ।

 

ଓକାଜାକିଙ୍କ ହାତରେ ବାପା ଦାଦାଙ୍କ ବାର୍ତ୍ତାର ଗୋଟିଏ ଉତ୍ତର ମଧ୍ୟ ପଠାଇଲେ ଏବଂ ମୋତେ କହିଲେ, ‘ତୁମ କଥା ମଧ୍ୟ ଲେଖିଦେଲି ।’ ସେ କହିଲେ, ଲେଖିଛି ଯେ, The medical student is all right.

 

ଜାପାନୀ କନ୍‌ସ୍ୟୁଲେଟର ମାଧ୍ୟମରେ ଦାଦାଙ୍କ ସଙ୍ଗେ ବାପାଙ୍କର ନିୟମିତ ସମ୍ପର୍କ ସ୍ଥାପିତ ହେଲା । ଓକାଜାକିଙ୍କ ପରେ ସମ୍ବାଦ ନେବା ଆଣିବାର ଦାୟିତ୍ଵ ନେଲେ କନ୍‌ସାଲ ଓତା । ଏହି ଓତା ଓ ତାଙ୍କ ସ୍ତ୍ରୀ ରିସିଡ଼ାର ଘରକୁ ବହୁତ ଥର ଆସିଥିଲେ । ଶ୍ରୀମତୀ ଓତା ମଧ୍ୟ ସାଙ୍ଗରେ ଆସୁଥିଲେ ଯାହାଦ୍ଵାରା କି ଘଟଣାଟି ନିଚ୍ଛକ ସାମାଜିକତା ଅର୍ଥାତ୍ Social call ବୋଲି ମନେ ହେବ । ଶ୍ରୀମତୀ ଓତା ପୁଣି ଶାଢ଼ୀ ପିନ୍ଧି ଆସୁଥିଲେ ।

 

ସଂପ୍ରତି ନେତାଜୀ ଭବନରେ ଅନୁଷ୍ଠିତ ଆନ୍ତର୍ଜାତିକ ନେତାଜୀ ସେମିନାର (International Netaji Seminar)ରେ ଆମେରିକାନ ଐତିହାସିକ ଶ୍ରୀମତୀ ଜୟେସ୍ ଲେବ୍ରା ଏହି ଗୋପନ ସମ୍ପର୍କର ବିଶେଷ କୌତୁହଳଦ୍ଦୀପକ ତଥ୍ୟ ବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ଲେବ୍ରା ଜାପାନୀ ସରକାରଙ୍କ ପୁରୁଣା ନଥିପତ୍ର ଭିତରେ ୧୯୪୧ ମସିହା ଏପ୍ରିଲ ମାସରେ କଲିକତାଠାରୁ ପଠା ହୋଇଥିବା ଓକାଜାକିଙ୍କ ତାରବାର୍ତ୍ତା ଦେଖିଛନ୍ତି । ସେହି ବାର୍ତ୍ତାରେ ଓକାଜାକି ଜାପାନୀ ସରକାରଙ୍କୁ ବର୍ଲିନରେ ସୁଭାଷଚନ୍ଦ୍ର ବୋଷଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ କରିବା ପାଇଁ ଲେଖିଥିଲେ । ଆହୁରି ଲେଖିଥିଲେ ଯେ, ଭାରତର ସ୍ଵାଧୀନତା ପାଇଁ ଜାପାନ ସୁବାଷପନ୍ଥୀ ଓ ଚରମପନ୍ଥୀ ସଂଗ୍ରାମୀ ଦଳଙ୍କୁ ଅସ୍ତ୍ରଶସ୍ତ୍ର ସାହାଯ୍ୟ ଦେବା ଉଚିତ ।

 

ଏହା କହିବା ବାହୁଲ୍ୟ ଯେ, ମୋର ଦିନ ରାତି ଗୋଟିଏ ପ୍ରଧାନ କାମ ହୋଇଥିଲା ପ୍ରତିଦିନ ରେଡ଼ିଓ ଶୁଣିବା ଓ ଦାଦାଙ୍କ କାର୍ଯ୍ୟକଳାପ ବିଷୟରେ କୌଣସି ପ୍ରକାର ଇଙ୍ଗିତ ପାଇବାକୁ ଚେଷ୍ଟା କରିବା । ମଝିରେ ହଠାତ୍ ଦିନେ ଟୋକିଓ ରେଡ଼ିଓ ଘୋଷଣା କଲା ଯେ, ଭାରତର ଜାତୀୟତାବାଦୀ ନେତା ସୁଭାଷଚନ୍ଦ୍ର ବୋଷ ବର୍ଲିନରେ ଅଛନ୍ତି ଏବଂ ଭାରତର ସ୍ଵାଧୀନତା ଅର୍ଜନ ପାଇଁ ଗୋଟିଏ ସୈନ୍ୟବାହନୀ ଗଠନର ଉଦ୍ଦେଶ୍ୟରେ ଜର୍ମାନୀର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଛନ୍ତି । ଏହି ଖବରଟା ଶୁଣି ମୁଁ ଖୁବ‌୍‌ ବିଚଳିତ ହୋଇଗଲି । ମୋର ମନେହେଲା ଏହି ଅସମୟରେ ଖୁବ୍‌ ଗୋପନୀୟ ଖବରଟି ପ୍ରକାଶ ପାଇଗଲା । ରାତିରେ ବାପାଙ୍କୁ ଏହି ଖବରଟି ଜଣାଇଲି । ଏହି ସମୟରେ ଜାପାନରୁ ଏଭଳି ଖବର ପ୍ରକାଶ ପାଇବାର ତାତ୍ପର୍ଯ୍ୟ ବୁଝିପାରି ନ ଥିଲି । ଶ୍ରୀମତୀ ଲେବ୍ରାଙ୍କ ଗବେଷଣାରୁ ଅବଶ୍ୟ ଏବେ ବୁଝି ପାରିଲି ଯେ, ଜାପାନ ସରକାରଙ୍କ କର୍ତ୍ତୃପକ୍ଷ ଦାଦାଙ୍କ ‘ସମ୍ପର୍କରେ ସେତେବେଳେ ସକ୍ରୀୟ ‘ଅନୁସନ୍ଧାନ’ ଆରମ୍ଭ କରିଥିଲେ ଏବଂ ଆହୁରି–କିଛିଦିନ ପରେ ବର୍ଲିନ୍‌ର ମିଲିଟାରୀ ଆଟେଚ, ଇୟାମାମୋଟା ଓ ରାଷ୍ଟ୍ରଦୂତ ଓଶିମାରଙ୍କ ମାର୍ଫତ‌୍‌ରେ ଦାଦାଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଥିଲେ ।

 

ପୂଜା ଛୁଟିରେ ଯେତେବେଳେ କାରସିୟଂ ଯାଇଥିଲି ସେତେବେଳେ ବାପା ଜାପାନୀ କନ୍‌ସ୍ୟୁଲେଟର ମାର୍ଫତ୍‌ରେ ଦାଦାଙ୍କ ସଙ୍ଗେ ଯେତେ ବାର୍ତ୍ତାର ଆଦାନ ପ୍ରଦାନ ହୋଇଥିଲା, ସେ ବିଷୟରେ ମୋତେ ନିଭୃତରେ ଡାକି କହିଲେ । ଜର୍ମାନୀ ସୋଭିୟେତ୍ ରୁଷିଆ ଆକ୍ରମଣ କରିବାରୁ ପଶ୍ଚିମପଟୁ ବିଶେଷ କିଛି ସାହାଯ୍ୟ ପାଇବା ସମ୍ପର୍କରେ ମୁଁ କାହିଁକି ବ୍ୟକ୍ତିଗତ ଭାବେ ଖୁବ‌୍‌ ସନ୍ଦିହାନ ଓ ନିରାଶ ହୋଇପଡ଼ିଲି । ବାପାଙ୍କ ପାଖରୁ ଶୁଣିଲି, ଜର୍ମାନୀର କର୍ତ୍ତୃପକ୍ଷମାନେ ଦାଦାଙ୍କୁ କହିଛନ୍ତି ଯେ, ରୁଷିଆର ଯୁଦ୍ଧ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଡେରି ନାହିଁ–ବିଷୟଟା କେବଳ “a matter of weeks’’ । ଅନ୍ୟ ଦିଗରେ ଦାଦା ଜଣାଇଛନ୍ତି ଯେ, ବର୍ତ୍ତମାନ ତାଙ୍କର ପ୍ରଧାନ କାମ ହେଉଛି ଜର୍ମାନ ପରରାଷ୍ଟ୍ରମନ୍ତ୍ରୀ ରିବେନ୍‍ଟ୍ରପ ଓ ତାଙ୍କ ଦଳକୁ ଭାରତବର୍ଷ ଓ ଏସିଆ ସମ୍ବନ୍ଧରେ ଶିକ୍ଷା (educate) ଦେବା । ଏସବୁ ବିଷୟରେ ବହୁତ ପୁରୁଣା କାଗଜପତ୍ର ଅବଶ୍ୟ ବର୍ତ୍ତମାନ ନେତାଜୀ ରିସାର୍ଚ୍ଚ ବ୍ୟୁରୋରେ ଆମେ ପଢ଼ୁଛୁ ।

 

୧୯୪୧ ମସିହା ଡିସେମ୍ବର ୧୧ ତାରିଖରେ ବାପା ଗ୍ରେପ୍ତାର ହେଲେ । ଗଭର୍ଣ୍ଣମେଣ୍ଟ ଗୋଟିଏ ଇସ୍ତାହାରରେ କହିଲେ ଯେ, ଜାପାନୀମାନଙ୍କ ସଙ୍ଗେ ବାପାଙ୍କର ସମ୍ପର୍କ ଥିବା ହେତୁ ତାଙ୍କୁ ବନ୍ଦୀ କରିବା ପ୍ରୟୋଜନ ହେଲା । ପ୍ରକୃତରେ କିନ୍ତୁ ଜାପାନୀମାନେ ଥିଲେ ଉପଲକ୍ଷ୍ୟ ମାତ୍ର, ସମ୍ପର୍କ ଥିଲା ଦାଦାଙ୍କ ସଙ୍ଗେ ଦେଶର ସ୍ଵାଧୀନତା ପାଇଁ ଚୂଡ଼ାନ୍ତ ଲଢ଼େଇର ପ୍ରସ୍ତୁତି ନିମନ୍ତେ । ଏହା ସଙ୍ଗେ ସଙ୍ଗେ ବାପା ଫଜ୍‌ଲୁଲ୍‌ ହକ୍ ସାହେବଙ୍କ ସଙ୍ଗେ ହାତ ମିଳାଇ ସେତେବେଳେ ବଙ୍ଗଳା ଦେଶର ରାଜନୀତିରେ ଗୋଟିଏ ବିରାଟ ପରିବର୍ତ୍ତନ ଆଣିଲେ । ନାଜିମୁଦ୍ଦିନ ସାହେବଙ୍କ ନେତୃତ୍ୱରେ ମୁସଲିମ ଲିଗ୍ ମନ୍ତ୍ରୀସଭାର ପତନ ହେଲା ଏବଂ ବାପା ନିଜେ ସ୍ୱରାଷ୍ଟ୍ର ଦପ୍ତର–ମନ୍ତ୍ରୀତ୍ଵର ଦାୟିତ୍ଵ ନେବାକୁ ପ୍ରସ୍ତୁତ ହେଲେ । ଦୁଇ ଦିଗରୁ–ଭିତରୁ ଓ ବାହାରୁ–ବ୍ରିଟିଶ ସରକାରଙ୍କ ପକ୍ଷରେ ଅବସ୍ଥାଟା ଖୁବ୍‍ ବିପଜ୍ଜନକ ହୋଇ ପଡ଼ିଲା ତାହା ଅସ୍ଵୀକାର କରି ହେବ ନାହିଁ । ବାପାଙ୍କୁ ସୁଦୂର ଦକ୍ଷିଣ ଭାରତକୁ ପଠାଇ ଦେବା ପରେ ଭାଇସ୍‌ରୟ ଲର୍ଡ଼ ଲିନ୍‌ଲିଥିଗୋ ବିଲାତରେ ଭାରତର ସେକ୍ରେଟେରୀ ଅଫ ଷ୍ଟେଟ୍‍ ଲିଓପୋଲ୍‌ଡ଼ ଏମେରୀଙ୍କୁ ଗୋଟିଏ ଗୋପନ ଚିଠି ଲେଖିଲେ :

 

'It is obvious that it was well to have got Sarat Bose away from here......In fact one individual went so far as to suggest that it was almost the case that cabinet meettings were held in his quarters in the Jail......his contacts with the Japanise were an additional reason for exercising the greatest care in his case.'

 

“ଏ କଥା ସ୍ପଷ୍ଟ ଯେ ଶରତ ବସୁଙ୍କୁ ଏଠାରୁ (କଲିକତା) ଘୁଞ୍ଚାଇ ଦେବାଟା ଖୁବ୍‌ ଭଲ ହୋଇଛି । ବାସ୍ତବିକ ଜଣେ ତ ଏକଥା ମଧ୍ୟ କହିଲେ ଯେ, ବିଷୟଟି ଏପରି ଆକାର ଧାରଣ କରିଥିଲା ଯେ, କହିବାକୁ ଗଲେ ଜେଲରେ ତାଙ୍କ ଘର ଭିତରେ ହିଁ ମନ୍ତ୍ରୀସଭାର ବୈଠକ ଅନୁଷ୍ଠିତ ହେଉଥିଲା ! .....ତାଙ୍କ ସଙ୍ଗେ ଜାପାନୀମାନଙ୍କର ସମ୍ପର୍କ ଆଉ ଗୋଟିଏ କାରଣ, ସେଥିପାଇଁ ତାଙ୍କ ସମ୍ବନ୍ଧରେ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର ।”

 

ବାପା ଗ୍ରେପ୍ତାର ହେବା ସଙ୍ଗେ ସଙ୍ଗେ ଆମ ପରିବାର ଘୋର ଦୁଃସମୟର ସମ୍ମୁଖୀନ ହେଲା । ବ୍ରିଟିଶ ଗଭର୍ଣ୍ଣମେଣ୍ଟର ଶ୍ଵୈନ ଦୃଷ୍ଟି ତ ଆମ ଉପରେ ରହିଛି ତା’ଛଡ଼ା କେତେଜଣଙ୍କୁ ମାତ୍ର ବାଦ୍‍ଦେଲେ ଆତ୍ମୀୟସ୍ଵଜନ ଓ ବନ୍ଧୁବାନ୍ଧବମାନେ ଆମ ସଙ୍ଗେ ସ୍ଵାଭାବିକ ସମ୍ପର୍କ ମଧ୍ୟ ବିପଜ୍ଜନକ ମନେକରି ଆମ ଠାରୁ ଯଥା ସମ୍ଭବ ଦୂରେଇ ରହିଲେ । ଏହି ସମୟରେ ମୋର ମା ତାଙ୍କ ଜୀବନର କଠିନତମ ପରୀକ୍ଷାର ସମ୍ମୁଖୀନ ହେଲେ । ସଂସାର ତ ଚଳାଇବା ମୁସ୍କିଲ, ତା’ ଉପରେ ପୁଣି ଥିଲା ସରକାରୀ ଜୁଲୁମ୍‌ ଏବଂ ଆତ୍ମୀୟସ୍ଵଜନ ଓ ବନ୍ଧୁ–ବାନ୍ଧବମାନଙ୍କ ଶୀତଳ ଆଚରଣ । ବାପା ବନ୍ଦୀ ହେବା ଠାରୁ ମୁଁ ଧରା ପଡ଼ିବା ଭିତରେ ସତ୍ୟରଞ୍ଜନ ବକ୍‌ସି, ମହାଶୟ ମଝିରେ ମଝିରେ ଆସି ମା’ଙ୍କୁ ଦାଦାଙ୍କ ଖବର ଜଣାଉଥିଲେ । ମୁଁ ଆଢ଼ୁଆଳରେ ରହି କିଛି କିଛି ଶୁଣୁଥିଲି । ଦାଦାଙ୍କ ସଙ୍ଗେ କାବୁଲ୍ ମାର୍ଫତ୍ ସମ୍ପର୍କ ସ୍ଥାପନ କରିବା ପାଇଁ ସୀମାନ୍ତ ପ୍ରଦେଶ, ପଞ୍ଜାବ ଓ ବଙ୍ଗଳା ଦେଶର ପ୍ରତିନିଧିମାନେ ମିଶି ଗୋଟିଏ ଗୋପନ ବିପ୍ଳବୀ କେନ୍ଦ୍ର ଗଠନ କରିଥିଲେ–ତାହାର ବଙ୍ଗୀୟ ପ୍ରତିନିଧି ମାର୍ଫତ୍‌ରେ ସତ୍ୟବାକୁ ଦାଦାଙ୍କ ଖବର ପାଉଥିଲେ ।

 

ଅନ୍ୟ ଦିଗରେ ଜାପାନୀମାନଙ୍କର ଇଂରେଜ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଗୋଟିଏ ନୂତନ ସମ୍ଭାବନା ଆଣିଦେଲା ଏବଂ ଯୁଦ୍ଧରେ ଜାପାନୀମାନଙ୍କ ଅଭୂତପୂର୍ବ ସାଫଲ୍ୟ ଆମ ମନରେ, ସାଧାରଣ ଭାବେ ଦେଶର ସ୍ଵାଧୀନତାକାମୀ ଜନଗଣଙ୍କ ମନରେ ନୂତନ ଆଶାର ସଞ୍ଚାର କଲା ।

 

୧୯୪୨ ମସିହା ଫେବୃୟାରୀ ମାସର ଶେଷଆଡ଼କୁ ଶୁଣିବାକୁ ପାଇଲୁ, ଯେ, ‘ଆଜାଦ୍ ହିନ୍ଦ୍ ରେଡ଼ିଓ’ ନାମରେ ଗୋଟିଏ ରେଡ଼ିଓ ଷ୍ଟେସନ ଖୋଲା ହୋଇଛି ଏବଂ ସେମାନେ ପ୍ରଚାର କରୁଛନ୍ତି ଯେ, ଶୀଘ୍ର ସୁଭାଷଚନ୍ଦ୍ର ବୋଷ ସେହି ରେଡ଼ିଓ ଷ୍ଟେସନରୁ ବତ୍କୃତା ଦେବେ । ବହୁ ଚେଷ୍ଟା ସତ୍ତ୍ଵେ ପ୍ରଥମେ ଆଜାଦ୍ ହିନ୍ଦ୍ ରେଡ଼ିଓ ଷ୍ଟେସନକୁ ଲଗାଇ ପାରିଲିନି । ସୌଭଗ୍ୟବଶତଃ ବର୍ଲିନ ରେଡ଼ିଓ ଦାଦାଙ୍କ ପ୍ରଥମ ବକ୍ତୃତା ପୁନଃ ପ୍ରଚାର କରିଲା ଏବଂ ଆମେ ତାହା ଶୁଣିଲୁ । ତା’ପର ଠାରୁ ରାତି ପରେ ରାତି ରେଡ଼ିଓ ଧରି ବସି ରହିବା ହିଁ ମୋର ପ୍ରଧାନ କାମ ହେଲା । ବର୍ତ୍ତମାନ ସୁଦ୍ଧା ମୋର କାନରେ ରେଡ଼ିଓ ବାଜୁଛି । ଆଜାଦ୍ ହିନ୍ଦ୍‍ ରେଡ଼ିଓ ବଙ୍ଗଳା ପ୍ରୋଗାମର ଆରମ୍ଭରେ ସେହି ଗର୍ଜନ:

 

“ବଲ୍‌ରେ ବନ୍ୟ ହିଂସ୍ର ବୀର,

ଦୁଃଶାସନେର ଚାଇ ରୁଧିର.....”

 

୧୯୪୨ ମସିହା ମାର୍ଚ୍ଚ ମାସ ଶେଷ ସପ୍ତାହରେ ନାଇଟ୍ ଡିଉଟି ସାରି ଦିନେ ଭୋର ବେଳକୁ ମେଡ଼ିକାଲ କଲେଜରୁ ଫେରୁଛି, ବସ୍‌ରେ ଜଣେ ସହଯାତ୍ରୀ ହାତରେ ‘Statesman’ ଖବର କାଗଜର ପ୍ରଥମ ପୃଷ୍ଠାରେ ଦାଦାଙ୍କ ଫୋଟ ଆଖିରେ ପଡ଼ିଲା । ଏହା ଦେଖି ଖୁବ୍‍ ଆଶ୍ଚର୍ଯ୍ୟ ହେଲି, କାରଣ ସେହି ଖବର କାଗଜରେ ତାଙ୍କର ଫୋଟ ବାହାରିବା ସେ’ କାଳରେ ସ୍ଵାଭାବିକ ନ ଥିଲା । ଯାତ୍ରୀଙ୍କ ପାଖକୁ ଲାଗିଯାଇ ଫୋଟ ଛାପା ହେବାର କାରଣଟା ପଢ଼ିଲି–୨୮ ମାର୍ଚ୍ଚରେ ନା କଣ ଜାପାନର ଉପକୂଳରେ ଗୋଟିଏ ବିମାନ ଦୁର୍ଘଟଣାରେ ଦାଦାଙ୍କ ମୃତ୍ୟୁ ହୋଇଛି । ଖବରଟି ଯେ ଭୁଲ ଏ ବିଷୟରେ ମୋର କୌଣସି ସନ୍ଦେହ ନ ଥିଲା । ଘରକୁ ଫେରି ଦେଖିଲେ ଯେ, ମା’ଙ୍କ ଆଖିରେ ଅଶ୍ରୁ, ମୋର ଫେରି ଆସିବା ଅପେକ୍ଷାରେ ସ୍ଥିର ହୋଇ ଛିଡ଼ା ହୋଇଛନ୍ତି । ମୁଁ ତ ଖୁବ୍ ଜୋର୍‌ ଦେଇ ସ୍ଥିର ବିଶ୍ଵାସରେ ଖବରଟିକୁ ନିହାତି ଭୁଲ ବୋଲି ଉଡ଼ାଇଦେଲି । କହିଲି, ଆପଣ ତ ଜାଣନ୍ତି ଦାଦା ଇଉରୋପରେ ଅଛନ୍ତି ଏବଂ ବର୍ତ୍ତମାନ ପ୍ରାୟ ପ୍ରତିଦିନ ରେଡ଼ିଓରେ ବକ୍ତୃତା ଦେଉଛନ୍ତି । ଆହୁରି କହିଲେ ଯେ, ବର୍ତ୍ତମାନ ଯୁଦ୍ଧର ଭୌଗୋଳିକ ପରିସ୍ଥିତି ଏପରି ଯେ, ଦାଦାଙ୍କ ପକ୍ଷରେ ହଠାତ୍ ବିମାନରେ ଜାପାନକୁ ଆସିବା ନିତାନ୍ତ ଅସମ୍ଭବ । ମା’ଙ୍କୁ ଶାନ୍ତ କରିବା ପରେ ବାହାରକୁ ଆସି ଦେଖିଲି, ଶ୍ରୀମତୀ ଇଲା ରାୟ ସିଡ଼ିରେ ଉପରକୁ ଉଠୁଛନ୍ତି । ତାଙ୍କର ମଧ୍ୟ ସେହି ଅବସ୍ଥା–ସେହି କଥା କହି ଶ୍ରୀମତୀ ରାୟ ବୁଝାଇଲି ଯେ, ଖବରଟି କେବେହେଲେ ସତ୍ୟ ନୁହେଁ । ସିଡ଼ିରେ ଓହ୍ଲାଇଲାବେଳେ ଶ୍ରୀମତୀ ରାୟ ଦୁଃଖରେ ଭାଙ୍ଗିପଡ଼ି ବାରମ୍ବାର ଛିଡ଼ାହୋଇ ଯାଉଥିଲେ ଏବଂ ପ୍ରତ୍ୟେକ ଥର ମୋତେ ସେହି ଗୋଟିଏ କଥା ପୁନରାୟ କହିବାକୁ ପଡ଼ୁଥିଲା ।

 

ଆନନ୍ଦବାଜାର ପତ୍ରିକା

 

ସୋମବାର, ୧୬ ଇ ଚୈତ୍ର, ୧୩୪୮ ସାଲ

ଶ୍ରୀଯୁକ୍ତ ସୁଭାଷଚନ୍ଦ୍ର ବୋଷ

 

‘ରୟଟାର’ ପରକୀୟ ସଂବାଦେର ଉପର ନିର୍ଭର କରିୟା ସୁଭାଷ ଚନ୍ଦ୍ରେର ମୃତ୍ୟୁ ସମ୍ବାଦ ଘୋଷନା କରିୟାଛେନ ।

 

ଆମରା ଶୋକ–ଲିଖନ ଲିଖିବନା ।

ସୁଭାଷ ଚନ୍ଦ୍ର ଦୀର୍ଘଜୀବୀ ହଉନ !

 

(୧୯୪୨ର ମାର୍ଚ୍ଚ ମାସରେ ସୁଭାଷଚନ୍ଦ୍ରଙ୍କ ମୃତ୍ୟୁସମ୍ବାଦ ଘୋଷଣା ହେବ । ପରେ ବଙ୍ଗଳା ଆନନ୍ଦବାଜାର ପତ୍ରିକାର ସମ୍ପାଦକୀୟର ପ୍ରତିଲିପି ।)

 

PAGE FOUR

 

Hindusthan Standard

MONDAY, MARCH 30

SRI SUBHAS CHANDRA

 

‘Reuter’ announces the death of Sri Subhas Chandra on information gathered from Lyons and Vichy radios. We refuse to write an obituary notice. Long live Sri Subhas Chandra !

 

(୧୯୪୨ର ମାର୍ଚ୍ଚ ମାସରେ ସୁଭାଷଚନ୍ଦ୍ରଙ୍କ ମୃତ୍ୟୁ ସମ୍ବାଦ ଘୋଷଣା ହେବା ପରେ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ ପତ୍ରିକାରେ ସମ୍ପାଦକୀୟର ପ୍ରତିଲିପି ।)

 

ଗୋସେଇଁ ମା’ତ ପ୍ରଥମରୁ ଖବରଟି ବିଶ୍ଵାସ କରି ନାହାନ୍ତି ବୋଲି ଶୁଣିଲି । ତଥାପି ତାଙ୍କୁ ସନ୍ଧ୍ୟାବେଳେ ଉଡ଼ବାର୍ନ ପାର୍କର ଘରକୁ ଡାକି ଆଣିଲି । ଗୋସେଇଁମା ଓ ମା’ଙ୍କୁ ପାଖରେ ବସାଇ ଦାଦାଙ୍କ ବେତାର ବକ୍ତୃତା ଶୁଣାଇଲି । କିନ୍ତୁ ଦେଶର ବିଶେଷ କରି ସୁଭାଷପ୍ରେମୀ ଜନସାଧାରଣଙ୍କୁ କିଏ ବୁଝାଇ ପାରିବ ? ତାଙ୍କ ମନ କଥା ପ୍ରତିଧ୍ୱନିତ ହେଲା ‘ଆନନ୍ଦବାଜାର ପତ୍ରିକା’ ଓ ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼’ର ସପାଂଦକୀୟରେ ।

 

ସୁରେଶ ଚନ୍ଦ୍ର ମଜୁମ୍‌ଦାର ମହାଶୟଙ୍କ ପାଖରୁ ଶୁଣିଛି ଯେ, ସେହି ସଂପାଦକୀୟ ପ୍ରକାଶ ପାଇବା ପରେ ବଙ୍ଗଳା ଦେଶର ତଦାନୀନ୍ତନ ଇଂରେଜ ହୋମ ସେକ୍ରେଟାରୀ ତାଙ୍କୁ ଖୁବ୍ ନାଲି ଆଖି ଦେଖାଇଥିଲେ ।

 

କୋଡ଼ିଏ

 

ବାପାଙ୍କ ପାଖରୁ Message–The Medical Student is all right ପାଇଲା ପରେ ମୋ ମନେହୁଏ, ଏଥିରୁ ଦାଦା ବୁଝିଲେ ଯେ, ମୋତେ ପୁଲିସ ସନ୍ଦେହ କରି ନାହାନ୍ତି ଏବଂ ମୁଁ ମୁକ୍ତ ଅଛି । ତେଣୁ କିଛିଦିନ ପରେ ତାଙ୍କ ପାଖରୁ ବାର୍ତ୍ତା ନେଇ ଯେଉଁ ବିଶେଷ ଦଳଟି ଭାରତକୁ ଆସିଲେ ତାଙ୍କୁ ମୋ ସଙ୍ଗେ ସାକ୍ଷାତ୍‌ କରିବାକୁ କୁହାହେଲା । ବାପା ସେତେବେଳେ ଜେଲ୍‌ରେ ଥାଆନ୍ତି ।

 

ତେବେ ସେହି ବିଶେଷ ଦଳ ଯେତେବେଳେ ଭାରତବର୍ଷ ମାଟିରେ ଓହ୍ଲାଇଲେ ଏବଂ ମୋ ସଙ୍ଗେ ସାକ୍ଷାତ୍ କଲେ ସେତେବେଳେ ମୁଁ ଆଉ ମୁକ୍ତ ନାହିଁ–ଘରେ ଅନ୍ତରୀଣ ଭାବରେ ବନ୍ଦୀ । ପ୍ରକୃତରେ ତା’ର ବହୁ ପୂର୍ବରୁ ମୋର ବନ୍ଦୀଜୀବନ ଆରମ୍ଭ ହୋଇଛି । ୧୯୪୧ ମସିହାରୁ ୧୯୪୫ ମସିହା ପର୍ଯ୍ୟନ୍ତ ମୋର ବନ୍ଦୀଜୀବନ ନାନାଭାବେ ବିଭକ୍ତ ଓ ବୈଚିତ୍ରମୟ ।

 

୧୯୪୨ର ଆନ୍ଦୋଳନ ସମୟରେ ମୁଁ ପ୍ରଥମେ ଧରାପଡ଼ିଲି । ଅଗଷ୍ଟ ୮ ତାରିଖ ବମ୍ବେରେ ଅନୁଷ୍ଠିତ କଂଗ୍ରେସ ସଭାରେ Quit India ପ୍ରସ୍ତାବ ଗ୍ରହଣ ହେବାର ଖବର ପାଇ, ସେହିଦିନ ରାତିରେ ଦାଦା ଆଜାଦ୍ ହିନ୍ଦ୍ ରେଡ଼ିଓରୁ ଗୋଟିଏ ସଂକ୍ଷିପ୍ତ ବକ୍ତୃତା ଦେଇ ଦେଶପ୍ରେମୀ ସମସ୍ତ ଭାରତବାସୀଙ୍କୁ ସେହି ଶେଷ ସଂଗ୍ରାମରେ ଡେଇଁ ପଡ଼ିବାକୁ ଆହ୍ଵାନ କଲେ !

 

ପ୍ରଥମରେ ମେଡ଼ିକେଲ୍, କଲେଜ ଛାତ୍ରମାନଙ୍କର ଗୋଟିଏ ଶୋଭାଯାତ୍ରା ଉପରେ “ପୁଲିସର ଆକ୍ରମଣ ଫଳରେ ମୁଁ ଗୁରୁତର ଭାବେ ଆହତ ହୋଇ ପ୍ରାୟ ତିନି ସପ୍ତାହ କାଳ ଶଯ୍ୟାଶାୟୀ ଥିଲି । ଏହାର ଠିକ୍ ଅଳ୍ପ ଦିନ ପରେ ମୁଁ ଗ୍ରେପ୍ତାର ହେଲି । ମୋତେ ଯେଉଁଦିନ ଧରିବାକୁ ଆସିଲେ ସେଦିନ ଭୋର୍‌ବେଳେ ଦେଖାଗଲା, ହୁଏତ ରାତି ଥାଉ ଥାଉ, ଉଡ଼ବାର୍ନ ପାର୍କର ଘରକୁ ପୁଲିସ୍ ଚାରିଆଡ଼ୁ ଘେରି ଯାଇଥାନ୍ତି । ଘର ଭିତର ସର୍ଚ୍ଚ ଆରମ୍ଭ ହେବା ପୂର୍ବରୁ ମୁଁ କୌଣସିମତେ ଭଗତ୍‌ରାମ ଆଣିଥିବା ଦାଦାଙ୍କ ବଙ୍ଗଳାରେ ଲେଖା ଚିଠିଟିକୁ ପୋଡ଼ି ପକାଇବାରେ ସମର୍ଥ ହୋଇଥିଲି । ସେଦିନ ଏ କାର୍ଯ୍ୟ କରିବା ଛଡ଼ା ଆଉ ଅନ୍ୟ ଉପାୟ ନ ଥିଲା । ଆଜି ମନେହୁଏ ଗୋଟିଏ ଅମୂଲ୍ୟ ଦଲିଲ ନଷ୍ଟ ହୋଇଗଲା । ଅନ୍ୟ ଦୁଇଟି ପତ୍ର ବହୁ ପୂର୍ବରୁ ହସ୍ତାନ୍ତରିତ ହୋଇ ଯାଇଥିଲା ।

 

ପ୍ରେସିଡ଼େନ୍‌ସି ଜେଲ୍‌ରେ ରାଜବନ୍ଦୀ ଥିବା ସମୟରେ ମୁଁ ଟାଇଫଏଡ଼ ରୋଗରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଲି । ମୋର ଅସୁସ୍ଥତା ସତ୍ୟ କି ନୁହେ ଜାଣିବା ପାଇଁ ମେଡ଼ିକେଲ୍, କଲେଜର ଅଧ୍ୟକ୍ଷଙ୍କ ଦ୍ଵାରା ପରୀକ୍ଷା କରଇ ମୋତେ ବନ୍ଦୀ ଅବସ୍ଥାରେ ମେଡ଼ିକେଲ୍ କଲେଜ ହସ୍‍ପିଟାଲରେ ରଖାହେଲା । ରୋଗଶଯ୍ୟାରେ ଶୋଇ ସେହି ସମୟରେ ମୁଁ ବାପାଙ୍କ ପାଖରୁ ଜେଲରୁ ଗୋପନରେ ପଠାଇଥିବା କେତୋଟି ବାର୍ତ୍ତା ପାଇଥିଲି । ଆଗରୁ କହିଛି, ସେତେବେଳେ ବାପା ମୋତେ କେତୋଟି ଚମକପ୍ରଦ ଖବର ପଠାଇଥିଲେ । ତା ମଧ୍ୟରୁ ଗୋଟିଏ ଥିଲା, ଗଭର୍ଣ୍ଣମେଣ୍ଟ ଦାଦାଙ୍କ ଅନ୍ତର୍ଦ୍ଧାନରେ ମୋର ଭୂମିକା ସମ୍ବନ୍ଧରେ ବହୁତ କିଛି ଜାଣି ପାରିଛି । ବାପା ଏ କଥା ମଧ୍ୟ ଲେଖିଥିଲେ ଯେ, ହୁଏତ ମୋର ଏହି ଗୁରୁତର ଅସୁସ୍ଥତା ଈଶ୍ଵରଙ୍କ ଏକ ମହାନ୍ ଆଶୀର୍ବାଦ ଥିଲା । ନଚେତ୍ ମୋତେ ପୁଲିସ୍ ବହୁ ପୂର୍ବରୁ ଲାଲକିଲ୍ଲା କିମ୍ବା ଲାହୋର ଫୋର୍ଟକୁ ଚାଲାନ୍ କରିଥାନ୍ତା । କିଞ୍ଚିତ ସୁସ୍ଥ ହେବା ପରେ ମୁଁ ଉଡ଼ବାର୍ନ ପାର୍କର ଘରେ ଅନ୍ତରୀଣ ରହିଲି । ତାହାର କଛିଦିନ ପରେ ଅନ୍ତରୀଣ ଅବସ୍ଥାରେ ହିଁ ମୋତେ ଘରଠାରୁ କଲେଜ ଯାତାୟାତ ପାଇଁ ଅନୁମତି ମିଳିଲା ।

 

୧୯୪୧ ମସିହାର ଶେଷରେ ଷ୍ଟେଲିନ୍ ଗ୍ରେଡ଼୍‌ରେ ଯୁଦ୍ଧର ଗତି ବଦଳିଗଲା । ୧୯୪୩ ମସିହା ମାର୍ଚ୍ଚ–ଏପ୍ରିଲ୍ ମାସରେ ଘରେ ନଜରବନ୍ଦୀ ଅବସ୍ଥାରେ ରେଡ଼ିଓ ଶୁଣୁଥିଲି ।

 

ବର୍ଲିନରୁ ପ୍ରଚାରିତ ଦାଦାଙ୍କର ଗୋଟିଏ ବକ୍ତୃତାରେ କିଛି ବ୍ୟତିକ୍ରମ ଥିଲା ପରି ମନେ ହେଲା । ଦାଦା ତାଙ୍କ ପ୍ରତ୍ୟେକ ବକ୍ତୃତାର ପ୍ରଥମରେ, ପୂର୍ବ ବକ୍ତୃତା ପରେ ଘଟିଥିବା ଦେଶ ବିଦେଶର ଘଟଣାର ପର୍ଯ୍ୟାଲୋଚନା କରୁଥିଲେ କିନ୍ତୁ ଏହି ବକ୍ତୃତାରେ ଶୁଣିଲେ ସେ ପୁରୁଣା କଥା କହୁଛନ୍ତି । ପୂର୍ବ ବକ୍ତୃତାରେ ଯେଉଁସବୁ କଥା କହିଛନ୍ତି ସେ’ଗୁଡ଼ିକର କେବଳ ପୁନରାବୃତ୍ତି କରୁଛନ୍ତି ବୋଲି ମନେହେଲା । ହଠାତ୍ ମନେହେଲା ଯେପରି ଦାଦା ଇଉରୋପରେ ନାହାନ୍ତି, ନିଶ୍ଚୟ ଏସିଆ ପଥରେ ଯାତ୍ରା କରିଛନ୍ତି । ମା’ଙ୍କୁ ଓ ମୋର ଭଉଣୀ ଗୀତାକୁ ମୋର ଅନୁମାନ ସେହି ରାତିରେ ଜଣାଇଲି । ଅବଶ୍ୟ କେଉଁ ଉପାୟରେ ଏସିଆକୁ ଆସୁଛନ୍ତି ଅନୁମାନ କରିବା ମୋ ପକ୍ଷେ ସମ୍ଭବ ହେଲା ନାହିଁ । ସେତେବେଳେ ମନରେ ଭାବିଥିଲି ହୁଏତ ଦାଦା ବିଶେଷ କୌଣସି ବ୍ୟବସ୍ଥା କରି ତୁରସ୍କ ଓ ସୋଭିୟେତ୍–ସାଇବେରିଆ ହୋଇ ଜାପାନକୁ ଆସିବେ ।

 

୧୯୪୩ ମସିହାର ଦୁର୍ଗାପୂଜା ସମୟରେ ସ୍ଵାସ୍ଥ୍ୟ ପରିବର୍ତ୍ତନର ଛଳନା କରି ମା ଓ ଭାଇ, ଭଉଣୀମାନଙ୍କ ସଙ୍ଗେ ଭାଇଙ୍କ ପାଖକୁ ବାରାରି ଯିବା ପାଇଁ ସରକାରୀ ଅନୁମତି ମିଳିଲା । ଯେଉଁ ଘରେ ବସି ୧୯୪୧ ମସିହା ଜାନୁୟାରୀ ୧୭ ତାରିଖରେ ଭାଇ ମୋତେ ‘ମହମ୍ମଦ ଜିୟାଉଦ୍ଦିନ’ଙ୍କ ସଙ୍ଗେ ପରିଚୟ କରାଇ ଦେଇଥିଲେ, ସେହି ଘରେ ବସି ରେଡ଼ିଓରେ ସିଙ୍ଗାପୁର ଷ୍ଟେସନରୁ ଦାଦାଙ୍କ ନିଜ ମୁହଁରୁ ଆଜାଦ୍ ହିନ୍ଦ୍ ଗଭର୍ଣ୍ଣମେଣ୍ଟର ଘୋଷଣାପତ୍ର ପାଠ ଶୁଣିଲି ।

 

୧୯୪୩ ମସିହାଟା ଏହିପରି ଭାବେ କଟିଲା । ସେହି ବର୍ଷ ଶେଷଆଡ଼କୁ ଦାଦାଙ୍କର ଜଣେ ବିଶେଷ ବାର୍ତ୍ତାବହ ମୋ ସଙ୍ଗେ ସାକ୍ଷାତ କଲେ । ଗୋସେଇଁ ମା’ଙ୍କ ସେତେବେଳେ ମୃତ୍ୟୁ ଘଟିଥାଏ ଏବଂ ଆମର ଅଶୌଚ ଚାଲିଥାଏ । ଏହି ସମୟରେ ଦିନେ ଉଡ଼୍‌ବାର୍ନ ପାର୍କର ଘରେ ମୋ ସଙ୍ଗେ ଜଣେ ଦେଖା କରି ଦାଦାଙ୍କ ନିଜ ହାତଲେଖା ଗୋଟିଏ ବାର୍ତ୍ତା ମୋତେ ଦେଲେ । ତଳ ମହଲାର ଯେଉଁ ପଶ୍ଚିମ ପଟ ଘରେ ଭଗତ୍‌ରାମ ସହିତ କଥା–ବାର୍ତ୍ତା କରିଥିଲି, ସେହି ଘରେ ଏହି ବିଶେଷ ଦୂତ ସଙ୍ଗେ କଥାବାର୍ତ୍ତା ହେଲା । ଏହି ଭଦ୍ରଲୋକଙ୍କ ନାଁ ଥିଲା ଟି. କେ. ରାଓ, ମାନ୍ଦ୍ରାଜର ଅଧିବାସୀ । ସେ ଗୋଟିଏ ଛୋଟ ଦଳ ନେଇ ସବ୍‌ମେରିନରେ ଆସି କାଥିଆଓୟାର୍ଡ଼ ଉପକୂଳରେ ଓହ୍ଲାଇଛନ୍ତି । ରାଓଙ୍କୁ ଏହି ଚିଠି ନେଇ ମୋତେ ଦେଖା କରିବାକୁ ଦାଦା କହିଛନ୍ତି । ରାଓ କହିଲେ ଆମେ ଓହ୍ଲାଇ ସାରି ନେତାଜୀଙ୍କ ସଙ୍ଗେ ରେଡ଼ିଓରେ ସଂଯୋଗ କରିଛୁ । ତାଙ୍କ ମା’ଙ୍କ ମୃତ୍ୟୁ ଖବର ମଧ୍ୟ ତାଙ୍କୁ ରେଡ଼ିଓ ବାର୍ତ୍ତାରେ ଜଣାଇ ଦିଆ ହୋଇଛି । ରାଓ ମୋତେ ସଂକ୍ଷେପରେ ସିଙ୍ଗାପୁରର ସମସ୍ତ ସମ୍ବାଦ ଦେଲେ । ସେମାନେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପୂର୍ବରୁ ‘ଆଜାଦ୍ ହିନ୍ଦ୍ ସରକାର’ ସ୍ଥାପିତ ହୋଇଛି । ଦାଦା ସେ ଅପୂର୍ବ ଜନ ସମର୍ଥନ ପାଇଛନ୍ତି ସେ କଥା ମଧ୍ୟ ସେ କହିଲେ । ସେହି ପ୍ରଥମ ଥର ପାଇଁ ମୁଁ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ‘ନେତାଜୀଙ୍କ’ କଥା ଶୁଣିଲି । ଯିବା ପୂର୍ବରୁ ରାଓ ମୋତେ ‘ଜୟହିନ୍ଦ’ ଅଭିବାଦନ ଶିଖାଇ ଦେଇଗଲେ ।

 

ଟି. କେ. ରାଓ ବ୍ରିଟିଶ ଇଣ୍ଡିଆନ ଆର୍ମିରେ ଥିଲେ । ସେ ଉତ୍ତର ଆଫ୍ରିକାର ଟୋବ୍ରୁକର ବିଖ୍ୟାତ ଲଢ଼େଇରେ ରୋମେଲ ବାହିନୀଙ୍କ ହାତରେ ଧରାପଡ଼ନ୍ତି । ଇଉରୋପକୁ ସ୍ଥାନାନ୍ତରିତ ହେବା ପରେ ନେତାଜୀଙ୍କ ଆହ୍ଵାନରେ ଆଜାଦ ହିନ୍ଦ୍ ଫୌଜରେ ଯୋଗ ଦେଲେ । ଜର୍ମାନୀରେ ଆଇ. ଏନ. ଏ. ର ଯେଉଁ ଛୋଟ ଦଳଟିକୁ ସିକ୍ରେଟ ସର୍ଭିସ ଓ ଅନ୍ତର୍ଘାତମୂଳକ କାର୍ଯ୍ୟକଳାପରେ ଟ୍ରେନିଂ ଦିଆ ହେଉଥିଲା, ରାଓ ସେମାନଙ୍କ ମଧ୍ୟରେ ଅନ୍ୟତମ । ଦାଦା ଇଉରୋପରୁ ସବ୍‌ମେରିନ୍‍ରେ ଯାତ୍ରା ଆରମ୍ଭ କରିବା ପରେ ଆଇ. ଏନ୍. ଏ. ର ମେଜର ସ୍ଵାମୀ ଏହି ବିଶେଷ ଟ୍ରେନିଂ ପାଇଥିବା ଗୋଟିଏ ଛୋଟ ଦଳ ନେଇ ଗୋଟିଏ ବ୍ଳକେଡ଼ ରନର ଜାହାଜ ସାହାଯ୍ୟରେ ଯୁଦ୍ଧର ଜୀବନ–ମୃତ୍ୟୁକୁ ଭୃକ୍ଷେପ ନ କରି ନେତାଜୀଙ୍କୁ ଅନୁସରଣ କରି ପୂର୍ବ ଏସିଆରେ ଆସି ହାଜର ହେଲେ । ଟି. କେ. ରାଓ ମଧ୍ୟ ଏହି ଦଳରେ ଥିଲେ । ରାଓ ଓ ତାଙ୍କ ଦଳଟି ସବୁ ଦିଗରୁ ଦକ୍ଷ ଏବଂ ନେତାଜୀଙ୍କ ବିଶ୍ଵସ୍ତ ଅନୁଚର ଥିଲେ ।

 

କଲିକତାରେ ରାଓ ମୋତେ ତିନି–ଚାରି ଜଣଙ୍କ ନାଁ କହି ମୋତେ ତାଙ୍କ ସହିତ ସାକ୍ଷାତ କରାଇ ଦେବାକୁ କହିଲେ । ଯେଉଁମାନଙ୍କ ନାଁ ରାଓ କହିଥିଲେ ତାଙ୍କ ମଧ୍ୟରୁ କାହାରି ସଙ୍ଗେ ସାକ୍ଷାତ କରାଇଦେବା ସମ୍ଭବ ନଥିଲା କାରଣ ସେତେବେଳେ କେହିବା ଥିଲେ ଜେଲରେ, କେହିବା କଲିକତାର ବାହାରେ ଆଉ କେହିବା ଅସୁସ୍ଥ ।

 

ମୋ ପକ୍ଷରେ ରାଓଙ୍କୁ ନେଇ ବୁଲାବୁଲି କରିବା ନିରାପଦ ବା ଯୁକ୍ତିଯୁକ୍ତ ନ ଥିଲା କାରଣ ସେତେବେଳେ ମୋତେ ପୁଲିସ୍ ସର୍ବଦା ଅନୁସରଣ କରୁଥିଲେ । ମୋତେ ସେଭଳି ଅର୍ଦ୍ଧେକ ମୁକ୍ତ ଓ ଅର୍ଦ୍ଧେକ ବନ୍ଦୀକରି ରଖିବାଟା ଏବେ ମୋର ମନେହୁଏ ପୁଲିସ୍‌ର ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ସେମାନେ ଲକ୍ଷ୍ୟ କରୁଥିଲେ କେଉଁମାନେ ମୋ ପାଖକୁ ଯିବା ଆସିବା କରନ୍ତି ବା ମୁଁ କ’ଣ କରେ । ବନ୍ଦୀ କରି ରଖିବାଠୁ ସେମାନେ ହୁଏତ ଏଥିରେ ବିଶେଷ ଲାଭବାନ ହୋଇଥିଲେ ।

 

ମୁଁ ରାଓଙ୍କୁ ପରଦିନ ମେଟ୍ରୋ ସିନେମାର ସନ୍ଧ୍ୟା ସୋ ସମୟରେ ମୋ ସଙ୍ଗେ ସାକ୍ଷାତ କରିବାକୁ କହିଲି । ଇତିମଧ୍ୟରେ ମୁଁ ସତ୍ୟରଞ୍ଜନ ବକ୍‌ସି ମହାଶୟଙ୍କ ସାନ ଭାଇ ସୁଧୀର ରଞ୍ଜନ ବକ୍‌ସିଙ୍କ ପାଖକୁ ଯାଇ ରାଓଙ୍କ ସଙ୍ଗେ ପ୍ରୟୋଜନୀୟ ସାକ୍ଷାତର ଦାୟିତ୍ଵ ନେବାକୁ କହିଲି । ସୁଧୀର ବାବୁ ତତ୍‌କ୍ଷଣାତ ରାଜି ହୋଇଗଲେ । ସେ କର୍ପୋରେସନ୍‌ରେ କାମ କରୁଥିଲେ । ସେହିଠାରେ ତାଙ୍କ ଅଫିସ ସମୟରେ ରାଓ ତାଙ୍କୁ ଦେଖା କରିବେ ବୋଲି ଠିକ୍ ହେଲା । ମୁଁ ରାଓଙ୍କର ଗୋଟିଏ ଛଦ୍ମ ନାମ ଦେଲି–‘ପ୍ରସାଦ’ । ଏହି ନାଁ କହିଲେ ହିଁ ସୁଧୀର ବାବୁ ଜାଣି ପାରିବେ-। ଠିକ୍ ସେହିଭଳି ସବୁ ବ୍ୟବସ୍ଥା ହୋଇଥିଲା । ସେମାନଙ୍କ ସାକ୍ଷାତ୍ ହେବା ପରେ ସୁଧୀର ବାବୁ ଓ ପ୍ରସାଦ ଦୁଇ ଜଣ ମୋ ସହିତ ଟେଲିଫୋନ୍‌ରେ କଥା କହିଥିଲେ ।

 

ଏହି ବ୍ୟବସ୍ଥା ବିଷୟରେ ଖବର ଦେବାକୁ ପରଦିନ ମେଟ୍ରୋ ସିନେମାରେ ମୁଁ ରାଓଙ୍କ ସଙ୍ଗେ ମିଳିତ ହେଲି, ଦୁଇଖଣ୍ଡ ଟିକଟ କାଟି ଭିଡ଼ ଭିତରେ ଯାଇ ହଲ୍‌ରେ ପାଖାପାଖି ବସିଲୁ । ଛବି ଆରମ୍ଭ ହେବା ପୂର୍ବରୁ ସୁଧୀର ବାବୁଙ୍କ ସଙ୍ଗେ ଯାହାକିଛି ବ୍ୟବସ୍ଥା ହୋଇଛି ମୁଁ ତାଙ୍କୁ ବୁଝାଇ ଦେଲି-। ନିଉଜ୍ ରିଲ୍ ଶେଷ ହେବା ପରେ ମୁଁ ଅନ୍ଧକାର ହଲରୁ ବାହାରି ସିଧା ମେଡ଼ିକେଲ୍ କଲେଜକୁ ଚାଲିଗଲି । ଯିବା ପୂର୍ବରୁ ସମ୍ପୂର୍ଣ୍ଣ ସିନେମାଟା ରାଓଙ୍କୁ ଦେଖିବାକୁ କହିଗଲି । ମେଡ଼ିକେଲ୍ କଲେଜରେ ସେଦିନ ସନ୍ଧ୍ୟାରେ ଗୋଟିଏ Social function ଥିଲା । ମୁଁ ସେତେବେଳେ ଛାତ୍ର ଇଉନିଅନର ଜେନେରାଲ୍, ସେକ୍ରେଟେରୀ ଥିଲି । ମୁଁ ସେଠାରେ ନିୟମ ଅନୁଯାୟୀ ସ୍ଵାଗତ ଭାଷଣ ଦେଲି । କେତେ ଶତ ଛାତ୍ର–ଛାତ୍ରୀ ମୋର ସେଠାରେ ଉପସ୍ଥିତିର ସାକ୍ଷୀ ହୋଇ ରହିଲେ । ମଝି ବାଟରେ ଓହ୍ଲାଇ ରାଓଙ୍କ ସଙ୍ଗେ ମେଟ୍ରୋରେ ସାକ୍ଷାତ କରିଥିବା କଥାଟି ଗୋପନ ରହିଗଲା-

 

ରାଓଙ୍କ ଦଳ ସଙ୍ଗେ ସୁଧୀର ବାବୁଙ୍କ ମଧ୍ୟସ୍ଥତାରେ ବି. ଭି. (Bengal Volunteers)ର ବିପ୍ଳବୀମାନଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ ହେଲା । ଏମାନେ ମିଳିତ ଭାବେ ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଲେ ମଧ୍ୟ କଲିକତାର ଗୋଟିଏ ଘରୁ ନେତାଜୀଙ୍କ ସଙ୍ଗେ ସିଧା ସଳଖ ରେଡ଼ିଓ ସଂଯୋଗ ସ୍ଥାପିତ ହୋଇଥିଲା । ମୁଁ ସନ୍ଧ୍ୟା ପରେ ବୁଲିଯିବା ବାହାନାରେ ସୁଧୀର ବାବୁଙ୍କ ଘରକୁ ଅଧିକାଂଶ ଦିନ ଯାଉଥିଲି ଏବଂ ସୁଧୀର ବାବୁ ମୋତେ ସବୁକାର୍ଯ୍ୟ ସମ୍ୱନ୍ଧରେ ଟିକିନିଖି ବିବରଣୀ ଦେଉଥିଲେ । ବି.ଭି.ର କେତୋଟି ତରୁଣ ବିପ୍ଳବୀ ଏହି ସମୟରେ ଅସୀମ ସାହସ ଓ ଆତ୍ମତ୍ୟାଗର ପରିଚୟ ଦେଇଥିଲେ । ସେମାନଙ୍କ କଥା ଆଶା କରେ ଦିନେ ବିଶଦଭାବେ ଲେଖା ହେବ ।

 

୧୯୪୪ ମସିହା ଫେବୃୟାରୀ ମାସରେ ସରକାରଙ୍କ ବିଶେଷ ଅନୁମତି ନେଇ ମା ଓ ଗୋଟିଏ ଭଉଣୀକୁ ସାଙ୍ଗରେ ଧରି ବାପାଙ୍କ ସହିତ ସାକ୍ଷାତ କରିବାକୁ କୁନୁର ନୀଳଗିରି ପାହାଡ଼ର ବନ୍ଦୀ ନିବାସକୁ ଗଲି । ସେତିକିବେଳେ ମୁଁ ସାମୟିକ ଭାବେ ମୁକ୍ତି ପାଇଥାଏ । ମୁଁ ସାଙ୍ଗରେ ଦାଦାଙ୍କ ଚିଠିଟି ନେଇଥିଲି । ସଂକ୍ଷିପ୍ତ ବାର୍ତ୍ତାଟି ସେ ଇଣ୍ଡିଆନ ଇନଡ଼ିପେଣ୍ଡେନସ୍, ଲିଗ୍‌ର ସିଙ୍ଗାପୁର ସଦର ଦପ୍ତରର ଛପା କାଗଜରେ ଲେଖିଥିଲେ ତାରିଖ ଥିଲା–‘ଶ୍ରୀ ଶ୍ରୀ କାଳୀପୂଜା, ୨୯ ଅକ୍ଟୋବର, ୧୯୪୩’–ପତ୍ରବାହକ ବିଶେଷ ଜରୁରୀ କାମରେ ଦେଶକୁ ଯାଉଛନ୍ତି’–ଇତ୍ୟାଦି । ବାପାଙ୍କ ସଙ୍ଗେ ଇନ୍‌ଟରଭ୍ୟୁ ସମୟରେ ଭାରପ୍ରାପ୍ତ ପୁଲିସ୍ ଅଫିସରଟି କେତେ ମିନିଟ ପାଇଁ ବାହାରକୁ ଯାଇଥିଲେ; ସେହି ସୁଯୋଗରେ ମୁଁ ବାପାଙ୍କୁ ସେହ ଅମୂଲ୍ୟ ଚିଠିଟି ଦେଖାଇଥିଲି ଏବଂ ରାଓଙ୍କ ପାଖରୁ ଯେଉଁସବୁ ଖବର ପାଇଥିଲି ତାହା ବାପାଙ୍କୁ ଜଣାଇଥିଲି । ଏପରି ଭାବରେ ସରକାରଙ୍କୁ ଫାଙ୍କିଦେଇ ବାପାଙ୍କୁ ଚିଠି ଖଣ୍ଡିକ ଦେଖାଇ ପାରିଥିବାରୁ ମୁଁ ପରମ ସନ୍ତୋଷ ଲାଭ କରିଥିଲି ।

 

ପ୍ରାୟ ତିନିମାସ ପରେ ମୁଁ ବୁଝି ପାରିଲି ଯେ ପୁଲିସ୍ ଦିନକୁ ଦିନ ଆମ ଚାରି ଦିଗରେ ଜାଲ ବିସ୍ତାର କଲାଣି । ମୋତେ ଅନୁସରଣ କରିବା ମାତ୍ରା ମଧ୍ୟ ବଢ଼ିଗଲା । ବାପାଙ୍କ ପାଖକୁ ଚିଠିପତ୍ର ଲେଖିବା ଓ ତାଙ୍କ ସହିତ ଦେଖା–ସାକ୍ଷାତ କରିବା ବିଷୟରେ ମଧ୍ୟ ନୂଆ ନୂଆ ନିଷେଧାଜ୍ଞା ଜାରି ହେଲା । କିନ୍ତୁ ଏହା ସତ୍ତ୍ୱେ ବି ଆମେ କିଛିଟା ବେପରୱା ହୋଇ ଯାଇଥିଲୁ । ସୁଧୀର ବାବୁ ଓ ଅନ୍ୟମାନଙ୍କ ସଙ୍ଗେ ମଧ୍ୟ ମୋର ସମ୍ପର୍କ ଠିକ୍ ପୂର୍ବ ଭଳି ଚାଲିଲା । ଶେଷ ପର୍ଯ୍ୟନ୍ତ ଏହା ଏପରି ଅବସ୍ଥାକୁ ଆସିଲା ଯେ ସର୍ବକ୍ଷଣ ଦୁଇଜଣ ପୁଲିସ୍ ମୋ ପଛରେ ରହୁଥାନ୍ତି । ମେଡ଼ିକେଲ କଲେଜକୁ ଯିବା ଆସିବା ସମୟରେ ମୋର କୋର୍ଟ ପକେଟରେ ଦାଦାଙ୍କ ହାତଲେଖା ଚିଠିଟି ଥାଏ । ଚିଠି ସହିତ ହାତେ ହାତେ ଧରା ପଡ଼ିଲେ ତ ସର୍ବନାଶ ! ସୁତରାଂ ଆମର ଜଣେ ବିଶ୍ୱସ୍ତ ବନ୍ଧୁଙ୍କୁ ଚିଠିଟି ଦେଇ ଆସିଲି, କହିଲି, ମୋତେ ସର୍ବକ୍ଷଣ ପୁଲିସ୍ ଅନୁସରଣ କରୁଛି, କେତେବେଳେ କ’ଣ ହେବ ଜଣା ନାହିଁ, ତେଣୁ ଚିଠିଟି ଆପଣ ରଖନ୍ତୁ ।

 

ଚିଠି ହସ୍ତାନ୍ତରିତ ହେବାର କେତେଦିନ ପରେ ହଁ ସୁଧୀର ବାବୁ ଓ ମୁଁ ଗ୍ରେପ୍ତାର ହେଲୁ । ସେହି ବନ୍ଧୁଟି–ଶ୍ରୀ ନରେନ୍ଦ୍ର ନାରାୟଣ ଚକ୍ରବର୍ତ୍ତୀ ପରେ ମୋତେ କହିଥିଲେ ଯେ, ଚିଠିଟି ସେ ନଷ୍ଟ କରି ଦେବାକୁ ବାଧ୍ୟ ହୋଇଥିଲେ । ପୁଣି ଆଉ ଗୋଟିଏ ଅମୂଲ୍ୟ ଜିନିଷ ହଜିଗଲା ।

 

ଭାରତ–ବର୍ମା ସୀମାନ୍ତ

 

ପତ୍ରବାହକ ବିଶେଷ ଜରୁରୀ କାଜେ ଦେଶେ ଯାଛେନ । ଆମାର ବନ୍ଧୁ ସହକର୍ମୀ ଓ ସମର୍ଥକେରା ତାର ସାହାଯ୍ୟ କରଲେ, ଆମି ବିଶେଷ ବାଧିତ ଓ ସୁଖୀ ହେବ । ବିନୀତ ଶ୍ରୀ ସୁଭାଷଚନ୍ଦ୍ର ବୋଷ

 

SECRET MESSAGE SENT TO INDIA THROUGH ONE OF HIS AGENTS

 

(ପତ୍ରବାହକଙ୍କ ହାତରେ ପଠାଇଥିବା ସୁଭାଷଚନ୍ଦ୍ରଙ୍କ ଗୋପନ ଚିଠିର ପ୍ରତିଲିପି)

 

କିନ୍ତୁ ସୌଭାଗ୍ୟବଶତଃ ପ୍ରାୟ ଅନୁରୂପ ଆଉ ଗୋଟିଏ ବାର୍ତ୍ତା ଆଜି ମଧ୍ୟ ନେତାଜୀ ମିଉଜିୟମରେ ରକ୍ଷିତଅଛି । ଅନ୍ୟ ଜଣେ ବାର୍ତ୍ତାବହ ଆଉ ଗୋଟିଏ ଚିଠି ନେଇ ସ୍ଥଳ ପଥରେ ସୀମାନ୍ତ ଅତିକ୍ରମ କରି ଦେଶକୁ ଆସୁଥିଲେ । ଯୁଦ୍ଧ ଭିତରେ ସେ କୌଣସି ପ୍ରକାରେ ସୀମାନ୍ତ ଅତିକ୍ରମ କରି ପାରିଲେ ନାହିଁ । ଯୁଦ୍ଧ ଶେଷ ହେବା ପରେ ସେ କଲିକତା ଆସିବାକୁ ସମର୍ଥ ହୁଅନ୍ତି ଏବଂ ଯେହେତୁ ଦାଦା ମୋ ହାତରେ ଚିଠିଟି ଦେବାକୁ କହିଥିଲେ, ବିଳମ୍ବରେ ହେଲେ ବି ଚିଠିଟି ମୋ ହାତରେ ଦେଇଥିଲେ । ଏହି ଚିଠିରେ ଠିକଣା ଥିଲା : ଭାରତ–ବର୍ମା ସୀମାନ୍ତ । ଆମର ବହୁ ସୌଭାଗ୍ୟ ଉତ୍ତର କାଳ ନିମନ୍ତେ ଏହାକୁ ଆମେ ସଂରକ୍ଷଣ କରି ପାରିଛୁ ।

 

ପୁଲିସ୍‌ର ଜାଲ ଆମ ଚତୁର୍ଦ୍ଦିଗରେ ଘେରି ରହିଥିବାର ବୁଝିପାରି ରାଓଙ୍କ ଦଳଟିକୁ ଛତ୍ରଭଙ୍ଗ କରି ଦେବାକୁ ପଡ଼ିଲା, ତାହାଦ୍ଵାରା ସେମାନେ ଆତ୍ମଗୋପନ କରିବାକୁ ସମର୍ଥ ହେଲେ । ଏହା ଫଳରେ ଆମ ଭିତରୁ ଅନେକଙ୍କର ଜୀବନରକ୍ଷା ହୋଇ ପାରିଲା । ମୋର ଚାର୍ଜସିଟ୍‌ର ଅଭିଯୋଗଗୁଡ଼ିକ ଭିତରେ ‘and others’ କଥା ଦୁଇଟି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା–‘and others’ ନେତାଜୀଙ୍କ ପ୍ରେରିତ ଦଳକୁ ବୁଝାଉଥିଲା କିନ୍ତୁ ରାଓଙ୍କର ଦଳକୁ ଧରି ନ ପାରିବାରୁ ସରକାରଙ୍କ ପକ୍ଷରେ ଅଭିଯୋଗ ପ୍ରମାଣ କରିବା କଠିନ ହୋଇ ପଡ଼ିଲା । ଯାହାହେଉ, ଶେଷ ପର୍ଯ୍ୟନ୍ତ ୧୯୪୪ ମସିହା ଅକ୍ଟୋବର ମାସରେ କଲେଜ ଯିବା ବାଟରେ ପୁଲିସ୍ ମୋତେ ଘେରି ପକାଇଲେ ଏବଂ ଗାଡ଼ିରେ ଲର୍ଡ଼ ସିହ୍ନା ରୋଡ଼କୁ ନେଇଗଲେ । ପରେ ମୋତେ ଉଡ଼୍‌ବାର୍ନ ପାର୍କର ଘରକୁ ଆଣି ତଳମହଲାରେ ବସାଇ ସମସ୍ତ ଘରଟା ତନ୍ନ ତନ୍ନ କରି ସର୍ଚ୍ଚ କଲେ । ଏଥର ମଧ୍ୟ ମୋର ମା’ ଠିକ୍ ସମୟରେ କିଛି ଗୋପନୀୟ କାଗଜପତ୍ର ବାଥ୍‌ରୁମ ଭିତରେ ପୋଡ଼ି ପକାଇବାକୁ ସମର୍ଥ ହୋଇଥିଲେ ।

 

ପୁଲିସ୍ ମୋତେ ନେଇ କୌଣସି ଏକ ଅଜଣା ଗନ୍ତବ୍ୟ ସ୍ଥାନକୁ ଚାଲିଗଲେ । ଏହା ପରେ ସାଢ଼େ ସାତ ମାସ କାଳ ମୋତେ ନିଃସଙ୍ଗ କାରାଜୀବନ ଯାପନ କରିବାକୁ ହୋଇଛି–ତା ମଧ୍ୟରୁ ସାଢ଼େ ତିନି ମାସ ଥିଲି ଲାହୋର ଫୋର୍ଟରେ । ମୋର ମା ବା ପରିବାରର କେହି ଆଦୌ ଜାଣି ପାରିଲେ ନାହିଁ ମୁଁ କେଉଁଠି ଅଛି ବା ବଞ୍ଚିଛି କି ନାହିଁ । ବନ୍ଦୀଶାଳାରେ ବାପାଙ୍କର ମୋ ସମ୍ବନ୍ଧରେ ଚିନ୍ତାର ଶେଷ ନଥିଲା । ତାଙ୍କ ଜେଲ୍ ଡାଏରୀର ପୃଷ୍ଠାରୁ ତାଙ୍କ ଗଭୀର ଦୁଶ୍ଚିନ୍ତାର ପ୍ରମାଣ ମିଳେ ।

 

January                  Saturday 20                  1945

 

After bath when I sat down to pray (at about 2.15 P. M.) my mind was very much troubled with thoughts of sisir. Has anything serious happened to Sisir? I prayed to the Divine Mother with tears in my eyes and begged of Her to save Sisir. Will my prayers reach Her lotus feet ?

 

At about 3.30 P. M. received Ami's letter of the 14th. He says that there is still no news about Sisir and that he will be going up to Delhi as soon as he can get train accommodation. May his mission prove successful ! During my afternoon nap, dreamt that father came to me. Has the dream any meaning, good or bad ?

 

ସେହି ସମୟରେ ମୁଁ ଯେ ମୋ ବାପାଙ୍କର ଗଳ୍ପର ବେଦନାର କାରଣ ହୋଇଥିଲି ତାହା ଆଜି ତାଙ୍କ ଜେଲ ଡାଏରୀର ପୃଷ୍ଟା ଓଲଟାଇଲେ ବୁଝାପଡ଼େ । ପୁଣି ବାଇଶ ଜାନୁୟାରୀରେ ଦେଖିଲି ସେ ଲେଖିଛନ୍ତି ।

 

January

Monday

221945

 

Yesterday and today my mind has been oscillating very much–sometimes I feel that Sisir is getting over the crisis, sometimes I feel just the opposite. My heart bleeds for my poor boy and his mother. Won't the Divine Mother who has kept me in fetters save my poor boy? Won't She teach, me how to pray at Her lotus feet?

 

ଏହାପରେ ମୋ ଭାଗ୍ୟରେ ଯାହାସବୁ ଘଟିଥିଲା ତାହା ଅତ୍ୟନ୍ତ ମର୍ମାନ୍ତିକ । ଗୋଟିଏ ରାତି କୁଖ୍ୟାତ ଲର୍ଡ଼ ସିହ୍ନା ରୋଡ଼ ହାଜତରେ କଟାଇ ପରଦିନ ଭୋର ହେବା ପୂର୍ବରୁ ମୋତେ ଗୋଟିଏ ମିଲିଟାରୀ ଏରୋପ୍ଲେନ୍‌ରେ ଦିଲ୍ଲୀର ଲାଲକିଲ୍ଲାକୁ ନିଆ ହୋଇଥିଲା । ଯେଉଁ ପୁଲିସ ଅଫିସରଟି ମୋ ସଙ୍ଗେ ଥିଲେ ସେ ମୋତେ ହାତକଡ଼ା ଦେଖାଇ ସାବଧାନ କରିଦେଲେ । ଏହିଭଳି ମୋ ଜୀବନରେ ପ୍ରଥମ ଏରୋପ୍ଲେନ୍ ଚଢ଼ିବାର ଅଭିଜ୍ଞତା ହେଲା । ସାନ୍ତ୍ଵନା କେବଳ ଏତିକି ଥିଲା ଯେ, ଏହା ହୋଇଥିଲା ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟର ଖରଚରେ ।

 

ଦିଲ୍ଲୀରେ ଲାଲକିଲ୍ଲାର ଅଣ୍ଡରଗ୍ରାଉଣ୍ଡ ସେଲ୍‌କୁ ମୋତେ ଯେତେବେଳେ ଠେଲିଦେଲେ ହଠାତ୍ ଆଖିରେ ପଡ଼ିଲା ପୂର୍ବରୁ ଅନ୍ୟ କୌଣସି ବନ୍ଦୀ କାନ୍ଥରେ କୋଇଲା ଦ୍ଵାରା ବଡ଼ ବଡ଼ ଅକ୍ଷରରେ ଲେଖି ଯାଇଛି–Stone walls do not a prison make–ଇତ୍ୟାଦି ।

 

ସେଠାରେ ପ୍ରାୟ ଦଶଦିନ କଟାଇଲା ପରେ ପଞ୍ଜାବ ପୁଲିସଙ୍କ ହେଫାଜତ୍‌ରେ ମୋତେ ଟ୍ରେନରେ ଦିଲ୍ଲୀରୁ ଲାଲକିଲ୍ଲା ସେଲ୍‌ରୁ ଲାହୋର ଫୋର୍ଟର ବାର ନମ୍ବର ସେଲ୍‌ର କବାଟ ବନ୍ଦ ହେବା ପର୍ଯ୍ୟନ୍ତ ମୋର ହାତକଡ଼ା ଖୋଲା ହୋଇ ନ ଥିଲା । ଦିଲ୍ଲୀ ଷ୍ଟେସନର ଜନବହୁଳ ପ୍ଲାଟଫର୍ମରେ ଯେତେବେଳେ ମୋର ହାତ ଦୁଇଟି ପଛଆଡ଼ୁ ବାନ୍ଧି ଦୁଇଆଡ଼େ ବନ୍ଧୁକଧାରୀ ସିପାହୀ ମୋତେ ନେଇ ଚାଲିଥାନ୍ତି ସେତେବେଳେ ମୁଁ ବ୍ୟାକୁଳ ହୋଇ ଚାରିଆଡ଼କୁ ଚାହୁଁଥିଲି, ଯଦି କେହି ପ୍ରିୟଜନ ମୋତେ ଦେଖିବାକୁ ପାଏ ତେବେ ଖବରଟା ଅନ୍ତତଃ ଆମ ଘରର କୌଣସି ଲୋକକୁ ପହଞ୍ଚାଇ ଦେବ ।

 

ସେହି ସମୟରେ ମୁଁ ଦେଖିଲି ଏତେ ଲୋକ କେତେ ତୁଚ୍ଛ କାମରେ ବ୍ୟସ୍ତ, କିନ୍ତୁ କାହାରି ମୋ’ଆଡ଼କୁ ଫେରି ଚାହିଁବାର ସମୟ ନାହିଁ । ମୋର ମନେହେଲା ସୁଭାଷଚନ୍ଦ୍ର ବସୁ ଭାରତର ସ୍ୱାଧୀନ ସରକାର ଗଠନ କରିଛନ୍ତି ଦେଶ ବାହାରେ । ମୁକ୍ତିଫୌଜ ସଙ୍ଗରେ ନେଇ ସେ ଦେଶର ସୀମାନ୍ତ ଆଡ଼କୁ ଅଗ୍ରସର ହେଉଛନ୍ତି । କିନ୍ତୁ ହାଃୟ, ତାଙ୍କ ଦେଶବାସୀ କିଛି ହେଲେ ଜାଣନ୍ତି ନାହିଁ । ସେମାନେ ନିରୁତ୍ସାହ ଓ ନିର୍ଲିପ୍ତ ଭାବରେ କେବଳ ତୁଚ୍ଛ କାମରେ ବ୍ୟସ୍ତ । ତାଙ୍କରି କାର୍ଯ୍ୟରେ ସାମାନ୍ୟ ଜଡ଼ିତ ଥିବା ଯୋଗୁଁ ଆଜି ମୋତେ ବିଦେଶୀ ସରକାର ପ୍ରକାଶ୍ୟଭାବେ ବାନ୍ଧି ନେଉଛି, କିନ୍ତୁ କେହି ସେଥିରେ ତିଳେ ହେଲେ ବିଚଳିତ ନୁହଁନ୍ତି ।

 

ଲାହୋର ଫୋର୍ଟର ଚାରିଆଡ଼େ ଲୁହାରେଲିଂ ଥିବା ଗୋଟିଏ ସ୍ଵତନ୍ତ୍ର ଖୋଲା ପିଞ୍ଜରାରେ ପୁରା ଶୀତକାଳଟା ମୋର ଗୋଟିଏ ବସ୍ତ୍ରରେ କଟିଲା । ପିଞ୍ଜରା ବାହାରେ ଗୋଟିଏ ହରିଣ ଥିଲା । ସେ ପାଖକୁ ଆସି ବଡ଼ ବଡ଼ ଆଖିରେ ଅବାକ୍ ଦୃଷ୍ଟିରେ ଦେଖୁଥାଏ, ଯେପରି ଆମେ ଚିଡ଼ିଆଖାନାର ଜନ୍ତୁ ଜାନୁଆରମାନଙ୍କୁ ଦେଖୁ ।

 

ଲାହୋର ଫୋର୍ଟରେ ମୋର ଅଜ୍ଞାତବାସ ଯେତେବେଳେ ଚାଲିଥାଏ ସେତେବେଳେ କଲିକତାରେ ମୋର ଆତ୍ମୀୟ ବନ୍ଧୁମହଲ ମୋର ଗତିବିଧି ଜାଣିବା ପାଇଁ ଏବଂ ସମ୍ଭବ ହେଲେ ମୋତେ ଉଦ୍ଧାର କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଥିଲେ । ମୋର ମଝିଆ ଭାଇ ଅମୀୟନାଥ ଦିଲ୍ଲୀ ଯାଇ ମୋ ବିଷୟରେ କିଛି ଖବର ପାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ସମୟରେ ଭାରତ ସରକାରଙ୍କ ଅଧୀନସ୍ଥ ଉଚ୍ଚପଦସ୍ଥ ଭାରତୀୟ ବଙ୍ଗାଳୀ ଅଫିସରମାନେ ମଧ୍ୟ ତାଙ୍କ ରାଜଭକ୍ତି ବଜାୟ ରଖି ରୂଢ଼ଭାବେ ତାଙ୍କୁ ଫେରାଇ ଦେଇଥିଲେ ।

 

ଏହି ସମ୍ପର୍କରେ ଉଚ୍ଚ ମହଲର ଗୋଟିଏ କୌତୂହଳଦ୍ଦୀପକ ଘଟଣା ଉଲ୍ଲେଖଯୋଗ୍ୟ । ଆମ ପରିବାରର ଜଣେ ବିଶେଷ ବନ୍ଧୁ ଓ ଆଉ ଜଣେ ନିକଟ ଆତ୍ମୀୟ ଭାରତ ସରକାରଙ୍କ ପୂର୍ବତନ ଆଇନଜ୍ଞ ଓ ଆଇନ ବ୍ୟବସାୟରେ ବାପାଙ୍କ ଗୁରୁଜୀ ସାର, ନୃପେନ୍ଦ୍ରନାଥ ସରକାରଙ୍କ ପାଖକୁ ଯାଇଥିଲେ । ସେମାନେ ଅବଶ୍ୟ ମୋର ଗୋପନ କାର୍ଯ୍ୟକଳାପର କୌଣସି କଥା ଜାଣି ନ ଥାନ୍ତି । ସରକାର ସାହେବଙ୍କୁ ସେମାନେ କହିଲେ ଯେ ମୁଁ ନିତାନ୍ତ ଭଲ ମଣିଷ, କୌଣସି ଗଣ୍ଡଗୋଳରେ ନ ଥାଏ, ଭାରତ ସରକାର ନିଶ୍ଚୟ ଭୁଲରେ ମୋତେ ବନ୍ଦୀ କରି ରଖିଛନ୍ତି । ସେମାନେ ସରକାରଙ୍କୁ ବିଶେଷ ଭାବେ ଲର୍ଡ଼ ଓୟେଭେଲ୍‌ଙ୍କୁ ମୋ’ ବିଷୟରେ ଲେଖିବା ପାଇଁ ଅନୁରୋଧ ଜଣାଇଲେ । ସରକାର ସାହେବ କହିଲେ–ଶରତ୍ ବିଷୟରେ ତ କୌଣସି କଥା ସେମାନେ ମୂଳରୁ ଶୁଣିବେ ନାହିଁ । କିନ୍ତୁ ପିଲାଟି ସମ୍ବନ୍ଧରେ ମୁଁ ଲେଖିବି । ଓୟେଭେଲ୍ ପ୍ରଥମତଃ ଉତ୍ତର ଦେଲେ ସେ, ସେ ହୋମ୍ ଡିପାର୍ଟମେଣ୍ଟର ଗୋପନୀୟ ସବୁ ବିଷୟରେ ହସ୍ତକ୍ଷେପ କରନ୍ତି ନାହିଁ । ତେବେ ସରକାର ସାହେବଙ୍କ ଖାତିରରେ ମୋର ଫାଇଲଟା ମଗାଇ ପଠାଇବେ । ପରେ ଓୟେଭେଲ୍ ଲେଖିଲେ ଯେ ମୋ ସମ୍ବନ୍ଧରେ ସରକାର ସାହେବଙ୍କର ଧାରଣା ଠିକ୍ ନୁହେଁ, ମୁଁ ଜଣେ ‘dangerous boy’ ମୋ ବିରୁଦ୍ଧରେ ଅଭିଯୋଗ ଅତ୍ୟନ୍ତ ଗୁରୁତର । ସେମାନେ ଚାହାଁନ୍ତି ମୋର ବିଚାର ହେଉ ଏବଂ ମୁଁ ତା’ର ଉପଯୁକ୍ତ ଶାସ୍ତି ପାଏ, କିନ୍ତୁ ଯଥେଷ୍ଟ ପ୍ରମାଣର ଅଭାବରେ ସେମାନେ ତାହା କରିପାରୁ ନାହାନ୍ତି । ଓୟେଭେଲ୍‌ଙ୍କର ଚିଠି ସାର୍, ନୃପେନ୍ ମୋର ମା’ଙ୍କୁ ଡାକି ଦେଖାଇଲେ, ମା ଚିଠି ଖଣ୍ଡକ ପଢ଼ିସାରି ନୀରବରେ ଫେରି ଆସିଲେ ।

 

ନିୟମିତ ପ୍ରଶ୍ନୋତ୍ତର ଆରମ୍ଭ ହେବା ପୂର୍ବରୁ ଫୋର୍ଟର ବିଚକ୍ଷଣ ସ୍ପେଶାଲ ସୁପାରିନ୍‌ଟେଣ୍ଡେଣ୍ଟ ମଝିରେ ମଝିରେ ପିଞ୍ଜରା ବାହାରୁ ନାନାଭାବେ ମୋ ଉପରେ ମନସ୍ତାତ୍ତ୍ୱିକ ଚାପ ସୃଷ୍ଟି କରୁଥିଲେ । କହୁଥିଲେ, ଦେଖ, ଏଠାକୁ ତ କେବଳ ଅତି ବିପଜ୍ଜନକ ବ୍ୟକ୍ତିମାନଙ୍କୁ ଅଣାଯାଏ–ଯେଉଁମାନେ ଗୋପନରେ ରାଜଦ୍ରୋହାତ୍ମକ କାର୍ଯ୍ୟରେ ଲିପ୍ତ ଥାନ୍ତି, ଗୋଟିଏ କଥାରେ ଯେଉଁମାନେ ରାଷ୍ଟ୍ରବିପ୍ଳବୀ (Revolutionary) ତୁମେ ଏଠାକୁ ଆସିଛ କାହିଁକି ? ତାପରେ କହୁଥିଲେ, ଲାହୋର ଫୋର୍ଟକୁ ଯେଉଁମାନେ ଆସନ୍ତି ତାଙ୍କର ଏଠାରେ ଯୁଗ ବିତିଯାଏ । ବାହାର ପୃଥିବୀ ସହିତ ସେମାନଙ୍କର ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ । ସେମାନେ ପ୍ରାୟ କେହି ଘରକୁ ଫେରନ୍ତି ନାହିଁ ।

 

ସତ କଥା, ଲାହୋର ଫୋର୍ଟରେ ମୋର ମନେ ହେଉଥିଲା, ସେମାନେ ଯେପରି ମୋର ସମସ୍ତ ସତ୍ତାକୁ ମଧ୍ୟ ନଷ୍ଟ କରିଦେବେ । ଔଷଧର କାଚ ଉପରେ ଏକ ଅଦ୍ଭୁତ ନାମ ଦେଖି ସେଦିନ ବୁଝିଲି ଯେ ସେମାନେ ମୋର ନାମକୁ ମଧ୍ୟ ବଦଳାଇ ଦେଇଛନ୍ତି । ସେମାନେ କହିଲେ, ଠିକ୍ ତ, ତୁମର ଏଠାକାର ନାମ ହେଉଛି ସନ୍‌ସାର ଚନ୍ଦ୍ । ଅର୍ଥାତ୍ କୌଣସି ରେକର୍ଡ଼ରେ ବି ମୋର ଅସଲ ନାମ ରହିବ ନାହିଁ । କିଏ ପ୍ରମାଣ କରିବ ଯେ ଶିଶିର ବସୁ ବୋଲି କେହି ଜଣେ ଏଠାରେ ଥିଲେ ।

 

ଦୀର୍ଘଦିନ ଧରି ମୋତେ ନାନା ପ୍ରକାର ପ୍ରଶ୍ନ ପଚାରିବା ପରେ ମୁଁ–ଦିନେ ଫୋର୍ଟର କର୍ତ୍ତା ନାଜିର ଅହମ୍ମଦ୍ ରିଜଭିଙ୍କୁ କହିପକାଇଲି–ତୁମେ ସବୁ ମୋର କ୍ୟାରିଆରଟାକୁ ନଷ୍ଟ କରିଦେଲ । ଉତ୍ତରରେ ସେ କହିଲେ–ଦେଖ, ତୁମକୁ ଗୋଟିଏ କଥା କହିବି । ମୋର ବାପା ମଧ୍ୟ ଏହି ଲାହୋର ଫୋର୍ଟରେ ଅଫିସର ଥିଲେ ଏବଂ ତାଙ୍କ ସଙ୍ଗେ ମୁଁ ପିଲାବେଳରୁ ଏଠାରେ ରହି ଆସିଛି । ମୁଁ ମୋର ଅ–ଆ–କ–ଖ ଶିଖିଛି ଭାରତର ଶ୍ରେଷ୍ଠ ବିପ୍ଳବୀମାନଙ୍କ ପାଖରୁ–I learnt my alphabets from India’s' greatest revolutionaries.

 

ତୁମେ ଓ ମୁଁ ବିପକ୍ଷ ଦଳର ଲୋକ । ତଥାପି ମୁଁ କହୁଛି, ଲାହୋର ଫୋର୍ଟରେ କାହାରି କ୍ୟାରିଆର ନଷ୍ଟ ହୁଏନା । ଆରମ୍ଭ ହୁଏ ମାତ୍ର । ମୋର ଏଠାରୁ ହିଁ ଆରମ୍ଭ, ଏଠାରେ ହିଁ ଶେଷ । କିନ୍ତୁ ତୁମର ଜୀବନ ଏଠାରୁ ଆରମ୍ଭ ହେଲା ।

 

ମୋର ମଧ୍ୟ କେମିତି ମନେହେଲା ଲାହୋର ଫୋର୍ଟରେ ନିଗୃହୀତ ହେବାର ଗୌରବ ଲାଭ କରି ମୁଁ’ ନିଜକୁ ଧନ୍ୟ ମନେ କରିଛି । ବହୁ ଯୁଗ ପୂର୍ବେ ଗୋଟିଏ ରାତିରେ ରାଜକୁମାର ସିଦ୍ଧାର୍ଥ ଗୃହତ୍ୟାଗ କରି ଯାଇଥିଲେ ସିଦ୍ଧି ଲାଭର ଆଶାରେ । ସେ ଇତିହାସ ପୃଷ୍ଠାରେ ଫେରିଆସିଲେ ଗୌତମ ବୁଦ୍ଧ ରୂପେ । ଆଧୁନିକ ଯୁଗରେ ଆଉ ଗୋଟିଏ ରାତ୍ରିରେ ଅନ୍ୟ ଏକ ସିଦ୍ଧି ଲାଭ ନିମନ୍ତେ ଗୃହତ୍ୟାଗ କଲେ ସୁଭାଷଚନ୍ଦ୍ର । ଇତିହାସ ପୃଷ୍ଠାରେ ସେ ପ୍ରତ୍ୟାଗତ ନେତାଜୀ ରୂପେ । ତାଙ୍କ ସେହି ଐତିହାସିକ ଗୃହତ୍ୟାଗରେ ମୋର ଯେଉଁ ଅତି ସାମନ୍ୟ ଭୂମିକା ତାହା ମୋର ଜୀବନକୁ ସାର୍ଥକ କରିଛି ।

Image